ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଶୂହୀୟ ବିଲ୍‌ଦଦ୍‌ଙ୍କ ଉତ୍ତର

ବିଲ୍‌ଦଦ ଅଧିକ ସିଧାସଳଖ: ପରମେଶ୍ୱର ନ୍ୟାୟ ବିକୃତ କରନ୍ତି ନାହିଁ, ତେଣୁ ଆୟୁବଙ୍କ ସନ୍ତାନମାନେ ନିଶ୍ଚୟ ନିଜ ପାପର ଫଳ ପାଇଛନ୍ତି। ପରମେଶ୍ୱରଙ୍କୁ ଖୋଜ, ଶୁଦ୍ଧ ହୁଅ, ତେବେ ଶେଷ ଆରମ୍ଭଠାରୁ ଅଧିକ ଉଜ୍ଜ୍ୱଳ ହେବ। ଅଧାର୍ମିକର ତାଙ୍କ ଚିତ୍ର, ଜଳାଭୂମି ବିନା ନଳ, ବୁଢ଼ିଆଣୀର ଜାଲ, ସିଧା ଆୟୁବଙ୍କୁ ଲକ୍ଷ୍ୟ କରେ।

ଅଧ୍ୟାୟ 8।

ସେତେବେଳେ ଶୂହୀୟ ବିଲ୍‌ଦଦ୍‌ ଉତ୍ତର ଦେଲେ, “ତୁମ୍ଭେ ଆଉ କେତେ କାଳ ଏପରି କଥା କହିବ? ତୁମ୍ଭ ମୁଖର ବାକ୍ୟ କେବଳ ପ୍ରବଳ ବାୟୁ ତୁଲ୍ୟ। ଈଶ୍ଵର କʼଣ ନ୍ୟାୟ ବିପରୀତ କରନ୍ତି? ସର୍ବଶକ୍ତିମାନ କʼଣ ଯଥାର୍ଥ ବିଷୟ ବିପରୀତ କରନ୍ତି? ଯଦି ତୁମ୍ଭ ସନ୍ତାନମାନେ ତାହାଙ୍କ ବିରୁଦ୍ଧରେ ପାପ କରିଥିଲେ, ତେବେ ସେ ସେମାନଙ୍କୁ ସେମାନଙ୍କ ଅଧର୍ମର ଫଳ ହସ୍ତରେ ସମର୍ପଣ କଲେ। ମାତ୍ର ଯଦି ତୁମ୍ଭେ ଯତ୍ନପୂର୍ବକ ଈଶ୍ଵରଙ୍କ ଅନ୍ଵେଷଣ କରିବ ଓ ସର୍ବଶକ୍ତିମାନଙ୍କ ନିକଟରେ କୃପା ନିମନ୍ତେ ବିନତି କରିବ, ଯଦି ତୁମ୍ଭେ ଶୁଚି ଓ ସରଳ ଅଟ, ତେବେ ନିଶ୍ଚୟ ସେ ଏବେ ତୁମ୍ଭ ନିମନ୍ତେ ଜାଗ୍ରତ ହେବେ ଓ ତୁମ୍ଭର ଯଥାର୍ଥ ସ୍ଥାନକୁ ତୁମ୍ଭକୁ ପୁନର୍ବାର ସ୍ଥାପନ କରିବେ। ଯଦ୍ୟପି ତୁମ୍ଭର ଆରମ୍ଭ କ୍ଷୁଦ୍ର ଥିଲା, ତଥାପି ତୁମ୍ଭର ପରବର୍ତ୍ତୀ କାଳ ଅପରିମିତ ଉନ୍ନତି କରିବ। ଅତୀତ ବହୁ ପୁରୁଷଗଣଙ୍କୁ ପଚାର, ପୁଣି ସେମାନଙ୍କ ପିତୃପୁରୁଷଗଣ ଯାହା ଅନୁସନ୍ଧାନ କଲେ, ତାହା ବିବେଚନା କର। କାରଣ ଆମ୍ଭେମାନେ ତ ଗତକାଲି ଜନ୍ମ ହୋଇଅଛୁ ଓ କିଛି ଜାଣୁ ନାହିଁ; ପୃଥିବୀରେ ଆମ୍ଭମାନଙ୍କ ଦିନସବୁ କେବଳ ଛାୟା ସ୍ଵରୂପ। ସେମାନେ କʼଣ ତୁମ୍ଭକୁ ଶିକ୍ଷା ଦେବେ ନାହିଁ ଓ କହିବେ ନାହିଁ, ପୁଣି ଆପଣା ବୁଦ୍ଧିରୁ ବାକ୍ୟ ବାହାର କରିବେ ନାହିଁ? ଯେଉଁଠାରେ ପଙ୍କ ନାହିଁ, ସେଠାରେ କʼଣ ନଳ ଉଚ୍ଚ ହୋଇ ବଢ଼ିପାରେ? ଜଳ ବିନା କʼଣ ବେତସ ବୃଦ୍ଧି ପାଇପାରେ? ତାହା ହରିଦ୍‌ବର୍ଣ୍ଣ ଥାଉ ଥାଉ ଓ ନ କଟା ଯାଉ ଥାଉ, ଅନ୍ୟ ସକଳ ତୃଣଠାରୁ ଶୀଘ୍ର ଶୁଷ୍କ ହୁଏ। ଈଶ୍ଵରଙ୍କୁ ପାସୋରିବା ସମସ୍ତଙ୍କର ଗତି ଏହିପ୍ରକାର; ଏହିରୂପେ ଅଧର୍ମୀର ଭରସା ବିନଷ୍ଟ ହୁଏ। ତାହାର ଆଶ୍ରୟ ଭଗ୍ନପ୍ରାୟ, ପୁଣି ତାହାର ବିଶ୍ଵାସ ବୁଢ଼ିଆଣୀର ଜାଲ। ସେ ଆପଣା ଗୃହ ଉପରେ ଆଉଜେ, ମାତ୍ର ତାହା ଠିଆ ହୁଏ ନାହିଁ; ସେ ତାହା ଦୃଢ଼ ଭାବରେ ଧରେ, ମାତ୍ର ତାହା ସ୍ଥିର ରହେ ନାହିଁ। ସେ ସୂର୍ଯ୍ୟର ଆଲୋକରେ ଉତ୍ତମ ଜଳସେକ ପ୍ରାପ୍ତ ଗଛ ତୁଲ୍ୟ, ଯାହା ଆପଣା ପଲ୍ଲବ ଉଦ୍ୟାନ ଉପରେ ବିସ୍ତାର କରେ। ତାହାର ମୂଳ ପ୍ରସ୍ତରରାଶିକୁ ଗୁଡ଼ାଇ ଧରେ ଓ ଧରିବା ପାଇଁ ଶୈଳ ମଧ୍ୟରେ ସ୍ଥାନ ଅନ୍ଵେଷଣ କରେ। ମାତ୍ର ଯେତେବେଳେ ସେ ଆପଣା ସ୍ଥାନରୁ ଉତ୍ପାଟିତ ହୁଏ, ସେତେବେଳେ ତାହା, ‘ମୁଁ କେବେ ତୁମ୍ଭକୁ ଦେଖି ନାହିଁ,’ ବୋଲି କହି ତାହାକୁ ଅସ୍ଵୀକାର କରେ। ତାହାର ପଥର ଆନନ୍ଦ ଏହିପ୍ରକାର—ପୁଣି ମୃତ୍ତିକାରୁ ତାହାର ସ୍ଥାନରେ ଅନ୍ୟମାନେ ଅଙ୍କୁରିତ ହୁଅନ୍ତି। ଈଶ୍ଵର ସିଦ୍ଧ ମନୁଷ୍ୟକୁ ଅଗ୍ରାହ୍ୟ କରିବେ ନାହିଁ, କିଅବା ଦୁଷ୍କର୍ମକାରୀମାନଙ୍କୁ ହସ୍ତ ବଢ଼ାଇ ଦେବେ ନାହିଁ। ସେ ଏବେ ମଧ୍ୟ ତୁମ୍ଭ ମୁଖ ହାସ୍ୟରେ ଓ ତୁମ୍ଭ ଓଷ୍ଠାଧର ଆନନ୍ଦଧ୍ଵନିରେ ପରିପୂର୍ଣ୍ଣ କରିବେ। ତୁମ୍ଭକୁ ଘୃଣା କରିବା ଲୋକମାନେ ଲଜ୍ଜାରେ ଆଚ୍ଛାଦିତ ହେବେ, ଆଉ ଦୁଷ୍ଟର ତମ୍ବୁ ଆଉ ରହିବ ନାହିଁ।”