ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇଲୁ
ଏକ ରକ୍ତାକ୍ତ ସମୟରେ ପାଞ୍ଚଟି ରାଜତ୍ୱ: ମଦମତ୍ତ ଏଲା ସିମ୍ରିଙ୍କ ହାତରେ ହତ, ସାତ ଦିନ ପରେ ସିମ୍ରି ନିଜ ଉପରେ ରାଜପ୍ରାସାଦ ଜଳାଇ ଦିଅନ୍ତି, ଅମ୍ରି ତିବ୍ନିଙ୍କୁ ଟପି ଶମିରୋଣ ପାହାଡ଼ କିଣନ୍ତି। ତାʼପରେ ଆହାବ ଈଷେବଲଙ୍କୁ ବିବାହ କରନ୍ତି, ବାଲ୍ ପାଇଁ ଏକ ମନ୍ଦିର ନିର୍ମାଣ କରନ୍ତି, ଏବଂ ତାଙ୍କ ପୂର୍ବର ସମସ୍ତଙ୍କ ଅପେକ୍ଷା ଆମ ପିତାଙ୍କୁ ଅଧିକ ରାଗାନ୍ତି।
16 1ସେତେବେଳେ ହନାନିଙ୍କ ପୁତ୍ର ଯେହୂଙ୍କ ନିକଟକୁ ବାଶାଙ୍କ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା,
2“ଆମ୍ଭେ ତୁମ୍ଭକୁ ଧୂଳିରୁ ଉଠାଇ ଆମ୍ଭ ଲୋକ ଇସ୍ରାଏଲ ଉପରେ ଅଧିପତି କଲୁ, କିନ୍ତୁ ତୁମ୍ଭେ ଯାରବୀୟାମର ପଥରେ ଚାଲିଲ ଓ ଆମ୍ଭ ଲୋକ ଇସ୍ରାଏଲକୁ ପାପ କରାଇ ସେମାନଙ୍କ ପାପ ଦ୍ଵାରା ଆମ୍ଭକୁ କ୍ରୋଧାନ୍ଵିତ କଲ। 3ଏଣୁ ଆମ୍ଭେ ବାଶା ଓ ତାହାର ବଂଶକୁ ନିଃଶେଷ କରିବାକୁ ଉଦ୍ୟତ, ପୁଣି ତୁମ୍ଭ ବଂଶକୁ ନବାଟର ପୁତ୍ର ଯାରବୀୟାମର ବଂଶ ପରି କରିବୁ। 4ବାଶାର ଲୋକମାନଙ୍କ ମଧ୍ୟରୁ ଯେ ନଗରରେ ମରିବ, ତାହାକୁ କୁକୁରମାନେ ଖାଇବେ, ପୁଣି ତାହାର ଯେ କ୍ଷେତ୍ରରେ ମରିବ, ତାହାକୁ ଆକାଶର ପକ୍ଷୀମାନେ ଖାଇବେ।”
5ବାଶାଙ୍କ ଅବଶିଷ୍ଟ କାର୍ଯ୍ୟର ବୃତ୍ତାନ୍ତ, ତାହାଙ୍କ କୃତ କର୍ମ ଓ ତାହାଙ୍କ ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 6ବାଶା ଆପଣା ପିତୃଲୋକଙ୍କ ସହିତ ବିଶ୍ରାମ କଲେ ଓ ତିର୍ସାରେ କବର ପ୍ରାପ୍ତ ହେଲେ; ଆଉ ତାହାଙ୍କ ପୁତ୍ର ଏଲା ତାହାଙ୍କ ପଦରେ ରାଜତ୍ଵ କଲେ।
7ଆଉ ହନାନିଙ୍କ ପୁତ୍ର ଯେହୂ ଭାବବାଦୀଙ୍କ ଦ୍ଵାରା ବାଶା ଓ ତାହାଙ୍କ ବଂଶ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଉପସ୍ଥିତ ହେଲା, କାରଣ ସେ ଆପଣା ହସ୍ତକୃତ କର୍ମ ଦ୍ଵାରା ତାହାଙ୍କୁ କ୍ରୋଧାନ୍ଵିତ କରି ଯାରବୀୟାମର ବଂଶ ପରି ହୋଇ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ଯେଉଁ ସମସ୍ତ ମନ୍ଦ କର୍ମ କଲେ, ତାʼ ସକାଶୁ ଓ ସେ ଯାରବୀୟାମର ବଂଶକୁ ବଧ କରିବା ସକାଶୁ ଏହା ଘଟିଲା।
