ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଶାମ୍‌ଶୋନ୍ ଘସାର ନଗରଦ୍ଵାର ଉଠାଇ ନେଲେ

ଶାମ୍ଶୋନ ଘସାର ଦ୍ୱାର ଉଠାଇ ନେଇଯାଆନ୍ତି, ତାʼପରେ ଦଲୀଲାକୁ ପ୍ରେମ କରନ୍ତି, ଯାହାକୁ ତାଙ୍କ ରହସ୍ୟ ଜାଣିବା ପାଇଁ ଟଙ୍କା ଦିଆଯାଇଛି। ତିନିଥର ମିଥ୍ୟା କହିବା ପରେ ସେ ତାକୁ ନିଜର ସମସ୍ତ ହୃଦୟ କହିଦିଅନ୍ତି, ମୁଣ୍ଡ ଖିଅର ହୋଇଥିବା ଅବସ୍ଥାରେ ଉଠନ୍ତି, ଏବଂ ଆମ ପିତା ତାଙ୍କୁ ଛାଡ଼ିଯାଇଛନ୍ତି ବୋଲି ଜାଣନ୍ତି ନାହିଁ। ଅନ୍ଧ କରାଯାଇ ଚକିରେ ଲଗାଯାଆନ୍ତି, ତାଙ୍କ କେଶ ପୁଣି ବଢ଼େ, ଏବଂ ସେ ପୁଣି ଶକ୍ତି ମାଗନ୍ତି।

ଅଧ୍ୟାୟ 16।

ଶାମ୍‌ଶୋନ୍ ଘସାକୁ ଯାଇ ସେଠାରେ ଜଣେ ବେଶ୍ୟାକୁ ଦେଖି ତାହା ନିକଟକୁ ଗଲେ। “ଶାମ୍‌ଶୋନ୍ ଏଠାକୁ ଆସିଅଛନ୍ତି” ବୋଲି ଘସାର ଲୋକମାନେ ଶୁଣନ୍ତେ, ସେମାନେ ସେହି ସ୍ଥାନ ଘେରି ନଗରଦ୍ଵାରରେ ସାରା ରାତ୍ରି ତାହାଙ୍କ ପାଇଁ ଛକି ରହିଲେ। “ପ୍ରଭାତ ହେଲେ ଆମ୍ଭେମାନେ ତାହାଙ୍କୁ ବଧ କରିବା” ବୋଲି କହି ସେମାନେ ସାରା ରାତ୍ରି ନୀରବ ରହିଲେ। ଶାମ୍‌ଶୋନ୍ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେଠାରେ ଶୟନ କଲେ। ମଧ୍ୟରାତ୍ରିରେ ସେ ଉଠି ନଗରଦ୍ଵାରର କବାଟ ଓ ଦୁଇ ବାଜୁବନ୍ଧ ଧରି ଅର୍ଗଳ ସହିତ ସେହିସବୁ ଉତ୍ପାଟନ କରି ଆପଣା କାନ୍ଧରେ ରଖି ହିବ୍ରୋଣ ସମ୍ମୁଖସ୍ଥିତ ପର୍ବତ ଶିଖର ଉପରକୁ ବହିନେଲେ।

ଏହା ପରେ ସେ ସୋରେକ୍ ଉପତ୍ୟକାରେ ଦଲୀଲା ନାମ୍ନୀ ଏକ ସ୍ତ୍ରୀକୁ ପ୍ରେମ କଲେ। ପଲେଷ୍ଟୀୟ ଅଧିପତିମାନେ ତାହା ନିକଟକୁ ଆସି କହିଲେ, “ତାହାଙ୍କ ମହାବଳ କାହିଁରେ ଥାଏ, ପୁଣି ଆମ୍ଭେମାନେ କିପରି ତାହାଙ୍କୁ ପରାସ୍ତ କରି ବାନ୍ଧି ବଶୀଭୂତ କରିପାରିବୁ, ଏହା ତୁମ୍ଭେ ତାହାଙ୍କୁ ଭୁଲାଇ ଜାଣ। ତହିଁରେ ଆମ୍ଭେମାନେ ପ୍ରତ୍ୟେକେ ତୁମ୍ଭକୁ ଏଗାର ଶହ ରୌପ୍ୟ ଖଣ୍ଡ ଦେବୁ।”

