ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ହୋଶେୟ, ଇସ୍ରାଏଲର ଶେଷ ରାଜା

ତିନି ବର୍ଷର ଅବରୋଧ ପରେ ଶମରିୟାର ପତନ ହୁଏ ଏବଂ ଇସ୍ରାଏଲ ନିର୍ବାସିତ ହୁଏ। ଲେଖକ କାହାଣୀ ଅଟକାଇ କାରଣ କହନ୍ତି: ପ୍ରତ୍ୟେକ ଭବିଷ୍ୟଦ୍‌ବକ୍ତାଙ୍କ ଚେତାବନୀ ସତ୍ତ୍ୱେ ସେମାନେ ମୂର୍ତ୍ତିମାନଙ୍କର ସେବା କଲେ। ଦେଶରେ ବସାଯାଇଥିବା ବିଦେଶୀମାନଙ୍କୁ ଆମ ପିତାଙ୍କୁ ଭୟ କରିବାକୁ ଶିଖାଯାଏ, ତଥାପି ସେମାନେ ନିଜ ଦେବତାମାନଙ୍କ ସେବା କରି ଚାଲନ୍ତି, ଏବଂ ସେମାନଙ୍କ ସନ୍ତାନମାନେ ଆଜି ବି ସେପରି କରନ୍ତି।

ଅଧ୍ୟାୟ 17।

ଯିହୂଦାର ରାଜା ଆହସ୍‌ଙ୍କ ରାଜତ୍ଵର ଦ୍ଵାଦଶ ବର୍ଷରେ ଏଲାର ପୁତ୍ର ହୋଶେୟ ଶମରୀୟାରେ ଇସ୍ରାଏଲ ଉପରେ ରାଜା ହେଲା, ଆଉ ସେ ନଅ ବର୍ଷ ରାଜ୍ୟ କଲା। ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲା, ତଥାପି ଆପଣା ପୂର୍ବବର୍ତ୍ତୀ ଇସ୍ରାଏଲର ରାଜାମାନଙ୍କ ପରି ନୁହେଁ। ଅଶୂରର ରାଜା ଶଲମନେଷର ତାହା ବିରୁଦ୍ଧରେ ଆସିଲା, ଆଉ ହୋଶେୟ ତାହାର ଅଧୀନ ହୋଇ ତାହାକୁ କର ଦେଲା। ମାତ୍ର ହୋଶେୟ ଯେ ବିଶ୍ଵାସଘାତକତା କରୁଅଛି, ଏହା ଅଶୂରର ରାଜା ଜାଣିଲା; କାରଣ ସେ ମିସରର ରାଜା ସୋ ନିକଟକୁ ଦୂତମାନଙ୍କୁ ପଠାଇଥିଲା ଓ ପୂର୍ବ ପରି ଅଶୂରର ରାଜାକୁ ବାର୍ଷିକ କର ଦେବା ବନ୍ଦ କରିଥିଲା। ଏଣୁ ଅଶୂରର ରାଜା ତାହାକୁ ଧରି ବନ୍ଦୀଶାଳାରେ ଆବଦ୍ଧ କଲା। ପୁଣି ଅଶୂରର ରାଜା ସମୁଦାୟ ଦେଶ ଆକ୍ରମଣ କଲା, ଆଉ ଶମରୀୟାକୁ ଆସି ତିନି ବର୍ଷ ପର୍ଯ୍ୟନ୍ତ ତାହା ଅବରୋଧ କଲା।

ଶମରୀୟା ଅଶୂରର ହସ୍ତଗତ ହୁଏ

ହୋଶେୟର ରାଜତ୍ଵର ନବମ ବର୍ଷରେ ଅଶୂରର ରାଜା ଶମରୀୟାକୁ ହସ୍ତଗତ କଲା ଓ ଇସ୍ରାଏଲକୁ ଅଶୂରକୁ ନିର୍ବାସିତ କରି ହଲହରେ, ଗୋଜନର ହାବୋର ନଦୀ ତୀରରେ ଓ ମାଦୀୟମାନଙ୍କ ନଗରସମୂହରେ ବସାଇଲା।

