ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହଜିଯାଇଥିବା ବସ୍ତୁ ପିତା ଫେରାଇ ଦିଅନ୍ତି

ମାଗି ଅଣାଯାଇଥିବା କୁରାଢ଼ି ମୁଣ୍ଡ ଭାସିଉଠେ; ଇଲୀଶାୟ ଅରାମୀୟ ରାଜାଙ୍କ ଶୋଇବା ଘରର ଯୋଜନା ବାରମ୍ବାର ଜଣାଇଦିଅନ୍ତି; ଏକ ସୈନ୍ୟ ଦୋଥନକୁ ଘେରିଯାଏ ଏବଂ ତାଙ୍କ ସେବକକୁ ଆମ ପିତାଙ୍କ ଅଗ୍ନିମୟ ଘୋଡ଼ାରେ ଭରା ପାହାଡ଼ ଦେଖାଯାଏ। ଇଲୀଶାୟ ଅନ୍ଧ ସୈନିକମାନଙ୍କୁ ଖାଇବାକୁ ଦେଇ ଘରକୁ ପଠାଇଦିଅନ୍ତି। ତାʼପରେ ଶମରିୟା ଅବରୋଧ ହୁଏ, ଏବଂ ଜଣେ ମା' ନିଜ ପୁଅକୁ ଖାଏ।

ଅଧ୍ୟାୟ 6।

ଭାବବାଦୀମାନଙ୍କ ଦଳ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ତତ୍ତ୍ଵାବଧାନରେ ଆମ୍ଭେମାନେ ଯେଉଁ ସ୍ଥାନରେ ବାସ କରୁଅଛୁ, ତାହା ଆମ୍ଭମାନଙ୍କ ପକ୍ଷରେ ଅତି ସଂକୀର୍ଣ୍ଣ।

ଆସନ୍ତୁ, ଆମ୍ଭେମାନେ ଯର୍ଦ୍ଦନକୁ ଯାଉ, ପ୍ରତ୍ୟେକେ ଗୋଟିଏ ଗୋଟିଏ କଡ଼ି ଆଣି ସେଠାରେ ଆପଣାମାନଙ୍କ ବାସ ନିମନ୍ତେ ଗୋଟିଏ ସ୍ଥାନ ନିର୍ମାଣ କରୁ।” ସେ କହିଲେ, “ଯାଅ।”

ସେମାନଙ୍କ ମଧ୍ୟରୁ ଜଣେ କହିଲା, “ବିନୟ କରୁଅଛି, ଆପଣ ଆପଣଙ୍କ ଦାସମାନଙ୍କ ସଙ୍ଗେ ଯିବାକୁ ସମ୍ମତ ହୁଅନ୍ତୁ।” ସେ ଉତ୍ତର ଦେଲେ, “ମୁଁ ଯିବି।”

ଏଣୁ ସେ ସେମାନଙ୍କ ସଙ୍ଗେ ଗଲେ। ସେମାନେ ଯର୍ଦ୍ଦନରେ ଉପସ୍ଥିତ ହୋଇ ବୃକ୍ଷସବୁ କାଟିବାକୁ ଲାଗିଲେ। ଜଣେ କଡ଼ି କାଟୁଥିବା ସମୟରେ କୁହ୍ରାଡ଼ିର ଫାଳ ଜଳରେ ପଡ଼ିଗଲା। ସେ ଡାକି କହିଲା, “ହାୟ, ହାୟ, ମୋହର ପ୍ରଭୁ! ଏହା ତ ଉଧାର ଅଣାଯାଇଥିଲା!”

