ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବାପ୍ତିଜକ ଯୋହନଙ୍କ ମୃତ୍ୟୁ

ଭୋଜିରେ କରିଥିବା ଶପଥରେ ଫସି ହେରୋଦ ଯୋହନଙ୍କ ମୁଣ୍ଡ କଟାଇଦିଅନ୍ତି। ଯୀଶୁ ଶୋକ କରିବାକୁ ନିର୍ଜନକୁ ଚାଲିଯାଆନ୍ତି, ତଥାପି ଲୋକସମୂହ ତାଙ୍କ ପଛେ ପଛେ ଯାଆନ୍ତି, ଏବଂ ସେ ପାଞ୍ଚଟି ରୁଟିରୁ ସେମାନଙ୍କୁ ଭୋଜନ କରାନ୍ତି। ପରେ ପିତର ଜଳ ଉପରେ ଚାଲି ତାଙ୍କ ଆଡ଼କୁ ଆସନ୍ତି, ପବନକୁ ଦେଖନ୍ତି, ଏବଂ ବୁଡ଼ିବାକୁ ଲାଗନ୍ତି।

ଅଧ୍ୟାୟ 14।

ସେହି ସମୟରେ ରାଜା ହେରୋଦ ଯୀଶୁଙ୍କ ବିଷୟ ବୃତ୍ତାନ୍ତ ଶୁଣିଲେ। ପୁଣି, ସେ ଆପଣା ଦାସମାନଙ୍କୁ କହିଲେ, “ଏ ବାପ୍ତିଜକ ଯୋହନ, ସେ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି, ସେଥିପାଇଁ ତାହାଙ୍କଠାରେ ଏହିସବୁ ଶକ୍ତି କାର୍ଯ୍ୟ କରୁଅଛି।” କାରଣ ହେରୋଦ ଆପଣା ଭାଇ ଫିଲିପ୍ପଙ୍କ ଭାର୍ଯ୍ୟା ହେରୋଦିଆଙ୍କ ସକାଶେ ଯୋହନଙ୍କୁ ଧରି, ଶିକୁଳିରେ ବାନ୍ଧି କାରାଗାରରେ ବନ୍ଦ କରିଥିଲେ, ଯେଣୁ ଯୋହନ ତାହାଙ୍କୁ କହୁଥିଲେ, “ଏହାକୁ ରଖିବା ଆପଣଙ୍କ ପକ୍ଷରେ ବିଧିସଙ୍ଗତ ନୁହେଁ।” ପୁଣି, ହେରୋଦ ତାହାଙ୍କୁ ବଧ କରିବାକୁ ଇଚ୍ଛା କଲେ, ମାତ୍ର ଲୋକସମୂହକୁ ଭୟ କଲେ, କାରଣ ସେମାନେ ଯୋହନଙ୍କୁ ଜଣେ ଭାବବାଦୀ ବୋଲି ମାନୁଥିଲେ। କିନ୍ତୁ ହେରୋଦଙ୍କ ଜନ୍ମଦିନ ଉପସ୍ଥିତ ହୁଅନ୍ତେ ହେରୋଦିଆଙ୍କ କନ୍ୟା ସେମାନଙ୍କ ସମ୍ମୁଖରେ ନାଚି ହେରୋଦଙ୍କୁ ସନ୍ତୁଷ୍ଟ କଲା, ତେଣୁ ସେ ଯାହା ମାଗିବ, ତାହା ତାହାକୁ ଦେବେ ବୋଲି ଶପଥ କରି ପ୍ରତିଜ୍ଞା କଲେ। ସେତେବେଳେ ସେ ଆପଣା ମାତାଙ୍କ ଦ୍ଵାରା ପ୍ରବର୍ତ୍ତିତ ହୋଇ କହିଲା, “ବାପ୍ତିଜକ ଯୋହନଙ୍କ ମୁଣ୍ଡ ଏଠାରେ ଏକ ଥାଳିରେ ମୋତେ ଦେଉନ୍ତୁ।”