ଏହିସବୁ ଘଟିଲା, କାରଣ ଇସ୍ରାଏଲ ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ପାପ କରିଥିଲା, ଯେ କି ସେମାନଙ୍କୁ ମିସରଠାରୁ, ମିସରର ରାଜା ଫାରୋର ହସ୍ତ ତଳୁ ବାହାର କରି ଆଣିଥିଲେ; ଆଉ ସେମାନେ ଅନ୍ୟ ଦେବଗଣର ପୂଜା କଲେ, ପୁଣି ଆମ୍ଭମାନଙ୍କ ପିତା ସେମାନଙ୍କ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇଥିଲେ, ସେମାନଙ୍କ ବ୍ୟବହାର ଅନୁସାରେ ଓ ଇସ୍ରାଏଲର ରାଜାମାନେ ଯାହା ପ୍ରଚଳନ କରିଥିଲେ, ତଦନୁସାରେ ଚାଲିଲେ। ଇସ୍ରାଏଲ ଗୋପନରେ ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ଅନ୍ୟାୟ କଲା, ଆଉ ପ୍ରହରୀ-ଦୁର୍ଗଠାରୁ ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ଆପଣାମାନଙ୍କ ସମସ୍ତ ନଗରରେ ଉଚ୍ଚସ୍ଥଳୀ ନିର୍ମାଣ କଲା। ଆଉ ସେମାନେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ସତେଜ ବୃକ୍ଷ ତଳେ ଆପଣାମାନଙ୍କ ନିମନ୍ତେ ପବିତ୍ର ସ୍ତମ୍ଭ ଓ ଆଶେରା-ମୂର୍ତ୍ତି ସ୍ଥାପନ କଲେ। ପୁଣି ଆମ୍ଭମାନଙ୍କ ପିତା ସେମାନଙ୍କ ସମ୍ମୁଖରୁ ଯେଉଁ ଗୋଷ୍ଠୀୟମାନଙ୍କୁ ତଡ଼ିଦେଇଥିଲେ, ସେମାନଙ୍କ ପରି ସେମାନେ ପ୍ରତ୍ୟେକ ଉଚ୍ଚସ୍ଥଳୀରେ ଧୂପ ଜଳାଇଲେ। ସେମାନେ ଏପରି କୁକର୍ମ କଲେ, ଯଦ୍ଦ୍ଵାରା ଆମ୍ଭମାନଙ୍କ ପିତା କ୍ରୋଧିତ ହେଲେ।

ଆମ୍ଭମାନଙ୍କ ପିତା ସେମାନଙ୍କୁ କହିଥିଲେ ହେଁ ସେମାନେ ଦେବତାମାନଙ୍କର ସେବା କଲେ, “ତୁମ୍ଭେମାନେ ଏହା କରିବ ନାହିଁ।” ଆମ୍ଭମାନଙ୍କ ପିତା ପ୍ରତ୍ୟେକ ଭବିଷ୍ୟଦ୍‌ବକ୍ତା ଓ ଦର୍ଶକ ଦ୍ଵାରା ଇସ୍ରାଏଲ ଓ ଯିହୂଦାକୁ ସତର୍କ କରାଇ କହିଲେ, “ତୁମ୍ଭେମାନେ ଆପଣାମାନଙ୍କ କୁପଥରୁ ଫେର, ଆଉ ଆମ୍ଭର ଆଜ୍ଞା ଓ ବିଧି, ଅର୍ଥାତ୍‌, ଆମ୍ଭେ ଯାହା ତୁମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ଦେଇଥିଲୁ ଓ ଆପଣା ଦାସ ଭବିଷ୍ୟଦ୍‌ବକ୍ତାମାନଙ୍କ ଦ୍ଵାରା ତୁମ୍ଭମାନଙ୍କ ନିକଟକୁ ପଠାଇଥିଲୁ, ସେହି ସମସ୍ତ ବ୍ୟବସ୍ଥା ପାଳନ କର।”

