ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ନଳାକାର ପୁସ୍ତକ ଲେଖିବା ଓ ପାଠ କରିବା

ବାରୂକ ଯିରିମିୟଙ୍କ ମୁଖରୁ ଶୁଣି ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଲେଖନ୍ତି ଏବଂ ମନ୍ଦିରର ଉପବାସ ଦିନରେ ତାହା ପାଠ କରନ୍ତି; ଅଧିକାରୀମାନେ ଏହାକୁ ଗୁରୁତର ଭାବେ ନେଇ ଦୁହିଁଙ୍କୁ ଲୁଚାଇ ରଖନ୍ତି। ଯିହୋୟାକୀମ ତାଙ୍କ ଅଙ୍ଗାରପାତ୍ର ପାଖରେ ବସି ଶୁଣନ୍ତି, ସ୍ତମ୍ଭ ପରେ ସ୍ତମ୍ଭ କାଟି ପୋଡ଼ିଦିଅନ୍ତି। ନୁଡ଼ିଟି ଆହୁରି ଲମ୍ବା କରି ପୁଣି ଲେଖାଯାଏ, ଏବଂ ତାଙ୍କ ବଂଶ ସିଂହାସନ ହରାଏ।

ଅଧ୍ୟାୟ 36।

ଯିହୁଦାର ରାଜା ଯୋଶୀୟଙ୍କ ପୁତ୍ର ଯିହୋୟାକୀମଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ଆମ୍ଭମାନଙ୍କ ପିତାଙ୍କଠାରୁ ଯିରିମିୟଙ୍କ ନିକଟକୁ ଏହି ବାକ୍ୟ ଉପସ୍ଥିତ ହେଲା,

“ତୁମ୍ଭେ ଗୋଟିଏ ନଳାକାର ପୁସ୍ତକ ନେଇ, ଯୋଶୀୟଙ୍କ ସମୟରେ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଇସ୍ରାଏଲ, ଯିହୁଦା ଓ ସମସ୍ତ ଜାତି ବିରୁଦ୍ଧରେ ଆମ୍ଭେ ତୁମ୍ଭକୁ ଯାହା ଯାହା କହିଅଛୁ, ସେହିସବୁ ବାକ୍ୟ ତହିଁ ଉପରେ ଲେଖ। ଆମ୍ଭେ ଯିହୁଦା ଉପରେ ଯେଉଁ ସମସ୍ତ ବିପଦ ଘଟାଇବାକୁ ମନସ୍ଥ କରୁଅଛୁ, ତାହା ଶୁଣି ହୁଏତ ପ୍ରତ୍ୟେକ ଜଣ ଆପଣା କୁପଥରୁ ଫେରିବ, ତେବେ ଆମ୍ଭେ ସେମାନଙ୍କ ଅଧର୍ମ ଓ ପାପ କ୍ଷମା କରିବା।”

ସେତେବେଳେ ଯିରିମିୟ ନେରୀୟର ପୁତ୍ର ବାରୂଖଙ୍କୁ ଡାକିଲେ, ଆଉ ଯିରିମିୟ ଯେଉଁସବୁ ବାକ୍ୟ ବୋଲିଲେ, ସେହି ଅନୁସାରେ ବାରୂଖ ଆମ୍ଭମାନଙ୍କ ପିତା ଯିରିମିୟଙ୍କୁ କହିଥିବା ସମସ୍ତ ବାକ୍ୟ ଗୋଟିଏ ନଳାକାର ପୁସ୍ତକରେ ଲେଖିଲେ। ତହୁଁ ଯିରିମିୟ ବାରୂଖଙ୍କୁ ଆଜ୍ଞା ଦେଇ କହିଲେ, “ମୁଁ ବନ୍ଦୀ ଅଛି; ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଯାଇ ନ ପାରେ। ଏଣୁ ତୁମ୍ଭେ ଯାଇ, ମୁଁ ବୋଲିବାରୁ ତୁମ୍ଭେ ଲେଖିଥିବା ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଏହି ନଳାକାର ପୁସ୍ତକରୁ ଉପବାସ ଦିନ ଆମ୍ଭମାନଙ୍କ ପିତାଙ୍କ ଗୃହରେ ଉପସ୍ଥିତ ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ଓ ଆପଣା ଆପଣା ନଗରରୁ ଆସିଥିବା ଯିହୁଦାର ଲୋକଙ୍କ କର୍ଣ୍ଣଗୋଚରରେ ପାଠ କର। ହୁଏତ ଆମ୍ଭମାନଙ୍କ ପିତାଙ୍କ ନିକଟରେ ସେମାନଙ୍କ ବିନତି ଉପସ୍ଥିତ ହେବ, ପୁଣି ପ୍ରତ୍ୟେକ ଜଣ ଆପଣା କୁପଥରୁ ଫେରିବ; କାରଣ ଆମ୍ଭମାନଙ୍କ ପିତା ଏହି ଲୋକମାନଙ୍କ ବିରୁଦ୍ଧରେ ମହାକ୍ରୋଧ ପ୍ରକାଶ କରିଅଛନ୍ତି।”