ତହିଁରେ ରାଜା ଦୁଃଖିତ ହେଲେ, ତଥାପି ଆପଣା ଶପଥ ଓ ଭୋଜନରେ ବସିଥିବା ଅତିଥିମାନଙ୍କ ସକାଶେ ତାହା ଦେବା ପାଇଁ ଆଜ୍ଞା ଦେଲେ, ପୁଣି, ଲୋକ ପଠାଇ କାରାଗାରରେ ଯୋହନଙ୍କ ମୁଣ୍ଡ କଟାଇଲେ। ଆଉ ତାହାଙ୍କ ମୁଣ୍ଡ ଏକ ଥାଳିରେ ଅଣାଯାଇ ବାଳିକାକୁ ଦିଆଗଲା, ଆଉ ସେ ତାହା ଆପଣା ମାତାଙ୍କ ନିକଟକୁ ନେଇଗଲା। ତାହା ପରେ ଯୋହନଙ୍କ ଶିଷ୍ୟମାନେ ଆସି ଶବ ନେଇ ସମାଧି ଦେଲେ, ପୁଣି ଯାଇ ଯୀଶୁଙ୍କୁ ସମ୍ବାଦ ଦେଲେ।

ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଭୋଜନ କରାନ୍ତି

ଯୀଶୁ ଏହା ଶୁଣି ନୌକାରେ ଚଢ଼ି ସେଠାରୁ ଏକ ନିର୍ଜନ ସ୍ଥାନକୁ ଏକାକୀ ଗଲେ। କିନ୍ତୁ ଲୋକସମୂହ ତାହା ଶୁଣି ବିଭିନ୍ନ ନଗରରୁ ତାହାଙ୍କ ପଛେ ପଛେ ପାଦରେ ଚାଲି ଗଲେ। ପୁଣି, ସେ କୂଳରେ ଓହ୍ଲାଇ ଏକ ବିରାଟ ଲୋକସମୂହ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କ ପୀଡ଼ିତମାନଙ୍କୁ ସୁସ୍ଥ କଲେ। ସନ୍ଧ୍ୟା ହୁଅନ୍ତେ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, “ଏ ସ୍ଥାନ ନିର୍ଜନ, ଆଉ ବେଳ ବହୁତ ହୋଇଗଲାଣି; ଲୋକସମୂହକୁ ବିଦାୟ କରନ୍ତୁ, ଯେପରି ସେମାନେ ଗ୍ରାମକୁ ଯାଇ ଆପଣାମାନଙ୍କ ପାଇଁ ଖାଦ୍ୟ କିଣିବେ।”

କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ସେମାନଙ୍କ ଯିବାର ଆବଶ୍ୟକ ନାହିଁ; ତୁମ୍ଭେମାନେ ସେମାନଙ୍କୁ ଖାଇବାକୁ ଦିଅ।”

ସେମାନେ ତାହାଙ୍କୁ କହିଲେ, “ଏଠାରେ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ବିନା ଆମ୍ଭମାନଙ୍କ ପାଖରେ ଆଉ କିଛି ନାହିଁ।”

ସେ କହିଲେ, “ସେଗୁଡ଼ିକ ଏଠାକୁ ମୋʼ ନିକଟକୁ ଆଣ।”

ଆଉ, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଇ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ଵର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଧନ୍ୟବାଦ ଦେଲେ, ପୁଣି ରୁଟିସବୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ। ତହିଁରେ ସମସ୍ତେ ଖାଇ ତୃପ୍ତ ହେଲେ, ପୁଣି ସେମାନେ ଅବଶିଷ୍ଟ ଖଣ୍ଡସବୁ ଗୋଟାଇ ବାର ଟୋକାଇ ପୂର୍ଣ୍ଣ କଲେ। ଆଉ ଯେଉଁମାନେ ଖାଇଥିଲେ, ସେମାନେ ସ୍ତ୍ରୀ ଓ ପିଲାମାନଙ୍କ ବ୍ୟତୀତ ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ।