ତଥାପି ସେମାନେ ଶୁଣିଲେ ନାହିଁ, ମାତ୍ର ଯେଉଁ ପିତୃପୁରୁଷମାନେ ଆମ୍ଭମାନଙ୍କ ପିତାଙ୍କଠାରେ ବିଶ୍ଵାସ କରି ନ ଥିଲେ, ସେମାନଙ୍କ ପରି ସେମାନେ ଆପଣାମାନଙ୍କ ଗ୍ରୀବା ଶକ୍ତ କଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କ ବିଧି, ସେମାନଙ୍କ ପିତୃପୁରୁଷମାନଙ୍କ ସହିତ କୃତ ନିୟମ ଓ ତାହାଙ୍କ ସତର୍କବାଣୀ ଅଗ୍ରାହ୍ୟ କଲେ। ଆଉ ସେମାନେ ଅସାର ଦେବତାମାନଙ୍କ ପଛେ ଦୌଡ଼ି ଆପେ ଅସାର ହେଲେ ଓ ଚତୁର୍ଦ୍ଦିଗସ୍ଥ ଯେଉଁ ଗୋଷ୍ଠୀୟମାନଙ୍କ ଅନୁକରଣ ନ କରିବା ପାଇଁ ଆମ୍ଭମାନଙ୍କ ପିତା ସେମାନଙ୍କୁ ବାରଣ କରିଥିଲେ, ସେମାନଙ୍କ ଅନୁକରଣ କଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କ ସମସ୍ତ ଆଜ୍ଞା ପରିତ୍ୟାଗ କରି ଆପଣାମାନଙ୍କ ନିମନ୍ତେ ଛାଞ୍ଚରେ ଢଳା ଦୁଇଟି ବାଛୁରିମୂର୍ତ୍ତି ଓ ଗୋଟିଏ ଆଶେରା-ମୂର୍ତ୍ତି ନିର୍ମାଣ କଲେ, ପୁଣି ଆକାଶସ୍ଥ ସମସ୍ତ ନକ୍ଷତ୍ରବାହିନୀକୁ ପ୍ରଣାମ କଲେ ଓ ବାଲ୍‌ର ସେବା କଲେ। ପୁଣି ସେମାନେ ଆପଣାମାନଙ୍କ ପୁତ୍ର ଓ କନ୍ୟାମାନଙ୍କୁ ବଳିରୂପେ ଅଗ୍ନିରେ ଦଗ୍ଧ କଲେ, ଗଣକତା ଓ ମନ୍ତ୍ରଚର୍ଚ୍ଚା କଲେ, ଆଉ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ କୁକର୍ମ କରିବା ନିମନ୍ତେ ଆପଣାମାନଙ୍କୁ ବିକ୍ରୟ କରି ତାହାଙ୍କୁ କ୍ରୋଧିତ କଲେ। ଏଣୁ ଆମ୍ଭମାନଙ୍କ ପିତା ଇସ୍ରାଏଲ ପ୍ରତି ଅତ୍ୟନ୍ତ କ୍ରୁଦ୍ଧ ହୋଇ ସେମାନଙ୍କୁ ଆପଣା ଛାମୁରୁ ଦୂର କରିଦେଲେ। କେବଳ ଯିହୂଦା ବଂଶ ଅବଶିଷ୍ଟ ରହିଲା, ଯିହୂଦା ମଧ୍ୟ ଆମ୍ଭମାନଙ୍କ ପିତାଙ୍କ ଆଜ୍ଞା ପାଳନ କଲା ନାହିଁ, ମାତ୍ର ଇସ୍ରାଏଲର ପ୍ରଚଳିତ ବ୍ୟବହାର ଅନୁସାରେ ଚାଲିଲା। ଏଣୁ ଆମ୍ଭମାନଙ୍କ ପିତା ଇସ୍ରାଏଲର ସମଗ୍ର ବଂଶକୁ ଅଗ୍ରାହ୍ୟ କଲେ, ସେମାନଙ୍କୁ କ୍ଲେଶ ଦେଲେ ଓ ଆପଣା ଛାମୁରୁ ସେମାନଙ୍କୁ ନ ତଡ଼ିବା ପର୍ଯ୍ୟନ୍ତ ଲୁଟେରାମାନଙ୍କ ହସ୍ତରେ ସମର୍ପଣ କଲେ। ଯେତେବେଳେ ଆମ୍ଭମାନଙ୍କ ପିତା ଦାଉଦଙ୍କ ବଂଶଠାରୁ ଇସ୍ରାଏଲକୁ ବିଚ୍ଛିନ୍ନ କଲେ, ସେତେବେଳେ ସେମାନେ ନବାଟର ପୁତ୍ର ଯାରବୀୟାମକୁ ଆପଣାମାନଙ୍କ ରାଜା କଲେ। ଆଉ ଯାରବୀୟାମ ଇସ୍ରାଏଲକୁ ଆମ୍ଭମାନଙ୍କ ପିତାଙ୍କ ଅନୁଗମନରୁ ଦୂର କରି ସେମାନଙ୍କ ଦ୍ଵାରା ମହାପାପ କରାଇଲା। ପୁଣି ଯାରବୀୟାମ ଯେଉଁ ସମସ୍ତ ପାପ କରିଥିଲା, ଇସ୍ରାଏଲ-ସନ୍ତାନମାନେ ସେହିସବୁ ପାପରେ ଲିପ୍ତ ରହିଲେ; ସେମାନେ ସେଥିରୁ ଫେରିଲେ ନାହିଁ, ଶେଷରେ ଆମ୍ଭମାନଙ୍କ ପିତା ଆପଣା ଦାସ ସମସ୍ତ ଭବିଷ୍ୟଦ୍‌ବକ୍ତାଙ୍କ ଦ୍ଵାରା ଯେପରି କହିଥିଲେ, ତଦନୁସାରେ ସେମାନଙ୍କୁ ଆପଣା ଛାମୁରୁ ଦୂର କରିଦେଲେ। ଏଣୁ ଇସ୍ରାଏଲ ଆପଣା ଦେଶରୁ ଅଶୂରକୁ ନିର୍ବାସିତ ହୋଇ ଆଜି ପର୍ଯ୍ୟନ୍ତ ସେଠାରେ ରହିଅଛନ୍ତି।