ତହିଁରେ ନେରୀୟର ପୁତ୍ର ବାରୂଖ ଭାବବାଦୀ ଯିରିମିୟଙ୍କ ଆଜ୍ଞା ଅନୁସାରେ ସମସ୍ତ କାର୍ଯ୍ୟ କଲେ, ଆଉ ଆମ୍ଭମାନଙ୍କ ପିତାଙ୍କ ଗୃହରେ ସେହି ପୁସ୍ତକରୁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ପାଠ କଲେ। ଯିହୁଦାର ରାଜା ଯୋଶୀୟଙ୍କ ପୁତ୍ର ଯିହୋୟାକୀମଙ୍କ ରାଜତ୍ଵର ପଞ୍ଚମ ବର୍ଷ, ନବମ ମାସରେ ଯିରୂଶାଲମସ୍ଥ ସମସ୍ତ ଲୋକ ଓ ଯିହୁଦାର ନଗରସମୂହରୁ ଆସିଥିବା ସମସ୍ତ ଲୋକ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଉପବାସ ଘୋଷଣା କଲେ। ସେତେବେଳେ ବାରୂଖ ଆମ୍ଭମାନଙ୍କ ପିତାଙ୍କ ଗୃହରେ, ଉପର ପ୍ରାଙ୍ଗଣସ୍ଥ ଲେଖକ ଶାଫନ୍ଙ୍କ ପୁତ୍ର ଗମରୀୟଙ୍କ କୋଠରିରେ, ଆମ୍ଭମାନଙ୍କ ପିତାଙ୍କ ଗୃହର ନୂତନ ଦ୍ଵାର ପ୍ରବେଶ ସ୍ଥାନରେ, ସମସ୍ତ ଲୋକଙ୍କ କର୍ଣ୍ଣଗୋଚରରେ ସେହି ନଳାକାର ପୁସ୍ତକରୁ ଯିରିମିୟଙ୍କ ବାକ୍ୟ ପାଠ କଲେ।

