ଲୋକମାନେ ପିତାଙ୍କ ପ୍ରତି ବିଶ୍ଵାସଘାତକତା କରନ୍ତି
ଅଧିକାରୀମାନେ ଜଣାନ୍ତି ଯେ ଇସ୍ରାଏଲର ନିଜ ନେତାମାନେ ହିଁ ଚାରିପାଖ ଜାତିମାନଙ୍କ ସହିତ ବିବାହ କରିବାରେ ଅଗ୍ରଣୀ ହୋଇଛନ୍ତି। ଏଜ୍ରା ନିଜ ବସ୍ତ୍ର ଚିରନ୍ତି, ନିଜ କେଶ ଛିଣ୍ଡାନ୍ତି, ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ସ୍ତମ୍ଭିତ ହୋଇ ବସି ରହନ୍ତି, ତାʼପରେ ଦୋଷକୁ ସ୍ପଷ୍ଟ ଭାବରେ ସ୍ୱୀକାର କରି ପ୍ରାର୍ଥନା କରନ୍ତି ଓ ଆମ ପିତା ସେମାନଙ୍କୁ ସେମାନଙ୍କ ଯୋଗ୍ୟତାଠାରୁ କମ୍ ଦଣ୍ଡ ଦେଇଥିବାରୁ ଆଶ୍ଚର୍ଯ୍ୟ ହୁଅନ୍ତି।
9 1ଏହିସବୁ ସମାପ୍ତ ହେଲା ଉତ୍ତାରେ ଅଧିକାରୀମାନେ ମୋʼ ନିକଟକୁ ଆସି କହିଲେ, “ଇସ୍ରାଏଲ ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଚାରିଆଡ଼ର ଲୋକମାନଙ୍କଠାରୁ, ଅର୍ଥାତ୍ ସେମାନଙ୍କ ଘୃଣ୍ୟ କର୍ମ କରୁଥିବା କିଣାନୀୟ, ହିତ୍ତୀୟ, ପରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସରୀୟ ଓ ଇମୋରୀୟ ଲୋକମାନଙ୍କଠାରୁ ଆପଣାମାନଙ୍କୁ ପୃଥକ୍ ରଖି ନାହାନ୍ତି। 2କାରଣ ସେମାନେ ଆପଣାମାନଙ୍କ ନିମନ୍ତେ ଓ ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କେତେକ କନ୍ୟାକୁ ଭାର୍ଯ୍ୟା ରୂପେ ଗ୍ରହଣ କରିଅଛନ୍ତି, ଆଉ ପବିତ୍ର ବଂଶକୁ ଚାରିଆଡ଼ର ଲୋକମାନଙ୍କ ସହିତ ମିଶ୍ରିତ କରିଅଛନ୍ତି। ପୁଣି ଏହି ବିଶ୍ଵାସଘାତକତାରେ ଅଧିକାରୀ ଓ ପ୍ରଧାନମାନେ ଅଗ୍ରଣୀ ହୋଇଅଛନ୍ତି।”
3ଏହା ଶୁଣି ମୁଁ ଆପଣା ବସ୍ତ୍ର ଓ ଉତ୍ତରୀୟ ଚିରିଲି, ଆପଣା ମସ୍ତକ ଓ ଦାଢ଼ିରୁ କେଶ ଛିଣ୍ଡାଇଲି, ଆଉ ବିସ୍ମିତ ହୋଇ ବସି ପଡ଼ିଲି। 4ସେତେବେଳେ ଇସ୍ରାଏଲର ଈଶ୍ଵର, ଆମ୍ଭମାନଙ୍କ ପିତାଙ୍କ ବାକ୍ୟରେ ଯେଉଁମାନେ କମ୍ପିତ ହେଉଥିଲେ, ସେସମସ୍ତେ ବନ୍ଦୀ ଲୋକମାନଙ୍କ ବିଶ୍ଵାସଘାତକତା ସକାଶେ ମୋʼ ନିକଟରେ ଏକତ୍ର ହେଲେ; ଆଉ ମୁଁ ସନ୍ଧ୍ୟାକାଳୀନ ନୈବେଦ୍ୟ ପର୍ଯ୍ୟନ୍ତ ବିସ୍ମିତ ହୋଇ ବସି ରହିଲି। a a v4 ସନ୍ଧ୍ୟାକାଳୀନ ନୈବେଦ୍ୟ ଥିଲା ଅପରାହ୍ନ ପ୍ରାୟ ତିନି ଘଣ୍ଟା ସମୟରେ ଉତ୍ସର୍ଗିତ ନିତ୍ୟ ଦୈନନ୍ଦିନ ବଳିଦାନ।
5ପୁଣି ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ମୁଁ ଆପଣା ଅବନତି ସ୍ଥାନରୁ ଉଠିଲି, ଆଉ ଚିରାଯାଇଥିବା ବସ୍ତ୍ର ଓ ଉତ୍ତରୀୟ ସହିତ ଆଣ୍ଠୋଇ ପଡ଼ି ଆପଣା ପିତାଙ୍କ ଆଡ଼କୁ ହସ୍ତ ବିସ୍ତାର କଲି, 6ଆଉ ମୁଁ କହିଲି, “ହେ ମୋହର ପିତା, ମୁଁ ଲଜ୍ଜିତ ଓ ଅପମାନିତ ହୋଇ ତୁମ୍ଭ ଆଡ଼କୁ ଆପଣା ମୁଖ ଉଠାଇ ପାରୁ ନାହିଁ, ହେ ମୋହର ପିତା; କାରଣ ଆମ୍ଭମାନଙ୍କ ପାପ ଆମ୍ଭମାନଙ୍କ ମସ୍ତକରୁ ଉଚ୍ଚରେ ବୃଦ୍ଧି ପାