ନୂତନ ରାଣୀ ଅନ୍ଵେଷଣ
ବଷ୍ଟୀ ଚାଲିଯିବା ପରେ, ରାଜାଜ୍ଞାରେ ଯୁବତୀମାନଙ୍କୁ ରାଜାଙ୍କ ଅନ୍ତଃପୁରରେ ଏକତ୍ର କରାଯାଏ। ମର୍ଦ୍ଦଖୟ, ଯେ ତାଙ୍କର ଅନାଥ ଭଉଣୀ ଏଷ୍ଟରଙ୍କୁ ପାଳନ କରିଥିଲେ, ତାଙ୍କୁ ସେ ଯିହୁଦୀ ବୋଲି ଲୁଚାଇ ରଖିବାକୁ କହନ୍ତି। ସେ ମୁକୁଟ ଲାଭ କରନ୍ତି, ଏବଂ ଏକ ହତ୍ୟା ଷଡ଼ଯନ୍ତ୍ର ବିଷୟରେ ମର୍ଦ୍ଦଖୟଙ୍କ ସୂଚନା ରାଜକୀୟ ଇତିହାସରେ ଲେଖାଯାଏ।
2 1ପରେ ଅକ୍ଷଶ୍ଵେରୋଶ ରାଜାଙ୍କ କ୍ରୋଧ ଶାନ୍ତ ହୁଅନ୍ତେ, ସେ ବଷ୍ଟୀଙ୍କୁ, ତାହାର କୃତ କର୍ମ ଓ ତାହା ବିରୁଦ୍ଧରେ ଜାରି ହୋଇଥିବା ଆଜ୍ଞା ସ୍ମରଣ କଲେ। 2ସେତେବେଳେ ରାଜାଙ୍କ ପରିଚାରକମାନେ କହିଲେ, “ରାଜାଙ୍କ ନିମନ୍ତେ ସୁନ୍ଦରୀ ଯୁବତୀ କୁମାରୀମାନେ ଅନ୍ଵେଷଣ କରାଯାଉ। 3ରାଜା ଆପଣା ରାଜ୍ୟର ପ୍ରତ୍ୟେକ ପ୍ରଦେଶରେ ଅଧ୍ୟକ୍ଷମାନଙ୍କୁ ନିଯୁକ୍ତ କରନ୍ତୁ, ଯେପରି ସେମାନେ ପ୍ରତ୍ୟେକ ସୁନ୍ଦରୀ ଯୁବତୀ କୁମାରୀକୁ ଶୂଶନ୍ ରାଜଗଡ଼ର ଅନ୍ତଃପୁରକୁ, ସ୍ତ୍ରୀଲୋକମାନଙ୍କ ରକ୍ଷକ ରାଜାଙ୍କ ନପୁଂସକ ହେଗୟର ଅଧୀନକୁ ଏକତ୍ର କରିବେ ଓ ସେମାନଙ୍କୁ ରୂପଚର୍ଚ୍ଚାର ଦ୍ରବ୍ୟ ଦିଆଯାଉ। 4ଯେଉଁ ଯୁବତୀ ରାଜାଙ୍କ ଦୃଷ୍ଟିରେ ତୁଷ୍ଟିକର ବୋଧ ହେବ, ସେ ବଷ୍ଟୀଙ୍କ ପଦରେ ରାଜ୍ଞୀ ହେଉ।” ଏହି କଥା ରାଜାଙ୍କ ଦୃଷ୍ଟିରେ ତୁଷ୍ଟିକର ବୋଧ ହେଲା, ଆଉ ସେ ସେହିପରି କଲେ।
5ଶୂଶନ୍ ରାଜଗଡ଼ରେ ମର୍ଦ୍ଦଖୟ ନାମକ ଜଣେ ଯିହୂଦୀ ବାସ କରୁଥିଲେ; ସେ ବିନ୍ୟାମୀନୀୟ କୀଶର ପ୍ରପୌତ୍ର, ଶିମୀୟିର ପୌତ୍ର ଓ ଯାୟୀରର ପୁତ୍ର; 6ବାବିଲର ରାଜା ନବୂଖଦ୍ନିତ୍ସର ଯିହୂଦାର ରାଜା ଯିଖନୀୟଙ୍କ ସହିତ ଯେଉଁ ବନ୍ଦୀଗଣଙ୍କୁ ନେଇ ଯାଇଥିଲେ, ସେମାନଙ୍କ ମଧ୍ୟରେ ସେ ଯିରୂଶାଲମରୁ ନିର୍ବାସିତ ହୋଇଥିଲେ। 7ତାହାଙ୍କ ପିତୃବ୍ୟର କନ୍ୟା, ଯାହାର ପିତା କି ମାତା ନ ଥିଲେ, ସେହି ହଦସା, ଅର୍ଥାତ୍ ଏଷ୍ଟରକୁ ସେ ପ୍ରତିପାଳନ କରୁଥିଲେ। ସେହି ଯୁବତୀ ରୂପରେ ସୁନ୍ଦରୀ ଓ ଦର୍ଶନରେ ମନୋହର ଥିଲା; ତାହାର ପିତା ଓ ମାତାଙ୍କ ମୃତ୍ୟୁ ପରେ ମର୍ଦ୍ଦଖୟ ତାହାକୁ ଆପଣା କନ୍ୟା ରୂପେ ଗ୍ରହଣ କଲେ।
8ପୁଣି, ରାଜାଙ୍କ ଆଜ୍ଞା ଓ ବିଧି ଶ୍ରୁତ ହୁଅନ୍ତେ ଓ ଅନେକ ଯୁବତୀ ହେଗୟର ଅଧୀନରେ ଶୂଶନ୍ ରାଜଗଡ଼କୁ ଏକତ୍ର ହୁଅନ୍ତେ, ଏଷ୍ଟର ମଧ୍ୟ ରାଜଗୃହକୁ, ସ୍ତ୍ରୀଲୋକମାନଙ୍କ ରକ୍ଷକ ହେଗୟର ଅଧୀନକୁ ଅଣାଗଲା। 9ସେହି ଯୁବତୀ ତାହାର ଦୃଷ୍ଟିରେ ତୁଷ୍ଟିକର ବୋଧ ହେଲା ଓ ତାହାର ଅନୁଗ୍ରହ ପ୍ରାପ୍ତ ହେଲା; ଏଣୁ ସେ ଶୀଘ୍ର ତାହାକୁ ରୂପଚର୍ଚ୍ଚାର ଦ୍ରବ୍ୟ ଓ ଖାଦ୍ୟ ଦ୍ରବ୍ୟ, ପୁଣି ରାଜଗୃହରୁ ମନୋନୀତ ସାତ ଜଣ ଯୁବତୀ ଦେଲା ଓ ତାହାକୁ, ପୁଣି ତାହାର ଦାସୀମାନଙ୍କୁ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନକୁ ସ୍ଥାନାନ୍ତରିତ କଲା। 10ଏଷ୍ଟର ଆପଣା ଜନବୃନ୍ଦ କିମ୍ବା ବଂଶ ପ୍ରକାଶ କରି ନ ଥିଲା, କାରଣ ତାହା ନ ପ୍ରକାଶ କରିବା ନିମନ୍ତେ ମର୍ଦ୍ଦଖୟ ତାହାକୁ କହିଥିଲେ। 11ପୁଣି, ଏଷ୍ଟର କିପରି ଅଛି ଓ ତାହା ପ୍ରତି କଅଣ ଘଟୁଅଛି, ଏହା ଜାଣିବା ନିମନ୍ତେ ମର୍ଦ୍ଦଖୟ ପ୍ରତିଦିନ ଅନ୍ତଃପୁରର ପ୍ରାଙ୍ଗଣ ସମ୍ମୁଖରେ ଏଣେତେଣେ ବୁଲୁଥିଲେ।