ଶାଫନ୍ଙ୍କ ପୌତ୍ର, ଗମରୀୟଙ୍କ ପୁତ୍ର ମୀଖାୟ ସେହି ପୁସ୍ତକରୁ ଆମ୍ଭମାନଙ୍କ ପିତାଙ୍କ ସମସ୍ତ ବାକ୍ୟ ଶୁଣନ୍ତେ, ସେ ରାଜଗୃହକୁ, ଲେଖକର କୋଠରିକୁ ଓହ୍ଲାଇ ଗଲା, ଆଉ ଦେଖ, ସେଠାରେ ସମସ୍ତ ଅଧିପତି ଉପବିଷ୍ଟ ଥିଲେ, ଅର୍ଥାତ୍ ଲେଖକ ଇଲୀଶାମା, ଶମୟୀୟର ପୁତ୍ର ଦଲାୟ, ଅକ୍ବୋରର ପୁତ୍ର ଇଲ୍‌ନାଥନ୍, ଶାଫନ୍ଙ୍କ ପୁତ୍ର ଗମରୀୟ, ହନନୀୟର ପୁତ୍ର ସିଦିକୀୟ ଓ ସମସ୍ତ ଅଧିପତି। ବାରୂଖ ଲୋକମାନଙ୍କ କର୍ଣ୍ଣଗୋଚରରେ ପୁସ୍ତକରୁ ପାଠ କରିବା ବେଳେ ମୀଖାୟ ଯେଉଁସବୁ ବାକ୍ୟ ଶୁଣିଥିଲା, ସେହି ସମସ୍ତ ବାକ୍ୟ ସେ ସେମାନଙ୍କୁ ଜଣାଇଲା। ତହିଁରେ ସମସ୍ତ ଅଧିପତି କୂଶିର ପ୍ରପୌତ୍ର, ଶେଲିମୀୟର ପୌତ୍ର, ନଥନୀୟର ପୁତ୍ର ଯିହୂଦୀକୁ ବାରୂଖଙ୍କ ନିକଟକୁ ଏହା କହି ପଠାଇଲେ, “ତୁମ୍ଭେ ଲୋକମାନଙ୍କ କର୍ଣ୍ଣଗୋଚରରେ ଯେଉଁ ନଳାକାର ପୁସ୍ତକ ପାଠ କଲ, ତାହା ହସ୍ତରେ ନେଇ ଆସ।” ଏଣୁ ନେରୀୟର ପୁତ୍ର ବାରୂଖ ହସ୍ତରେ ସେହି ନଳାକାର ପୁସ୍ତକ ନେଇ ସେମାନଙ୍କ ନିକଟକୁ ଆସିଲେ।

ତହୁଁ ସେମାନେ ତାହାଙ୍କୁ କହିଲେ, “ବସ, ପୁଣି ଆମ୍ଭମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କର।” ଏଣୁ ବାରୂଖ ସେମାନଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲେ।

ତହିଁରେ ସେହି ସମସ୍ତ ବାକ୍ୟ ଶୁଣନ୍ତେ, ପ୍ରତ୍ୟେକ ଜଣ ଭୟରେ ଆପଣା ଆପଣା ପ୍ରତିବାସୀ ଆଡ଼କୁ ଫେରି ବାରୂଖଙ୍କୁ କହିଲେ, “ଆମ୍ଭେମାନେ ଅବଶ୍ୟ ଏହିସବୁ ବାକ୍ୟ ରାଜାଙ୍କୁ ଜଣାଇବୁ।” ପୁଣି, ସେମାନେ ବାରୂଖଙ୍କୁ ପଚାରିଲେ, “ତୁମ୍ଭେ କିପରି ଏହିସବୁ ବାକ୍ୟ ଲେଖିଲ, ତାହା ଆମ୍ଭମାନଙ୍କୁ କୁହ। ସେ କʼଣ ବୋଲିବାରୁ?”

ବାରୂଖ ସେମାନଙ୍କୁ ଉତ୍ତର ଦେଲେ, “ସେ ମୁଖରେ ଏହିସବୁ ବାକ୍ୟ ମୋତେ ବୋଲିଲେ, ଆଉ ମୁଁ କାଳିରେ ପୁସ୍ତକରେ ତାହା ଲେଖିଲି।”

ତହିଁରେ ଅଧିପତିମାନେ ବାରୂଖଙ୍କୁ କହିଲେ, “ତୁମ୍ଭେ ଓ ଯିରିମିୟ ଯାଇ ଆପଣାମାନଙ୍କୁ ଲୁଚାଇ ରଖ; ତୁମ୍ଭେମାନେ କେଉଁଠାରେ ଅଛ, ତାହା କେହି ନ ଜାଣୁ।”

