ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଏକ ପୁତ୍ର ଦେବା ନିମନ୍ତେ ପ୍ରତିଜ୍ଞା କଲେ

ଇସ୍ରାଏଲକୁ ଚାଳିଶ ବର୍ଷ ପାଇଁ ପଲେଷ୍ଟୀୟମାନଙ୍କ ହାତରେ ସମର୍ପଣ କରାଯାଏ। ଆମ ପିତାଙ୍କ ଦୂତ ଜଣେ ବନ୍ଧ୍ୟା ସ୍ତ୍ରୀଙ୍କୁ ଗର୍ଭରୁ ପୃଥକୀକୃତ ଏକ ପୁତ୍ରର ପ୍ରତିଜ୍ଞା ଦିଅନ୍ତି, ଏବଂ ମାନୋହ ନିବେଦନ କଲେ ପୁଣି ଆସନ୍ତି। ଅତିଥିଙ୍କ ନାମ ବୁଦ୍ଧିର ଅଗମ୍ୟ; ସେ ଯଜ୍ଞବେଦିର ଅଗ୍ନିଶିଖାରେ ଉପରକୁ ଉଠିଯାଆନ୍ତି। ଶାମ୍ଶୋନ ଜନ୍ମ ହୁଅନ୍ତି ଓ ଆଶୀର୍ବାଦ ପାଆନ୍ତି।

ଅଧ୍ୟାୟ 13।

ଇସ୍ରାଏଲ ସନ୍ତାନମାନେ ପୁନର୍ବାର ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ, ଏଣୁ ସେ ସେମାନଙ୍କୁ ଚାଳିଶ ବର୍ଷ ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କ ହସ୍ତରେ ସମର୍ପଣ କଲେ।

ଦାନ୍‍ ବଂଶୀୟ ସରିୟାର ମାନୋହ ନାମକ ଜଣେ ଲୋକ ଥିଲା, ପୁଣି ତାହାର ଭାର୍ଯ୍ୟା ବନ୍ଧ୍ୟା ଥିବାରୁ ସନ୍ତାନ ପ୍ରସବ କରି ନ ଥିଲା।

ଆମ୍ଭମାନଙ୍କ ପିତାଙ୍କ ଦୂତ ସେହି ସ୍ତ୍ରୀକୁ ଦର୍ଶନ ଦେଇ ତାହାକୁ କହିଲେ, “ଦେଖ, ତୁମ୍ଭେ ବନ୍ଧ୍ୟା ଓ ନିଃସନ୍ତାନ, ମାତ୍ର ତୁମ୍ଭେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କରିବ। ଏଣୁ ବର୍ତ୍ତମାନ ସାବଧାନ ହୁଅ, ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ; କାରଣ ଦେଖ, ତୁମ୍ଭେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କରିବ। ତାହାର ମସ୍ତକରେ କ୍ଷୁର ସ୍ପର୍ଶ କରିବ ନାହିଁ, କାରଣ ସେହି ବାଳକ ଗର୍ଭରୁ ଆମ୍ଭମାନଙ୍କ ପିତାଙ୍କ ନାସରୀୟ ହେବ, ପୁଣି ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରିବାକୁ ଆରମ୍ଭ କରିବ।”

ତେବେ ସେହି ସ୍ତ୍ରୀ ଯାଇ ଆପଣା ସ୍ଵାମୀକୁ କହିଲା, “ଈଶ୍ଵରଙ୍କ ଜଣେ ଲୋକ ମୋʼ ନିକଟକୁ ଆସିଲେ, ତାହାଙ୍କ ରୂପ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କ ରୂପ ପରି, ଅତ୍ୟନ୍ତ ଭୟଙ୍କର ଥିଲା। ସେ କେଉଁଠାରୁ ଆସିଲେ, ତାହା ମୁଁ ପଚାରିଲି ନାହିଁ, ପୁଣି ସେ ଆପଣା ନାମ ମୋତେ କହିଲେ ନାହିଁ। କିନ୍ତୁ ସେ ମୋତେ କହିଲେ, ‘ଦେଖ, ତୁମ୍ଭେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କରିବ; ଏଣୁ ବର୍ତ୍ତମାନ ଦ୍ରାକ୍ଷାରସ କି ମଦ୍ୟ ପାନ କର ନାହିଁ ଓ କୌଣସି ଅଶୁଚି ଦ୍ରବ୍ୟ ଭୋଜନ କର ନାହିଁ, କାରଣ ସେହି ବାଳକ ଗର୍ଭରୁ ଆପଣା ମୃତ୍ୟୁ ଦିନ ପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ନାସରୀୟ ହେବ।’”

