ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଦାଉଦ ଯିହୂଦା ଉପରେ ରାଜା ରୂପେ ଅଭିଷିକ୍ତ ହେଲେ

ଦାଉଦ ଆମ୍ଭମାନଙ୍କ ପିତାଙ୍କୁ ପଚାରନ୍ତି କେଉଁଠିକି ଯିବେ, ଏବଂ ହିବ୍ରୋଣକୁ ପଠାଯାଆନ୍ତି, ଯେଉଁଠାରେ ଯିହୁଦା ତାହାଙ୍କୁ ରାଜା ରୂପେ ଅଭିଷେକ କରେ। ଅବ୍‌ନେର ଶାଉଲଙ୍କ ପୁତ୍ରକୁ ଉତ୍ତର ଉପରେ ରାଜମୁକୁଟ ଦିଅନ୍ତି, ଏବଂ ଦୁଇ ବଂଶ ଗିବିୟୋନର ପୁଷ୍କରିଣୀ ନିକଟରେ ଭେଟନ୍ତି। ଏକ ପ୍ରତିଯୋଗିତା ହତ୍ୟାକାଣ୍ଡରେ ପରିଣତ ହୁଏ, ଏବଂ ଅବ୍‌ନେର ଅନିଚ୍ଛାରେ ଯୋୟାବର ଦ୍ରୁତଗାମୀ ଯୁବ ଭାଇ ଅସାହେଲକୁ ବଧ କରନ୍ତି।

ଅଧ୍ୟାୟ 2।

ଏହାପରେ ଦାଉଦ ଆମ୍ଭମାନଙ୍କ ପିତାଙ୍କୁ ପଚାରିଲେ, “ମୁଁ କି ଯିହୂଦାର କୌଣସି ଏକ ନଗରକୁ ଯିବି?” ଆମ୍ଭମାନଙ୍କ ପିତା କହିଲେ, “ଯାଅ।” ଦାଉଦ କହିଲେ, “କେଉଁଠାକୁ?” “ହିବ୍ରୋଣକୁ,” ସେ କହିଲେ।

ତେଣୁ ଦାଉଦ ଆପଣା ଦୁଇ ଭାର୍ଯ୍ୟା, ଯିଷ୍ରିୟେଲୀୟା ଅହୀନୋୟମ ଓ କର୍ମିଲୀୟ ନାବଲର ବିଧବା ଅବୀଗଲଙ୍କ ସହିତ ସେଠାକୁ ଗଲେ। ଆଉ ଦାଉଦ ଆପଣା ସଙ୍ଗୀ ଲୋକମାନଙ୍କୁ, ପ୍ରତ୍ୟେକକୁ ଆପଣା ଆପଣା ପରିବାର ସହିତ ଆଣିଲେ, ପୁଣି ସେମାନେ ହିବ୍ରୋଣର ନଗରସମୂହରେ ବସତି କଲେ। ସେତେବେଳେ ଯିହୂଦାର ଲୋକମାନେ ଆସି ସେଠାରେ ଦାଉଦଙ୍କୁ ଯିହୂଦା ବଂଶ ଉପରେ ରାଜା ରୂପେ ଅଭିଷେକ କଲେ। ଆଉ ଯାବେଶ-ଗିଲୀୟଦର ଲୋକମାନେ ଶାଉଲଙ୍କୁ କବର ଦେଇଅଛନ୍ତି ବୋଲି ସେମାନେ ଦାଉଦଙ୍କୁ ଜଣାଇଲେ। ତହିଁରେ ସେ ଯାବେଶ-ଗିଲୀୟଦର ଲୋକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଆପଣା ପ୍ରଭୁ ଶାଉଲଙ୍କ ପ୍ରତି ଏହି ଦୟା ଦେଖାଇ ତାହାଙ୍କୁ କବର ଦେଇଥିବାରୁ ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ଏବେ ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ପ୍ରତି ଦୟା ଓ ବିଶ୍ଵସ୍ତତା ପ୍ରକାଶ କରନ୍ତୁ; ତୁମ୍ଭେମାନେ ଏହି କର୍ମ କରିଥିବାରୁ ମୁଁ ମଧ୍ୟ ତୁମ୍ଭମାନଙ୍କ ପ୍ରତି ମଙ୍ଗଳ ବ୍ୟବହାର କରିବି। ଏବେ ତୁମ୍ଭମାନଙ୍କ ହସ୍ତ ବଳବାନ ହେଉ ଓ ତୁମ୍ଭେମାନେ ସାହସୀ ହୁଅ, କାରଣ ତୁମ୍ଭମାନଙ୍କ ପ୍ରଭୁ ଶାଉଲ ମୃତ, ପୁଣି ଯିହୂଦା ବଂଶ ମୋତେ ସେମାନଙ୍କ ଉପରେ ରାଜା ରୂପେ ଅଭିଷେକ କରିଅଛନ୍ତି।”

