ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆମ୍ଭମାନଙ୍କ ପିତା ସିଦିକୀୟଙ୍କୁ କଥା କହନ୍ତି

ସିଦିକିୟଙ୍କୁ କୁହାଯାଏ ଯେ ସେ ନବୂଖଦ୍‌ନିତ୍ସରଙ୍କୁ ମୁହାଁମୁହିଁ ଦେଖିବେ, କିନ୍ତୁ ଶାନ୍ତିରେ ମରିବେ। ତାʼପରେ ଯିରୂଶାଲମର ମାଲିକମାନେ ନିୟମ ଅନୁସାରେ ସେମାନଙ୍କ ଏବ୍ରୀ ଦାସମାନଙ୍କୁ ମୁକ୍ତ କରନ୍ତି, ଏବଂ ପୁଣି ଫେରାଇ ନିଅନ୍ତି। ସେମାନେ ମୁକ୍ତି ଘୋଷଣା କରିବାକୁ ଚାହିଁଲେ ନାହିଁ ବୋଲି, ଆମ୍ଭମାନଙ୍କ ପିତା ସେମାନଙ୍କ ପାଇଁ ମୁକ୍ତି ଘୋଷଣା କରନ୍ତି — ଖଡ୍ଗ, ମହାମାରୀ ଓ ଦୁର୍ଭିକ୍ଷ ନିମନ୍ତେ।

ଅଧ୍ୟାୟ 34।

ବାବିଲର ରାଜା ନବୂଖଦ୍‌ନିତ୍‌ସର, ତାହାର ସମସ୍ତ ସୈନ୍ୟ ଓ ତାହାର ଶାସନାଧୀନ ସମସ୍ତ ରାଜ୍ୟ ପୁଣି ସମସ୍ତ ଗୋଷ୍ଠୀ ଯିରୂଶାଲମ ଓ ତହିଁର ସମସ୍ତ ନଗର ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ଆମ୍ଭମାନଙ୍କ ପିତାଙ୍କଠାରୁ ଯିରିମିୟଙ୍କ ନିକଟକୁ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି:

ଇସ୍ରାଏଲର ଆମ୍ଭମାନଙ୍କ ପିତା କହନ୍ତି, ଯାଅ, ଯିହୂଦାର ରାଜା ସିଦିକୀୟଙ୍କୁ କଥା କୁହ, ତାହାଙ୍କୁ କୁହ, ଆମ୍ଭମାନଙ୍କ ପିତା କହନ୍ତି, ଦେଖ, ଆମ୍ଭେ ଏହି ନଗରକୁ ବାବିଲ ରାଜାର ହସ୍ତରେ ସମର୍ପଣ କରୁଅଛୁ ଓ ସେ ଏହାକୁ ଅଗ୍ନିରେ ଦଗ୍ଧ କରିବ। ଆଉ ତୁମ୍ଭେ ତାହାର ହସ୍ତରୁ ରକ୍ଷା ପାଇବ ନାହିଁ, ମାତ୍ର ନିଶ୍ଚୟ ଧରାଯାଇ ତାହା ହସ୍ତରେ ସମର୍ପିତ ହେବ; ପୁଣି ତୁମ୍ଭର ଚକ୍ଷୁ ବାବିଲ ରାଜାର ଚକ୍ଷୁ ଦେଖିବ ଓ ସେ ମୁଖାମୁଖି ହୋଇ ତୁମ୍ଭ ସଙ୍ଗେ କଥା କହିବ, ଆଉ ତୁମ୍ଭେ ବାବିଲକୁ ଯିବ।

ତଥାପି ହେ ଯିହୂଦାର ରାଜା ସିଦିକୀୟ, ତୁମ୍ଭ ପିତାଙ୍କ ବାକ୍ୟ ଶୁଣ; ତୁମ୍ଭ ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ତୁମ୍ଭେ ଖଡ୍‌ଗ ଦ୍ଵାରା ମରିବ ନାହିଁ;