ବିଦେଶୀମାନେ ଦେଶରେ ବସତି ସ୍ଥାପନ କରନ୍ତି

ଆଉ ଅଶୂରର ରାଜା ବାବିଲ, କୂଥା, ଅଵା, ହମାତ୍‌ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲ-ସନ୍ତାନଗଣ ବଦଳେ ସେମାନଙ୍କୁ ଶମରୀୟାର ନଗରସମୂହରେ ବସାଇଲା। ତହିଁରେ ସେମାନେ ଶମରୀୟା ଅଧିକାର କରି ତହିଁର ନଗରସମୂହରେ ବାସ କଲେ। ପୁଣି ସେମାନେ ପ୍ରଥମେ ସେଠାରେ ବାସ କରିବା ସମୟରେ ଆମ୍ଭମାନଙ୍କ ପିତାଙ୍କୁ ଭୟ କଲେ ନାହିଁ; ଏଣୁ ସେ ସେମାନଙ୍କ ମଧ୍ୟକୁ ସିଂହ ପଠାଇଲେ, ତାହା ସେମାନଙ୍କ କେତେକଙ୍କୁ ବଧ କଲା। ତହିଁରେ ସେମାନେ ଅଶୂରର ରାଜାକୁ କହିଲେ, “ଆପଣ ଯେଉଁ ଗୋଷ୍ଠୀୟମାନଙ୍କୁ ନେଇ ଶମରୀୟାର ନଗରସମୂହରେ ବସାଇ ଅଛନ୍ତି, ସେମାନେ ସେହି ଦେଶର ଦେବତା କʼଣ ଚାହେଁ, ତାହା ଜାଣନ୍ତି ନାହିଁ; ଏଣୁ ସେ ସେମାନଙ୍କ ମଧ୍ୟକୁ ସିଂହ ପଠାଇଅଛି, ଆଉ ଦେଖନ୍ତୁ, ଯେହେତୁ ସେମାନେ ସେହି ଦେଶର ଦେବତା କʼଣ ଚାହେଁ, ତାହା ଜାଣନ୍ତି ନାହିଁ, ଏଥିପାଇଁ ତାହା ସେମାନଙ୍କୁ ବଧ କରୁଅଛି।”