ପିତାଙ୍କ ଲୋକ ପଚାରିଲେ, “ତାହା କେଉଁଠାରେ ପଡ଼ିଲା?” ସେହି ଲୋକ ଇଲୀଶାୟଙ୍କୁ ସେହି ସ୍ଥାନ ଦେଖାଇଲା। ତେଣୁ ଇଲୀଶାୟ ଗୋଟିଏ କାଠ କାଟି ସେଠାରେ ପକାଇ ସେହି ଲୁହାକୁ ଭସାଇଲେ। ସେ କହିଲେ, “ତାହା ଉଠାଇ ନିଅ।” ତହିଁରେ ସେହି ଲୋକ ଆପଣା ହସ୍ତ ବଢ଼ାଇ ତାହା ନେଲା।

ପିତାଙ୍କ ଅଗ୍ନିମୟ ସୈନ୍ୟଦଳ ଇଲୀଶାୟଙ୍କୁ ରକ୍ଷା କରେ

ଅରାମର ରାଜା ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରୁଥିଲା। ସେ ଆପଣା ଦାସମାନଙ୍କ ସହିତ ମନ୍ତ୍ରଣା କରି କହିଲା, “ଅମୁକ ଅମୁକ ସ୍ଥାନରେ ମୋହର ଛାଉଣି ହେବ।”

ତହୁଁ ପିତାଙ୍କ ଲୋକ ଇସ୍ରାଏଲର ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ସାବଧାନ, ତୁମ୍ଭେ ଏହି ସ୍ଥାନ ଦେଇ ଯାଅ ନାହିଁ, କାରଣ ସେଠାକୁ ଅରାମୀୟମାନେ ଓହ୍ଲାଇ ଆସୁଅଛନ୍ତି।” ତେଣୁ ପିତାଙ୍କ ଲୋକ ଯେଉଁ ସ୍ଥାନ ବିଷୟରେ ତାଙ୍କୁ ସତର୍କ କରିଥିଲେ, ଇସ୍ରାଏଲର ରାଜା ସେଠାକୁ ଲୋକ ପଠାଇଲେ; ଆଉ ସେ ସେଠାରେ ଆପଣାକୁ ରକ୍ଷା କଲେ— ଥରେ କି ଦୁଇ ଥର ନୁହେଁ। ଏଥିରେ ଅରାମର ରାଜା ଅତିଶୟ କ୍ରୋଧିତ ହେଲା। ସେ ଆପଣା ଦାସମାନଙ୍କୁ ଡାକି ପଚାରିଲା, “ଆମ୍ଭମାନଙ୍କ ମଧ୍ୟରୁ କିଏ ଇସ୍ରାଏଲର ରାଜାର ପକ୍ଷ, ତାହା କʼଣ ତୁମ୍ଭେମାନେ ମୋତେ କହିବ ନାହିଁ?”

ତହିଁରେ ତାହାର ଦାସମାନଙ୍କ ମଧ୍ୟରୁ ଜଣେ କହିଲା, “ହେ ମୋହର ପ୍ରଭୁ ମହାରାଜ, କେହି ନୁହେଁ; ମାତ୍ର ଇସ୍ରାଏଲରେ ଥିବା ଭାବବାଦୀ ଇଲୀଶାୟ, ଆପଣ ଆପଣଙ୍କ ଶୟନାଗାରରେ ଯେଉଁ କଥା କହନ୍ତି, ତାହା ଇସ୍ରାଏଲର ରାଜାଙ୍କୁ ଜଣାଇ ଦିଅନ୍ତି।”

ରାଜା କହିଲା, “ଯାଅ, ସେ କେଉଁଠାରେ ଅଛି ଦେଖ, ଯେପରି ମୁଁ ଲୋକ ପଠାଇ ତାକୁ ଧରିପାରିବି।” ତହୁଁ ତାଙ୍କ ନିକଟକୁ ସମ୍ବାଦ ଆସିଲା, “ସେ ଦୋଥାନରେ ଅଛି।”

ତେଣୁ ସେ ସେଠାକୁ ଅଶ୍ଵ, ରଥ ଓ ଏକ ବୃହତ ସୈନ୍ୟଦଳ ପଠାଇଲା; ସେମାନେ ରାତ୍ରିରେ ଆସି ନଗର ଘେରିଲେ। ପିତାଙ୍କ ଲୋକଙ୍କ ଦାସ ଅତି ପ୍ରଭାତରେ ଉଠି ବାହାରକୁ ଯାଆନ୍ତେ, ଦେଖ, ଅଶ୍ଵ ଓ ରଥ ସହିତ ଏକ ସୈନ୍ୟଦଳ ନଗର ଘେରିଅଛନ୍ତି। ଦାସ କହିଲା, “ହାୟ, ହାୟ, ମୋହର ପ୍ରଭୁ! ଆମ୍ଭେମାନେ କʼଣ କରିବୁ?”

