ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଡାମରା କାଉମାନଙ୍କ ଦ୍ଵାରା ଏଲୀୟଙ୍କୁ ଭୋଜନ ଦିଅନ୍ତି

ଏଲିୟ ଏକ ମରୁଡ଼ି ଘୋଷଣା କରନ୍ତି ଏବଂ ଆମ ପିତା ତାଙ୍କୁ ଏକ ସ୍ରୋତ କୂଳରେ ଲୁଚାଇ ରଖନ୍ତି ଯେଉଁଠାରେ କାଉମାନେ ତାଙ୍କୁ ଖୁଆନ୍ତି। ତାହା ଶୁଖିଗଲେ, ସାରିଫତର ଜଣେ ଭୋକିଲା ବିଧବା ନିଜର ଶେଷ ଅଟା ତାଙ୍କ ପାଇଁ ଖର୍ଚ୍ଚ କରେ ଓ ତାହା କେବେ ସରେ ନାହିଁ; ତାʼର ପୁଅର ନିଶ୍ୱାସ ବନ୍ଦ ହେଲେ, ଏଲିୟଙ୍କ କ୍ରନ୍ଦନ ତାକୁ ଫେରାଇ ଆଣେ।

ଅଧ୍ୟାୟ 17।

ଗିଲୀୟଦ ନିବାସୀ ତିଶ୍‌ବୀୟ ଏଲୀୟ ଆହାବଙ୍କୁ କହିଲେ, “ଯେଉଁ ଇସ୍ରାଏଲର ଈଶ୍ଵର, ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ମୁଁ ଠିଆ ହୋଇଅଛି, ତାହାଙ୍କ ଜୀବନ ସତ୍ୟ ବୋଲି କହୁଅଛି, ଏହିସବୁ ବର୍ଷ ମୋହର ବାକ୍ୟ ବିନା କାକର କି ବୃଷ୍ଟି ପଡ଼ିବ ନାହିଁ।”

ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଏଲୀୟଙ୍କ ନିକଟରେ ଉପସ୍ଥିତ ହେଲା,

“ଏ ସ୍ଥାନ ଛାଡ଼ି ପୂର୍ବ ଆଡ଼କୁ ଯାଅ ଓ ଯର୍ଦ୍ଦନର ପୂର୍ବସ୍ଥିତ କରୀତ୍‌ ନଦୀ ନିକଟରେ ଆପଣାକୁ ଲୁଚାଅ। ତୁମ୍ଭେ ସେହି ନଦୀରୁ ପାନ କରିବ, ପୁଣି ସେସ୍ଥାନରେ ତୁମ୍ଭକୁ ଭୋଜନ କରାଇବା ନିମନ୍ତେ ଆମ୍ଭେ ଡାମରା କାଉମାନଙ୍କୁ ଆଜ୍ଞା ଦେଇଅଛୁ।”

ତହିଁରେ ସେ ଯାଇ ଆମ୍ଭମାନଙ୍କ ପିତାଙ୍କ ବାକ୍ୟାନୁସାରେ କର୍ମ କଲେ; ସେ ଯାଇ ଯର୍ଦ୍ଦନର ପୂର୍ବସ୍ଥିତ କରୀତ୍‌ ନଦୀ ନିକଟରେ ରହିଲେ। ଆଉ ଡାମରା କାଉମାନେ ପ୍ରଭାତରେ ତାହାଙ୍କ ନିକଟକୁ ରୁଟି ଓ ମାଂସ, ପୁଣି ସନ୍ଧ୍ୟାରେ ରୁଟି ଓ ମାଂସ ଆଣିଲେ, ଆଉ ସେ ନଦୀରୁ ପାନ କଲେ। ଦେଶରେ ବୃଷ୍ଟି ନ ହେବାରୁ କିଛି କାଳ ଉତ୍ତାରେ ସେହି ନଦୀ ଶୁଷ୍କ ହୋଇଗଲା।

ପିତା ଜଣେ ବିଧଵାଙ୍କ ଦ୍ଵାରା ଯୋଗାଇ ଦିଅନ୍ତି

ସେତେବେଳେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ତାହାଙ୍କ ନିକଟରେ ଉପସ୍ଥିତ ହେଲା,

“ଉଠ, ସୀଦୋନ ନିକଟସ୍ଥ ସାରିଫତ୍‌କୁ ଯାଇ ସେସ୍ଥାନରେ ବାସ କର। ଦେଖ, ତୁମ୍ଭକୁ ଭୋଜନ କରାଇବା ନିମନ୍ତେ ଆମ୍ଭେ ସେଠାରେ ଜଣେ ବିଧଵାକୁ ଆଜ୍ଞା ଦେଇଅଛୁ।”