12ପ୍ରତ୍ୟେକ ଯୁବତୀ ବାର ମାସ ବିହିତ ରୂପଚର୍ଚ୍ଚା ପରେ, ଅର୍ଥାତ୍ ଛଅ ମାସ ଗନ୍ଧରସ ତୈଳରେ ଓ ଛଅ ମାସ ସୁଗନ୍ଧି ଦ୍ରବ୍ୟ ଓ ରୂପଚର୍ଚ୍ଚାର ଦ୍ରବ୍ୟରେ, ଅକ୍ଷଶ୍ଵେରୋଶ ରାଜାଙ୍କ ନିକଟକୁ ଯିବା ନିମନ୍ତେ ଆପଣା ପାଳି ପାଉଥିଲା। 13ଏହି ପ୍ରକାରେ ପ୍ରତ୍ୟେକ ଯୁବତୀ ରାଜାଙ୍କ ନିକଟକୁ ଯାଉଥିଲା; ଅନ୍ତଃପୁରରୁ ରାଜଗୃହକୁ ସଙ୍ଗରେ ନେବା ନିମନ୍ତେ ସେ ଯାହା କିଛି ମାଗୁଥିଲା, ତାହା ତାହାକୁ ଦିଆଯାଉଥିଲା। 14ସନ୍ଧ୍ୟା ସମୟରେ ସେ ଭିତରକୁ ଯାଉଥିଲା ଓ ପ୍ରାତଃକାଳରେ ଦ୍ଵିତୀୟ ଅନ୍ତଃପୁରକୁ, ଅର୍ଥାତ୍ ଉପପତ୍ନୀମାନଙ୍କ ରକ୍ଷକ ରାଜାଙ୍କ ନପୁଂସକ ଶାଶ୍ଗସର ଅଧୀନକୁ ଫେରି ଆସୁଥିଲା। ରାଜା ତାହାଠାରେ ସନ୍ତୁଷ୍ଟ ହୋଇ ତାହାକୁ ନାମ ଧରି ନ ଡାକିଲେ, ସେ ଆଉ ରାଜାଙ୍କ ନିକଟକୁ ଯାଉ ନ ଥିଲା।
15ଯେଉଁ ଅବୀହୈଲର କନ୍ୟା ଏଷ୍ଟରକୁ ମର୍ଦ୍ଦଖୟ ଆପଣା କନ୍ୟା ରୂପେ ଗ୍ରହଣ କରିଥିଲେ, ସେହି ଏଷ୍ଟରର ରାଜାଙ୍କ ନିକଟକୁ ଯିବା ପାଳି ଉପସ୍ଥିତ ହୁଅନ୍ତେ, ସ୍ତ୍ରୀଲୋକମାନଙ୍କ ରକ୍ଷକ ରାଜାଙ୍କ ନପୁଂସକ ହେଗୟ ଯାହା ପରାମର୍ଶ ଦେଲା, ତାହା ବିନା ସେ ଆଉ କିଛି ମାଗିଲା ନାହିଁ। ପୁଣି, ଏଷ୍ଟର ଆପଣାକୁ ଦେଖିବା ସମସ୍ତଙ୍କ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହେଲା।
16ଏହିରୂପେ ଅକ୍ଷଶ୍ଵେରୋଶ ରାଜାଙ୍କ ରାଜତ୍ଵର ସପ୍ତମ ବର୍ଷ ଦଶମ ମାସ, ଅର୍ଥାତ୍ ଟେବେତ୍ ମାସରେ ଏଷ୍ଟର ତାହାଙ୍କ ରାଜଗୃହକୁ ରାଜାଙ୍କ ନିକଟକୁ ଅଣାଗଲା। a a v16 ଟେବେତ୍ ହେଉଛି ଏବ୍ରୀୟ ପଞ୍ଜିକାର ଦଶମ ମାସ, ପ୍ରାୟ ଡିସେମ୍ବର-ଜାନୁଆରୀ।
