ହେ ମୋହର ପ୍ରିୟେ, ଉଠ, ପୁଣି ବାହାରି ଆସ
ସ୍ତ୍ରୀ ଜଣକ କଥା କହନ୍ତି। ସେ ତାଙ୍କ ଛାଇ, ଭୋଜିଶାଳା, ଏବଂ ନିଜ ମୁଣ୍ଡ ତଳେ ତାଙ୍କ ବାହୁକୁ ମନେ ପକାନ୍ତି। ତାʼପରେ ସେ ଝରକାର ଜାଲି ଦେଇ ଆସିଥିବା ତାଙ୍କ ଡାକକୁ ଦୋହରାନ୍ତି: ଶୀତ ଶେଷ ହେଲାଣି, ଡିମ୍ବିରି ପାଚିଲାଣି, ମୋ ସହିତ ଚାଲିଆସ। ଦୁଇ ଥର ସେ ଯିରୂଶାଲମର କନ୍ୟାମାନଙ୍କୁ ସାବଧାନ କରନ୍ତି ଯେ, ପ୍ରେମ ପ୍ରସ୍ତୁତ ହେବା ପୂର୍ବରୁ ତାହାକୁ ଜଗାଅ ନାହିଁ।
2 1ମୁଁ ଶାରୋଣର ଗୋଲାପ, ଉପତ୍ୟକାର କଇଁ। 2କଣ୍ଟକ ବୃକ୍ଷ ମଧ୍ୟରେ କଇଁ ଯେପରି, ଯୁବତୀମାନଙ୍କ ମଧ୍ୟରେ ମୋହର ପ୍ରିୟା ସେପରି। 3ବନ ବୃକ୍ଷ ମଧ୍ୟରେ ସେଓ ବୃକ୍ଷ ଯେପରି, ଯୁବକମାନଙ୍କ ମଧ୍ୟରେ ମୋହର ପ୍ରିୟତମ ସେପରି। ମହା ଆନନ୍ଦରେ ମୁଁ ତାହାର ଛାୟା ତଳେ ବସିଲି, ଆଉ ତାହାର ଫଳ ମୋʼ ରସନାକୁ ମିଷ୍ଟ ଲାଗିଲା। 4ସେ ମୋତେ ଭୋଜନ ଗୃହକୁ ଆଣିଲେ, ଆଉ ମୋʼ ଉପରେ ତାହାର ଧ୍ଵଜା ପ୍ରେମ ଥିଲା। 5ଦ୍ରାକ୍ଷାଚକ୍ତି ଦେଇ ମୋତେ ସବଳ କର, ସେଓ ଦେଇ ମୋତେ ସତେଜ କର, କାରଣ ମୁଁ ପ୍ରେମରେ ପୀଡ଼ିତା। 6ତାହାର ବାମ ହସ୍ତ ମୋʼ ମସ୍ତକ ତଳେ ଅଛି, ଆଉ ତାହାର ଦକ୍ଷିଣ ହସ୍ତ ମୋତେ ଆଲିଙ୍ଗନ କରେ। 7ହେ ଯିରୂଶାଲମର କନ୍ୟାଗଣ, ମୁଁ ମୃଗୀ ଓ ବନହରିଣୀମାନଙ୍କ ନାମରେ ତୁମ୍ଭମାନଙ୍କୁ ଶପଥ ଦେଉଅଛି, ଯେପର୍ଯ୍ୟନ୍ତ ପ୍ରେମର ଇଚ୍ଛା ନ ହୁଏ, ସେପର୍ଯ୍ୟନ୍ତ ତାହାକୁ ଉତ୍ତେଜିତ କର ନାହିଁ କି ଜଗାଅ ନାହିଁ।
8ମୋହର ପ୍ରିୟତମର ସ୍ଵର! ସେ ପର୍ବତ ଲଙ୍ଘି, ଉପପର୍ବତ ଡେଇଁ ଆସୁଅଛନ୍ତି। 9ମୋହର ପ୍ରିୟତମ ମୃଗ କିମ୍ବା ତରୁଣ ହରିଣ ତୁଲ୍ୟ। ଦେଖ, ସେ ଆମ୍ଭମାନଙ୍କ କାନ୍ଥ ପଛରେ ଠିଆ ହୋଇଅଛି, ଝରକା ଦେଇ ଅନାଉଅଛି, ଜାଲି ଦେଇ ଚାହୁଁଅଛି। 10ମୋହର ପ୍ରିୟତମ ମୋତେ କହୁଅଛନ୍ତି: ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ପୁଣି ବାହାରି ଆସ, 11କାରଣ ଶୀତକାଳ ଗତ ହୋଇଅଛି; ବୃଷ୍ଟି ଶେଷ ହୋଇ ଚାଲିଯାଇଅଛି। 12ଭୂମି ଉପରେ ପୁଷ୍ପସବୁ ଫୁଟିଅଛି, ଗୀତ ଗାଇବାର ସମୟ ଉପସ୍ଥିତ ହୋଇଅଛି, ଆଉ ଆମ୍ଭମାନଙ୍କ ଦେଶରେ କପୋତୀର ରବ ଶୁଣା ଯାଉଅଛି। 13ଡିମ୍ବିରି ବୃକ୍ଷ ଆପଣା ଡିମ୍ବିରି ଫଳ ପକ୍ଵ କରୁଅଛି, ଆଉ ଦ୍ରାକ୍ଷାଲତାସବୁ ପୁଷ୍ପିତ ହୋଇଅଛି; ସେମାନେ ଆପଣା ସୁବାସ ବିତରଣ କରୁଅଛନ୍ତି। ହେ ମୋହର ପ୍ରିୟେ, ମୋହର ସୁନ୍ଦରୀ, ଉଠ, ପୁଣି ବାହାରି ଆସ। 14ହେ ମୋହର କପୋତୀ, ଶୈଳର ଫାଟ ମଧ୍ୟରେ, ପର୍ବତର ଗୁପ୍ତ ସ୍ଥାନରେ, ମୋତେ ତୁମ୍ଭର ମୁଖ ଦେଖିବାକୁ ଦିଅ, ତୁମ୍ଭର ସ୍ଵର ଶୁଣିବାକୁ ଦିଅ, କାରଣ ତୁମ୍ଭର ସ୍ଵର ମଧୁର, ଆଉ ତୁମ୍ଭର ମୁଖ ମନୋହର। 15ଆମ୍ଭମାନଙ୍କ ନିମନ୍ତେ କୋକିଶିଆଳିମାନଙ୍କୁ ଧର, ଯେଉଁ ସାନ କୋକିଶିଆଳିମାନେ ଦ୍ରାକ୍ଷାକ୍ଷେତ ନଷ୍ଟ କରନ୍ତି, ସେମାନଙ୍କୁ ଧର, କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ ପୁଷ୍ପିତ ହୋଇଅଛି। 16ମୋହର ପ୍ରିୟତମ ମୋହର, ଆଉ ମୁଁ ତାହାର; ସେ କଇଁ ଫୁଲ ମଧ୍ୟରେ ଚରାଇଥାଏ। 17ଯେପର୍ଯ୍ୟନ୍ତ ଦିବସ ପ୍ରଭାତ ବାୟୁ ବହେ ଓ ଛାୟାସବୁ ପଳାଇଯାଏ, ହେ ମୋହର ପ୍ରିୟତମ, ଫେରି ଆସ, ଆଉ ବନ୍ଧୁର ପର୍ବତ ଉପରେ ମୃଗ କିମ୍ବା ତରୁଣ ହରିଣ ତୁଲ୍ୟ ହୁଅ।