ତହିଁରେ ସେ ଉଠି ସାରିଫତ୍‌କୁ ଗଲେ। ଆଉ ସେ ନଗର-ଦ୍ଵାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଜଣେ ବିଧଵା ସେସ୍ଥାନରେ କାଠ ସାଉଣ୍ଟୁଥିଲା; ତହୁଁ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ମୋତେ ପାନ କରିବା ନିମନ୍ତେ ଗୋଟିଏ ପାତ୍ରରେ ଅଳ୍ପ ଜଳ ଆଣ।” ତାହା ଆଣିବାକୁ ସେ ଯିବା ବେଳେ ସେ ତାହାକୁ ଡାକି କହିଲେ, “ବିନୟ କରୁଅଛି, ମୋʼ ନିମନ୍ତେ ହାତରେ ଖଣ୍ଡିଏ ରୁଟି ମଧ୍ୟ ଆଣ।”

ତହିଁରେ ସେ କହିଲା, “ସଦାପ୍ରଭୁ ଆପଣଙ୍କ ଈଶ୍ଵରଙ୍କ ଜୀବନ ସତ୍ୟ ବୋଲି କହୁଅଛି, ମୋʼ ନିକଟରେ ରୁଟି ନାହିଁ, କେବଳ ପାତ୍ରରେ ମୁଠିଏ ମଇଦା ଓ ଭାଣ୍ଡରେ ଅଳ୍ପ ତେଲ ଅଛି; ଆଉ ଦେଖନ୍ତୁ, ମୁଁ ଓ ମୋହର ପୁଅ ଯେପରି ତାହା ଖାଇ ମରୁ, ଏଥିପାଇଁ ଆପଣା ନିମନ୍ତେ ଓ ପୁଅ ନିମନ୍ତେ ଯାଇ ତାହା ପ୍ରସ୍ତୁତ କରିବା ପାଇଁ ଦୁଇ ଖଣ୍ଡ କାଠ ସାଉଣ୍ଟୁଅଛି।”

ତେବେ ଏଲୀୟ ତାହାକୁ କହିଲେ, “ଭୟ କର ନାହିଁ; ଯାଇ ଯେପରି କହିଲ, ସେପରି କର; ମାତ୍ର ପ୍ରଥମେ ତହିଁରୁ ମୋʼ ନିମନ୍ତେ ଖଣ୍ଡିଏ ଛୋଟ ପିଠା କରି ମୋʼ ନିକଟକୁ ଆଣ; ତହିଁ ଉତ୍ତାରେ ଆପଣା ନିମନ୍ତେ ଓ ଆପଣା ପୁଅ ନିମନ୍ତେ ପ୍ରସ୍ତୁତ କର।

କାରଣ ଇସ୍ରାଏଲର ଈଶ୍ଵର, ଆମ୍ଭମାନଙ୍କ ପିତା ଏହା କହନ୍ତି, ‘ଆମ୍ଭମାନଙ୍କ ପିତା ଭୂମି ଉପରେ ବୃଷ୍ଟି ଦେବା ଦିନ ପର୍ଯ୍ୟନ୍ତ ସେହି ମଇଦା-ପାତ୍ର ଶୂନ୍ୟ ହେବ ନାହିଁ କିଅବା ତେଲ-ଭାଣ୍ଡ ଘାଟିବ ନାହିଁ।’”

ତହିଁରେ ସେ ଯାଇ ଏଲୀୟଙ୍କ ବାକ୍ୟାନୁସାରେ କର୍ମ କଲା; ପୁଣି ସେ ଓ ଏଲୀୟ, ଆଉ ତାହାର ପରିବାର ଅନେକ ଦିନ ପର୍ଯ୍ୟନ୍ତ ଭୋଜନ କଲେ। ଆମ୍ଭମାନଙ୍କ ପିତା ଏଲୀୟଙ୍କ ଦ୍ଵାରା ଯେଉଁ ବାକ୍ୟ କହିଥିଲେ, ତଦନୁସାରେ ମଇଦା-ପାତ୍ର ଶୂନ୍ୟ ହେଲା ନାହିଁ କି ତେଲ-ଭାଣ୍ଡ ଘାଟିଲା ନାହିଁ।