ଏଲା ଇସ୍ରାଏଲରେ ରାଜତ୍ଵ କରି ପତିତ ହୁଅନ୍ତି
8ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଛବିଶ ବର୍ଷରେ ବାଶାଙ୍କ ପୁତ୍ର ଏଲା ତିର୍ସାରେ ଇସ୍ରାଏଲ ଉପରେ ରାଜା ହୋଇ ଦୁଇ ବର୍ଷ ରାଜତ୍ଵ କଲେ। 9ଏଲା ତିର୍ସାରେ ଥିବା ସମୟରେ, ତିର୍ସାସ୍ଥିତ ରାଜଗୃହର ଅଧ୍ୟକ୍ଷ ଅର୍ସାର ଗୃହରେ ମଦ୍ୟପାନ କରି ମତ୍ତ ହେଉଥିବା ବେଳେ, ତାହାଙ୍କ ଅଧା ରଥ ଉପରେ ଅଧ୍ୟକ୍ଷ ତାହାଙ୍କ ଦାସ ସିମ୍ରି ତାହାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲା। 10ପୁଣି ସିମ୍ରି ଭିତରକୁ ଯାଇ ଯିହୁଦାର ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ତାହାଙ୍କୁ ଆଘାତ କରି ବଧ କଲା ଓ ତାହାଙ୍କ ପଦରେ ରାଜତ୍ଵ କଲା।
11ପୁଣି ସିଂହାସନରେ ବସି ରାଜା ହେବା ମାତ୍ରେ ସେ ବାଶାର ସମସ୍ତ ବଂଶକୁ ବଧ କଲା; ସେ ତାହାର କୌଣସି ପୁରୁଷ ଲୋକକୁ, ଅର୍ଥାତ୍ ତାହାର କୌଣସି ଜ୍ଞାତି କି ବନ୍ଧୁକୁ ଅବଶିଷ୍ଟ ରଖିଲା ନାହିଁ। 12ଏହିରୂପେ ସିମ୍ରି ବାଶାର ସମସ୍ତ ବଂଶକୁ ବିନାଶ କଲା, ପୁଣି ଯେହୂ ଭାବବାଦୀଙ୍କ ଦ୍ଵାରା ବାଶା ବିରୁଦ୍ଧରେ କଥିତ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ସଫଳ ହେଲା, 13କାରଣ ବାଶା ଓ ତାହାଙ୍କ ପୁତ୍ର ଏଲା ଯେଉଁ ସମସ୍ତ ପାପ କଲେ ଓ ଇସ୍ରାଏଲକୁ କରାଇଲେ, ପୁଣି ଆପଣାମାନଙ୍କ ଅସାର ପ୍ରତିମାଗଣ ଦ୍ଵାରା ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କୁ କ୍ରୋଧାନ୍ଵିତ କଲେ, ତାହା ସକାଶୁ ଏହା ଘଟିଲା। 14ଏଲାଙ୍କ ଅବଶିଷ୍ଟ କାର୍ଯ୍ୟର ବୃତ୍ତାନ୍ତ ଓ ତାହାଙ୍କ କୃତ ସମସ୍ତ କର୍ମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ?
