ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ସମସ୍ତ ଲୋକଙ୍କ ନିମନ୍ତେ ପ୍ରାର୍ଥନା

ପାଉଲ ପ୍ରଥମେ ଅନୁରୋଧ କରନ୍ତି ଯେ ରାଜାମାନଙ୍କ ସମେତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରାଯାଉ, କାରଣ ଆମ୍ଭମାନଙ୍କ ପିତା ଚାହାନ୍ତି ସମସ୍ତ ଲୋକ ପରିତ୍ରାଣ ପାଆନ୍ତୁ, ଏବଂ ଜଣେ ମଧ୍ୟସ୍ଥ, ଖ୍ରୀଷ୍ଟ ଯୀଶୁ, ସମସ୍ତଙ୍କ ପାଇଁ ନିଜକୁ ଦେଲେ। ତାʼପରେ ପୁରୁଷମାନେ କ୍ରୋଧ ବିନା ପ୍ରାର୍ଥନା କରିବେ, ଏବଂ ସ୍ତ୍ରୀମାନେ ଶାଳୀନ ଭାବରେ ବସ୍ତ୍ର ପିନ୍ଧିବେ, ନୀରବରେ ଶିଖିବେ, ଓ ଶିକ୍ଷା ଦେବେ ନାହିଁ।

ଅଧ୍ୟାୟ 2।

ଅତଏବ, ସର୍ବପ୍ରଥମେ ମୁଁ ଅନୁରୋଧ କରୁଅଛି, ସମସ୍ତ ଲୋକଙ୍କ ନିମନ୍ତେ ବିନତି, ପ୍ରାର୍ଥନା, ନିବେଦନ ଓ ଧନ୍ୟବାଦ ଉତ୍ସର୍ଗ କରାଯାଉ, ରାଜାମାନଙ୍କ ଓ ଅଧିକାରପ୍ରାପ୍ତ ସମସ୍ତ ଲୋକଙ୍କ ନିମନ୍ତେ ପ୍ରାର୍ଥନା କରାଯାଉ, ଯେପରି ଆମ୍ଭେମାନେ ପୂର୍ଣ୍ଣ ଈଶ୍ଵରଭକ୍ତି ଓ ଗୌରବ ସହିତ ଶାନ୍ତ ଓ ନିରୁଦ୍ବେଗ ଜୀବନଯାପନ କରିପାରୁ। ଏହା ଉତ୍ତମ ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପିତାଙ୍କ ଦୃଷ୍ଟିରେ ସନ୍ତୋଷଜନକ, ସେ ଇଚ୍ଛା କରନ୍ତି ଯେ ସମସ୍ତ ଲୋକ ପରିତ୍ରାଣ ପ୍ରାପ୍ତ ହୁଅନ୍ତୁ ଓ ସତ୍ୟର ଜ୍ଞାନ ପ୍ରାପ୍ତ ହୁଅନ୍ତୁ। କାରଣ ପିତା ଜଣେ, ଆଉ ପିତା ଓ ମନୁଷ୍ୟଙ୍କ ମଧ୍ୟରେ ମଧ୍ୟସ୍ଥ ମଧ୍ୟ ଜଣେ, ସେ ମନୁଷ୍ୟ ଖ୍ରୀଷ୍ଟ ଯୀଶୁ, ଯେ ସମସ୍ତଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ଵରୂପେ ଆପଣାକୁ ଦେଲେ— ଏହା ଉପଯୁକ୍ତ ସମୟରେ ପ୍ରଦତ୍ତ ସାକ୍ଷ୍ୟ। ଏହି ନିମନ୍ତେ ମୁଁ ଜଣେ ପ୍ରଚାରକ ଓ ପ୍ରେରିତ ରୂପେ ନିଯୁକ୍ତ ହେଲି— ମୁଁ ସତ୍ୟ କହୁଅଛି, ମିଥ୍ୟା କହୁ ନାହିଁ— ବିଶ୍ଵାସ ଓ ସତ୍ୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ। ଅତଏବ ମୁଁ ଇଚ୍ଛା କରୁଅଛି ଯେ ପୁରୁଷମାନେ ସର୍ବତ୍ର କ୍ରୋଧ ଓ ବିତଣ୍ଡା ବିନା ପବିତ୍ର ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରନ୍ତୁ।

ସେହିପରି, ସ୍ତ୍ରୀଲୋକମାନେ ଲଜ୍ଜାଶୀଳତା ଓ ସୁବୁଦ୍ଧି ସହିତ ଉପଯୁକ୍ତ ବସ୍ତ୍ର ପରିଧାନ କରନ୍ତୁ, କେଶବିନ୍ୟାସ, ସୁବର୍ଣ୍ଣ, ମୁକ୍ତା କିମ୍ବା ବହୁମୂଲ୍ୟ ବସ୍ତ୍ର ଦ୍ଵାରା ନୁହେଁ, ମାତ୍ର ଆମ୍ଭମାନଙ୍କ ପିତାଙ୍କ ପ୍ରତି ଭକ୍ତି ସ୍ଵୀକାର କରୁଥିବା ସ୍ତ୍ରୀଲୋକମାନଙ୍କ ପକ୍ଷରେ ଯାହା ଯୋଗ୍ୟ, ସେହି ସତ୍କର୍ମ ଦ୍ଵାରା ସେମାନେ ଆପଣାକୁ ଭୂଷିତ କରନ୍ତୁ। ସ୍ତ୍ରୀଲୋକ ପୂର୍ଣ୍ଣ ବଶ୍ୟତା ସହିତ ନୀରବରେ ଶିକ୍ଷା ଗ୍ରହଣ କରୁ। ଶିକ୍ଷା ଦେବାକୁ କିମ୍ବା ପୁରୁଷ ଉପରେ ଅଧିକାର କରିବାକୁ ମୁଁ ସ୍ତ୍ରୀଲୋକକୁ ଅନୁମତି ଦେଉ ନାହିଁ; ବରଂ ସେ ନୀରବ ରହୁ। କାରଣ ପ୍ରଥମେ ଆଦମ ନିର୍ମିତ ହେଲେ, ତତ୍ପରେ ହବା। ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ସ୍ତ୍ରୀଲୋକ ପ୍ରବଞ୍ଚିତ ହୋଇ ଆଜ୍ଞାଲଙ୍ଘନକାରିଣୀ ହେଲା। ତଥାପି ଯଦି ସେମାନେ ସୁବୁଦ୍ଧି ସହିତ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରୁହନ୍ତି, ତେବେ ସେ ସନ୍ତାନ ପ୍ରସବ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହେବ। a a v15 ସର୍ବନାମ ‘ସେʼରୁ ‘ସେମାନେ’ ପ୍ରତି ପରିବର୍ତ୍ତିତ ହୁଏ— ମୂଳ ପାଠ୍ୟରେ ଯେପରି ଅଛି— ସମ୍ଭବତଃ ଏହି ସଦ୍‌ଗୁଣଗୁଡ଼ିକରେ ସ୍ଥିର ରହୁଥିବା ସ୍ତ୍ରୀଲୋକମାନଙ୍କୁ ସାଧାରଣ ଭାବରେ ବୁଝାଉଅଛି।