ନୟମୀଙ୍କ ପରିକଳ୍ପନା
ନୟମୀ ରୂତଙ୍କୁ ରାତିରେ ଖଳାକୁ ପଠାନ୍ତି। ସେଠାରେ ରୂତ ବୋୟଜଙ୍କୁ ତାଙ୍କ ଉପରେ ନିଜ ବସ୍ତ୍ର ବିସ୍ତାର କରିବାକୁ ଅନୁରୋଧ କରନ୍ତି। ବୋୟଜ ପ୍ରଥମେ ଚମକି ଉଠନ୍ତି, ତାʼପରେ ଆନନ୍ଦିତ ହୁଅନ୍ତି। ସେ ରୂତଙ୍କୁ ଗୁଣବତୀ ବୋଲି କହନ୍ତି ଓ ଆମ ପିତାଙ୍କ ନାମରେ ତାଙ୍କୁ ଆଶୀର୍ବାଦ କରନ୍ତି। ଯଦି ଅଧିକ ନିକଟ ସମ୍ପର୍କୀୟ ତାଙ୍କୁ ମୁକ୍ତ ନ କରେ, ତେବେ ସେ ନିଜେ ମୁକ୍ତ କରିବେ ବୋଲି ଶପଥ କରନ୍ତି।
3 1ଏଥିଉତ୍ତାରେ ତାହାର ଶାଶୁ ନୟମୀ ତାହାକୁ କହିଲେ, “ହେ ମୋʼ କନ୍ୟେ, ତୁମ୍ଭର ମଙ୍ଗଳ ହେବା ନିମନ୍ତେ ତୁମ୍ଭ ପାଇଁ ଗୋଟିଏ ବିଶ୍ରାମସ୍ଥାନ କʼଣ ମୁଁ ଖୋଜିବି ନାହିଁ? 2ଯାହାଙ୍କ ଦାସୀମାନଙ୍କ ସଙ୍ଗରେ ତୁମ୍ଭେ ଥିଲ, ସେହି ବୋୟଜ କʼଣ ଆମ୍ଭମାନଙ୍କ କୁଟୁମ୍ବ ନୁହନ୍ତି? ଦେଖ, ସେ ଆଜି ରାତ୍ରିରେ ଖଳାରେ ଯବ ଝାଡ଼ୁଅଛନ୍ତି। 3ଅତଏବ ତୁମ୍ଭେ ସ୍ନାନ କରି, ସୁଗନ୍ଧ ତୈଳ ମାଖି, ଆପଣା ବସ୍ତ୍ର ପରିଧାନ କରି ଖଳାକୁ ଓହ୍ଲାଇ ଯାଅ; ମାତ୍ର ସେହି ବ୍ୟକ୍ତି ଭୋଜନ ପାନ ସମାପ୍ତ ନ କରିବା ପର୍ଯ୍ୟନ୍ତ ଆପଣାକୁ ତାହାଙ୍କ ନିକଟରେ ପ୍ରକାଶ କର ନାହିଁ। 4ପୁଣି ଯେତେବେଳେ ସେ ଶୟନ କରିବେ, ସେତେବେଳେ ତୁମ୍ଭେ ତାହାଙ୍କ ଶୟନ ସ୍ଥାନ ଜାଣି, ଯାଇ ତାହାଙ୍କ ପାଦ ଅନାବୃତ କରି ଶୟନ କର; ତହିଁରେ ତୁମ୍ଭର କʼଣ କର୍ତ୍ତବ୍ୟ, ତାହା ସେ ତୁମ୍ଭକୁ ଜଣାଇବେ।”
5ତହୁଁ ରୂତ ତାହାକୁ କହିଲା, “ତୁମ୍ଭେ ଯାହା କହୁଅଛ, ତାହାସବୁ ମୁଁ କରିବି।” 6ଏଉତ୍ତାରେ ସେ ଖଳାକୁ ଓହ୍ଲାଇ ଯାଇ ଆପଣା ଶାଶୁ ତାହାକୁ ଯେପରି କହିଥିଲେ, ସେହିପରି ସମସ୍ତ କଲା। 7ପୁଣି ବୋୟଜ ଭୋଜନ ପାନ କରି ଆପଣା ମନରେ ଆନନ୍ଦିତ ହୋଇ ଶସ୍ୟରାଶିର ଏକ ପ୍ରାନ୍ତରେ ଶୟନ କରିବାକୁ ଗଲେ; ତହିଁରେ ସେ ଚୁପ୍ଚାପ୍ ଯାଇ ତାହାଙ୍କ ପାଦ ଅନାବୃତ କରି ଶୟନ କଲା। 8ପୁଣି ମଧ୍ୟ ରାତ୍ରିରେ ସେହି ବ୍ୟକ୍ତି ଚମକି ପଡ଼ି ଓଲଟି ଦେଖିଲେ, ଆଉ ଦେଖ, ତାହାଙ୍କ ପାଦ ତଳେ ଗୋଟିଏ ସ୍ତ୍ରୀ ଶୟନ କରିଅଛି! 9ତହିଁରେ ସେ ପଚାରିଲେ, “ତୁମ୍ଭେ କିଏ?” ସେ ଉତ୍ତର ଦେଲା, “ମୁଁ ଆପଣଙ୍କ ଦାସୀ ରୂତ; ଆପଣ ଆପଣା ବସ୍ତ୍ରର ଅଞ୍ଚଳ ଆପଣା ଦାସୀ ଉପରେ ବିସ୍ତାର କରନ୍ତୁ, କାରଣ ଆପଣ ମୁକ୍ତିକର୍ତ୍ତା।” a a v9 କାହା ଉପରେ ବସ୍ତ୍ରର ଅଞ୍ଚଳ ବିସ୍ତାର କରିବା ବିବାହ ଓ ଆଶ୍ରୟ ନିମନ୍ତେ ଅନୁରୋଧ ଥିଲା।
