ପିତାଙ୍କ ଆଲୋକ ରୋକାଯାଇ ପାରିବ ନାହିଁ
ଦୁଇଟି ଜୀତ ବୃକ୍ଷରୁ ତେଲ ପାଉଥିବା ଏକ ସୁନା ଦୀପବୃକ୍ଷ ଏକ ଛୋଟ, ଅସମାପ୍ତ ମନ୍ଦିର ପାଇଁ ଯିରୁବ୍ବାବିଲଙ୍କ ନିରାଶାର ଉତ୍ତର ଦିଏ। ତାଙ୍କ ପ୍ରତି ଆମ ପିତାଙ୍କ ବାକ୍ୟ: ପରାକ୍ରମ ଦ୍ୱାରା ନୁହେଁ, କିମ୍ବା ଶକ୍ତି ଦ୍ୱାରା ନୁହେଁ, ମାତ୍ର ମୋହର ଆତ୍ମା ଦ୍ୱାରା। ଯେଉଁ ହାତ ମୂଳଦୁଆ ପକାଇଲା ତାହା ଏହାକୁ ସମାପ୍ତ କରିବ; କେହି କ୍ଷୁଦ୍ର ବିଷୟକୁ ତୁଚ୍ଛ କରନ୍ତୁ ନାହିଁ।
4 1ପୁଣି ମୋʼ ସହିତ କଥାବାର୍ତ୍ତା କରୁଥିବା ଦୂତ ଫେରିଆସି, ନିଦ୍ରାରୁ ଜଗାଯାଉଥିବା ଲୋକ ପରି ମୋତେ ଜଗାଇଲେ। 2ସେ ମୋତେ ପଚାରିଲେ, “ତୁମ୍ଭେ କʼଣ ଦେଖୁଅଛ?” ମୁଁ କହିଲି, “ମୁଁ ଦେଖିଲି, ଏକ ସୁବର୍ଣ୍ଣ ଦୀପବୃକ୍ଷ, ତହିଁ ଉପରେ ଗୋଟିଏ ପାତ୍ର, ତହିଁ ଉପରେ ସାତୋଟି ପ୍ରଦୀପ, ପୁଣି ଉପରିସ୍ଥିତ ପ୍ରତ୍ୟେକ ପ୍ରଦୀପ ପାଇଁ ସାତୋଟି ନଳ ଅଛି।
3ତାହା ନିକଟରେ ଦୁଇଗୋଟି ଜୀତବୃକ୍ଷ ଠିଆ ହୋଇଅଛି, ଗୋଟିଏ ପାତ୍ରର ଡାହାଣ ପାଖରେ ଓ ଅନ୍ୟଟି ତାହାର ବାମ ପାଖରେ।”
4ତହିଁରେ ମୋʼ ସହିତ କଥାବାର୍ତ୍ତା କରୁଥିବା ଦୂତଙ୍କୁ ମୁଁ କହିଲି, “ହେ ମୋʼ ପ୍ରଭୁ, ଏସବୁ କʼଣ?”
5ତହିଁରେ ମୋʼ ସହିତ କଥାବାର୍ତ୍ତା କରୁଥିବା ଦୂତ ଉତ୍ତର ଦେଲେ, “ଏସବୁ କʼଣ, ତାହା କି ତୁମ୍ଭେ ଜାଣ ନାହିଁ?” ମୁଁ କହିଲି, “ହେ ମୋʼ ପ୍ରଭୁ, ମୁଁ ଜାଣେ ନାହିଁ।”
6ତେଣୁ ସେ ମୋତେ କହିଲେ, “ସରୁବ୍ବାବିଲଙ୍କ ପ୍ରତି ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଏହି: ପରାକ୍ରମ ଦ୍ଵାରା ନୁହେଁ, କିମ୍ବା ବଳ ଦ୍ଵାରା ନୁହେଁ, ମାତ୍ର ଆମ୍ଭର ଆତ୍ମାଙ୍କ ଦ୍ଵାରା, ଏହା ସ୍ଵର୍ଗୀୟ ବାହିନୀଗଣର ପିତା କହୁଅଛନ୍ତି। 7ହେ ବୃହତ୍ ପର୍ବତ, ତୁମ୍ଭେ କିଏ? ସରୁବ୍ବାବିଲଙ୍କ ସମ୍ମୁଖରେ ତୁମ୍ଭେ ସମଭୂମି ହୋଇଯିବ। ‘ଅନୁଗ୍ରହ, ତାହା ପ୍ରତି ଅନୁଗ୍ରହ ହେଉ!’ ବୋଲି ଜୟଧ୍ଵନି କରି ସେ ଶୀର୍ଷ ପ୍ରସ୍ତର ବାହାର କରି ଆଣିବେ।”
8ପୁଣି ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ମୋʼ ନିକଟରେ ଉପସ୍ଥିତ ହୋଇ କହିଲା,
9“ସରୁବ୍ବାବିଲଙ୍କ ହସ୍ତ ଏହି ଗୃହର ଭିତ୍ତିମୂଳ ସ୍ଥାପନ କରିଅଛି; ତାହାଙ୍କ ହସ୍ତ ତାହା ସମାପ୍ତ କରିବ। ତେବେ ସ୍ଵର୍ଗୀୟ ବାହିନୀଗଣର ପିତା ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଅଛନ୍ତି ବୋଲି ତୁମ୍ଭେମାନେ ଜାଣିବ। 10ଯେ କ୍ଷୁଦ୍ର ବିଷୟର ଦିନକୁ ତୁଚ୍ଛ କରିଅଛି, ସେ କିଏ? ସରୁବ୍ବାବିଲଙ୍କ ହସ୍ତରେ ଓଜନଲୟ ଦେଖି ସେମାନେ ଆନନ୍ଦ କରିବେ। ଏହି ସାତୋଟି ଆମ୍ଭମାନଙ୍କ ପିତାଙ୍କ ଚକ୍ଷୁ, ଯାହା ସମୁଦାୟ ପୃଥିବୀ ମଧ୍ୟରେ ଭ୍ରମଣ କରେ।”
11ତହିଁରେ ମୁଁ ତାହାଙ୍କୁ ପଚାରିଲି, “ଦୀପବୃକ୍ଷର ଡାହାଣ ଓ ବାମ ପାଖରେ ଥିବା ଏହି ଦୁଇଗୋଟି ଜୀତବୃକ୍ଷ କʼଣ?” 12ମୁଁ ପୁନର୍ବାର ପଚାରିଲି, “ସୁବର୍ଣ୍ଣ ତୈଳ ଢାଳୁଥିବା ଦୁଇଗୋଟି ସୁବର୍ଣ୍ଣ ନଳ ପାଖରେ ଥିବା ଏହି ଦୁଇଗୋଟି ଜୀତ ଶାଖା କʼଣ?”
13ସେ ମୋତେ କହିଲେ, “ଏସବୁ କʼଣ, ତାହା କି ତୁମ୍ଭେ ଜାଣ ନାହିଁ?” ମୁଁ କହିଲି, “ହେ ମୋʼ ପ୍ରଭୁ, ମୁଁ ଜାଣେ ନାହିଁ।”
14ତେବେ ସେ କହିଲେ, “ଏମାନେ ସମୁଦାୟ ପୃଥିବୀର ପ୍ରଭୁଙ୍କ ନିକଟରେ ଠିଆ ହୋଇଥିବା ଦୁଇ ଅଭିଷିକ୍ତ ବ୍ୟକ୍ତି।”