ସିମ୍ରି ଇସ୍ରାଏଲରେ ସାତ ଦିନ ରାଜତ୍ଵ କରନ୍ତି
15ଯିହୁଦାର ରାଜା ଆସାଙ୍କ ରାଜତ୍ଵର ସତାଇଶ ବର୍ଷରେ ସିମ୍ରି ତିର୍ସାରେ ସାତ ଦିନ ରାଜତ୍ଵ କଲା। ସେତେବେଳେ ସୈନ୍ୟଦଳ ପଲେଷ୍ଟୀୟମାନଙ୍କର ନଗର ଗିବ୍ବଥୋନ୍ ବିରୁଦ୍ଧରେ ଛାଉଣି କରିଥିଲେ। 16ପୁଣି ସିମ୍ରି ଚକ୍ରାନ୍ତ କରିଅଛି ଓ ରାଜାଙ୍କୁ ବଧ କରିଅଛି ବୋଲି ସେଠାରେ ଛାଉଣିସ୍ଥିତ ସୈନ୍ୟମାନେ ଶୁଣିବାରୁ, ସେହି ଦିନ ସମୁଦାୟ ଇସ୍ରାଏଲ ଛାଉଣି ମଧ୍ୟରେ ସେନାପତି ଅମ୍ରିଙ୍କୁ ଇସ୍ରାଏଲ ଉପରେ ରାଜା କଲେ। 17ତେବେ ଅମ୍ରି ଓ ତାହାଙ୍କ ସଙ୍ଗେ ସମୁଦାୟ ଇସ୍ରାଏଲ ଗିବ୍ବଥୋନ୍ରୁ ଯାଇ ତିର୍ସା ଅବରୋଧ କଲେ। 18ପୁଣି ନଗର ହସ୍ତଗତ ହେଲା ବୋଲି ସିମ୍ରି ଦେଖନ୍ତେ, ସେ ରାଜଗୃହର ଗଡ଼ ଭିତରକୁ ଯାଇ ଆପଣା ଉପରେ ରାଜଗୃହ ଅଗ୍ନିରେ ଦଗ୍ଧ କରି ମଲା, 19କାରଣ ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ମନ୍ଦ କର୍ମ କରି, ଯାରବୀୟାମର ପଥରେ ଓ ଇସ୍ରାଏଲକୁ ପାପ କରାଇଥିବା ତାହାର ପାପରେ ଚାଲି ଯେଉଁ ପାପ କରିଥିଲା, ତାହା ସକାଶୁ ଏହା ଘଟିଲା। 20ସିମ୍ରିର ଅବଶିଷ୍ଟ କାର୍ଯ୍ୟର ବୃତ୍ତାନ୍ତ ଓ ତାହାର କୃତ ରାଜଦ୍ରୋହ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ?
ଅମ୍ରି ଇସ୍ରାଏଲରେ ରାଜତ୍ଵ କରନ୍ତି
21ସେତେବେଳେ ଇସ୍ରାଏଲ ଲୋକମାନେ ଦୁଇ ଭାଗ ହେଲେ; ଅଧେ ଗୀନତର ପୁତ୍ର ତିବ୍ନିଙ୍କୁ ରାଜା କରିବା ନିମନ୍ତେ ତାହାଙ୍କ ପଶ୍ଚାଦ୍ଗାମୀ ହେଲେ ଓ ଅଧେ ଅମ୍ରିଙ୍କ ପଶ୍ଚାଦ୍ଗାମୀ ହେଲେ। 22ମାତ୍ର ଅମ୍ରିଙ୍କ ପଶ୍ଚାଦ୍ଗାମୀ ଲୋକମାନେ ଗୀନତର ପୁତ୍ର ତିବ୍ନିଙ୍କ ପଶ୍ଚାଦ୍ଗାମୀ ଲୋକମାନଙ୍କୁ ପରାସ୍ତ କଲେ। ତହିଁରେ ତିବ୍ନି ମଲେ ଓ ଅମ୍ରି ରାଜା ହେଲେ। 23ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଏକତିରିଶ ବର୍ଷରେ ଅମ୍ରି ଇସ୍ରାଏଲ ଉପରେ ରାଜା ହୋଇ ବାର ବର୍ଷ ରାଜତ୍ଵ କଲେ; ତନ୍ମଧ୍ୟରେ ଛଅ ବର୍ଷ ତିର୍ସାରେ କଲେ। 24ପୁଣି ସେ ଶେମରଠାରୁ ଶମରୀୟାର ପର୍ବତ ପ୍ରାୟ ଏକ ଶହ ପଚାଶ ପାଉଣ୍ଡ ରୂପା ଦେଇ କ୍ରୟ କଲେ ଓ ସେଠାରେ ଏକ ନଗର ନିର୍ମାଣ କଲେ, ଆଉ ଯାହାଠାରୁ ସେହି ପର୍ବତ କିଣିଥିଲେ, ସେହି ଶେମରର ନାମାନୁସାରେ ତହିଁର ନାମ ଶମରୀୟା ଦେଲେ। 25ଆଉ ଅମ୍ରି ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ମନ୍ଦ କର୍ମ କଲେ, ପୁଣି ଆପଣାର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ କୁକର୍ମ କଲେ। 