ତେଣୁ ଦଲୀଲା ଶାମ୍‌ଶୋନ୍‌ଙ୍କୁ କହିଲା, “ତୁମ୍ଭର ମହାବଳ କାହିଁରେ ଥାଏ ଓ କିପରି ତୁମ୍ଭକୁ ବାନ୍ଧି ବଶୀଭୂତ କରାଯାଇପାରେ, ଏହା ମୋତେ କୁହ।”

ଶାମ୍‌ଶୋନ୍ ତାହାକୁ କହିଲେ, “ଯଦି ଲୋକମାନେ ଅଶୁଷ୍କ ସାତୋଟି କଞ୍ଚା ତନ୍ତ ଦ୍ଵାରା ମୋତେ ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହେବି।”

ସେତେବେଳେ ପଲେଷ୍ଟୀୟ ଅଧିପତିମାନେ ତାହା ନିକଟକୁ ଅଶୁଷ୍କ ସାତୋଟି କଞ୍ଚା ତନ୍ତ ଆଣିଲେ, ପୁଣି ସେ ତଦ୍ଵାରା ତାହାଙ୍କୁ ବାନ୍ଧିଲା। ସେସମୟରେ ତାହାର ଭିତର କୋଠରୀରେ କେତେକ ଲୋକ ଛକି ରହିଥିଲେ। ତହୁଁ ସେ ତାହାଙ୍କୁ କହିଲା, “ହେ ଶାମ୍‌ଶୋନ୍, ପଲେଷ୍ଟୀୟମାନେ ତୁମ୍ଭ ଉପରେ ପଡ଼ିଲେ!” ମାତ୍ର ଅଗ୍ନି ସ୍ପର୍ଶ କଲେ ଯେପରି ଛଣପଟ ସୂତ୍ର ଛିଣ୍ଡିଯାଏ, ସେପରି ସେ ତନ୍ତସବୁ ଛିଣ୍ଡାଇ ପକାଇଲେ। ଏଣୁ ତାହାଙ୍କ ବଳର ରହସ୍ୟ ଜଣା ପଡ଼ିଲା ନାହିଁ।

ତହୁଁ ଦଲୀଲା ଶାମ୍‌ଶୋନ୍‌ଙ୍କୁ କହିଲା, “ତୁମ୍ଭେ ମୋତେ ପରିହାସ କରିଅଛ ଓ ମୋʼ ନିକଟରେ ମିଥ୍ୟା କଥା କହିଅଛ। ତୁମ୍ଭକୁ କିପରି ବନ୍ଧାଯାଇପାରେ, ଏବେ ତାହା ମୋତେ କୁହ।”

ସେ ତାହାକୁ କହିଲେ, “ଯଦି ଲୋକମାନେ କେବେ ବ୍ୟବହୃତ ହୋଇ ନ ଥିବା ନୂତନ ରଜ୍ଜୁରେ ମୋତେ ଦୃଢ଼ କରି ବାନ୍ଧିବେ, ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହେବି।”

ତେଣୁ ଦଲୀଲା ନୂତନ ରଜ୍ଜୁ ନେଇ ତଦ୍ଵାରା ତାହାଙ୍କୁ ବାନ୍ଧି କହିଲା, “ହେ ଶାମ୍‌ଶୋନ୍, ପଲେଷ୍ଟୀୟମାନେ ତୁମ୍ଭ ଉପରେ ପଡ଼ିଲେ!” ସେତେବେଳେ ଭିତର କୋଠରୀରେ କେତେକ ଲୋକ ଛକି ରହିଥିଲେ। ମାତ୍ର ସେ ଆପଣା ବାହୁରୁ ସୂତା ପରି ସେହି ରଜ୍ଜୁ ଛିଣ୍ଡାଇ ପକାଇଲେ।

