ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିବାହ ନିମନ୍ତେ ପିତାଙ୍କ ବିଧାନ

ବିବାହ ବିଷୟରେ ସେମାନଙ୍କ ଲିଖିତ ପ୍ରଶ୍ନର ଉତ୍ତର: ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ନିଜ ଶରୀରର ଋଣୀ, ବିଶ୍ୱାସୀମାନେ ସାଙ୍ଗରେ ରହିବାକୁ ଇଚ୍ଛୁକ ଅବିଶ୍ୱାସୀ ସାଥୀଙ୍କୁ ଛାଡ଼ପତ୍ର ଦେବା ଉଚିତ ନୁହେଁ, ଏବଂ ବର୍ତ୍ତମାନର ସଙ୍କଟକୁ ଦେଖି ଯେପରି ଅଛ ସେପରି ରହିବା ଭଲ। ଅବସ୍ଥା ଯାହା ହେଉ, ଆମ ପିତାଙ୍କ ସହିତ ସେଥିରେ ରୁହ।

ଅଧ୍ୟାୟ 7।

ଏବେ, ତୁମ୍ଭେମାନେ ଯାହା ଲେଖିଥିଲ, ସେ ବିଷୟରେ କହୁଅଛି; “ପୁରୁଷ ପକ୍ଷରେ ସ୍ତ୍ରୀକୁ ସ୍ପର୍ଶ ନ କରିବା ଭଲ।” କିନ୍ତୁ ବ୍ୟଭିଚାର ପରିହାର କରିବା ନିମନ୍ତେ ପ୍ରତ୍ୟେକ ପୁରୁଷର ଆପଣା ଭାର୍ଯ୍ୟା ଓ ପ୍ରତ୍ୟେକ ସ୍ତ୍ରୀର ଆପଣା ସ୍ଵାମୀ ଥାଉ। ସ୍ଵାମୀ ଆପଣା ଭାର୍ଯ୍ୟା ପ୍ରତି ଆପଣାର କର୍ତ୍ତବ୍ୟ ପାଳନ କରୁ, ଆଉ ସେହିପରି ଭାର୍ଯ୍ୟା ମଧ୍ୟ ଆପଣା ସ୍ଵାମୀ ପ୍ରତି। ଭାର୍ଯ୍ୟାର ଆପଣା ଶରୀର ଉପରେ ଅଧିକାର ନାହିଁ, ମାତ୍ର ସ୍ଵାମୀର ଅଛି; ସେହିପରି ସ୍ଵାମୀର ମଧ୍ୟ ଆପଣା ଶରୀର ଉପରେ ଅଧିକାର ନାହିଁ, ମାତ୍ର ଭାର୍ଯ୍ୟାର ଅଛି। ତୁମ୍ଭେମାନେ ପରସ୍ପରକୁ ବଞ୍ଚିତ କର ନାହିଁ, କେବଳ ପ୍ରାର୍ଥନାରେ ଆପଣାମାନଙ୍କୁ ନିଯୁକ୍ତ କରିବା ନିମନ୍ତେ ଉଭୟ ସମ୍ମତ ହୋଇ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିନା; ପରେ ପୁନର୍ବାର ଏକତ୍ର ହୁଅ, ଯେପରି ତୁମ୍ଭମାନଙ୍କ ଅସଂଯମ ଯୋଗୁଁ ଶୟତାନ ତୁମ୍ଭମାନଙ୍କୁ ପ୍ରଲୋଭିତ ନ କରେ। ମୁଁ ଏହା ଅନୁମତି ସ୍ଵରୂପେ କହୁଅଛି, ଆଜ୍ଞା ସ୍ଵରୂପେ ନୁହେଁ। ମୁଁ ଇଚ୍ଛା କରେ, ସମସ୍ତେ ମୋʼ ପରି ହୁଅନ୍ତୁ। କିନ୍ତୁ ପ୍ରତ୍ୟେକ ଜଣ ଆମ୍ଭମାନଙ୍କ ପିତାଙ୍କଠାରୁ ଆପଣା ଆପଣା ବର ପାଇଅଛି, ଜଣେ ଏପ୍ରକାର, ଅନ୍ୟ ଜଣେ ସେପ୍ରକାର। ମୁଁ ଅବିବାହିତ ଓ ବିଧବାମାନଙ୍କୁ କହୁଅଛି; ସେମାନେ ଯଦି ମୋʼ ପରି ରହନ୍ତି, ତେବେ ସେମାନଙ୍କ ପକ୍ଷରେ ଭଲ। କିନ୍ତୁ ଯଦି ସେମାନେ ଆପଣାମାନଙ୍କୁ ସଂଯମ କରି ନ ପାରନ୍ତି, ତେବେ ସେମାନେ ବିବାହ କରନ୍ତୁ; କାରଣ କାମଜ୍ଵାଳାରେ ଜ୍ଵଳିବା ଅପେକ୍ଷା ବିବାହ କରିବା ଭଲ। ବିବାହିତ ଲୋକଙ୍କୁ ମୁଁ ଆଜ୍ଞା ଦେଉଅଛି—ମୁଁ ନୁହେଁ, ମାତ୍ର ପ୍ରଭୁ ଆଜ୍ଞା ଦେଉଅଛନ୍ତି—ଭାର୍ଯ୍ୟା ଆପଣା ସ୍ଵାମୀକୁ ପରିତ୍ୟାଗ ନ କରୁ। କିନ୍ତୁ ଯଦି ସେ ପୃଥକ ହୁଏ, ତେବେ ସେ ଅବିବାହିତା ରହୁ, ଅବା ଆପଣା ସ୍ଵାମୀ ସହିତ ପୁନର୍ମିଳିତ ହେଉ—ଆଉ ସ୍ଵାମୀ ଆପଣା ଭାର୍ଯ୍ୟାକୁ ପରିତ୍ୟାଗ ନ କରୁ।

ଅବଶିଷ୍ଟ ଲୋକଙ୍କୁ ମୁଁ କହୁଅଛି (ମୁଁ, ପ୍ରଭୁ ନୁହନ୍ତି); ଯଦି କୌଣସି ଭାଇର ଅବିଶ୍ଵାସିନୀ ଭାର୍ଯ୍ୟା ଥାଏ, ପୁଣି ସେ ତାହା ସହିତ ବାସ କରିବାକୁ ସମ୍ମତ ଥାଏ, ତେବେ ସେ ତାହାକୁ ପରିତ୍ୟାଗ ନ କରୁ। ଆଉ ଯଦି କୌଣସି ସ୍ତ୍ରୀର ଅବିଶ୍ଵାସୀ ସ୍ଵାମୀ ଥାଏ, ପୁଣି ସେ ତାହା ସହିତ ବାସ କରିବାକୁ ସମ୍ମତ ଥାଏ, ତେବେ ସେ ତାହାକୁ ପରିତ୍ୟାଗ ନ କରୁ। କାରଣ ଅବିଶ୍ଵାସୀ ସ୍ଵାମୀ ଭାର୍ଯ୍ୟା ଦ୍ଵାରା ପବିତ୍ରୀକୃତ ହୁଏ, ପୁଣି ଅବିଶ୍ଵାସିନୀ ଭାର୍ଯ୍ୟା ଭାଇ ଦ୍ଵାରା ପବିତ୍ରୀକୃତ ହୁଏ। ନ ହେଲେ ତୁମ୍ଭମାନଙ୍କ ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ପବିତ୍ର। ଯଦି ଅବିଶ୍ଵାସୀ ସଙ୍ଗୀ ପରିତ୍ୟାଗ କରେ, ତେବେ ସେ ପରିତ୍ୟାଗ କରୁ; ଏପରି ସ୍ଥଳେ ସେହି ଭାଇ କିମ୍ବା ଭଉଣୀ ଆବଦ୍ଧ ନୁହେଁ। ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଶାନ୍ତି ନିମନ୍ତେ ଆହ୍ଵାନ କରିଅଛନ୍ତି। ହେ ସ୍ତ୍ରୀ, ତୁ ଆପଣା ସ୍ଵାମୀକୁ ପରିତ୍ରାଣ କରିବୁ କି ନାହିଁ, ଏହା ତୁ କିପରି ଜାଣୁ? ଅବା ହେ ସ୍ଵାମୀ, ତୁ ଆପଣା ଭାର୍ଯ୍ୟାକୁ ପରିତ୍ରାଣ କରିବୁ କି ନାହିଁ, ଏହା ତୁ କିପରି ଜାଣୁ?