ସେ ଉତ୍ତର ଦେଲେ, “ଭୟ କର ନାହିଁ, କାରଣ ସେମାନଙ୍କ ସଙ୍ଗେ ଥିବା ଲୋକଙ୍କ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗେ ଥିବା ଲୋକ ଅଧିକ।” ଏଉତ୍ତାରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ବିନୟ କରୁଅଛି, ଏ ଦେଖିବା ନିମନ୍ତେ ଏହାର ଚକ୍ଷୁ ଫିଟାଇ ଦିଅ।” ତହିଁରେ ପିତା ସେହି ଯୁବକର ଚକ୍ଷୁ ଫିଟାଇ ଦେଲେ; ଆଉ ସେ ଦେଖିଲା, ଇଲୀଶାୟଙ୍କ ଚତୁର୍ଦ୍ଦିଗରେ ଅଶ୍ଵ ଓ ଅଗ୍ନିମୟ ରଥରେ ପର୍ବତ ପରିପୂର୍ଣ୍ଣ ହୋଇଅଛି। ଯେତେବେଳେ ଅରାମୀୟମାନେ ତାଙ୍କ ନିକଟକୁ ଓହ୍ଲାଇ ଆସିଲେ, ସେତେବେଳେ ଇଲୀଶାୟ ପିତାଙ୍କ ନିକଟରେ ପ୍ରାର୍ଥନା କରି କହିଲେ, “ବିନୟ କରୁଅଛି, ଏହି ଲୋକମାନଙ୍କୁ ଅନ୍ଧତାରେ ଆଘାତ କର।” ତହିଁରେ ଇଲୀଶାୟଙ୍କ ବାକ୍ୟାନୁସାରେ ସେ ସେମାନଙ୍କୁ ଅନ୍ଧତାରେ ଆଘାତ କଲେ।

ତହୁଁ ଇଲୀଶାୟ ସେମାନଙ୍କୁ କହିଲେ, “ଏହା ସେହି ପଥ ନୁହେଁ, କିଅବା ଏହା ସେହି ନଗର ନୁହେଁ; ମୋʼ ପଛେ ପଛେ ଆସ, ତୁମ୍ଭେମାନେ ଯେଉଁ ଲୋକକୁ ଖୋଜୁଅଛ, ତାହା ନିକଟକୁ ମୁଁ ତୁମ୍ଭମାନଙ୍କୁ ନେଇଯିବି।” ଏହୁ ସେ ସେମାନଙ୍କୁ ଶମରୀୟାକୁ ନେଇଗଲେ। ଯେତେବେଳେ ସେମାନେ ଶମରୀୟାରେ ପ୍ରବେଶ କଲେ, ସେତେବେଳେ ଇଲୀଶାୟ କହିଲେ, “ହେ ମୋହର ପିତା, ଏହି ଲୋକମାନଙ୍କ ଚକ୍ଷୁ ଫିଟାଇ ଦିଅ, ଯେପରି ସେମାନେ ଦେଖିପାରନ୍ତି।” ତହିଁରେ ପିତା ସେମାନଙ୍କ ଚକ୍ଷୁ ଫିଟାଇ ଦେଲେ, ଆଉ ସେମାନେ ଦେଖିଲେ, ଦେଖ, ସେମାନେ ଶମରୀୟା ଭିତରେ ଅଛନ୍ତି।

ସେମାନଙ୍କୁ ଦେଖି ଇସ୍ରାଏଲର ରାଜା ଇଲୀଶାୟଙ୍କୁ କହିଲେ, “ହେ ମୋହର ପିତା, ମୁଁ କʼଣ ଏମାନଙ୍କୁ ବଧ କରିବି? ମୁଁ କʼଣ ଏମାନଙ୍କୁ ବଧ କରିବି?”

