ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନିହିମିୟା ଆପଣା ଉତ୍ପୀଡ଼ିତ ଭାଇମାନଙ୍କ ପକ୍ଷ ସମର୍ଥନ କରନ୍ତି

ଏଥର ବିପଦ ଭିତରୁ: ଦୁର୍ଭିକ୍ଷ ଓ କର ପରିବାରମାନଙ୍କୁ କ୍ଷେତ ବନ୍ଧକ ରଖିବାକୁ ଓ ସନ୍ତାନମାନଙ୍କୁ ବିକିବାକୁ ବାଧ୍ୟ କରିଛି, ଅଥଚ ଯିହୁଦୀ କୁଳୀନମାନେ ଆପଣା ଭାଇମାନଙ୍କଠାରୁ ସୁଧ ଆଦାୟ କରୁଛନ୍ତି। ନିହିମିୟାଙ୍କ କ୍ରୋଧ ଓ ଆମ ପିତାଙ୍କ ପ୍ରତି ଭୟ କ୍ଷତିପୂରଣ କରାଏ, ଏବଂ ସେ ବାର ବର୍ଷ ଧରି ଦେଶାଧ୍ୟକ୍ଷଙ୍କ ଖାଦ୍ୟଭତ୍ତା ଗ୍ରହଣ କରନ୍ତି ନାହିଁ।

ଅଧ୍ୟାୟ 5।

ସେତେବେଳେ ଲୋକମାନେ ଓ ସେମାନଙ୍କ ସ୍ତ୍ରୀମାନେ ଆପଣାମାନଙ୍କ ସହଯିହୂଦୀ ଭାଇମାନଙ୍କ ବିରୁଦ୍ଧରେ ମହା କ୍ରନ୍ଦନ କଲେ। କେହି କେହି କହିଲେ, “ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାମାନେ ଅନେକ; ଖାଇ ବଞ୍ଚିବା ନିମନ୍ତେ ଆମ୍ଭେମାନେ ଶସ୍ୟ ପାଉ।” ଆଉ କେହି କେହି କହିଲେ, “ଆମ୍ଭେମାନେ ଦୁର୍ଭିକ୍ଷ ସମୟରେ ଶସ୍ୟ ପାଇବା ନିମନ୍ତେ ଆପଣାମାନଙ୍କ କ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ଦେଉଅଛୁ।” ଆଉ କେହି କେହି କହିଲେ, “ଆମ୍ଭେମାନେ ଆପଣାମାନଙ୍କ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଉପରେ ରାଜକର ଦେବା ନିମନ୍ତେ ରୂପା ଋଣ କରିଅଛୁ। ଆମ୍ଭେମାନେ ଆପଣା ଭାଇମାନଙ୍କ ମାଂସ ସ୍ଵରୂପ, ଆମ୍ଭମାନଙ୍କ ସନ୍ତାନମାନେ ସେମାନଙ୍କ ସନ୍ତାନମାନଙ୍କ ପରି; ତଥାପି ଦେଖ, ଆମ୍ଭେମାନେ ଆପଣାମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ ଦାସତ୍ଵରେ ବାଧ୍ୟ କରୁଅଛୁ। କେତେକ କନ୍ୟା ଏବେ ହିଁ ଦାସୀ ହୋଇଅଛନ୍ତି, ଆଉ ଆମ୍ଭମାନଙ୍କ କିଛି ଶକ୍ତି ନାହିଁ, କାରଣ ଆମ୍ଭମାନଙ୍କ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଅନ୍ୟମାନଙ୍କର ହୋଇଅଛି।”