ତହୁଁ ଦଲୀଲା ଶାମ୍‌ଶୋନ୍‌ଙ୍କୁ କହିଲା, “ତୁମ୍ଭେ ଏପର୍ଯ୍ୟନ୍ତ ମୋତେ ପରିହାସ କରିଅଛ ଓ ମୋʼ ନିକଟରେ ମିଥ୍ୟା କହିଅଛ। ତୁମ୍ଭକୁ କିପରି ବନ୍ଧାଯାଇପାରେ, ତାହା ମୋତେ କୁହ।” ସେ ତାହାକୁ କହିଲେ, “ଯଦି ତୁମ୍ଭେ ମୋʼ ମସ୍ତକର ସାତ ଅଳକ ତନ୍ତର ବସ୍ତ୍ର ସହିତ ବୁଣି ଖିଲରେ ଦୃଢ଼ କରିବ, ତେବେ ମୁଁ ଅନ୍ୟ ଲୋକ ପରି ଦୁର୍ବଳ ହେବି।”

ତହୁଁ ସେ ଖିଲ ଦ୍ଵାରା ତାହା ଦୃଢ଼ କରି ତାହାଙ୍କୁ କହିଲା, “ହେ ଶାମ୍‌ଶୋନ୍, ପଲେଷ୍ଟୀୟମାନେ ତୁମ୍ଭ ଉପରେ ପଡ଼ିଲେ!” ମାତ୍ର ସେ ନିଦ୍ରାରୁ ଜାଗ୍ରତ ହୋଇ ଖିଲ, ତନ୍ତ ଓ ବସ୍ତ୍ର ଉପାଡ଼ି ଆଣିଲେ।

ତେବେ ସେ କହିଲା, “ତୁମ୍ଭ ହୃଦୟ ଯେତେବେଳେ ମୋʼ ସହିତ ନାହିଁ, ସେତେବେଳେ ତୁମ୍ଭେ କିପରି ‘ମୁଁ ତୁମ୍ଭକୁ ପ୍ରେମ କରେ’ ବୋଲି କହିପାର? ତୁମ୍ଭେ ତିନି ଥର ମୋତେ ପରିହାସ କରିଅଛ ଓ ତୁମ୍ଭର ମହାବଳ କାହିଁରେ ଥାଏ, ତାହା ମୋତେ କହି ନାହଁ।”

ଏହିରୂପେ ସେ ପ୍ରତିଦିନ ଆପଣା ବାକ୍ୟ ଦ୍ଵାରା ତାହାଙ୍କୁ ଅତିଶୟ ଆଗ୍ରହ କରି ବ୍ୟତିବ୍ୟସ୍ତ କରିବାରୁ ତାହାଙ୍କ ପ୍ରାଣ ଏପରି ଅଧୀର ହେଲା ଯେ, ସେ ମରିବା ପାଇଁ ବାଞ୍ଛା କଲେ। ତେଣୁ ସେ ତାହା ନିକଟରେ ଆପଣା ସମସ୍ତ ହୃଦୟ ପ୍ରକାଶ କରି କହିଲେ, “ମୋʼ ମସ୍ତକରେ କ୍ଷୁର କେବେ ଲାଗି ନାହିଁ, କାରଣ ମୁଁ ମାତୃଗର୍ଭରୁ ପିତାଙ୍କ ଉଦ୍ଦେଶ୍ୟରେ ନାସରୀୟ ଅଟେ। ଯଦି ମୋʼ ମସ୍ତକ କ୍ଷୌର ହୁଏ, ତେବେ ମୋʼ ବଳ ମୋʼଠାରୁ ଯାଇ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକ ପରି ହେବି।”