ସେ ଉତ୍ତର ଦେଲେ, “ବଧ କର ନାହିଁ। ତୁମ୍ଭେ ଆପଣା ଖଡ଼୍ଗ ଓ ଧନୁରେ ଯେଉଁମାନଙ୍କୁ ବନ୍ଦୀ କରିଅଛ, ସେମାନଙ୍କୁ କʼଣ ବଧ କରିବ? ସେମାନଙ୍କ ଭୋଜନ ଓ ପାନ ନିମନ୍ତେ ସେମାନଙ୍କ ସମ୍ମୁଖରେ ଅନ୍ନ ଓ ଜଳ ରଖ, ତହୁଁ ସେମାନେ ଆପଣାମାନଙ୍କ ପ୍ରଭୁ ନିକଟକୁ ଯାଉ।”

ଏଣୁ ସେ ସେମାନଙ୍କ ନିମନ୍ତେ ବୃହତ ଭୋଜ ପ୍ରସ୍ତୁତ କଲେ; ସେମାନେ ଭୋଜନ ଓ ପାନ କଲା ଉତ୍ତାରେ ସେ ସେମାନଙ୍କୁ ବିଦାୟ କଲେ, ଆଉ ସେମାନେ ଆପଣାମାନଙ୍କ ପ୍ରଭୁ ନିକଟକୁ ଗଲେ। ତହିଁ ଉତ୍ତାରେ ଅରାମୀୟ ଲୁଟେରାଦଳ ଇସ୍ରାଏଲ ଦେଶକୁ ଆଉ ଆସିଲେ ନାହିଁ।

ଅବରୋଧ ଓ ଦୁର୍ଭିକ୍ଷ ଶମରୀୟାକୁ ଜର୍ଜରିତ କରେ

ଏହାର ପରେ ଅରାମର ରାଜା ବିନ୍‍ହଦଦ୍‍ ଆପଣାର ସମସ୍ତ ସୈନ୍ୟ ଏକତ୍ର କରି ଯାତ୍ରା କରି ଶମରୀୟା ଅବରୋଧ କଲା। ଆଉ ସେହି ଅବରୋଧ ସମୟରେ ଶମରୀୟାରେ ଅତି ଭୟଙ୍କର ଦୁର୍ଭିକ୍ଷ ଉପସ୍ଥିତ ହେଲା, ତହିଁରେ ଗୋଟିଏ ଗର୍ଦ୍ଦଭର ମୁଣ୍ଡ ଅଶୀ ରୌପ୍ୟ ଖଣ୍ଡରେ ଓ କାବ୍‍ର ଚତୁର୍ଥାଂଶ ପାରାର ବିଷ୍ଠା ପାଞ୍ଚ ରୌପ୍ୟ ଖଣ୍ଡରେ ବିକ୍ରୀ ହେଲା। a a v25 କାବ୍‍ ଏକ କ୍ଷୁଦ୍ର ଶୁଷ୍କ ପରିମାଣ ଥିଲା, ପ୍ରାୟ ଏକ କ୍ଵାର୍ଟ; ଏଣୁ କାବ୍‍ର ଚତୁର୍ଥାଂଶ ଅର୍ଥାତ୍‍ ଖାଦ୍ୟର ଏକ ନିତାନ୍ତ ନୈରାଶ୍ୟଜନକ ସାମାନ୍ୟ ଅଂଶ। ଇସ୍ରାଏଲର ରାଜା ପ୍ରାଚୀର ଉପର ଦେଇ ଯାଉଥିବା ସମୟରେ ଜଣେ ସ୍ତ୍ରୀ ଡାକି କହିଲା, “ହେ ମୋହର ପ୍ରଭୁ ମହାରାଜ, ମୋତେ ସାହାଯ୍ୟ କର!”