ମୁଁ ସେମାନଙ୍କ କ୍ରନ୍ଦନ ଓ ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୋଧିତ ହେଲି। ମୁଁ ଆପଣା ମନରେ ବିବେଚନା କରି ପ୍ରଧାନ ଲୋକ ଓ ଅଧ୍ୟକ୍ଷମାନଙ୍କୁ ଅନୁଯୋଗ କରି କହିଲି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇମାନଙ୍କ ଋଣ ଉପରେ ସୁଧ ନେଉଅଛ!” ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ଏକ ମହାସଭା ଡାକିଲି। ପୁଣି ମୁଁ ସେମାନଙ୍କୁ କହିଲି, “ଆମ୍ଭମାନଙ୍କ ଯେଉଁ ଯିହୂଦୀ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକ୍ରୀତ ହୋଇଥିଲେ, ସେମାନଙ୍କୁ ଆମ୍ଭେମାନେ ଆପଣାମାନଙ୍କ ସାଧ୍ୟ ଅନୁସାରେ ମୁକ୍ତ କରି କ୍ରୟ କରିଅଛୁ; ମାତ୍ର ଏବେ ତୁମ୍ଭେମାନେ ଆପଣା ଭାଇମାନଙ୍କୁ ବିକ୍ରୟ କରୁଅଛ, ଆଉ ସେମାନେ ଆମ୍ଭମାନଙ୍କ ନିକଟରେ ପୁନର୍ବାର ବିକ୍ରୀତ ହେଉଅଛନ୍ତି!” ତହିଁରେ ସେମାନେ ନୀରବ ହେଲେ, କିଛି କହିବାକୁ ପାଇଲେ ନାହିଁ। ଏଣୁ ମୁଁ କହିଲି, “ତୁମ୍ଭେମାନେ ଯାହା କରୁଅଛ, ତାହା ଭଲ ନୁହେଁ। ଆମ୍ଭମାନଙ୍କ ଶତ୍ରୁ ଦେଶୀୟମାନଙ୍କ ନିନ୍ଦାରୁ ରକ୍ଷା ପାଇବା ନିମନ୍ତେ ତୁମ୍ଭେମାନେ କି ଆମ୍ଭମାନଙ୍କ ପିତାଙ୍କ ଭୟରେ ଚାଲିବା ଉଚିତ ନୁହେଁ? ମୁଁ ମଧ୍ୟ, ମୋହର ଭାଇମାନେ ଓ ମୋହର ଦାସମାନେ ସେମାନଙ୍କୁ ରୂପା ଓ ଶସ୍ୟ ଧାର ଦେଉଅଛୁ। ଆସ, ଆମ୍ଭେମାନେ ଏହି ସୁଧ ଆଦାୟ ଛାଡ଼ି ଦେଉ। ବିନୟ କରୁଅଛି, ଆଜି ତୁମ୍ଭେମାନେ ସେମାନଙ୍କ କ୍ଷେତ୍ର, ଦ୍ରାକ୍ଷାକ୍ଷେତ୍ର, ଜୀତ ବୃକ୍ଷ ବଗିଚା ଓ ଗୃହ, ଆଉ ଯେଉଁ ରୂପା, ଶସ୍ୟ, ଦ୍ରାକ୍ଷାରସ ଓ ତୈଳ ଉପରେ ସେମାନଙ୍କଠାରୁ ସୁଧ ନେଉଅଛ, ତହିଁର ଶତକଡ଼ା ଭାଗ ସେମାନଙ୍କୁ ଫେରାଇ ଦିଅ।”

ତହିଁରେ ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ତାହା ଫେରାଇ ଦେବୁ, ଆଉ ସେମାନଙ୍କଠାରୁ କିଛି ଦାବି କରିବୁ ନାହିଁ; ତୁମ୍ଭେ ଯେପରି କହୁଅଛ, ଆମ୍ଭେମାନେ ସେହିପରି କରିବୁ।” ତେଣୁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞା ପାଳନ କରିବା ନିମନ୍ତେ ପ୍ରଧାନ ଲୋକମାନଙ୍କୁ ଶପଥ କରାଇଲି।

ମଧ୍ୟ ମୁଁ ଆପଣା ବସ୍ତ୍ରର ଅଞ୍ଚଳ ଝାଡ଼ି କହିଲି, “ଯେଉଁ ଲୋକ ଏହି ପ୍ରତିଜ୍ଞା ପାଳନ ନ କରିବ, ଆମ୍ଭମାନଙ୍କ ପିତା ତାହାକୁ ତାହାର ଗୃହ ଓ ଶ୍ରମଫଳରୁ ଏହିପରି ଝାଡ଼ି ପକାଉନ୍ତୁ; ଏହିପରି ସେ ଝଡ଼ା ହୋଇ ଶୂନ୍ୟ ହେଉ।” ତହୁଁ ସମସ୍ତ ସମାଜ କହିଲେ, “ଆମେନ୍‍,” ଆଉ ଆମ୍ଭମାନଙ୍କ ପିତାଙ୍କ ପ୍ରଶଂସା କଲେ। ପୁଣି ଲୋକମାନେ ପ୍ରତିଜ୍ଞାନୁସାରେ କର୍ମ କଲେ।

ଆହୁରି, ଯେଉଁ ଦିନଠାରୁ ମୁଁ ଯିହୂଦା ଦେଶର ଶାସନକର୍ତ୍ତା ପଦରେ ନିଯୁକ୍ତ ହେଲି, ଅର୍ଥାତ୍‍ ଅର୍ତ୍ତକ୍ଷସ୍ତ ରାଜାଙ୍କ ବିଂଶ ବର୍ଷରୁ ଦ୍ଵତ୍ରିଂଶ ବର୍ଷ ପର୍ଯ୍ୟନ୍ତ, ଏହି ବାର ବର୍ଷ ମୁଁ କି ମୋହର ଭାଇମାନେ ଶାସନକର୍ତ୍ତାଙ୍କ ଖାଦ୍ୟ ବୃତ୍ତି ଭୋଜନ କରି ନାହୁଁ। ମାତ୍ର ମୋʼ ପୂର୍ବବର୍ତ୍ତୀ ଯେଉଁ ପ୍ରାଚୀନ ଶାସନକର୍ତ୍ତାମାନେ ଥିଲେ, ସେମାନେ ଲୋକମାନଙ୍କ ଉପରେ ଭାର ଥୋଇ ସେମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ, ତାʼ ଛଡ଼ା ଚାଳିଶ ଶେକଲ ରୂପା ନେଲେ; ହଁ, ସେମାନଙ୍କ ଦାସମାନେ ସୁଦ୍ଧା ଲୋକମାନଙ୍କ ଉପରେ କର୍ତ୍ତୃତ୍ଵ କଲେ। ମାତ୍ର ମୁଁ ଆମ୍ଭମାନଙ୍କ ପିତାଙ୍କ ଭୟ କରିବାରୁ ସେପରି କଲି ନାହିଁ। ଆହୁରି, ମୁଁ ଏହି ପ୍ରାଚୀରର କର୍ମରେ ଦୃଢ଼ ହୋଇ ରହିଲି; ଆମ୍ଭେମାନେ କୌଣସି ଭୂମି କ୍ରୟ କଲୁ ନାହିଁ, ପୁଣି ମୋହର ଦାସ ସମସ୍ତେ ସେହି ସ୍ଥାନରେ କର୍ମ ନିମନ୍ତେ ଏକତ୍ର ହେଲେ। ଆଉ ଆମ୍ଭମାନଙ୍କ ଚତୁର୍ଦିଗସ୍ଥ ଦେଶୀୟମାନଙ୍କ ମଧ୍ୟରୁ ଯେଉଁମାନେ ଆସିଲେ, ସେମାନଙ୍କ ବ୍ୟତୀତ ଏକଶହ ପଚାଶ ଯିହୂଦୀ ଓ ଅଧ୍ୟକ୍ଷମାନେ ମୋʼ ମେଜରେ ଭୋଜନ କଲେ। ପ୍ରତି ଦିନ ନିମନ୍ତେ ଗୋଟିଏ ବଳଦ, ଛଅ ଉତ୍ତମ ମେଷ, ଆଉ ପକ୍ଷୀ ପ୍ରସ୍ତୁତ କରାଗଲା; ପୁଣି ଦଶ ଦିନ ଅନ୍ତରରେ ସବୁ ପ୍ରକାର ଦ୍ରାକ୍ଷାରସ ପ୍ରଚୁର ପରିମାଣରେ ଯୋଗାଯାଇଥିଲା; ଏସବୁ ମୋʼ ବ୍ୟୟରେ ହେଲା। ତଥାପି ମୁଁ ଶାସନକର୍ତ୍ତାଙ୍କ ଖାଦ୍ୟ ବୃତ୍ତି ଦାବି କଲି ନାହିଁ, କାରଣ ଏହି ଲୋକମାନଙ୍କ ଉପରେ ଦାସ୍ୟକର୍ମର ଭାର ଗୁରୁତର ଥିଲା। ହେ ମୋହର ପିତା, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯାହା ଯାହା କରିଅଛି, ସେସବୁ ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।