ଏଥିଉତ୍ତାରେ ସେମାନେ ସେହି ନଳାକାର ପୁସ୍ତକ ଲେଖକ ଇଲୀଶାମାର କୋଠରିରେ ଥୋଇ ପ୍ରାଙ୍ଗଣରେ ରାଜାଙ୍କ ନିକଟକୁ ଗଲେ, ପୁଣି ସମସ୍ତ ବାକ୍ୟ ରାଜାଙ୍କ କର୍ଣ୍ଣଗୋଚରରେ ଜଣାଇଲେ। ତହୁଁ ରାଜା ସେହି ନଳାକାର ପୁସ୍ତକ ଆଣିବା ନିମନ୍ତେ ଯିହୂଦୀକୁ ପଠାଇଲେ, ଆଉ ସେ ଲେଖକ ଇଲୀଶାମାର କୋଠରିରୁ ତାହା ଆଣିଲା। ତହିଁରେ ଯିହୂଦୀ ରାଜାଙ୍କ କର୍ଣ୍ଣଗୋଚରରେ ଓ ରାଜାଙ୍କ ନିକଟରେ ଠିଆ ହୋଇଥିବା ସମସ୍ତ ଅଧିପତିଙ୍କ କର୍ଣ୍ଣଗୋଚରରେ ତାହା ପାଠ କଲା। ସେହି ସମୟରେ, ଅର୍ଥାତ୍ ନବମ ମାସରେ, ରାଜା ଶୀତକାଳୀନ ଗୃହରେ ବସିଥିଲେ, ଆଉ ତାହାଙ୍କ ସମ୍ମୁଖସ୍ଥ ଅଙ୍ଗାରପାତ୍ରରେ ଅଗ୍ନି ପ୍ରଜ୍ଵଳିତ ହେଉଥିଲା। ପୁଣି, ଯିହୂଦୀ ତିନି କିମ୍ବା ଚାରି ସ୍ତମ୍ଭ ପାଠ କଲା ଉତ୍ତାରେ ରାଜା ଲେଖକର ଛୁରିକାରେ ତାହା କାଟି, ସମୁଦାୟ ନଳାକାର ପୁସ୍ତକ ଅଙ୍ଗାରପାତ୍ରସ୍ଥ ଅଗ୍ନିରେ ଦଗ୍ଧ ହେବା ପର୍ଯ୍ୟନ୍ତ ତାହା ଅଙ୍ଗାରପାତ୍ରସ୍ଥ ଅଗ୍ନିରେ ପକାଇଲେ। ମାତ୍ର ଏହିସବୁ ବାକ୍ୟ ଶୁଣିଥିବା ରାଜା ଓ ତାହାଙ୍କ ସମସ୍ତ ଦାସ ଭୀତ ହେଲେ ନାହିଁ କିମ୍ବା ଆପଣା ଆପଣା ବସ୍ତ୍ର ଚିରିଲେ ନାହିଁ। a a v24 ବସ୍ତ୍ର ଚିରିବା ଈଶ୍ଵରଙ୍କ ସମ୍ମୁଖରେ ଶୋକ, ବିଳାପ କିମ୍ବା ଅନୁତାପର ଏକ ପ୍ରଚଳିତ ଚିହ୍ନ ଥିଲା। ଆହୁରି, ରାଜା ଯେପରି ସେହି ନଳାକାର ପୁସ୍ତକ ଦଗ୍ଧ ନ କରନ୍ତି, ଏଥିପାଇଁ ଇଲ୍‌ନାଥନ୍, ଦଲାୟ ଓ ଗମରୀୟ ତାହାଙ୍କୁ ବିନତି କଲେ, ତଥାପି ସେ ସେମାନଙ୍କ କଥାରେ ଅବଧାନ କଲେ ନାହିଁ। ବରଂ ରାଜା ବାରୂଖ ଲେଖକକୁ ଓ ଯିରିମିୟ ଭାବବାଦୀଙ୍କୁ ଧରିବା ନିମନ୍ତେ ରାଜପୁତ୍ର ଯିରହମେଲକୁ, ଅସ୍ରୀୟେଲର ପୁତ୍ର ସରାୟକୁ ଓ ଅବ୍ଦେଲର ପୁତ୍ର ଶେଲିମୀୟକୁ ଆଜ୍ଞା ଦେଲେ; ମାତ୍ର ଆମ୍ଭମାନଙ୍କ ପିତା ସେମାନଙ୍କୁ ଲୁଚାଇ ରଖିଲେ।

