ତାହାଙ୍କ ସ୍ଵରର ଗର୍ଜନ
ବଜ୍ରଧ୍ୱନି ଶୁଣି ଇଲୀହୂଙ୍କ ହୃଦୟ ଧକ୍ ଧକ୍ ହୁଏ। ସେ ତୁଷାର, ବରଫ ଓ ମେଘର ବର୍ଣ୍ଣନା କରନ୍ତି, ଯାହା ପରମେଶ୍ୱରଙ୍କ ଆଜ୍ଞାରେ ଘୂରି ବୁଲେ, ଶାସନ ପାଇଁ କିମ୍ବା ନିୟମର ପ୍ରେମ ପାଇଁ ପଠାଯାଏ, ଏବଂ ପଚାରନ୍ତି ଆୟୁବ କʼଣ ଆକାଶ ବିସ୍ତାର କରିପାରିବେ। ସ୍ଥିର ହୋଇ ବିଚାର କର, ସେ କହନ୍ତି, ଯେତେବେଳେ ଦିଗ୍ବଳୟରେ ଏକ ଝଡ଼ ଜମାଟ ବାନ୍ଧୁଛି।
37 1“ଏଥିରେ ମଧ୍ୟ ମୋହର ହୃଦୟ କମ୍ପିତ ହୁଏ ଓ ଆପଣା ସ୍ଥାନରୁ ଉଚ୍ଛଳିତ ହୁଏ। 2ତାହାଙ୍କ ସ୍ଵରର ଗର୍ଜନ ଧ୍ୟାନରେ ଶୁଣ, ତାହାଙ୍କ ମୁଖରୁ ନିର୍ଗତ ଧ୍ଵନି ଶୁଣ। 3ସମଗ୍ର ଆକାଶ ତଳେ ସେ ତାହା ମୁକ୍ତ କରନ୍ତି, ପୁଣି ଆପଣା ବିଜୁଳିକୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପଠାନ୍ତି। 4ତହିଁ ଉତ୍ତାରେ ଗୋଟିଏ ସ୍ଵର ଗର୍ଜନ କରେ; ସେ ଆପଣା ପ୍ରତାପମୟ ସ୍ଵରରେ ମେଘଗର୍ଜନ କରନ୍ତି, ପୁଣି ତାହାଙ୍କ ସ୍ଵର ଶୁଣାଗଲା ବେଳେ ସେ ବିଜୁଳିକୁ ଅଟକାନ୍ତି ନାହିଁ। 5ପରମେଶ୍ଵର ଆପଣା ସ୍ଵରରେ ଆଶ୍ଚର୍ଯ୍ୟଜନକ ଭାବରେ ଗର୍ଜନ କରନ୍ତି; ଆମ୍ଭେମାନେ ବୁଝି ନ ପାରୁଥିବା ମହତ କର୍ମ ସେ କରନ୍ତି। 6କାରଣ ସେ ହିମକୁ କହନ୍ତି, ‘ପୃଥିବୀ ଉପରେ ପଡ଼,’ ପୁଣି ବୃଷ୍ଟିଧାରାକୁ କହନ୍ତି, ‘ପ୍ରବଳ ବର୍ଷା ହୁଅ।’ 7ସେ ପ୍ରତ୍ୟେକ ମନୁଷ୍ୟର ହସ୍ତ ମୁଦ୍ରାଙ୍କିତ କରନ୍ତି, ଯେପରି ତାହାଙ୍କ ନିର୍ମିତ ସମସ୍ତେ ତାହାଙ୍କ କର୍ମ ଜାଣି ପାରନ୍ତି। a a v7 “ହସ୍ତ ମୁଦ୍ରାଙ୍କିତ କରନ୍ତି” ଏହା ଏକ ଏବ୍ରୀ ରୂଢ଼ି: ପରମେଶ୍ଵରଙ୍କ ଝଡ଼ ସମସ୍ତ ମନୁଷ୍ୟକୃତ କାର୍ଯ୍ୟ ବନ୍ଦ କରିଦିଏ, ଯାହା ଦ୍ଵାରା ଲୋକମାନେ ଅଟକି ଯାଇ ସେ ଯାହା କରୁଅଛନ୍ତି, ତାହା ଲକ୍ଷ୍ୟ କରନ୍ତି। 8ସେତେବେଳେ ପଶୁମାନେ ଆପଣା ଆପଣା ଗହ୍ଵରକୁ ଯାଆନ୍ତି ଓ ଆପଣା ଆପଣା ବାସସ୍ଥାନରେ ରହନ୍ତି। 9ଆପଣା କକ୍ଷରୁ ଘୂର୍ଣ୍ଣିବାୟୁ ଆସେ, ପୁଣି ବିକ୍ଷେପକାରୀ ବାୟୁରୁ ଶୀତ ଆସେ। 10ପରମେଶ୍ଵରଙ୍କ ନିଃଶ୍ଵାସ ଦ୍ଵାରା ବରଫ ଜମେ, ପୁଣି ବିସ୍ତୃତ ଜଳରାଶି କଠିନ ହୋଇ ଜମିଯାଏ। 