10ତହୁଁ ସେ କହିଲେ, “ହେ ମୋʼ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହୁଅ; ତୁମ୍ଭେ ଧନୀ ହେଉ କି ଦରିଦ୍ର ହେଉ, ଯୁବକମାନଙ୍କ ପଛେ ନ ଦୌଡ଼ିବାରୁ ତୁମ୍ଭର ଏହି ଶେଷ ଦୟା ପ୍ରଥମଠାରୁ ଅଧିକ ଉତ୍ତମ। 11ଏଣୁ ହେ ମୋʼ କନ୍ୟେ, ଏବେ ଭୟ କର ନାହିଁ; ତୁମ୍ଭେ ଯାହା କହିବ, ତାହାସବୁ ମୁଁ ତୁମ୍ଭ ପ୍ରତି କରିବି; କାରଣ ତୁମ୍ଭେ ଯେ ଏକ ସଦ୍ଗୁଣବିଶିଷ୍ଟା ସ୍ତ୍ରୀ, ଏହା ମୋʼ ନଗରର ସମସ୍ତ ଲୋକ ଜାଣନ୍ତି। 12ଏବେ ମୁଁ ଯେ ମୁକ୍ତିକର୍ତ୍ତା, ଏହା ସତ୍ୟ; ତଥାପି ମୋʼଠାରୁ ନିକଟ-ସମ୍ପର୍କୀୟ ଆଉ ଜଣେ ମୁକ୍ତିକର୍ତ୍ତା ଅଛନ୍ତି। 13ଆଜି ରାତ୍ରି କ୍ଷେପଣ କର; କାଲି ପ୍ରଭାତରେ ଯଦି ସେ ତୁମ୍ଭ ପ୍ରତି ମୁକ୍ତିକର୍ତ୍ତାର କର୍ତ୍ତବ୍ୟ କରିବେ, ତେବେ ଭଲ, ସେ କରନ୍ତୁ; ମାତ୍ର ଯଦି ସେ ତୁମ୍ଭ ପ୍ରତି ମୁକ୍ତିକର୍ତ୍ତାର କର୍ତ୍ତବ୍ୟ କରିବାକୁ ସମ୍ମତ ନ ହୁଅନ୍ତି, ତେବେ ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭ ପ୍ରତି ତାହା କରିବି; ପ୍ରଭାତ ପର୍ଯ୍ୟନ୍ତ ଶୟନ କର।”
14ତହିଁରେ ସେ ପ୍ରଭାତ ପର୍ଯ୍ୟନ୍ତ ତାହାଙ୍କ ପାଦ ତଳେ ଶୟନ କଲା, ପୁଣି ଜଣେ ଅନ୍ୟ ଜଣକୁ ଚିହ୍ନି ପାରିବା ପୂର୍ବରୁ ଉଠିଲା; କାରଣ ସେ କହିଥିଲେ, “ଗୋଟିଏ ସ୍ତ୍ରୀ ଖଳାକୁ ଆସିଥିଲା ବୋଲି କେହି ଜାଣୁ ନାହିଁ।” 15ଆହୁରି ସେ କହିଲେ, “ତୁମ୍ଭେ ପିନ୍ଧିଥିବା ଚାଦର ଆଣ ଓ ତାହା ଧର।” ତହିଁରେ ସେ ତାହା ଧରିଲା; ପୁଣି ସେ ଛଅ ମାପ ଯବ ମାପି ତାହା ଉପରେ ଦେଇ ନଗରକୁ ଗଲେ।
16ପରେ ରୂତ ଆପଣା ଶାଶୁ ନିକଟକୁ ଆସନ୍ତେ, ନୟମୀ ପଚାରିଲେ, “ହେ ମୋʼ କନ୍ୟେ, କʼଣ ହେଲା?” ତହିଁରେ ସେହି ବ୍ୟକ୍ତି ତାହା ପ୍ରତି ଯାହା ଯାହା କରିଥିଲେ, ତାହାସବୁ ସେ ତାହାଙ୍କୁ ଜଣାଇଲା। 17ପୁଣି ସେ କହିଲା, “ସେ ମୋତେ ଏହି ଛଅ ମାପ ଯବ ଦେଇ କହିଲେ, ‘ତୁମ୍ଭେ ଆପଣା ଶାଶୁ ନିକଟକୁ ଖାଲି ହାତରେ ଫେରି ଯାଅ ନାହିଁ।’”
18ତହୁଁ ନୟମୀ କହିଲେ, “ହେ ମୋʼ କନ୍ୟେ, ଏ କାର୍ଯ୍ୟର ପରିଣାମ କʼଣ ହେବ, ତାହା ନ ଜାଣିବା ପର୍ଯ୍ୟନ୍ତ ଅପେକ୍ଷା କର; କାରଣ ସେହି ବ୍ୟକ୍ତି ଆଜି ଏହି କାର୍ଯ୍ୟ ସମାପ୍ତ ନ କରିବା ପର୍ଯ୍ୟନ୍ତ ବିଶ୍ରାମ କରିବେ ନାହିଁ।”