ସେତେବେଳେ ମାନୋହ ଆମ୍ଭମାନଙ୍କ ପିତାଙ୍କ ନିକଟରେ ବିନତି କରି କହିଲା, “ହେ ମୋʼ ପ୍ରଭୁ ପିତା, ବିନୟ କରୁଅଛି, ଆପଣ ଯେଉଁ ଈଶ୍ଵରଙ୍କ ଲୋକଙ୍କୁ ପଠାଇଥିଲେ, ସେ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆସନ୍ତୁ, ପୁଣି ଯେଉଁ ବାଳକ ଜନ୍ମ ହେବ, ତାହା ପ୍ରତି ଆମ୍ଭେମାନେ କଅଣ କରିବୁ, ତାହା ଆମ୍ଭମାନଙ୍କୁ ଶିଖାଉନ୍ତୁ।”

ଆମ୍ଭମାନଙ୍କ ପିତା ମାନୋହର ରବ ଶୁଣିଲେ, ପୁଣି ସେହି ସ୍ତ୍ରୀ କ୍ଷେତ୍ରରେ ବସିଥିବା ସମୟରେ ଈଶ୍ଵରଙ୍କ ଦୂତ ପୁନର୍ବାର ତାହା ନିକଟକୁ ଆସିଲେ, ମାତ୍ର ତାହାର ସ୍ଵାମୀ ମାନୋହ ତାହା ସଙ୍ଗରେ ନ ଥିଲା। ଏଣୁ ସେହି ସ୍ତ୍ରୀ ଶୀଘ୍ର ଦୌଡ଼ିଯାଇ ଆପଣା ସ୍ଵାମୀକୁ କହିଲା, “ଦେଖ, ସେଦିନ ଯେଉଁ ଲୋକ ମୋʼ ନିକଟକୁ ଆସିଥିଲେ, ସେ ମୋତେ ଦର୍ଶନ ଦେଇଅଛନ୍ତି!”

ତହିଁରେ ମାନୋହ ଉଠି ଆପଣା ଭାର୍ଯ୍ୟା ପଛେ ପଛେ ଯାଇ ସେହି ଲୋକ ନିକଟରେ ଉପସ୍ଥିତ ହୋଇ ପଚାରିଲା, “ଏହି ସ୍ତ୍ରୀ ସଙ୍ଗରେ ଯେ କଥା କହିଥିଲେ, ଆପଣ କି ସେହି ଲୋକ?” ସେ କହିଲେ, “ମୁଁ ସେହି।”

ତେବେ ମାନୋହ କହିଲା, “ଆପଣଙ୍କ ବାକ୍ୟ ସଫଳ ହେଲେ, ସେହି ବାଳକର ବ୍ୟବହାର ଓ କର୍ମ କିପରି ହେବ?”

ଆମ୍ଭମାନଙ୍କ ପିତାଙ୍କ ଦୂତ ମାନୋହକୁ କହିଲେ, “ମୁଁ ଏହି ସ୍ତ୍ରୀକୁ ଯାହାସବୁ କହିଅଛି, ସେସବୁରୁ ସେ ସାବଧାନ ହେଉ। ସେ ଦ୍ରାକ୍ଷାଲତାରୁ ଉତ୍ପନ୍ନ କୌଣସି ଦ୍ରବ୍ୟ ଭୋଜନ ନ କରୁ, ଦ୍ରାକ୍ଷାରସ କି ମଦ୍ୟ ପାନ ନ କରୁ, ପୁଣି କୌଣସି ଅଶୁଚି ଦ୍ରବ୍ୟ ଭୋଜନ ନ କରୁ। ମୁଁ ତାହାକୁ ଯାହାସବୁ ଆଜ୍ଞା ଦେଇଅଛି, ସେସବୁ ସେ ପାଳନ କରୁ।”

ତେବେ ମାନୋହ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ କହିଲା, “ବିନୟ କରୁଅଛି, ଆମ୍ଭେମାନେ ଆପଣଙ୍କୁ ରଖୁ, ପୁଣି ଆପଣଙ୍କ ନିମନ୍ତେ ଗୋଟିଏ ଛେଳିଛୁଆ ପ୍ରସ୍ତୁତ କରୁ।”

ଆମ୍ଭମାନଙ୍କ ପିତାଙ୍କ ଦୂତ ମାନୋହକୁ କହିଲେ, “ତୁମ୍ଭେ ମୋତେ ରଖିଲେ ହେଁ, ମୁଁ ତୁମ୍ଭ ଖାଦ୍ୟ ଭୋଜନ କରିବି ନାହିଁ; ମାତ୍ର ଯଦି ତୁମ୍ଭେ ଗୋଟିଏ ହୋମବଳି ପ୍ରସ୍ତୁତ କର, ତେବେ ତାହା ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର।” (ସେହି ଆଗନ୍ତୁକ ଯେ ଆମ୍ଭମାନଙ୍କ ପିତାଙ୍କ ଦୂତ, ଏହା ମାନୋହ ଜାଣି ନ ଥିଲା।)