ଅବ୍‌ନେର ଇଶ୍‌ବୋଶତ୍‌କୁ ଇସ୍ରାଏଲ ଉପରେ ରାଜା କଲେ

ମାତ୍ର ଶାଉଲଙ୍କ ସେନାପତି ନେରର ପୁତ୍ର ଅବ୍‌ନେର ଶାଉଲଙ୍କ ପୁତ୍ର ଇଶ୍‌ବୋଶତ୍‌କୁ ନେଇ ପାର କରାଇ ମହନୟିମକୁ ଆଣିଲେ। ପୁଣି ସେ ତାହାକୁ ଗିଲୀୟଦ ଉପରେ, ଅଶୂରୀୟମାନଙ୍କ ଉପରେ, ଯିଷ୍ରିୟେଲ ଉପରେ, ଇଫ୍ରୟିମ ଉପରେ, ବିନ୍ୟାମୀନ ଉପରେ, ଅର୍ଥାତ୍‌ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ। ଶାଉଲଙ୍କ ପୁତ୍ର ଇଶ୍‌ବୋଶତ୍‌ ଇସ୍ରାଏଲ ଉପରେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ଚାଳିଶ ବର୍ଷ ବୟସ୍କ ଥିଲା ଓ ସେ ଦୁଇ ବର୍ଷ ରାଜ୍ୟ କଲା। ମାତ୍ର ଯିହୂଦା ବଂଶ ଦାଉଦଙ୍କ ପଶ୍ଚାଦ୍‌ବର୍ତ୍ତୀ ହେଲା। ଦାଉଦ ହିବ୍ରୋଣରେ ଯିହୂଦା ବଂଶ ଉପରେ ସାତ ବର୍ଷ ଛଅ ମାସ ପର୍ଯ୍ୟନ୍ତ ରାଜା ଥିଲେ।

ଗିବୀୟୋନ୍‌ରେ ଭ୍ରାତା ବିରୁଦ୍ଧରେ ଭ୍ରାତା

ଏଥିଉତ୍ତାରେ ନେରର ପୁତ୍ର ଅବ୍‌ନେର ଶାଉଲଙ୍କ ପୁତ୍ର ଇଶ୍‌ବୋଶତ୍‌ର ଦାସମାନଙ୍କ ସହିତ ମହନୟିମରୁ ଗିବୀୟୋନକୁ ଯାତ୍ରା କଲେ। ଆଉ ସରୁୟାର ପୁତ୍ର ଯୋୟାବ ଓ ଦାଉଦଙ୍କ ଦାସମାନେ ମଧ୍ୟ ବାହାରି ଗିବୀୟୋନର ପୁଷ୍କରିଣୀ ନିକଟରେ ସେମାନଙ୍କ ସଙ୍ଗେ ମିଳିତ ହେଲେ, ପୁଣି ଏକ ଦଳ ପୁଷ୍କରିଣୀର ଏକ ପାର୍ଶ୍ଵରେ ଓ ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାର୍ଶ୍ଵରେ ବସିଲେ। ଏଥିରେ ଅବ୍‌ନେର ଯୋୟାବକୁ କହିଲେ, “ବିନତି କରୁଅଛି, ଯୁବକମାନେ ଉଠି ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଯୋଗିତା କରନ୍ତୁ।” ତହିଁରେ ଯୋୟାବ କହିଲେ, “ସେମାନେ ଉଠନ୍ତୁ।”

ତେଣୁ ସେମାନେ ଉଠି ଗଣନାନୁସାରେ ପାର ହୋଇ ଆସିଲେ, ବିନ୍ୟାମୀନ ଓ ଶାଉଲଙ୍କ ପୁତ୍ର ଇଶ୍‌ବୋଶତ୍‌ ପକ୍ଷରୁ ବାର ଜଣ ଓ ଦାଉଦଙ୍କ ଦାସମାନଙ୍କ ମଧ୍ୟରୁ ବାର ଜଣ। ପୁଣି ପ୍ରତ୍ୟେକେ ଆପଣା ଆପଣା ପ୍ରତିଦ୍ଵନ୍ଦ୍ଵୀର ମସ୍ତକ ଧରି ତାହାର ପାର୍ଶ୍ଵଦେଶରେ ଖଡ୍ଗ ଭୁସି ଦେଲେ, ଆଉ ସେମାନେ ଏକତ୍ର ପଡ଼ିଲେ। ଏଣୁ ଗିବୀୟୋନସ୍ଥ ସେହି ସ୍ଥାନର ନାମ ହିଲ୍‌କତ୍‌-ହତ୍‌ସୁରୀମ ରଖାଗଲା। a a v16 ହିଲ୍‌କତ୍‌-ହତ୍‌ସୁରୀମର ଅର୍ଥ “ଖଡ୍ଗଧାରର କ୍ଷେତ୍ର” — ସେଠାରେ ଲଢ଼ାଯାଇଥିବା ମାରାତ୍ମକ ହସ୍ତାହସ୍ତି ଯୁଦ୍ଧ ହେତୁ ସେହି ସ୍ଥାନର ଏହି ନାମ ହେଲା। ସେହିଦିନ ଯୁଦ୍ଧ ଅତ୍ୟନ୍ତ ଭୟଙ୍କର ଥିଲା, ଆଉ ଅବ୍‌ନେର ଓ ଇସ୍ରାଏଲର ଲୋକମାନେ ଦାଉଦଙ୍କ ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ। ସେଠାରେ ସରୁୟାର ତିନି ପୁତ୍ର ଥିଲେ, ଯୋୟାବ, ଅବୀଶୟ ଓ ଅସାହେଲ; ଆଉ ଅସାହେଲ ବନ୍ୟ ହରିଣ ପରି ଦ୍ରୁତଗାମୀ ଥିଲା। ସେ ଅବ୍‌ନେରଙ୍କ ପଛେ ପଛେ ଗୋଡ଼ାଇଲା ଓ ତାହାଙ୍କ ପଶ୍ଚାଦ୍‌ଗମନ କରିବା ବେଳେ ଦକ୍ଷିଣ କି ବାମକୁ ଫେରିଲା ନାହିଁ। ତେବେ ଅବ୍‌ନେର ପଛକୁ ଅନାଇ କହିଲେ, “ତୁ କି ଅସାହେଲ?” ସେ ଉତ୍ତର ଦେଲା, “ହଁ, ମୁଁ ସେହି।”

ତହିଁରେ ଅବ୍‌ନେର ତାହାକୁ କହିଲେ, “ଦକ୍ଷିଣ କି ବାମକୁ ଫେର, ଯୁବକମାନଙ୍କ ମଧ୍ୟରୁ ଜଣକୁ ଧରି ତାହାର ସାଜ ନେ।” ମାତ୍ର ଅସାହେଲ ତାହାଙ୍କ ପଛେ ଗୋଡ଼ାଇବା ଛାଡ଼ିବାକୁ ରାଜି ହେଲା ନାହିଁ। ଅବ୍‌ନେର ଅସାହେଲକୁ ପୁନର୍ବାର କହିଲେ, “ମୋʼ ପଛରୁ ଫେରିଯା। ତୁ କାହିଁକି ମୋତେ ତୋତେ ଭୂମିରେ ପକାଇବାକୁ ବାଧ୍ୟ କରୁଅଛୁ? ତେବେ ମୁଁ କିପରି ତୋ ଭାଇ ଯୋୟାବଙ୍କୁ ମୁଖ ଦେଖାଇ ପାରିବି?” ତଥାପି ସେ ଫେରିବାକୁ ଅସମ୍ମତ ହେଲା, ତେଣୁ ଅବ୍‌ନେର ବର୍ଚ୍ଛାର ବୁଡ଼ି ଦ୍ଵାରା ତାହାର ପେଟରେ ଆଘାତ କଲେ, ପୁଣି ବର୍ଚ୍ଛା ତାହାର ପିଠି ଦେଇ ବାହାରିଗଲା; ଆଉ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା। ତହିଁରେ ଅସାହେଲ ପଡ଼ି ମରିଥିବା ସ୍ଥାନକୁ ଯେଉଁମାନେ ଆସିଲେ, ସେମାନେ ସମସ୍ତେ ସ୍ଥିର ହୋଇ ଠିଆ ହେଲେ। ମାତ୍ର ଯୋୟାବ ଓ ଅବୀଶୟ ଅବ୍‌ନେରଙ୍କ ପଛେ ଗୋଡ଼ାଇଲେ; ଆଉ ସୂର୍ଯ୍ୟାସ୍ତ ସମୟରେ ସେମାନେ ଗିବୀୟୋନର ପ୍ରାନ୍ତର-ପଥସ୍ଥ ଗୀହର ସମ୍ମୁଖସ୍ଥ ଅମ୍ମା ପର୍ବତ ନିକଟରେ ଉପସ୍ଥିତ ହେଲେ। ତହିଁରେ ବିନ୍ୟାମୀନର ଲୋକମାନେ ଅବ୍‌ନେରଙ୍କ ପଛେ ପଛେ ଏକତ୍ର ହୋଇ ଏକ ଦଳ ହେଲେ ଓ ଏକ ପର୍ବତ ଶିଖରରେ ଠିଆ ହେଲେ। ଏଥିରେ ଅବ୍‌ନେର ଯୋୟାବକୁ ଡାକି କହିଲେ, “ଖଡ୍ଗ କି ଅନନ୍ତକାଳ ଗ୍ରାସ କରିବ? ଏହା ପରିଣାମରେ ତିକ୍ତତା ଆଣିବ ବୋଲି ତୁମ୍ଭେ କି ଜାଣ ନାହିଁ? ତୁମ୍ଭେ କେତେକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ଆପଣା ଭାଇମାନଙ୍କ ପଛେ ଗୋଡ଼ାଇବାରୁ ଫେରିବାକୁ କହିବ ନାହିଁ?”

