ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଯିରିମିୟ କୂପରେ ନିକ୍ଷିପ୍ତ

ଆମ୍ଭମାନଙ୍କ ପିତାଙ୍କଠାରୁ ଆସିଥିବା ଆତ୍ମସମର୍ପଣର ବାର୍ତ୍ତାକୁ ଅଧିକାରୀମାନେ ରାଜଦ୍ରୋହ କହନ୍ତି ଓ ଯିରିମୀୟଙ୍କୁ ଭୋକରେ ମରିବା ପାଇଁ ଏକ କାଦୁଅ ଭରା କୂଅରେ ଓହ୍ଲାଇ ଦିଅନ୍ତି। କୂଶୀୟ ଏବଦ୍‌-ମେଲକ ରାଜାଙ୍କ ପାଖରେ ନିବେଦନ କରି ଚିରା କନା ଓ ଦଉଡ଼ିରେ ତାଙ୍କୁ ଉଠାଇ ଆଣନ୍ତି। ସିଦିକିୟ ପୁଣି ଗୋପନରେ ପଚାରନ୍ତି, ଆତ୍ମସମର୍ପଣ କଲେ ପ୍ରାଣ ରକ୍ଷାର ପ୍ରସ୍ତାବ ପାଆନ୍ତି, କିନ୍ତୁ ତାହା ଗ୍ରହଣ କରି ପାରନ୍ତି ନାହିଁ।

ଅଧ୍ୟାୟ 38।

ଯିରିମିୟ ସମସ୍ତ ଲୋକଙ୍କୁ ଏହିସବୁ କହୁଥିବା ବେଳେ ମତ୍ତନର ପୁତ୍ର ଶଫଟୀୟ, ପଶହୂରର ପୁତ୍ର ଗଦଲୀୟ, ଶେଲିମିୟର ପୁତ୍ର ଯୂଖଲ ଓ ମଲ୍କୀୟର ପୁତ୍ର ପଶହୂର ଶୁଣିଲେ:

“ଆମ୍ଭମାନଙ୍କ ପିତା ଏହି କଥା କହନ୍ତି: ଯେକେହି ଏହି ନଗରରେ ରହିବ, ସେ ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ଵାରା ମରିବ, କିନ୍ତୁ ଯେକେହି ବାବିଲୀୟମାନଙ୍କ ନିକଟରେ ଆତ୍ମସମର୍ପଣ କରିବ, ସେ ବଞ୍ଚିବ ଓ ଆପଣା ପ୍ରାଣ ଲୁଟିତ ଦ୍ରବ୍ୟ ସ୍ଵରୂପ ରକ୍ଷା କରିବ। ଆମ୍ଭମାନଙ୍କ ପିତା ଏହି କଥା କହନ୍ତି: ଏହି ନଗର ନିଶ୍ଚୟ ବାବିଲ ରାଜାଙ୍କ ସୈନ୍ୟ ହସ୍ତରେ ସମର୍ପିତ ହେବ, ଆଉ ସେ ଏହାକୁ ହସ୍ତଗତ କରିବେ।”

ଅଧିପତିମାନେ ରାଜାଙ୍କୁ କହିଲେ, “ଏହି ଲୋକକୁ ପ୍ରାଣଦଣ୍ଡ ଦିଅନ୍ତୁ। ଏହିପରି କଥା ଏହି ନଗରରେ ଅବଶିଷ୍ଟ ଥିବା ସୈନ୍ୟମାନଙ୍କ ଓ ସମସ୍ତ ଲୋକଙ୍କ ହସ୍ତ ଦୁର୍ବଳ କରୁଅଛି। ସେ ସେମାନଙ୍କ ମଙ୍ଗଳ ନୁହେଁ, ବରଂ ଅମଙ୍ଗଳ ଚାହାନ୍ତି।”

ସିଦିକୀୟ ରାଜା କହିଲେ, “ଦେଖ, ସେ ତୁମ୍ଭମାନଙ୍କ ହସ୍ତରେ ଅଛନ୍ତି; ରାଜା ତୁମ୍ଭମାନଙ୍କ ବିରୁଦ୍ଧରେ କିଛି କରିପାରନ୍ତି ନାହିଁ।”

ସେଥିରେ ସେମାନେ ଯିରିମିୟଙ୍କୁ ଘେନି ପ୍ରହରୀ ପ୍ରାଙ୍ଗଣସ୍ଥିତ ରାଜପୁତ୍ର ମଲ୍କୀୟର କୂପ ମଧ୍ୟରେ ରଜ୍ଜୁ ଦ୍ଵାରା ଓହ୍ଲାଇ ପକାଇଦେଲେ। ସେହି କୂପରେ ଜଳ ନ ଥିଲା, କେବଳ କର୍ଦ୍ଦମ ଥିଲା, ଆଉ ଯିରିମିୟ ତହିଁ ମଧ୍ୟରେ ବୁଡ଼ିଗଲେ।

ମାତ୍ର ରାଜଗୃହର ଜଣେ ଅଧିକାରୀ କୂଶୀୟ ଏବଦ୍-ମେଲକ, ଯିରିମିୟଙ୍କୁ କୂପ ମଧ୍ୟରେ ପକାଇ ଦେଇଥିବା ବିଷୟ ଶୁଣିଲା। ସେତେବେଳେ ରାଜା ବିନ୍ୟାମୀନ ଦ୍ଵାରରେ ବସିଥିଲେ, ଏବଦ୍-ମେଲକ ରାଜଗୃହରୁ ବାହାରିଯାଇ ରାଜାଙ୍କୁ କହିଲା: “ହେ ମୋʼ ପ୍ରଭୁ ମହାରାଜ, ଏହି ଲୋକମାନେ ଯିରିମିୟ ଭାବବାଦୀଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ସେସବୁରେ ମନ୍ଦ କର୍ମ କରିଅଛନ୍ତି; ସେମାନେ ତାହାଙ୍କୁ କୂପ ମଧ୍ୟରେ ପକାଇ ଦେଇଅଛନ୍ତି, ଆଉ ନଗରରେ ଆଉ ରୁଟି ନ ଥିବାରୁ ସେ ସେଠାରେ କ୍ଷୁଧାରେ ମରିବେ।”

ତହିଁରେ ରାଜା କୂଶୀୟ ଏବଦ୍-ମେଲକକୁ ଆଜ୍ଞା ଦେଲେ, “ତୁମ୍ଭେ ଏଠାରୁ ତିରିଶ ଜଣ ଲୋକଙ୍କୁ ଆପଣା ସଙ୍ଗରେ ଘେନି, ଯିରିମିୟ ଭାବବାଦୀ ମରିବା ପୂର୍ବରୁ ତାହାଙ୍କୁ କୂପ ମଧ୍ୟରୁ ଉଠାଅ।”

ତହିଁରେ ଏବଦ୍-ମେଲକ ସେହି ଲୋକମାନଙ୍କୁ ସଙ୍ଗରେ ଘେନି ରାଜଗୃହକୁ, ଭଣ୍ଡାର ତଳସ୍ଥିତ ଗୃହକୁ ଯାଇ, ସେଠାରୁ ପୁରୁଣା ଚିରା ଲୁଗା ଓ ଜୀର୍ଣ୍ଣ ବସ୍ତ୍ରସବୁ ନେଇ, ରଜ୍ଜୁ ଦ୍ଵାରା କୂପ ମଧ୍ୟରେ ଥିବା ଯିରିମିୟଙ୍କ ନିକଟକୁ ଓହ୍ଲାଇଦେଲା। କୂଶୀୟ ଏବଦ୍-ମେଲକ ଯିରିମିୟଙ୍କୁ କହିଲା, “ଏହି ଜୀର୍ଣ୍ଣ ଚିରା କନା ଓ ବସ୍ତ୍ରସବୁ ରଜ୍ଜୁ ତଳେ ଆପଣା ବାହୁ ତଳେ ଦିଅନ୍ତୁ।” ତହିଁରେ ଯିରିମିୟ ସେହିପରି କଲେ। ତହିଁରେ ସେମାନେ ରଜ୍ଜୁ ଦ୍ଵାରା ଯିରିମିୟଙ୍କୁ ଟାଣି କୂପ ମଧ୍ୟରୁ ଉଠାଇ ଆଣିଲେ; ପୁଣି ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।

ରାଜା ପିତାଙ୍କ ବାକ୍ୟ ଶୁଣନ୍ତି

ଏଥିଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ଯିରିମିୟ ଭାବବାଦୀଙ୍କୁ ଆମ୍ଭମାନଙ୍କ ପିତାଙ୍କ ଗୃହର ତୃତୀୟ ପ୍ରବେଶ ସ୍ଥାନକୁ ଅଣାଇଲେ। ରାଜା ଯିରିମିୟଙ୍କୁ କହିଲେ, “ମୁଁ ଆପଣଙ୍କୁ ଗୋଟିଏ କଥା ପଚାରିବି; ମୋʼଠାରୁ କିଛି ଲୁଚାନ୍ତୁ ନାହିଁ।”