ଏଥିଉତ୍ତାରେ ସେହି ଗୃହର ସ୍ଵାମିନୀ ସ୍ତ୍ରୀର ପୁଅ ପୀଡ଼ିତ ହେଲା; ଆଉ ତାହାର ପୀଡ଼ା ଏତେ ଭୟାନକ ହେଲା ଯେ, ତାହାଠାରେ ପ୍ରାଣ ରହିଲା ନାହିଁ। ତହିଁରେ ସେ ଏଲୀୟଙ୍କୁ କହିଲା, “ହେ ଈଶ୍ଵରଙ୍କ ଲୋକ, ଆପଣଙ୍କ ସଙ୍ଗେ ମୋହର କʼଣ ଅଛି? ଆପଣ ମୋʼ ଅପରାଧ ମୋତେ ସ୍ମରଣ କରାଇବାକୁ ଓ ମୋʼ ପୁଅକୁ ମାରିବାକୁ ମୋʼ ନିକଟକୁ ଆସିଲେ କି?”

ତହିଁରେ ସେ ତାହାକୁ କହିଲେ, “ତୁମ୍ଭ ପୁଅକୁ ମୋତେ ଦିଅ।” ଆଉ ସେ ତାହାର କୋଳରୁ ତାକୁ ନେଇ ଆପଣା ବାସ-କୋଠରୀକୁ ବୋହି ଆଣିଲେ ଓ ଆପଣା ଶଯ୍ୟା ଉପରେ ଶୁଆଇଲେ। ପୁଣି ସେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ଡାକି କହିଲେ, “ହେ ମୋହର ପିତା, ମୁଁ ଯେଉଁ ବିଧଵା ନିକଟରେ ପ୍ରବାସ କରୁଅଛି, ତାହାର ପୁଅକୁ ମାରି ତୁମ୍ଭେ କʼଣ ତାହା ଉପରେ ମଧ୍ୟ ବିପଦ ଘଟାଇଲ?” ତହୁଁ ସେ ସେହି ବାଳକ ଉପରେ ତିନି ଥର ଆପଣାକୁ ବିସ୍ତାର କରି ଆମ୍ଭମାନଙ୍କ ପିତାଙ୍କ ନିକଟରେ ଡାକି କହିଲେ, “ହେ ମୋହର ପିତା, ବିନୟ କରୁଅଛି, ଏ ବାଳକର ପ୍ରାଣ ପୁନର୍ବାର ତାହାଠାରେ ଆସୁ।”

ଆମ୍ଭମାନଙ୍କ ପିତା ଏଲୀୟଙ୍କ ରବ ଶୁଣିଲେ; ତହିଁରେ ସେହି ବାଳକର ପ୍ରାଣ ପୁନର୍ବାର ତାହାଠାରେ ଆସିଲା ଓ ସେ ବଞ୍ଚିଲା। a a v22 ଧର୍ମଶାସ୍ତ୍ରରେ ଏହା ପ୍ରଥମ ଥର ଯେ କେହି ମୃତମାନଙ୍କ ମଧ୍ୟରୁ ଉତ୍ଥାପିତ ହୁଅନ୍ତି — ଏହା ଆମ୍ଭମାନଙ୍କ ପିତାଙ୍କୁ ଜୀବନର ଦାତା ଓ ପୁନଃସ୍ଥାପକ ବୋଲି ପ୍ରକାଶ କରେ, ପୁଣି ଯୀଶୁଙ୍କ ଦ୍ଵାରା ସମ୍ପୂର୍ଣ୍ଣ ରୂପେ ଯେଉଁ ପୁନରୁତ୍ଥାନ ଆସେ, ତାହା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ। ପୁଣି ଏଲୀୟ ସେହି ବାଳକକୁ ନେଇ ଉପର-କୋଠରୀରୁ ଗୃହ ଭିତରକୁ ବୋହି ଆଣି ତାହାର ମାତାକୁ ଦେଲେ; ଆଉ ଏଲୀୟ କହିଲେ, “ଦେଖ, ତୁମ୍ଭ ପୁଅ ବଞ୍ଚିଅଛି।”

ତହିଁରେ ସେହି ସ୍ତ୍ରୀ ଏଲୀୟଙ୍କୁ କହିଲା, “ଏବେ ମୁଁ ଜାଣିଲି ଯେ, ଆପଣ ଈଶ୍ଵରଙ୍କ ଲୋକ ଓ ଆପଣଙ୍କ ମୁଖରେ ଈଶ୍ଵରଙ୍କ ବାକ୍ୟ ସତ୍ୟ।”