ଶାମ୍‌ଶୋନ୍ ଆପଣା ସମସ୍ତ ହୃଦୟ କହିଅଛନ୍ତି ବୋଲି ଦଲୀଲା ଦେଖି ପଲେଷ୍ଟୀୟ ଅଧିପତିମାନଙ୍କ ନିକଟକୁ ଲୋକ ପଠାଇ କହିଲା, “ଆଉ ଥରେ ଆସ, କାରଣ ସେ ମୋʼ ନିକଟରେ ଆପଣା ସମସ୍ତ ହୃଦୟ କହିଅଛନ୍ତି।” ତହିଁରେ ପଲେଷ୍ଟୀୟ ଅଧିପତିମାନେ ହସ୍ତରେ ରୌପ୍ୟ ନେଇ ତାହା ନିକଟକୁ ଆସିଲେ। ତହୁଁ ସେ ଆପଣା ଆଣ୍ଠୁ ଉପରେ ତାହାଙ୍କୁ ନିଦ୍ରିତ କରାଇ ଜଣେ ଲୋକକୁ ଡାକି ତାହା ଦ୍ଵାରା ତାହାଙ୍କ ମସ୍ତକର ସାତ ଅଳକ କ୍ଷୌର କରାଇଲା। ଆଉ ସେ ତାହାଙ୍କୁ ବଶୀଭୂତ କରିବାକୁ ଆରମ୍ଭ କଲା, ପୁଣି ତାହାଙ୍କ ବଳ ତାହାଙ୍କଠାରୁ ଗଲା। ତେବେ ସେ କହିଲା, “ହେ ଶାମ୍‌ଶୋନ୍, ପଲେଷ୍ଟୀୟମାନେ ତୁମ୍ଭ ଉପରେ ପଡ଼ିଲେ!” ତହିଁରେ ସେ ନିଦ୍ରାରୁ ଜାଗ୍ରତ ହୋଇ ମନେ ମନେ କହିଲେ, “ମୁଁ ପୂର୍ବ ପରି ବାହାରି ଯାଇ ଆପଣାକୁ ମୁକ୍ତ କରିବି।” ମାତ୍ର ଆମ୍ଭମାନଙ୍କ ପିତା ତାହାଙ୍କୁ ଛାଡ଼ି ଯାଇଅଛନ୍ତି ବୋଲି ସେ ଜାଣିଲେ ନାହିଁ।

ତେଣୁ ପଲେଷ୍ଟୀୟମାନେ ତାହାଙ୍କୁ ଧରି ତାହାଙ୍କ ଚକ୍ଷୁ ଉପାଡ଼ି ପକାଇ ତାହାଙ୍କୁ ଘସାକୁ ଆଣିଲେ, ପୁଣି ପିତ୍ତଳ ଶୃଙ୍ଖଳରେ ତାହାଙ୍କୁ ବାନ୍ଧିଲେ; ତହିଁରେ ସେ କାରାଗାରରେ ଶସ୍ୟ ପେଷିଲେ। ମାତ୍ର ତାହାଙ୍କ ମସ୍ତକର କେଶ କ୍ଷୌର ହେବା ଉତ୍ତାରେ ପୁନର୍ବାର ବଢ଼ିବାକୁ ଲାଗିଲା।

ପିତା ଶାମ୍‌ଶୋନ୍‌ଙ୍କୁ ପୁନର୍ବାର ବଳବାନ୍ କଲେ

ଏଥିଉତ୍ତାରେ ପଲେଷ୍ଟୀୟ ଅଧିପତିମାନେ ଆପଣାମାନଙ୍କ ଦେବତା ଦାଗୋନ୍ ଉଦ୍ଦେଶ୍ୟରେ ମହାଯଜ୍ଞ କରିବାକୁ ଓ ଆନନ୍ଦ କରିବାକୁ ଏକତ୍ର ହୋଇ କହିଲେ, “ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ଶତ୍ରୁ ଶାମ୍‌ଶୋନ୍‌ଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ଆଉ ଲୋକମାନେ ତାହାଙ୍କୁ ଦେଖି ଆପଣାମାନଙ୍କ ଦେବତାର ପ୍ରଶଂସା କରି କହିଲେ, “ଯେ ଆମ୍ଭମାନଙ୍କ ଦେଶ ଉଜାଡ଼ି ଆମ୍ଭମାନଙ୍କ ଅନେକ ଲୋକଙ୍କୁ ବଧ କଲା, ସେହି ଆମ୍ଭମାନଙ୍କ ଶତ୍ରୁକୁ ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।”