କେବଳ, ପ୍ରଭୁ ପ୍ରତ୍ୟେକ ଜଣକୁ ଯେପରି ବାଣ୍ଟି ଦେଇଅଛନ୍ତି ଓ ଆମ୍ଭମାନଙ୍କ ପିତା ଯାହାକୁ ଯେପରି ଆହ୍ଵାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ଏହା ମୁଁ ସମସ୍ତ ମଣ୍ଡଳୀରେ ବିଧାନ ଦେଉଅଛି। କେହି କି ସୁନ୍ନତ ଅବସ୍ଥାରେ ଆହୂତ ହୋଇଥିଲା? ସେ ଅସୁନ୍ନତ ନ ହେଉ। କେହି କି ଅସୁନ୍ନତ ଅବସ୍ଥାରେ ଆହୂତ ହୋଇଥିଲା? ସେ ସୁନ୍ନତ ନ ହେଉ। ସୁନ୍ନତ କିଛି ନୁହେଁ, ଅସୁନ୍ନତ କିଛି ନୁହେଁ, ମାତ୍ର ଆମ୍ଭମାନଙ୍କ ପିତାଙ୍କ ଆଜ୍ଞା ପାଳନ କରିବା ହିଁ ସାର। ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଥିଲା, ସେହି ଅବସ୍ଥାରେ ରହୁ। ତୁ କି ଦାସ ଅବସ୍ଥାରେ ଆହୂତ ହୋଇଥିଲୁ? ତାହା ତୋʼ ମନରେ କିଛି ଚିନ୍ତା ନ ଜନ୍ମାଉ। କିନ୍ତୁ ଯଦି ତୁ ସ୍ଵାଧୀନ ହୋଇ ପାରୁ, ତେବେ ତାହା ଗ୍ରହଣ କର। କାରଣ ଯେ ଦାସ ଅବସ୍ଥାରେ ପ୍ରଭୁଙ୍କଠାରେ ଆହୂତ ହୋଇଅଛି, ସେ ପ୍ରଭୁଙ୍କ ମୁକ୍ତ ଲୋକ; ସେହିପରି ଯେ ସ୍ଵାଧୀନ ଅବସ୍ଥାରେ ଆହୂତ ହୋଇଅଛି, ସେ ଖ୍ରୀଷ୍ଟଙ୍କ ଦାସ। ତୁମ୍ଭେମାନେ ମୂଲ୍ୟ ଦ୍ଵାରା କ୍ରୀତ ହୋଇଅଛ; ମନୁଷ୍ୟମାନଙ୍କ ଦାସ ହୁଅ ନାହିଁ। ହେ ଭାଇମାନେ, ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୂତ ହୋଇଥିଲା, ସେ ସେହି ଅବସ୍ଥାରେ ଆମ୍ଭମାନଙ୍କ ପିତାଙ୍କ ସହିତ ରହୁ।