ତେବେ ଅଶୂରର ରାଜା ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଯେଉଁ ଯାଜକମାନଙ୍କୁ ସେଠାରୁ ବନ୍ଦୀ କରି ଆଣିଅଛ, ସେମାନଙ୍କ ମଧ୍ୟରୁ ଜଣକୁ ସେଠାକୁ ନେଇଯାଅ; ସେ ଯାଇ ସେଠାରେ ବାସ କରୁ ଓ ସେହି ଦେଶର ଦେବତା କʼଣ ଚାହେଁ, ତାହା ଲୋକମାନଙ୍କୁ ଶିଖାଉ।”

ଏଣୁ ଶମରୀୟାରୁ ବନ୍ଦୀ ହୋଇ ଯାଇଥିବା ଯାଜକମାନଙ୍କ ମଧ୍ୟରୁ ଜଣେ ଆସି ବେଥେଲ୍‌ରେ ବାସ କଲା ଓ ଆମ୍ଭମାନଙ୍କ ପିତାଙ୍କୁ କିପରି ଭୟ କରିବାକୁ ହେବ, ତାହା ସେମାନଙ୍କୁ ଶିଖାଇଲା।

ତଥାପି ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ଦେବତା ନିର୍ମାଣ କରି, ଶମରୀୟମାନେ ଯେଉଁ ଉଚ୍ଚସ୍ଥଳୀର ଗୃହ ନିର୍ମାଣ କରିଥିଲେ, ସେଥିରେ ସ୍ଥାପନ କଲେ; ପ୍ରତ୍ୟେକ ଗୋଷ୍ଠୀ ଆପଣା ଆପଣା ବାସସ୍ଥାନ ନଗରସମୂହରେ ଏରୂପ କଲେ। ବାବିଲୀୟ ଲୋକମାନେ ସୁକ୍‌କୋତ-ବନୋତ୍‌, କୂଥୀୟ ଲୋକମାନେ ନେର୍ଗଲ୍‌ ଓ ହମାତୀୟ ଲୋକମାନେ ଅଶୀମା ନିର୍ମାଣ କଲେ, ଅଵୀୟମାନେ ନିଭ୍‌ହସ୍‌ ଓ ତର୍ତକ୍‌ ନିର୍ମାଣ କଲେ, ଆଉ ସଫର୍ବୀୟମାନେ ସଫର୍ବୟିମର ଦେବତା ଅଦ୍ରମେଲକ୍‌ ଓ ଅନମ୍ମେଲକ୍‌ ଉଦ୍ଦେଶ୍ୟରେ ଆପଣାମାନଙ୍କ ସନ୍ତାନଗଣକୁ ବଳିରୂପେ ଅଗ୍ନିରେ ଦଗ୍ଧ କଲେ। ପୁଣି ସେମାନେ ଆମ୍ଭମାନଙ୍କ ପିତାଙ୍କୁ ଭୟ କଲେ, ତଥାପି ଆପଣାମାନଙ୍କ ମଧ୍ୟରୁ ଉଚ୍ଚସ୍ଥଳୀ ନିମନ୍ତେ ସର୍ବପ୍ରକାର ଯାଜକ ନିଯୁକ୍ତ କଲେ, ଯେଉଁମାନେ ଉଚ୍ଚସ୍ଥଳୀର ଗୃହରେ ସେମାନଙ୍କ ନିମନ୍ତେ ବଳିଦାନ କଲେ। ସେମାନେ ଆମ୍ଭମାନଙ୍କ ପିତାଙ୍କୁ ଭୟ କଲେ, ତଥାପି ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରୁ ବନ୍ଦୀ ହୋଇ ଆସିଥିଲେ, ସେମାନଙ୍କ ବ୍ୟବହାର ଅନୁସାରେ ଆପଣା ଆପଣା ଦେବତାମାନଙ୍କର ସେବା କଲେ। ଆଜି ପର୍ଯ୍ୟନ୍ତ ସେମାନେ ଆପଣାମାନଙ୍କ ପୂର୍ବ ବ୍ୟବହାର ଅନୁସାରେ କର୍ମ କରନ୍ତି। ସେମାନେ ଆମ୍ଭମାନଙ୍କ ପିତାଙ୍କୁ ଭୟ କରନ୍ତି ନାହିଁ, କିଅବା ଯାକୁବର ସନ୍ତାନଗଣକୁ, ଯାହାଙ୍କ ନାମ ସେ ଇସ୍ରାଏଲ ରଖିଥିଲେ, ଆମ୍ଭମାନଙ୍କ ପିତା ସେମାନଙ୍କୁ ଯେଉଁ ବିଧି, ନିୟମ, ବ୍ୟବସ୍ଥା ଓ ଆଜ୍ଞା ଦେଇଥିଲେ, ତଦନୁସାରେ ଆଚରଣ କରନ୍ତି ନାହିଁ।