ଯୀଶୁ ଜଳ ଉପରେ ଚାଲନ୍ତି

ଏଥିଉତ୍ତାରେ ସେ ଲୋକସମୂହକୁ ବିଦାୟ କରୁଥିବା ସମୟରେ ଶିଷ୍ୟମାନଙ୍କୁ ତତ୍‌କ୍ଷଣାତ୍ ନୌକାରେ ଚଢ଼ାଇ ଆପଣାଠାରୁ ଆଗେ ଅପର ପାରିକୁ ଯିବା ପାଇଁ ବାଧ୍ୟ କଲେ। ପୁଣି, ଲୋକସମୂହକୁ ବିଦାୟ କରିବା ଉତ୍ତାରେ ସେ ପ୍ରାର୍ଥନା କରିବା ପାଇଁ ବିଜନରେ ପର୍ବତ ଉପରକୁ ଗଲେ; ସନ୍ଧ୍ୟା ହୁଅନ୍ତେ ସେ ସେଠାରେ ଏକାକୀ ଥିଲେ। ସେତେବେଳେ ନୌକା ସ୍ଥଳଠାରୁ ବହୁ ଦୂରରେ ଥିଲା, ଆଉ ପ୍ରତିକୂଳ ପବନ ହେତୁ ତାହା ତରଙ୍ଗ ଦ୍ଵାରା ଲହଡ଼ି ଖାଉଥିଲା। ଆଉ ରାତ୍ରିର ଚତୁର୍ଥ ପ୍ରହରରେ ସେ ସମୁଦ୍ର ଉପରେ ଚାଲି ସେମାନଙ୍କ ନିକଟକୁ ଆସିଲେ। a a v25 ରାତ୍ରିର ଚତୁର୍ଥ ପ୍ରହର ପ୍ରାୟ ପ୍ରଭାତ ତିନିଟାରୁ ଛଅଟା ପର୍ଯ୍ୟନ୍ତ ଥିଲା — ଅରୁଣୋଦୟ ପୂର୍ବର ସବୁଠାରୁ ଅନ୍ଧକାରମୟ ଓ ଶୀତଳ ସମୟ। ମାତ୍ର ଶିଷ୍ୟମାନେ ତାହାଙ୍କୁ ସମୁଦ୍ର ଉପରେ ଚାଲୁଥିବା ଦେଖି ଭୀତତ୍ରସ୍ତ ହୋଇ, “ଏ ଭୂତ!” ବୋଲି କହି ଭୟରେ ଚିତ୍କାର କଲେ।

କିନ୍ତୁ ଯୀଶୁ ତତ୍‌କ୍ଷଣାତ୍ ସେମାନଙ୍କୁ କହିଲେ, “ସାହସ ଧର! ଏ ତ ମୁଁ; ଭୟ କର ନାହିଁ।”

ପିତର ତାହାଙ୍କୁ ଉତ୍ତର ଦେଲେ, “ହେ ପ୍ରଭୁ, ଯଦି ଏ ଆପଣ, ତେବେ ଜଳ ଉପର ଦେଇ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା ଦେଉନ୍ତୁ।”

ସେ କହିଲେ, “ଆସ।” ଆଉ ପିତର ନୌକାରୁ ଓହ୍ଲାଇ ଜଳ ଉପରେ ଚାଲି ଯୀଶୁଙ୍କ ଆଡ଼କୁ ଗଲେ।

କିନ୍ତୁ ପ୍ରବଳ ପବନ ଦେଖି ସେ ଭୀତ ହେଲେ, ପୁଣି ବୁଡ଼ିଯିବାକୁ ଲାଗନ୍ତେ ଚିତ୍କାର କରି କହିଲେ, “ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ!”

ଯୀଶୁ ତତ୍‌କ୍ଷଣାତ୍ ଆପଣା ହସ୍ତ ବଢ଼ାଇ ତାହାଙ୍କୁ ଧରି କହିଲେ, “ହେ ଅଳ୍ପ ବିଶ୍ଵାସୀ, କାହିଁକି ସନ୍ଦେହ କଲ?”

ଆଉ ସେମାନେ ନୌକାରେ ଚଢ଼ନ୍ତେ ପବନ ବନ୍ଦ ହୋଇଗଲା। ତହିଁରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, “ସତ୍ୟରେ ଆପଣ ଆମ୍ଭମାନଙ୍କ ପିତାଙ୍କ ପୁତ୍ର।”

ପୁଣି, ସେମାନେ ପାର ହୋଇ ଗିନ୍ନେସରତ ଅଞ୍ଚଳରେ ପହଞ୍ଚିଲେ। ଆଉ ସେହି ସ୍ଥାନର ଲୋକମାନେ ତାହାଙ୍କୁ ଚିହ୍ନି ଚାରିଆଡ଼େ ସେହି ସମଗ୍ର ଅଞ୍ଚଳକୁ ସମ୍ବାଦ ପଠାଇ ପୀଡ଼ିତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ। ପୁଣି, ସେମାନେ କେବଳ ତାହାଙ୍କ ବସ୍ତ୍ରର ଝାଲର ଛୁଇଁବା ପାଇଁ ତାହାଙ୍କୁ ବିନତି କଲେ, ଆଉ ଯେତେ ଲୋକ ଛୁଇଁଲେ, ସମସ୍ତେ ସୁସ୍ଥ ହେଲେ।