ତୁମ୍ଭେ ଶାନ୍ତିରେ ମରିବ; ପୁଣି ତୁମ୍ଭର ପୂର୍ବବର୍ତ୍ତୀ ଯେଉଁ ରାଜାମାନେ ତୁମ୍ଭର ପିତୃପୁରୁଷ ଥିଲେ, ସେମାନଙ୍କ ନିମନ୍ତେ ଯେପରି ସୁଗନ୍ଧି ଦ୍ରବ୍ୟ ଦଗ୍ଧ କରାଯାଇଥିଲା, ସେହିପରି ଲୋକମାନେ ତୁମ୍ଭ ନିମନ୍ତେ ଦଗ୍ଧ କରିବେ ଓ, ‘ହାୟ ପ୍ରଭୁ!’ ବୋଲି କହି ତୁମ୍ଭ ପାଇଁ ବିଳାପ କରିବେ; କାରଣ ଆମ୍ଭେ ଏହି କଥା କହିଅଛୁ, ଏହା ତୁମ୍ଭ ପିତା କହନ୍ତି।

ସେତେବେଳେ ଯିରିମିୟ ଭବିଷ୍ୟଦ୍‌ବକ୍ତା ଯିରୂଶାଲମରେ ଯିହୂଦାର ରାଜା ସିଦିକୀୟଙ୍କୁ ଏହିସବୁ କଥା କହିଲେ, ସେହି ସମୟରେ ବାବିଲ ରାଜାର ସୈନ୍ୟ ଯିରୂଶାଲମ ବିରୁଦ୍ଧରେ ଓ ଯିହୂଦାର ଅବଶିଷ୍ଟ ସମସ୍ତ ନଗର, ଅର୍ଥାତ୍ ଲାଖୀଶ୍ ଓ ଅସେକା ବିରୁଦ୍ଧରେ ଯୁଦ୍ଧ କରୁଥିଲା; କାରଣ ଯିହୂଦାର ପ୍ରାଚୀରବେଷ୍ଟିତ ନଗରସମୂହ ମଧ୍ୟରୁ କେବଳ ଏହିସବୁ ଅବଶିଷ୍ଟ ଥିଲା।

ପିତା ଏକ ଭଙ୍ଗ ହୋଇଥିବା ନିୟମର ବିଚାର କରନ୍ତି

ସିଦିକୀୟ ରାଜା ଯିରୂଶାଲମସ୍ଥିତ ସମସ୍ତ ଲୋକଙ୍କ ସଙ୍ଗେ ଏକ ନିୟମ କରି ସେମାନଙ୍କ ନିକଟରେ ମୁକ୍ତି ଘୋଷଣା କଲା ଉତ୍ତାରେ ଆମ୍ଭମାନଙ୍କ ପିତାଙ୍କଠାରୁ ଯିରିମିୟଙ୍କ ନିକଟକୁ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତାହା ଏହି: ପ୍ରତ୍ୟେକେ ଆପଣା ଏବ୍ରୀୟ ଦାସ ଓ ଦାସୀକୁ ମୁକ୍ତ କରିବ, ଯେପରି କେହି ଆପଣା ଭ୍ରାତା ଯିହୂଦୀକୁ ଦାସ କରି ନ ରଖିବ। ପୁଣି ଯେଉଁ ସମସ୍ତ ଅଧିପତି ଓ ଲୋକ ଏହି ନିୟମରେ ପ୍ରବେଶ କରିଥିଲେ, ସେମାନେ ପ୍ରତ୍ୟେକେ ଆପଣା ଦାସ ଓ ଦାସୀକୁ ମୁକ୍ତ କରିବେ, ସେମାନଙ୍କୁ ଆଉ ଦାସତ୍ଵରେ ନ ରଖିବେ ବୋଲି ଶୁଣି ମାନିଲେ ଓ ସେମାନଙ୍କୁ ମୁକ୍ତ କଲେ। ମାତ୍ର ତହିଁ ଉତ୍ତାରେ ସେମାନେ ବିମୁଖ ହୋଇ, ଯେଉଁ ଦାସ ଓ ଦାସୀମାନଙ୍କୁ ମୁକ୍ତ କରିଥିଲେ, ସେମାନଙ୍କୁ ପୁନର୍ବାର ନେଇ ବଳାତ୍କାରରେ ପୁନର୍ବାର ଦାସ ଓ ଦାସୀ କଲେ।

ଏଣୁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହୋଇ ଏହା କହିଲା,

ଇସ୍ରାଏଲର ଆମ୍ଭମାନଙ୍କ ପିତା ଏହା କହନ୍ତି, “ଆମ୍ଭେ ତୁମ୍ଭମାନଙ୍କ ପିତୃପୁରୁଷଗଣକୁ ମିସର ଦେଶରୁ, ଦାସଗୃହରୁ ବାହାର କରି ଆଣିବା ଦିନରେ ଆପେ ସେମାନଙ୍କ ସଙ୍ଗେ ଏକ ନିୟମ କରି କହିଲୁ, ସାତ ବର୍ଷର ଅନ୍ତରେ ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଯେଉଁ ଏବ୍ରୀୟ ଭ୍ରାତା ତୁମ୍ଭ ନିକଟରେ ବିକ୍ରୀତ ହୋଇ ଛଅ ବର୍ଷ ଦାସ୍ୟକର୍ମ କରିଅଛି, ତାହାକୁ ମୁକ୍ତ କରିବ; ତାହାକୁ ସ୍ଵାଧୀନ କରି ଛାଡ଼ିଦେବ। ମାତ୍ର ତୁମ୍ଭମାନଙ୍କ ପିତୃପୁରୁଷଗଣ ଆମ୍ଭ କଥା ଶୁଣିଲେ ନାହିଁ କିଅବା କର୍ଣ୍ଣପାତ କଲେ ନାହିଁ। ପୁଣି ତୁମ୍ଭେମାନେ ଏବେ ବିମୁଖ ହୋଇ ଆମ୍ଭ ଦୃଷ୍ଟିରେ ଯାହା ନ୍ୟାୟ, ତାହା କଲ, ପ୍ରତ୍ୟେକେ ଆପଣା ପ୍ରତିବାସୀ ନିକଟରେ ମୁକ୍ତି ଘୋଷଣା କଲ ଓ ଆମ୍ଭ ନାମରେ ଖ୍ୟାତ ଗୃହରେ ଆମ୍ଭ ସମ୍ମୁଖରେ ଏକ ନିୟମ କଲ। ମାତ୍ର ତୁମ୍ଭେମାନେ ବିମୁଖ ହୋଇ ଆମ୍ଭ ନାମ ଅପବିତ୍ର କଲ; ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଯେଉଁ ଦାସ ଓ ଦାସୀମାନଙ୍କୁ ସେମାନଙ୍କ ଇଚ୍ଛାନୁସାରେ ଯିବା ନିମନ୍ତେ ମୁକ୍ତ କରିଥିଲ, ସେମାନଙ୍କୁ ପୁନର୍ବାର ନେଇ ପୁନର୍ବାର ଆପଣା ଦାସ ଓ ଦାସୀ ହେବା ପାଇଁ ବଳାତ୍କାର କଲ।”