17ଆଉ ରାଜା ଅନ୍ୟ ସମସ୍ତ ସ୍ତ୍ରୀଲୋକ ଅପେକ୍ଷା ଏଷ୍ଟରକୁ ଅଧିକ ପ୍ରେମ କଲେ; ସେ ସମସ୍ତ କୁମାରୀ ଅପେକ୍ଷା ତାହାଙ୍କ ଦୃଷ୍ଟିରେ ଅଧିକ ଅନୁଗ୍ରହ ଓ ଦୟା ପ୍ରାପ୍ତ ହେଲା; ଏଣୁ ସେ ତାହାର ମସ୍ତକରେ ରାଜମୁକୁଟ ଦେଇ ବଷ୍ଟୀଙ୍କ ପଦରେ ତାହାକୁ ରାଜ୍ଞୀ କଲେ।
18ତହୁଁ ରାଜା ଆପଣା ସମସ୍ତ ଅଧିପତି ଓ ଦାସମାନଙ୍କ ନିମନ୍ତେ ଏଷ୍ଟରର ଭୋଜ ନାମକ ଏକ ମହାଭୋଜ ପ୍ରସ୍ତୁତ କଲେ; ଆଉ ସେ ପ୍ରଦେଶସମୂହରେ ଛୁଟି ଘୋଷଣା କଲେ ଓ ରାଜକୀୟ ବଦାନ୍ୟତା ଅନୁସାରେ ଉପହାର ଦେଲେ।
19ଯେତେବେଳେ ଦ୍ଵିତୀୟ ଥର କୁମାରୀମାନେ ଏକତ୍ର କରାଯାଉଥିଲେ, ସେତେବେଳେ ମର୍ଦ୍ଦଖୟ ରାଜଦ୍ଵାରରେ ବସୁଥିଲେ। 20ମର୍ଦ୍ଦଖୟଙ୍କ ଆଜ୍ଞାନୁସାରେ ଏଷ୍ଟର ଆପଣା ବଂଶ କିମ୍ବା ଜନବୃନ୍ଦ ଏପର୍ଯ୍ୟନ୍ତ ପ୍ରକାଶ କରି ନ ଥିଲା; କାରଣ ମର୍ଦ୍ଦଖୟଙ୍କ ପ୍ରତିପାଳନ ସମୟର ପରି ଏଷ୍ଟର ତାହାଙ୍କ ଆଜ୍ଞା ପାଳନ କରୁଥିଲା।
ମର୍ଦ୍ଦଖୟ ରାଜାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଉଦ୍ଘାଟନ କରନ୍ତି
21ସେହି ସମୟରେ ମର୍ଦ୍ଦଖୟ ରାଜଦ୍ଵାରରେ ବସିଥିବା ବେଳେ, ବିଗ୍ଥନ ଓ ତେରଶ ନାମକ ଦ୍ଵାରରକ୍ଷକ ଦୁଇ ଜଣ ରାଜକୀୟ ନପୁଂସକ କ୍ରୋଧିତ ହୋଇ ଅକ୍ଷଶ୍ଵେରୋଶ ରାଜାଙ୍କୁ ବଧ କରିବା ନିମନ୍ତେ ଷଡ଼ଯନ୍ତ୍ର କଲେ। 22ମାତ୍ର ମର୍ଦ୍ଦଖୟ ଏହି ଷଡ଼ଯନ୍ତ୍ର ଜାଣି ତାହା ଏଷ୍ଟର ରାଜ୍ଞୀଙ୍କୁ ଜଣାଇଲେ; ଆଉ ଏଷ୍ଟର ମର୍ଦ୍ଦଖୟଙ୍କ ନାମରେ ରାଜାଙ୍କୁ ତାହା ଜଣାଇଲା। 23ପୁଣି, ସେହି କଥା ଅନୁସନ୍ଧାନ କରାଯାʼନ୍ତେ ତାହା ସତ୍ୟ ବୋଲି ପ୍ରମାଣିତ ହେଲା, ଆଉ ସେହି ଦୁଇ ଜଣ ସ୍ତମ୍ଭ ଉପରେ ଟଙ୍ଗାଗଲେ; ପୁଣି, ତାହା ରାଜାଙ୍କ ସମ୍ମୁଖରେ ଇତିହାସ ପୁସ୍ତକରେ ଲିଖିତ ହେଲା।