ଯେତେବେଳେ ଆମ୍ଭମାନଙ୍କ ପିତା ସେମାନଙ୍କ ସହିତ ଏକ ନିୟମ ସ୍ଥାପନ କଲେ, ସେତେବେଳେ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଅନ୍ୟ ଦେବଗଣର ପୂଜା କରିବ ନାହିଁ, କିଅବା ସେମାନଙ୍କୁ ପ୍ରଣାମ କରିବ ନାହିଁ, ଅଥବା ସେମାନଙ୍କର ସେବା କରିବ ନାହିଁ, କିଅବା ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବ ନାହିଁ। ମାତ୍ର ତୁମ୍ଭମାନଙ୍କ ପିତା ମହାପରାକ୍ରମ ଓ ବିସ୍ତାରିତ ବାହୁ ଦ୍ଵାରା ତୁମ୍ଭମାନଙ୍କୁ ମିସରରୁ ବାହାର କରି ଆଣିଲେ, ତାହାଙ୍କରି ପୂଜା କରିବ। ତାହାଙ୍କୁ ପ୍ରଣାମ କରିବ ଓ ତାହାଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବ। ପୁଣି ସେ ତୁମ୍ଭମାନଙ୍କ ନିମନ୍ତେ ଯେଉଁ ବିଧି, ନିୟମ, ବ୍ୟବସ୍ଥା ଓ ଆଜ୍ଞା ଲେଖିଲେ, ତୁମ୍ଭେମାନେ ସର୍ବଦା ତାହା ଯତ୍ନପୂର୍ବକ ପାଳନ କରିବ। ଅନ୍ୟ ଦେବଗଣର ପୂଜା କରିବ ନାହିଁ। ଆମ୍ଭେ ତୁମ୍ଭମାନଙ୍କ ସହିତ ଯେଉଁ ନିୟମ କରିଅଛୁ, ତାହା ପାସୋରିବ ନାହିଁ, ଆଉ ଅନ୍ୟ ଦେବଗଣର ପୂଜା କରିବ ନାହିଁ। ମାତ୍ର ତୁମ୍ଭମାନଙ୍କ ପିତାଙ୍କରି ପୂଜା କରିବ, ଆଉ ସେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କ ସମସ୍ତ ଶତ୍ରୁର ହସ୍ତରୁ ଉଦ୍ଧାର କରିବେ।”

ତଥାପି ସେମାନେ ଶୁଣିଲେ ନାହିଁ, ମାତ୍ର ଆପଣାମାନଙ୍କ ପୂର୍ବ ବ୍ୟବହାର ଅନୁସାରେ କର୍ମ କଲେ। ଏହିସବୁ ଗୋଷ୍ଠୀ ଆମ୍ଭମାନଙ୍କ ପିତାଙ୍କୁ ଭୟ କଲେ, ତଥାପି ଆପଣା ଆପଣା ଖୋଦିତ ପ୍ରତିମାର ସେବା କଲେ। ସେମାନଙ୍କ ପିତୃପୁରୁଷମାନେ ଯେରୂପ କରିଥିଲେ, ସେମାନଙ୍କ ସନ୍ତାନ ଓ ପୌତ୍ରଗଣ ଆଜି ପର୍ଯ୍ୟନ୍ତ ସେରୂପ କରୁଅଛନ୍ତି।