ଯିରିମିୟ ସିଦିକୀୟଙ୍କୁ କହିଲେ, “ଯଦି ମୁଁ ଆପଣଙ୍କୁ କହିବି, ତେବେ ଆପଣ କʼଣ ମୋତେ ବଧ କରିବେ ନାହିଁ? ଆଉ ଯଦି ମୁଁ ଆପଣଙ୍କୁ ପରାମର୍ଶ ଦେବି, ତେବେ ଆପଣ ଶୁଣିବେ ନାହିଁ।”

ତହିଁରେ ସିଦିକୀୟ ରାଜା ଗୋପନରେ ଯିରିମିୟଙ୍କ ନିକଟରେ ଶପଥ କରି କହିଲେ, “ଯେଉଁ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ ଏହି ଜୀବନ ଦେଲେ, ସେହି ଜୀବିତ ପିତାଙ୍କ ନାମରେ କହୁଅଛି, ମୁଁ ଆପଣଙ୍କୁ ବଧ କରିବି ନାହିଁ କିମ୍ବା ଆପଣଙ୍କ ପ୍ରାଣ ଚାହୁଁଥିବା ଏହି ଲୋକମାନଙ୍କ ହସ୍ତରେ ସମର୍ପଣ କରିବି ନାହିଁ।”

ଯିରିମିୟ ସିଦିକୀୟଙ୍କୁ କହିଲେ, “ସ୍ଵର୍ଗୀୟ ସୈନ୍ୟଗଣର ପିତା, ଇସ୍ରାଏଲର ପିତା ଏହି କଥା କହନ୍ତି: ଯଦି ଆପଣ ବାବିଲ ରାଜାଙ୍କ ଅଧିପତିମାନଙ୍କ ନିକଟରେ ଆତ୍ମସମର୍ପଣ କରିବେ, ତେବେ ଆପଣଙ୍କ ପ୍ରାଣ ରକ୍ଷା ପାଇବ, ଏହି ନଗର ଅଗ୍ନିରେ ଦଗ୍ଧ ହେବ ନାହିଁ, ଆଉ ଆପଣ ଓ ଆପଣଙ୍କ ପରିବାର ବଞ୍ଚିବେ। କିନ୍ତୁ ଯଦି ଆପଣ ବାବିଲ ରାଜାଙ୍କ ଅଧିପତିମାନଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଅସମ୍ମତ ହେବେ, ତେବେ ଏହି ନଗର ବାବିଲୀୟମାନଙ୍କ ହସ୍ତରେ ସମର୍ପିତ ହେବ, ଆଉ ସେମାନେ ଏହାକୁ ଅଗ୍ନିରେ ଦଗ୍ଧ କରିବେ, ପୁଣି ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ।”

ସିଦିକୀୟ ରାଜା ଯିରିମିୟଙ୍କୁ କହିଲେ, “ଯେଉଁ ଯିହୂଦୀୟମାନେ ବାବିଲୀୟମାନଙ୍କ ପକ୍ଷକୁ ଚାଲିଯାଇଅଛନ୍ତି, ସେମାନଙ୍କୁ ମୁଁ ଭୟ କରୁଅଛି; କାଳେ ମୋତେ ସେମାନଙ୍କ ହସ୍ତରେ ସମର୍ପଣ କରାଯିବ ଓ ସେମାନେ ମୋତେ ଅପମାନିତ କରିବେ।”

ଯିରିମିୟ କହିଲେ, “ସେମାନେ ଆପଣଙ୍କୁ ସମର୍ପଣ କରିବେ ନାହିଁ। ମୁଁ ଆପଣଙ୍କୁ ଯେପରି କହୁଅଛି, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ସେହିପରି ମାନନ୍ତୁ, ତହିଁରେ ଆପଣଙ୍କ ମଙ୍ଗଳ ହେବ ଓ ଆପଣଙ୍କ ପ୍ରାଣ ରକ୍ଷା ପାଇବ। କିନ୍ତୁ ଯଦି ଆପଣ ଆତ୍ମସମର୍ପଣ କରିବାକୁ ଅସମ୍ମତ ହେବେ, ତେବେ ଆମ୍ଭମାନଙ୍କ ପିତା ମୋତେ ଯାହା ଦେଖାଇ ଅଛନ୍ତି, ତାହା ଏହି:

“ଦେଖ! ଯିହୂଦା ରାଜାଙ୍କ ଗୃହରେ ଯେଉଁ ସ୍ତ୍ରୀଲୋକମାନେ ଅବଶିଷ୍ଟ ଅଛନ୍ତି, ସେସମସ୍ତେ ବାବିଲ ରାଜାଙ୍କ ଅଧିପତିମାନଙ୍କ ନିକଟକୁ ବାହାର କରାଯିବେ, ଆଉ ସେମାନେ କହିବେ: ‘ଆପଣଙ୍କ ବିଶ୍ଵାସପାତ୍ର ବନ୍ଧୁମାନେ ଆପଣଙ୍କୁ ଭୁଲାଇ ପରାସ୍ତ କରିଅଛନ୍ତି; ଆପଣଙ୍କ ଚରଣ କର୍ଦ୍ଦମ ମଧ୍ୟରେ ବୁଡ଼ିଗଲା ବେଳେ ସେମାନେ ଆପଣଙ୍କଠାରୁ ବିମୁଖ ହୋଇ ଚାଲିଗଲେ।’”

“ଆପଣଙ୍କ ସମସ୍ତ ଭାର୍ଯ୍ୟା ଓ ସନ୍ତାନମାନଙ୍କୁ ବାବିଲୀୟମାନଙ୍କ ନିକଟକୁ ନିଆଯିବ, ଆଉ ଆପଣ ସେମାନଙ୍କ ହସ୍ତରୁ ରକ୍ଷା ପାଇବେ ନାହିଁ, ବରଂ ବାବିଲ ରାଜାଙ୍କ ଦ୍ଵାରା ଧରାଯିବେ, ପୁଣି ଏହି ନଗର ଅଗ୍ନିରେ ଦଗ୍ଧ ହେବ।”

ତେବେ ସିଦିକୀୟ ଯିରିମିୟଙ୍କୁ କହିଲେ, “ଏହି କଥୋପକଥନ ବିଷୟ କେହି ନ ଜାଣୁ, ନୋହିଲେ ଆପଣ ମରିପାରନ୍ତି। ଯଦି ଅଧିପତିମାନେ ମୁଁ ଆପଣଙ୍କ ସଙ୍ଗରେ କଥାବାର୍ତ୍ତା କରିଅଛି ବୋଲି ଶୁଣି ଆପଣଙ୍କ ନିକଟକୁ ଆସି କହିବେ, ‘ଆପଣ ରାଜାଙ୍କୁ କʼଣ କହିଲେ ଓ ରାଜା ଆପଣଙ୍କୁ କʼଣ କହିଲେ, ତାହା ଆମ୍ଭମାନଙ୍କୁ କୁହନ୍ତୁ; ଆମ୍ଭମାନଙ୍କଠାରୁ କିଛି ଲୁଚାନ୍ତୁ ନାହିଁ, ନୋହିଲେ ଆମ୍ଭେମାନେ ଆପଣଙ୍କୁ ବଧ କରିବୁ,’ ତେବେ ଆପଣ ସେମାନଙ୍କୁ କହିବେ, ‘ମୁଁ ଯେପରି ଯୋନାଥନର ଗୃହକୁ ଫେରିଯାଇ ନ ମରେ, ଏଥିପାଇଁ ମୁଁ ରାଜାଙ୍କ ନିକଟରେ ବିନତି କରୁଥିଲି।’”

ତହିଁରେ ସମସ୍ତ ଅଧିପତି ଆସି ଯିରିମିୟଙ୍କୁ ପ୍ରଶ୍ନ କଲେ, ଆଉ ରାଜା ଯେପରି ଆଜ୍ଞା ଦେଇଥିଲେ, ସେ ଠିକ୍ ସେହିପରି ଉତ୍ତର ଦେଲେ। ଏଣୁ ସେମାନେ ନୀରବ ହେଲେ, କାରଣ ସେହି କଥୋପକଥନ କେହି ଶୁଣି ନ ଥିଲେ। ଯିରୂଶାଲମ ହସ୍ତଗତ ହେବା ଦିନ ପର୍ଯ୍ୟନ୍ତ ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ। ଆଉ ଯିରୂଶାଲମ ପତନ ହେବା ବେଳେ ସେ ସେହି ସ୍ଥାନରେ ଥିଲେ।