ସେ କହିଲେ, “ଯଦି ପିତା ତୁମ୍ଭକୁ ସାହାଯ୍ୟ ନ କରନ୍ତି, ତେବେ ମୁଁ କେଉଁଠାରୁ ତୁମ୍ଭ ପାଇଁ ସାହାଯ୍ୟ ଆଣିବି? କʼଣ ଶସ୍ୟମର୍ଦ୍ଦନ ସ୍ଥାନରୁ? କି ଦ୍ରାକ୍ଷାକୁଣ୍ଡରୁ?” ରାଜା ତାକୁ ପଚାରିଲେ, “ତୁମ୍ଭର କʼଣ ହୋଇଅଛି?” ସେ ଉତ୍ତର ଦେଲା, “ଏ ସ୍ତ୍ରୀ ମୋତେ କହିଲା, ‘ତୁମ୍ଭ ପୁଅକୁ ଆଣ, ଆମ୍ଭେମାନେ ଆଜି ତାକୁ ଖାଉ, ପୁଣି କାଲି ମୋʼ ପୁଅକୁ ଖାଇବା।’

ଏହୁ ଆମ୍ଭେମାନେ ମୋʼ ପୁଅକୁ ସିଝାଇ ଖାଇଲୁ; ଆଉ ପରଦିନ ମୁଁ ତାକୁ କହିଲି, ‘ତୁମ୍ଭ ପୁଅକୁ ଆଣ, ଆମ୍ଭେମାନେ ତାକୁ ଖାଇବା,’ ମାତ୍ର ସେ ଆପଣା ପୁଅକୁ ଲୁଚାଇ ରଖିଅଛି।”

ସେହି ସ୍ତ୍ରୀର କଥା ଶୁଣି ରାଜା ଆପଣା ବସ୍ତ୍ର ଚିରିଲେ; ଆଉ ସେ ପ୍ରାଚୀର ଉପର ଦେଇ ଯାଉଥିବା ସମୟରେ ଲୋକମାନେ ଦେଖିଲେ, ଦେଖ, ଭିତରେ ତାଙ୍କ ଗାତ୍ର ଉପରେ ଚଟବସ୍ତ୍ର ଅଛି। ସେ କହିଲେ, “ଯଦି ଆଜି ଶାଫଟର ପୁତ୍ର ଇଲୀଶାୟର ମସ୍ତକ ତାହା ଉପରେ ରହେ, ତେବେ ପିତା ମୋତେ ଅମୁକ ଅମୁକ ଦଣ୍ଡ, ବରଂ ତହିଁରୁ ଅଧିକ ଦେଉନ୍ତୁ!”

ଏହି ସମୟରେ ଇଲୀଶାୟ ଆପଣା ଗୃହରେ ବସିଥିଲେ, ଆଉ ପ୍ରାଚୀନବର୍ଗ ତାଙ୍କ ସଙ୍ଗେ ବସିଥିଲେ। ରାଜା ଆପଣା ଆଗେ ଜଣେ ଲୋକ ପଠାଇଥିଲେ, ମାତ୍ର ସେହି ଦୂତ ପହଞ୍ଚିବା ପୂର୍ବରୁ ଇଲୀଶାୟ ପ୍ରାଚୀନବର୍ଗଙ୍କୁ କହିଲେ, “ଏହି ହତ୍ୟାକାରୀର ପୁତ୍ର ମୋହର ମସ୍ତକ କାଟି ପକାଇବା ପାଇଁ କିପରି ଲୋକ ପଠାଉଅଛି, ତାହା ଦେଖୁଅଛ କି? ଦେଖ, ସେ ଯେତେବେଳେ ଆସିବ, ସେତେବେଳେ ଦ୍ଵାର ବନ୍ଦ କରି ତାକୁ ଦ୍ଵାର ନିକଟରେ ଠେଲି ଅଟକାଇ ରଖ। ତାହା ପଛେ ତାହାର ପ୍ରଭୁଙ୍କ ପଦଶବ୍ଦ କʼଣ ଆସୁ ନାହିଁ?”

ସେ ସେମାନଙ୍କ ସଙ୍ଗେ କଥା କହୁଥିବା ସମୟରେ ହିଁ ସେହି ଦୂତ ତାଙ୍କ ନିକଟକୁ ଓହ୍ଲାଇ ଆସିଲା। ରାଜା କହିଲେ, “ଏହି ବିପଦ ପିତାଙ୍କଠାରୁ ଆସିଅଛି; ମୁଁ ଆଉ କାହିଁକି ପିତାଙ୍କ ଅପେକ୍ଷାରେ ରହିବି?”