11ସେ ନିବିଡ଼ ମେଘକୁ ଆର୍ଦ୍ରତାରେ ପରିପୂର୍ଣ୍ଣ କରନ୍ତି; ମେଘମାଳା ତାହାଙ୍କ ବିଜୁଳିକୁ ବିସ୍ତାର କରେ। 12ତାହାଙ୍କ ପରିଚାଳନାରେ ସେଗୁଡ଼ିକ ଚାରିଆଡ଼େ ବୁଲିବୁଲି ଯାʼନ୍ତି, ଯେପରି ବସତିପୂର୍ଣ୍ଣ ଜଗତର ମୁଖ ଉପରେ ସେ ଯାହା ଆଜ୍ଞା କରନ୍ତି, ତାହା ସେଗୁଡ଼ିକ ସାଧନ କରେ। 13ଶାସନ ନିମନ୍ତେ ହେଉ, କିମ୍ବା ଆପଣା ଦେଶ ନିମନ୍ତେ ହେଉ, ଅବା ଦୟା ନିମନ୍ତେ ହେଉ, ସେ ତାହା ଘଟାନ୍ତି।
14“ହେ ଆୟୁବ, ଏହା ଶୁଣ; ସ୍ଥିର ହୋଇ ଠିଆ ହୋଇ ପରମେଶ୍ଵରଙ୍କ ଆଶ୍ଚର୍ଯ୍ୟ କର୍ମ ବିବେଚନା କର। 15ପରମେଶ୍ଵର କିପରି ସେଗୁଡ଼ିକ ଉପରେ ଆପଣା ଆଜ୍ଞା ଦିଅନ୍ତି, ଓ ଆପଣା ମେଘର ବିଜୁଳିକୁ ଚମକାନ୍ତି, ତାହା କି ତୁମ୍ଭେ ଜାଣ? 16ମେଘମାଳା କିପରି ସମତୁଲ ହୋଇ ଝୁଲୁଅଛି, ଜ୍ଞାନରେ ସିଦ୍ଧ ଯେ ସେ, ତାହାଙ୍କ ଆଶ୍ଚର୍ଯ୍ୟ କର୍ମ, ତାହା କି ତୁମ୍ଭେ ଜାଣ? 17ହେ ତୁମ୍ଭେ, ଯାହାର ବସ୍ତ୍ର ଉତ୍ତପ୍ତ ହୁଏ, ଯେତେବେଳେ ଦକ୍ଷିଣ ବାୟୁ ତଳେ ଭୂମି ସ୍ଥିର ହୋଇ ପଡ଼ିଥାଏ, 18ତୁମ୍ଭେ କʼଣ ତାହାଙ୍କ ସହିତ ଆକାଶମଣ୍ଡଳ ବିସ୍ତାର କରି ପାର, ଯାହା ଢଳା ଧାତୁର ଦର୍ପଣ ପରି ଦୃଢ଼?
19“ଆମ୍ଭେମାନେ ତାହାଙ୍କୁ କʼଣ କହିବା, ତାହା ଆମ୍ଭମାନଙ୍କୁ ଶିଖାଅ; ଅନ୍ଧକାର ହେତୁ ଆମ୍ଭେମାନେ ଆପଣା ଯୁକ୍ତି ଉପସ୍ଥାପନ କରି ପାରୁ ନାହୁଁ। 20ମୁଁ କହିବାକୁ ଇଚ୍ଛା କରୁଅଛି ବୋଲି କʼଣ ତାହାଙ୍କୁ କୁହାଯିବ? କେହି କʼଣ ଗ୍ରାସିତ ହେବାକୁ ପ୍ରାର୍ଥନା କରିବ? 21ଏବେ ଆକାଶମଣ୍ଡଳରେ ଆଲୋକ ଉଜ୍ଜ୍ଵଳ ହେଲେ କେହି ତାହା ପ୍ରତି ଦୃଷ୍ଟି କରି ପାରେ ନାହିଁ, ବାୟୁ ବହିଯାଇ ସେସବୁ ନିର୍ମଳ କଲା ଉତ୍ତାରେ। 22ଉତ୍ତର ଦିଗରୁ ସୁବର୍ଣ୍ଣମୟ ତେଜ ଆସେ; ଭୟାନକ ପ୍ରତାପ ପରମେଶ୍ଵରଙ୍କୁ ଘେରି ରହିଥାଏ। 23ସର୍ବଶକ୍ତିମାନଙ୍କ ନିକଟରେ ଆମ୍ଭେମାନେ ପହଞ୍ଚି ପାରୁ ନାହୁଁ; ସେ ପରାକ୍ରମରେ ମହାନ, ତଥାପି ନ୍ୟାୟ ଓ ବିପୁଳ ଧାର୍ମିକତାରେ ସେ କୌଣସି ଅନ୍ୟାୟ କରନ୍ତି ନାହିଁ। 24ଏଣୁ ଲୋକମାନେ ତାହାଙ୍କୁ ଭୟ କରନ୍ତି; ଯେଉଁମାନେ ଆପଣା ଦୃଷ୍ଟିରେ ଜ୍ଞାନୀ, ସେମାନଙ୍କ ପ୍ରତି ସେ ଦୃଷ୍ଟି ଦିଅନ୍ତି ନାହିଁ।”