26କାରଣ ସେ ନବାଟର ପୁତ୍ର ଯାରବୀୟାମର ସମସ୍ତ ପଥରେ ଓ ଇସ୍ରାଏଲକୁ ପାପ କରାଇଥିବା ଯାରବୀୟାମର ପାପରେ ଚାଲିଲେ, ପୁଣି ଆପଣାମାନଙ୍କ ଅସାର ପ୍ରତିମାଗଣ ଦ୍ଵାରା ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କୁ କ୍ରୋଧାନ୍ଵିତ କଲେ। 27ଅମ୍ରିଙ୍କ କୃତ ଅବଶିଷ୍ଟ କାର୍ଯ୍ୟର ବୃତ୍ତାନ୍ତ ଓ ତାହାଙ୍କ ପ୍ରକାଶିତ ପରାକ୍ରମ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 28ପୁଣି ଅମ୍ରି ଆପଣା ପିତୃଲୋକଙ୍କ ସହିତ ବିଶ୍ରାମ କଲେ ଓ ଶମରୀୟାରେ କବର ପ୍ରାପ୍ତ ହେଲେ; ଆଉ ତାହାଙ୍କ ପୁତ୍ର ଆହାବ ତାହାଙ୍କ ପଦରେ ରାଜତ୍ଵ କଲେ।
ଆହାବ ରାଜତ୍ଵ କରି ଈଷେବଲ୍କୁ ବିବାହ କରନ୍ତି
29ଯିହୁଦାର ରାଜା ଆସାଙ୍କ ରାଜତ୍ଵର ଅଠତିରିଶ ବର୍ଷରେ ଅମ୍ରିଙ୍କ ପୁତ୍ର ଆହାବ ଇସ୍ରାଏଲ ଉପରେ ରାଜା ହେଲେ ଓ ଅମ୍ରିଙ୍କ ପୁତ୍ର ଆହାବ ଶମରୀୟାରେ ଇସ୍ରାଏଲ ଉପରେ ବାଇଶ ବର୍ଷ ରାଜତ୍ଵ କଲେ। 30ଆଉ ଅମ୍ରିଙ୍କ ପୁତ୍ର ଆହାବ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ଆପଣାର ପୂର୍ବବର୍ତ୍ତୀ ସମସ୍ତଙ୍କ ଅପେକ୍ଷା ଅଧିକ ମନ୍ଦ କର୍ମ କଲେ। 31ପୁଣି ନବାଟର ପୁତ୍ର ଯାରବୀୟାମର ପାପପଥରେ ଚାଲିବା ତୁଚ୍ଛ ବିଷୟ ବୋଲି ଭାବି ସେ ସୀଦୋନୀୟମାନଙ୍କ ରାଜା ଇତ୍ବାଲ୍ର କନ୍ୟା ଈଷେବଲ୍କୁ ବିବାହ କଲେ, ଆଉ ଯାଇ ବାଲ୍ର ସେବା କଲେ ଓ ତାହାକୁ ପ୍ରଣାମ କଲେ। 32ଆଉ ସେ ଶମରୀୟାରେ ବାଲ୍ର ଯେଉଁ ମନ୍ଦିର ନିର୍ମାଣ କଲେ, ସେହି ବାଲ୍ର ମନ୍ଦିରରେ ବାଲ୍ ନିମନ୍ତେ ଏକ ଯଜ୍ଞବେଦି ସ୍ଥାପନ କଲେ। 33ପୁଣି ଆହାବ ଏକ ଆଶେରା ମୂର୍ତ୍ତି ନିର୍ମାଣ କଲେ, ଆଉ ଆପଣାର ପୂର୍ବବର୍ତ୍ତୀ ଇସ୍ରାଏଲର ସମସ୍ତ ରାଜାଙ୍କ ଅପେକ୍ଷା ଇସ୍ରାଏଲର ଈଶ୍ଵର ଆମ୍ଭମାନଙ୍କ ପିତାଙ୍କୁ ଅଧିକ କ୍ରୋଧାନ୍ଵିତ କରିବାକୁ କର୍ମ କଲେ। 34ତାହାଙ୍କ ସମୟରେ ବେଥେଲ୍ ନିବାସୀ ହୀୟେଲ୍ ଯିରୀହୋ ପୁନର୍ନିର୍ମାଣ କଲା। ସେ ଆପଣା ଜ୍ୟେଷ୍ଠ ପୁତ୍ର ଅବୀରାମର ପ୍ରାଣ ମୂଲ୍ୟରେ ତହିଁର ଭିତ୍ତିମୂଳ ସ୍ଥାପନ କଲା ଓ ଆପଣା କନିଷ୍ଠ ପୁତ୍ର ସଗୂବର ପ୍ରାଣ ମୂଲ୍ୟରେ ତହିଁର ଦ୍ଵାର ସ୍ଥାପନ କଲା; ଏହା ନୂନର ପୁତ୍ର ଯିହୋଶୂୟଙ୍କ ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ କଥିତ ବାକ୍ୟାନୁସାରେ ଘଟିଲା।