ଏହେତୁ ଆମ୍ଭମାନଙ୍କ ପିତା ଏହା କହନ୍ତି, “ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଭ୍ରାତା ଓ ପ୍ରତିବାସୀ ନିକଟରେ ମୁକ୍ତି ଘୋଷଣା କରିବା ବିଷୟରେ ଆମ୍ଭ କଥା ଶୁଣିଲ ନାହିଁ; ଏଣୁ ଦେଖ, ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ଖଡ୍‌ଗ, ମହାମାରୀ ଓ ଦୁର୍ଭିକ୍ଷ ପ୍ରତି ମୁକ୍ତି ଘୋଷଣା କରୁଅଛୁ, ଏହା ତୁମ୍ଭମାନଙ୍କ ପିତା କହନ୍ତି; ଆଉ ଆମ୍ଭେ ତୁମ୍ଭମାନଙ୍କୁ ପୃଥିବୀର ପ୍ରତ୍ୟେକ ରାଜ୍ୟ ମଧ୍ୟରେ ଭୀତିଜନକ ବସ୍ତୁ କରିବା। ପୁଣି ଯେଉଁ ଲୋକମାନେ ଆମ୍ଭ ନିୟମ ଲଙ୍ଘନ କରିଅଛନ୍ତି, ଆମ୍ଭ ସମ୍ମୁଖରେ ଯେଉଁ ନିୟମର ବାକ୍ୟ କରିଥିଲେ, ତାହା ପାଳନ କରି ନାହାନ୍ତି, ଯେଉଁ ଗୋବତ୍ସକୁ ସେମାନେ ଦୁଇ ଖଣ୍ଡ କରି ତହିଁର ଖଣ୍ଡ ମଧ୍ୟଦେଇ ଗମନ କଲେ, ତାହା ପରି ସେହି ଲୋକମାନଙ୍କୁ ଆମ୍ଭେ ସମର୍ପଣ କରିବା— a a v18 ପ୍ରାଚୀନ ନିୟମ ସମ୍ବନ୍ଧୀୟ ବିଧିବିଧାନରେ ପକ୍ଷଦ୍ଵୟ ଗୋଟିଏ ବଧ କରାଯାଇଥିବା ପଶୁର ଦୁଇ ଖଣ୍ଡ ମଧ୍ୟଦେଇ ଗମନ କରୁଥିଲେ, ନିୟମ ଲଙ୍ଘନ କଲେ ଆପଣାମାନଙ୍କ ଉପରେ ସେହି ସମାନ ଦଣ୍ଡ ବର୍ତ୍ତୁ ବୋଲି ପ୍ରାର୍ଥନା କରୁଥିଲେ। ଅର୍ଥାତ୍, ଯିହୂଦାର ଓ ଯିରୂଶାଲମର ଅଧିପତିଗଣ, ରାଜକର୍ମଚାରୀଗଣ, ଯାଜକଗଣ ଓ ଦେଶର ଯେଉଁ ଲୋକ ସମସ୍ତେ ଗୋବତ୍ସର ଖଣ୍ଡ ମଧ୍ୟଦେଇ ଗମନ କଲେ, ସେମାନଙ୍କୁ ଆମ୍ଭେ ସମର୍ପଣ କରିବା। ଆମ୍ଭେ ସେମାନଙ୍କୁ ସେମାନଙ୍କ ଶତ୍ରୁଗଣ ହସ୍ତରେ ଓ ସେମାନଙ୍କ ପ୍ରାଣାନ୍ଵେଷଣକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ ସେମାନଙ୍କ ଶବ ଆକାଶର ପକ୍ଷୀଗଣର ଓ ପୃଥିବୀର ପଶୁଗଣର ଭକ୍ଷ୍ୟ ହେବ। ପୁଣି ଯିହୂଦାର ରାଜା ସିଦିକୀୟ ଓ ତାହାର ଅଧିପତିଗଣକୁ ଆମ୍ଭେ ସେମାନଙ୍କ ଶତ୍ରୁଗଣ ହସ୍ତରେ, ସେମାନଙ୍କ ପ୍ରାଣାନ୍ଵେଷଣକାରୀମାନଙ୍କ ହସ୍ତରେ ଓ ତୁମ୍ଭମାନଙ୍କ ନିକଟରୁ ଉଠିଯାଇଥିବା ବାବିଲ ରାଜାର ସୈନ୍ୟ ହସ୍ତରେ ସମର୍ପଣ କରିବା। ଦେଖ, ଆମ୍ଭେ ଆଜ୍ଞା ଦେଉଅଛୁ, ଏହା ତୁମ୍ଭମାନଙ୍କ ପିତା କହନ୍ତି, ପୁଣି ଆମ୍ଭେ ସେମାନଙ୍କୁ ଏହି ନଗରକୁ ଫେରାଇ ଆଣିବା; ଆଉ ସେମାନେ ଏହା ବିରୁଦ୍ଧରେ ଯୁଦ୍ଧ କରିବେ, ଏହା ଅଧିକାର କରିବେ ଓ ଏହାକୁ ଅଗ୍ନିରେ ଦଗ୍ଧ କରିବେ; ପୁଣି ଆମ୍ଭେ ଯିହୂଦାର ନଗରସମୂହକୁ ନିବାସୀବିହୀନ ଧ୍ଵଂସସ୍ଥାନ କରିବା।”