ଆଉ ମାନୋହ ଆମ୍ଭମାନଙ୍କ ପିତାଙ୍କ ଦୂତଙ୍କୁ ପଚାରିଲା, “ଆପଣଙ୍କ ନାମ କଅଣ? ଆପଣଙ୍କ ବାକ୍ୟ ସଫଳ ହେଲେ, ଆମ୍ଭେମାନେ ଯେପରି ଆପଣଙ୍କୁ ସମ୍ଭ୍ରମ କରିପାରିବୁ।”

ଆମ୍ଭମାନଙ୍କ ପିତାଙ୍କ ଦୂତ ତାହାକୁ କହିଲେ, “ମୋʼ ନାମ କାହିଁକି ପଚାରୁଅଛ? ତାହା ତ ଅଗମ୍ୟ।”

ତହିଁରେ ମାନୋହ ସେହି ଛେଳିଛୁଆ ଓ ଭକ୍ଷ୍ୟ ନୈବେଦ୍ୟ ନେଇ ଆଶ୍ଚର୍ଯ୍ୟକର୍ମକାରୀ ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ଶୈଳ ଉପରେ ଉତ୍ସର୍ଗ କଲା, ଆଉ ମାନୋହ ଓ ତାହାର ଭାର୍ଯ୍ୟା ଦେଖୁ ଦେଖୁ, ଯଜ୍ଞବେଦିରୁ ଅଗ୍ନିଶିଖା ଆକାଶ ଆଡ଼କୁ ଉଠିବା ବେଳେ ଆମ୍ଭମାନଙ୍କ ପିତାଙ୍କ ଦୂତ ଯଜ୍ଞବେଦିର ଅଗ୍ନିଶିଖାରେ ଊର୍ଦ୍ଧ୍ଵକୁ ଉଠିଗଲେ। ତାହା ଦେଖି ମାନୋହ ଓ ତାହାର ଭାର୍ଯ୍ୟା ଭୂମିରେ ମୁହଁ ମାଡ଼ି ପଡ଼ିଲେ। ତହିଁ ଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ଦୂତ ମାନୋହକୁ କି ତାହାର ଭାର୍ଯ୍ୟାକୁ ଆଉ ଦର୍ଶନ ଦେଲେ ନାହିଁ। ସେତେବେଳେ ମାନୋହ ଜାଣିଲା ଯେ, ସେ ଆମ୍ଭମାନଙ୍କ ପିତାଙ୍କ ଦୂତ ଥିଲେ। ମାନୋହ ଆପଣା ଭାର୍ଯ୍ୟାକୁ କହିଲା, “ଆମ୍ଭେମାନେ ନିଶ୍ଚୟ ମରିବା, କାରଣ ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କୁ ଦେଖିଅଛୁ!”

ମାତ୍ର ତାହାର ଭାର୍ଯ୍ୟା ତାହାକୁ କହିଲା, “ଆମ୍ଭମାନଙ୍କ ପିତା ଯଦି ଆମ୍ଭମାନଙ୍କୁ ବଧ କରିବାକୁ ଇଚ୍ଛା କରିଥାଆନ୍ତେ, ତେବେ ସେ ଆମ୍ଭମାନଙ୍କ ହସ୍ତରୁ ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଗ୍ରହଣ କରି ନ ଥାଆନ୍ତେ, କିଅବା ଆମ୍ଭମାନଙ୍କୁ ଏହିସବୁ ଦେଖାଇ ନ ଥାଆନ୍ତେ, ଅଥବା ଏହି ସମୟରେ ଆମ୍ଭମାନଙ୍କୁ ଏହିସବୁ କଥା ଶୁଣାଇ ନ ଥାଆନ୍ତେ।” ତହୁଁ ସେହି ସ୍ତ୍ରୀ ଏକ ପୁତ୍ର ପ୍ରସବ କରି ତାହାର ନାମ ଶାମ୍‍ଶୋନ୍‍ ରଖିଲା। ପୁଣି ସେହି ବାଳକ ବଢ଼ିଲା, ଆଉ ଆମ୍ଭମାନଙ୍କ ପିତା ତାହାକୁ ଆଶୀର୍ବାଦ କଲେ। ଆଉ ସରିୟା ଓ ଇଷ୍ଟାୟୋଲ ମଧ୍ୟବର୍ତ୍ତୀ ମହନୀୟ-ଦାନରେ ଆମ୍ଭମାନଙ୍କ ପିତାଙ୍କ ଆତ୍ମା ତାହାକୁ ଉତ୍ତେଜିତ କରିବାକୁ ଆରମ୍ଭ କଲେ।