ଆଉ ସେମାନଙ୍କ ଅନ୍ତଃକରଣ ଆନନ୍ଦିତ ହୁଅନ୍ତେ, ସେମାନେ କହିଲେ, “ଶାମ୍‌ଶୋନ୍‌ଙ୍କୁ ଡାକ, ସେ ଆମ୍ଭମାନଙ୍କ ଆଗରେ କୌତୁକ କରନ୍ତୁ।” ତେଣୁ ସେମାନେ ଶାମ୍‌ଶୋନ୍‌ଙ୍କୁ କାରାଗାରରୁ ଆଣିଲେ, ତହୁଁ ସେ ସେମାନଙ୍କ ଆଗରେ କୌତୁକ କଲେ। ପୁଣି ସେମାନେ ତାହାଙ୍କୁ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। ତହିଁରେ ଶାମ୍‌ଶୋନ୍ ଆପଣା ହସ୍ତ ଧରିଥିବା ବାଳକକୁ କହିଲେ, “ଯେଉଁ ସ୍ତମ୍ଭ ଉପରେ ଗୃହ ରହିଅଛି, ତାହା ମୋତେ ସ୍ପର୍ଶ କରିବାକୁ ଦିଅ, ଯେପରି ମୁଁ ସେଥିରେ ଆଉଜିପାରିବି।” ସେତେବେଳେ ଗୃହ ପୁରୁଷ ଓ ସ୍ତ୍ରୀମାନଙ୍କରେ ପରିପୂର୍ଣ୍ଣ ଥିଲା; ପଲେଷ୍ଟୀୟ ସମସ୍ତ ଅଧିପତି ସେଠାରେ ଥିଲେ, ପୁଣି ଛାତ ଉପରେ ପ୍ରାୟ ତିନି ହଜାର ପୁରୁଷ ଓ ସ୍ତ୍ରୀ ଶାମ୍‌ଶୋନ୍‌ଙ୍କ କୌତୁକ ଦେଖୁଥିଲେ। ତେବେ ଶାମ୍‌ଶୋନ୍ ଆମ୍ଭମାନଙ୍କ ପିତାଙ୍କ ନିକଟରେ ଡାକି କହିଲେ, “ହେ ପ୍ରଭୁ ପିତା, ବିନତି କରୁଅଛି, ମୋତେ ସ୍ମରଣ କର। ହେ ପିତଃ, ଏହି ଥରକ ମାତ୍ର ମୋତେ ବଳବାନ୍ କର, ଯେପରି ମୁଁ ଏକ ଆଘାତରେ ଆପଣା ଦୁଇ ଚକ୍ଷୁ ନିମନ୍ତେ ପଲେଷ୍ଟୀୟମାନଙ୍କ ପ୍ରତି ପ୍ରତିଶୋଧ ନେଇପାରିବି।” ତହୁଁ ଶାମ୍‌ଶୋନ୍ ଗୃହର ଆଧାରସ୍ଵରୂପ ମଧ୍ୟବର୍ତ୍ତୀ ଦୁଇ ସ୍ତମ୍ଭ ଧରି, ଆପଣା ଡାହାଣ ହସ୍ତ ଏକ ଉପରେ ଓ ବାମ ହସ୍ତ ଅନ୍ୟ ଉପରେ ରଖି ସେହି ଦୁହିଁଙ୍କ ଉପରେ ଭାର ଦେଲେ। ପୁଣି ଶାମ୍‌ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସଙ୍ଗେ ମୋʼ ପ୍ରାଣ ଯାଉ।” ତହିଁରେ ସେ ଆପଣାର ସମସ୍ତ ଶକ୍ତିରେ ଆଉଜି ପଡ଼ିବାରୁ ଗୃହ ଅଧିପତିମାନଙ୍କ ଓ ତନ୍ମଧ୍ୟସ୍ଥିତ ସମସ୍ତ ଲୋକଙ୍କ ଉପରେ ପଡ଼ିଲା। ଏହିରୂପେ ସେ ଆପଣା ଜୀବନ କାଳରେ ଯେତେ ଲୋକଙ୍କୁ ବଧ କରିଥିଲେ, ତାହାଠାରୁ ଅଧିକ ଲୋକଙ୍କୁ ମରଣ କାଳରେ ବଧ କଲେ।

ତେବେ ତାହାଙ୍କ ଭ୍ରାତୃଗଣ ଓ ତାହାଙ୍କ ପିତୃଗୃହର ସମସ୍ତେ ଓହ୍ଲାଇ ଆସି ତାହାଙ୍କୁ ନେଇ ଉପରକୁ ଆଣି ସରା ଓ ଇଷ୍ଟାୟୋଲ୍ ମଧ୍ୟରେ ତାହାଙ୍କ ପିତା ମାନୋହଙ୍କ କବରରେ ତାହାଙ୍କୁ କବର ଦେଲେ। ସେ କୋଡ଼ିଏ ବର୍ଷ ଇସ୍ରାଏଲର ବିଚାର କରିଥିଲେ।