ଅବିବାହିତମାନଙ୍କ ବିଷୟରେ ମୋʼ ନିକଟରେ ପ୍ରଭୁଙ୍କ କୌଣସି ଆଜ୍ଞା ନାହିଁ, ମାତ୍ର ବିଶ୍ଵାସଯୋଗ୍ୟ ହେବା ନିମନ୍ତେ ପ୍ରଭୁଙ୍କ କୃପା ପ୍ରାପ୍ତ ଜଣେ ବ୍ୟକ୍ତି ସ୍ଵରୂପେ ମୁଁ ଆପଣା ବିଚାର ଜଣାଉଅଛି। ବର୍ତ୍ତମାନ ସଙ୍କଟ ସକାଶେ ମନୁଷ୍ୟ ଯେପରି ଅଛି, ସେପରି ରହିବା ଭଲ ବୋଲି ମୁଁ ମନେ କରେ। ତୁ କି ଭାର୍ଯ୍ୟା ସହିତ ବନ୍ଧା ହୋଇଅଛୁ? ମୁକ୍ତ ହେବାକୁ ଚେଷ୍ଟା କର ନାହିଁ। ତୁ କି ଭାର୍ଯ୍ୟାରୁ ମୁକ୍ତ ଅଛୁ? ଭାର୍ଯ୍ୟା ଅନ୍ଵେଷଣ କର ନାହିଁ। କିନ୍ତୁ ଯଦି ତୁ ବିବାହ କରୁ, ତେବେ ପାପ କରୁ ନାହିଁ; ଆଉ ଯଦି କୌଣସି କୁମାରୀ ବିବାହ କରେ, ତେବେ ସେ ପାପ କରେ ନାହିଁ। ମାତ୍ର ଏପରି ଲୋକମାନେ ଶରୀରରେ କ୍ଲେଶ ଭୋଗ କରିବେ, ଆଉ ମୁଁ ତୁମ୍ଭମାନଙ୍କୁ ତାହାରୁ ରକ୍ଷା କରିବାକୁ ଇଚ୍ଛା କରେ। ହେ ଭାଇମାନେ, ମୁଁ ଏହା କହୁଅଛି, ନିରୂପିତ ସମୟ ସଂକ୍ଷିପ୍ତ ହୋଇଅଛି। ଏଣିକି ଯେଉଁମାନଙ୍କ ଭାର୍ଯ୍ୟା ଅଛି, ସେମାନେ ଭାର୍ଯ୍ୟା ନ ଥିବା ଲୋକ ପରି ଚଳନ୍ତୁ, ଆଉ ଯେଉଁମାନେ ରୋଦନ କରନ୍ତି, ସେମାନେ ରୋଦନ ନ କରିବା ଲୋକ ପରି, ପୁଣି ଯେଉଁମାନେ ଆନନ୍ଦ କରନ୍ତି, ସେମାନେ ଆନନ୍ଦ ନ କରିବା ଲୋକ ପରି, ଆଉ ଯେଉଁମାନେ କ୍ରୟ କରନ୍ତି, ସେମାନେ କିଛି ନ ପାଇ ଥିବା ଲୋକ ପରି, ଆଉ ଯେଉଁମାନେ ଏହି ଜଗତ ବ୍ୟବହାର କରନ୍ତି, ସେମାନେ ତାହାରେ ଆସକ୍ତ ନ ଥିବା ଲୋକ ପରି ହୁଅନ୍ତୁ—କାରଣ ଏହି ଜଗତର ବର୍ତ୍ତମାନ ରୂପ ଲୋପ ପାଉଅଛି।

