ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଈଶ୍ଵରଙ୍କ ପକ୍ଷରେ କହିବାକୁ ଥିବା ବାକ୍ୟ

ଇଲୀହୂ ପରମେଶ୍ୱରଙ୍କ ପକ୍ଷରେ କହନ୍ତି: ଦୁଃଖ ହିଁ ଶିକ୍ଷା, କାନ ଖୋଲିବାର ଉପାୟ, ଏବଂ ଆୟୁବଙ୍କୁ ଏକ ପ୍ରଶସ୍ତ ସ୍ଥାନକୁ ଆଣାଯାଇପାରିଥାନ୍ତା। ତାʼପରେ ତାଙ୍କ ସ୍ୱର ବିସ୍ମୟରେ ବଦଳିଯାଏ: କୁହୁଡ଼ିରୁ ଝରୁଥିବା ବର୍ଷା, ବଜ୍ରଧ୍ୱନି, ନିଜ ଲକ୍ଷ୍ୟ ଆଡ଼କୁ ଛୁଟୁଥିବା ବିଜୁଳି। ପରମେଶ୍ୱର ମହାନ୍, ଆଉ ଆମେ ତାହାଙ୍କୁ ଜାଣୁନାହୁଁ।

ଅଧ୍ୟାୟ 36।

ପୁଣି, ଏଲୀହୂ କହିବାକୁ ଲାଗିଲେ, “ମୋ ପ୍ରତି ଅଳ୍ପ ସହିଷ୍ଣୁ ହୁଅ, ତେବେ ମୁଁ ତୁମ୍ଭକୁ ଦେଖାଇବି, କାରଣ ଈଶ୍ଵରଙ୍କ ପକ୍ଷରେ କହିବାକୁ ଏବେ ମଧ୍ୟ ବାକ୍ୟ ଅଛି। ମୁଁ ଦୂରରୁ ମୋହର ଜ୍ଞାନ ଆଣିବି, ଆଉ ମୋହର ସୃଷ୍ଟିକର୍ତ୍ତାଙ୍କ ପ୍ରତି ଧାର୍ମିକତା ଆରୋପ କରିବି। କାରଣ ସତ୍ୟରେ ମୋହର ବାକ୍ୟ ମିଥ୍ୟା ନୁହେଁ; ଜ୍ଞାନରେ ସିଦ୍ଧ ଜଣେ ତୁମ୍ଭ ସଙ୍ଗରେ ଅଛି। ଦେଖ, ଈଶ୍ଵର ବଳବାନ, ତଥାପି ସେ କାହାକୁ ତୁଚ୍ଛ କରନ୍ତି ନାହିଁ; ସେ ବୁଦ୍ଧିର ଶକ୍ତିରେ ବଳବାନ। ସେ ଦୁଷ୍ଟମାନଙ୍କୁ ଜୀବିତ ରଖନ୍ତି ନାହିଁ, ମାତ୍ର ଦୁଃଖୀମାନଙ୍କୁ ନ୍ୟାୟ ଦିଅନ୍ତି। ସେ ଧାର୍ମିକମାନଙ୍କଠାରୁ ଆପଣା ଦୃଷ୍ଟି କେବେ ଫେରାନ୍ତି ନାହିଁ; ସେ ସେମାନଙ୍କୁ ରାଜାମାନଙ୍କ ସହିତ ସେମାନଙ୍କ ସିଂହାସନରେ ଅନନ୍ତକାଳ ବସାନ୍ତି, ଆଉ ସେମାନେ ଉନ୍ନତ ହୁଅନ୍ତି। ଆଉ ଯଦି ସେମାନେ ଜଞ୍ଜିରରେ ବନ୍ଧା ହୁଅନ୍ତି, ଦୁଃଖରୂପ ରଜ୍ଜୁରେ ଦୃଢ଼ ଭାବରେ ଧରା ପଡ଼ନ୍ତି, ତେବେ ସେ ସେମାନଙ୍କ କର୍ମ ଓ ସେମାନଙ୍କ ବିଦ୍ରୋହ ସେମାନଙ୍କ ନିକଟରେ ପ୍ରକାଶ କରନ୍ତି, ଯେ ସେମାନେ ଦର୍ପ ଆଚରଣ କରିଅଛନ୍ତି। ସେ ଉପଦେଶ ନିମନ୍ତେ ସେମାନଙ୍କ କର୍ଣ୍ଣ ଫିଟାନ୍ତି, ଆଉ ପାପରୁ ଫେରିବାକୁ ଆଜ୍ଞା ଦିଅନ୍ତି। ଯଦି ସେମାନେ ଶୁଣି ତାହାଙ୍କ ସେବା କରନ୍ତି, ତେବେ ସେମାନେ ସମୃଦ୍ଧିରେ ଆପଣା ଦିନସବୁ ସମ୍ପୂର୍ଣ୍ଣ କରନ୍ତି, ଆଉ ସେମାନଙ୍କ ବର୍ଷସବୁ ସୁଖରେ ଅତିବାହିତ ହୁଏ। ମାତ୍ର ଯଦି ସେମାନେ ନ ଶୁଣନ୍ତି, ତେବେ ସେମାନେ ଖଡ୍ଗ ଦ୍ଵାରା ବିନଷ୍ଟ ହୁଅନ୍ତି, ଆଉ ଜ୍ଞାନ ବିନା ମରନ୍ତି। ଅନ୍ତଃକରଣରେ ଅଧର୍ମୀମାନେ କ୍ରୋଧ ପୋଷଣ କରନ୍ତି; ସେ ସେମାନଙ୍କୁ ବାନ୍ଧିବା ବେଳେ ସେମାନେ ସାହାଯ୍ୟ ପାଇଁ କ୍ରନ୍ଦନ କରନ୍ତି ନାହିଁ। ସେମାନଙ୍କ ପ୍ରାଣ ଯୌବନରେ ମରଇ, ଆଉ ସେମାନଙ୍କ ଜୀବନ ଦେବଦାସୀମାନଙ୍କ ମଧ୍ୟରେ ଶେଷ ହୁଏ। ସେ ଦୁଃଖୀମାନଙ୍କୁ ସେମାନଙ୍କ ଦୁଃଖ ଦ୍ଵାରା ଉଦ୍ଧାର କରନ୍ତି, ଆଉ ବିପଦ ଦ୍ଵାରା ସେମାନଙ୍କ କର୍ଣ୍ଣ ଫିଟାନ୍ତି। ସେ ମଧ୍ୟ ତୁମ୍ଭକୁ ସଙ୍କଟର ମୁଖରୁ ଟାଣି ବାହାର କରି ବାଧାହୀନ ଏକ ପ୍ରଶସ୍ତ, ଖୋଲା ସ୍ଥାନକୁ ଆଣିଥାଆନ୍ତେ, ଆଉ ତୁମ୍ଭର ମେଜ ପୁଷ୍ଟିକର ଖାଦ୍ୟରେ ସଜ୍ଜିତ ହୋଇଥାଆନ୍ତା। ମାତ୍ର ତୁମ୍ଭେ ଦୁଷ୍ଟର ପ୍ରାପ୍ୟ ବିଚାରରେ ପରିପୂର୍ଣ୍ଣ ହୋଇଅଛ; ବିଚାର ଓ ନ୍ୟାୟ ତୁମ୍ଭକୁ ଧରିଅଛି। ସାବଧାନ ହୁଅ, କ୍ରୋଧ ଯେପରି ତୁମ୍ଭକୁ ପରିହାସ କରିବାକୁ ପ୍ରବର୍ତ୍ତାଇ ନ ଦିଏ, ଆଉ ବୃହତ ମୁକ୍ତିପଣ ତୁମ୍ଭକୁ ବିପଥଗାମୀ ନ କରୁ। ତୁମ୍ଭର ସାହାଯ୍ୟ ପାଇଁ କ୍ରନ୍ଦନ କି ତୁମ୍ଭର ବଳର ସକଳ ଶକ୍ତି କʼଣ ତୁମ୍ଭକୁ ସଙ୍କଟରୁ ରକ୍ଷା କରିପାରିବ? ରାତ୍ରିକୁ ଅଭିଳାଷ କର ନାହିଁ, ଯେତେବେଳେ ଗୋଷ୍ଠୀସମୂହ ଆପଣା ସ୍ଥାନରୁ ଉଚ୍ଛିନ୍ନ ହୁଅନ୍ତି। ସାବଧାନ ହୁଅ; ପାପ ଆଡ଼କୁ ଫେର ନାହିଁ, କାରଣ ତୁମ୍ଭେ ଦୁଃଖ ଅପେକ୍ଷା ଏହା ମନୋନୀତ କରିଅଛ। ଦେଖ, ଈଶ୍ଵର ଆପଣା ପରାକ୍ରମରେ ଉନ୍ନତ; ତାହାଙ୍କ ପରି ଶିକ୍ଷକ କିଏ?