ଯିରିମିୟ ବୋଲିବାରୁ ବାରୂଖ ଯେଉଁସବୁ ବାକ୍ୟ ଲେଖିଥିଲେ, ତତ୍‌ସମେତ ସେହି ନଳାକାର ପୁସ୍ତକ ରାଜା ଦଗ୍ଧ କଲା ଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଯିରିମିୟଙ୍କ ନିକଟକୁ ଉପସ୍ଥିତ ହେଲା,

“ତୁମ୍ଭେ ପୁନର୍ବାର ଆଉ ଗୋଟିଏ ନଳାକାର ପୁସ୍ତକ ନେଇ, ଯିହୁଦାର ରାଜା ଯିହୋୟାକୀମ ଦଗ୍ଧ କରିଥିବା ପ୍ରଥମ ପୁସ୍ତକରେ ଯେଉଁସବୁ ବାକ୍ୟ ଥିଲା, ସେହି ସମସ୍ତ ବାକ୍ୟ ତହିଁ ଉପରେ ଲେଖ। ଆଉ, ଯିହୁଦାର ରାଜା ଯିହୋୟାକୀମ ବିଷୟରେ ତୁମ୍ଭେ କହିବ, ଆମ୍ଭମାନଙ୍କ ପିତା ଏହା କହନ୍ତି, ତୁମ୍ଭେ ଏହି ନଳାକାର ପୁସ୍ତକ ଦଗ୍ଧ କରି କହିଲ, ‘ବାବିଲର ରାଜା ନିଶ୍ଚୟ ଆସି ଏହି ଦେଶ ଉଚ୍ଛିନ୍ନ କରିବ ଓ ଏଠାରୁ ମନୁଷ୍ୟ ଓ ପଶୁ ଲୋପ କରିବ ବୋଲି ତୁମ୍ଭେ ତହିଁ ଉପରେ କାହିଁକି ଲେଖିଲ?’ ଏଣୁ, ଯିହୁଦାର ରାଜା ଯିହୋୟାକୀମ ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ଦାଉଦଙ୍କ ସିଂହାସନରେ ବସିବା ପାଇଁ ତାହାର କେହି ହେବ ନାହିଁ; ପୁଣି, ତାହାର ଶବ ଦିନ ବେଳେ ଖରା ଓ ରାତ୍ରି ବେଳେ ଶୀତରେ ପକାଯିବ। ପୁଣି, ଆମ୍ଭେ ତାହାର ଅଧର୍ମ ସକାଶୁ ତାହାକୁ, ତାହାର ବଂଶକୁ ଓ ତାହାର ଦାସମାନଙ୍କୁ ଦଣ୍ଡ ଦେବା; ଆଉ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯେଉଁ ସମସ୍ତ ବିପଦ କହିଅଛୁ, ତାହା ସେମାନଙ୍କ ଉପରେ, ଯିରୂଶାଲମ ନିବାସୀମାନଙ୍କ ଉପରେ ଓ ଯିହୁଦାର ଲୋକମାନଙ୍କ ଉପରେ ଘଟାଇବା; ମାତ୍ର ସେମାନେ ଶୁଣିଲେ ନାହିଁ।”

ଏଣୁ ଯିରିମିୟ ଆଉ ଗୋଟିଏ ନଳାକାର ପୁସ୍ତକ ନେଇ, ତାହା ନେରୀୟର ପୁତ୍ର ବାରୂଖ ଲେଖକକୁ ଦେଲେ, ଆଉ ଯିହୁଦାର ରାଜା ଯିହୋୟାକୀମ ଅଗ୍ନିରେ ଦଗ୍ଧ କରିଥିବା ପୁସ୍ତକର ସମସ୍ତ ବାକ୍ୟ, ଆଉ ତତ୍‌ସଦୃଶ ଅନେକ ବାକ୍ୟ ଯିରିମିୟ ବୋଲିବାରୁ ବାରୂଖ ତହିଁ ଉପରେ ଲେଖିଲେ।