ତୁମ୍ଭେମାନେ ଚିନ୍ତାରହିତ ହୁଅ ବୋଲି ମୁଁ ଇଚ୍ଛା କରେ। ଅବିବାହିତ ପୁରୁଷ ପ୍ରଭୁଙ୍କ ବିଷୟ ବିଷୟରେ, ଅର୍ଥାତ୍ କିପରି ପ୍ରଭୁଙ୍କୁ ସନ୍ତୁଷ୍ଟ କରିବ, ସେଥିରେ ଚିନ୍ତିତ ଥାଏ। କିନ୍ତୁ ବିବାହିତ ପୁରୁଷ ଜଗତର ବିଷୟ ବିଷୟରେ, ଅର୍ଥାତ୍ କିପରି ଆପଣା ଭାର୍ଯ୍ୟାକୁ ସନ୍ତୁଷ୍ଟ କରିବ, ସେଥିରେ ଚିନ୍ତିତ ଥାଏ, ଆଉ ସେ ବିଭକ୍ତ ହୁଏ। ଅବିବାହିତା ସ୍ତ୍ରୀ କିମ୍ବା କୁମାରୀ ପ୍ରଭୁଙ୍କ ବିଷୟ ବିଷୟରେ, ଅର୍ଥାତ୍ ଶରୀର ଓ ଆତ୍ମାରେ ପବିତ୍ର ହେବା ବିଷୟରେ ଚିନ୍ତିତ ଥାଏ; କିନ୍ତୁ ବିବାହିତା ସ୍ତ୍ରୀ ଜଗତର ବିଷୟ ବିଷୟରେ, ଅର୍ଥାତ୍ କିପରି ଆପଣା ସ୍ଵାମୀକୁ ସନ୍ତୁଷ୍ଟ କରିବ, ସେଥିରେ ଚିନ୍ତିତ ଥାଏ। ମୁଁ ତୁମ୍ଭମାନଙ୍କ ହିତ ନିମନ୍ତେ ଏହା କହୁଅଛି, ତୁମ୍ଭମାନଙ୍କୁ ବନ୍ଧନରେ ବାନ୍ଧିବା ନିମନ୍ତେ ନୁହେଁ, ମାତ୍ର ଯେପରି ତୁମ୍ଭେମାନେ ଉପଯୁକ୍ତ ଭାବରେ ଆଚରଣ କରି ଅବିଚଳିତ ଭାବରେ ପ୍ରଭୁଙ୍କ ସେବାରେ ଅନୁରକ୍ତ ରୁହ।

ଯଦି କେହି ଆପଣା ବାଗ୍‌ଦତ୍ତା କନ୍ୟା ପ୍ରତି ଅନୁଚିତ ବ୍ୟବହାର କରୁଅଛି ବୋଲି ମନେ କରେ, ପୁଣି ତାହାର କାମବେଗ ପ୍ରବଳ ଥାଏ ଓ ବିବାହ ହେବା ଆବଶ୍ୟକ, ତେବେ ସେ ଆପଣା ଇଚ୍ଛାନୁସାରେ କରୁ—ସେମାନେ ବିବାହ କରନ୍ତୁ; ଏଥିରେ ପାପ ନାହିଁ। କିନ୍ତୁ ଯେ ଆପଣା ହୃଦୟରେ ସ୍ଥିର ରହି, ବାଧ୍ୟ ନ ହୋଇ, ଆପଣା ଇଚ୍ଛା ଉପରେ ଅଧିକାର ପ୍ରାପ୍ତ ହୋଇ, ଆପଣା ବାଗ୍‌ଦତ୍ତା କନ୍ୟାକୁ ରଖିବା ପାଇଁ ଆପଣା ହୃଦୟରେ ସ୍ଥିର କରିଅଛି, ସେ ଉତ୍ତମ କର୍ମ କରେ। ଅତଏବ ଯେ ଆପଣା ବାଗ୍‌ଦତ୍ତା କନ୍ୟାକୁ ବିବାହ କରେ, ସେ ଉତ୍ତମ କର୍ମ କରେ; ଆଉ ଯେ ତାହାକୁ ବିବାହ ନ କରେ, ସେ ଅଧିକ ଉତ୍ତମ କର୍ମ କରେ।

ସ୍ଵାମୀ ଜୀବିତ ଥିବା ପର୍ଯ୍ୟନ୍ତ ଭାର୍ଯ୍ୟା ତାହା ସହିତ ବନ୍ଧା ଥାଏ; କିନ୍ତୁ ଯଦି ସ୍ଵାମୀ ମରେ, ତେବେ ସେ ଆପଣା ଇଚ୍ଛାନୁସାରେ ବିବାହ କରିବାକୁ ସ୍ଵାଧୀନ, କେବଳ ପ୍ରଭୁଙ୍କଠାରେ। କିନ୍ତୁ ସେ ଯଦି ଯେପରି ଅଛି, ସେପରି ରହେ, ତେବେ ମୋʼ ବିଚାରରେ ସେ ଅଧିକ ସୁଖୀ। ଆଉ ମୁଁ ମଧ୍ୟ ଆମ୍ଭମାନଙ୍କ ପିତାଙ୍କ ଆତ୍ମା ପାଇଅଛି ବୋଲି ମନେ କରେ।