ତହିଁରେ ଯୋୟାବ କହିଲେ, “ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ, ଯଦି ତୁମ୍ଭେ କହି ନ ଥାʼନ୍ତ, ତେବେ ନିଶ୍ଚୟ ଲୋକମାନେ ପ୍ରଭାତ ପର୍ଯ୍ୟନ୍ତ ଆପଣା ଭାଇମାନଙ୍କ ପଛେ ଗୋଡ଼ାଇଥାʼନ୍ତେ।” ତହୁଁ ଯୋୟାବ ତୂରୀ ବଜାଇଲେ; ତହିଁରେ ସମସ୍ତ ସୈନ୍ୟ ଠିଆ ହୋଇ ଆଉ ଇସ୍ରାଏଲ ପଛେ ଗୋଡ଼ାଇଲେ ନାହିଁ କି ଯୁଦ୍ଧ କଲେ ନାହିଁ। ଆଉ ଅବ୍‌ନେର ଓ ତାହାଙ୍କ ଲୋକମାନେ ସେହି ସମସ୍ତ ରାତ୍ରି ଅରାବା ଦେଇ ଯାତ୍ରା କରି ଯର୍ଦ୍ଦନ ପାର ହୋଇ ସମଗ୍ର ବିଥ୍ରୋଣ ଦେଇ ଯାଇ ମହନୟିମରେ ଉପସ୍ଥିତ ହେଲେ।

ଯୋୟାବ ଅବ୍‌ନେରଙ୍କ ପଛେ ଗୋଡ଼ାଇବାରୁ ଫେରି ସମସ୍ତ ସୈନ୍ୟ ଏକତ୍ର କଲେ, ଆଉ ଦେଖିଲେ ଯେ ଅସାହେଲ ବ୍ୟତୀତ ଦାଉଦଙ୍କ ଲୋକମାନଙ୍କ ମଧ୍ୟରୁ ଊଣେଇଶ ଜଣ ଅନୁପସ୍ଥିତ। ମାତ୍ର ଦାଉଦଙ୍କ ଦାସମାନେ ବିନ୍ୟାମୀନର ଓ ଅବ୍‌ନେରଙ୍କ ସଙ୍ଗୀ ଲୋକମାନଙ୍କ ମଧ୍ୟରୁ ତିନି ଶହ ଷାଠିଏ ଜଣଙ୍କୁ ବଧ କଲେ। ପୁଣି ସେମାନେ ଅସାହେଲକୁ ଉଠାଇ ନେଇ ବେଥଲିହିମସ୍ଥ ତାହାର ପିତାର କବରରେ କବର ଦେଲେ; ଆଉ ଯୋୟାବ ଓ ତାହାଙ୍କ ଲୋକମାନେ ସମସ୍ତ ରାତ୍ରି ଚାଲି ଉଷାକାଳରେ ହିବ୍ରୋଣରେ ଉପସ୍ଥିତ ହେଲେ।