“ତାହାଙ୍କ ପଥ ତାହାଙ୍କ ପାଇଁ କିଏ ନିରୂପଣ କରିଅଛି, କିମ୍ବା ‘ତୁମ୍ଭେ ଅନ୍ୟାୟ କରିଅଛ’ ବୋଲି କିଏ କହିପାରିବ? ତାହାଙ୍କ କର୍ମ ପ୍ରଶଂସା କରିବାକୁ ସ୍ମରଣ କର, ଯାହା ଲୋକମାନେ ଗୀତରେ କୀର୍ତ୍ତନ କରିଅଛନ୍ତି। ସମସ୍ତ ମନୁଷ୍ୟ ତାହା ନିରୀକ୍ଷଣ କରିଅଛନ୍ତି; ମାନବ ଦୂରରୁ ତାହା ଦେଖେ। ଦେଖ, ଈଶ୍ଵର ମହାନ, ଆଉ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନୁସନ୍ଧାନର ଅଗମ୍ୟ। କାରଣ ସେ ଜଳବିନ୍ଦୁସବୁ ଉପରକୁ ଆକର୍ଷଣ କରନ୍ତି; ସେହିସବୁ ତାହାଙ୍କ କୁହୁଡ଼ିରୁ ବୃଷ୍ଟିରୂପେ ଝରିପଡ଼େ, ଯାହା ମେଘସମୂହ ବର୍ଷାଇ ମନୁଷ୍ୟମାନଙ୍କ ଉପରେ ପ୍ରଚୁର ଭାବରେ ଢାଳନ୍ତି। ମେଘସମୂହର ବିସ୍ତାର, ତାହାଙ୍କ ଆଚ୍ଛାଦନର ଗର୍ଜନ କେହି କି ବୁଝିପାରେ? ଦେଖ, ସେ ଆପଣା ଚତୁର୍ଦ୍ଦିଗରେ ଆପଣା ବିଦ୍ୟୁତ ବିସ୍ତାର କରନ୍ତି, ଆଉ ସମୁଦ୍ରର ଗଭୀର ସ୍ଥାନସବୁ ଆଚ୍ଛାଦନ କରନ୍ତି। କାରଣ ଏହିସବୁ ଦ୍ଵାରା ସେ ଗୋଷ୍ଠୀସମୂହକୁ ଶାସନ କରନ୍ତି; ସେ ପ୍ରଚୁର ଭାବରେ ଖାଦ୍ୟ ଦିଅନ୍ତି। ସେ ଆପଣା ହସ୍ତ ବିଦ୍ୟୁତରେ ପୂର୍ଣ୍ଣ କରନ୍ତି, ଆଉ ଲକ୍ଷ୍ୟ ଭେଦ କରିବାକୁ ତାହାକୁ ଆଜ୍ଞା ଦିଅନ୍ତି। ତାହାର ଗର୍ଜନ ତାହାଙ୍କ ବିଷୟ ଜ୍ଞାତ କରାଏ; ପଶୁଗଣ ମଧ୍ୟ ଆଗତ ଝଡ଼ ଅନୁଭବ କରନ୍ତି।”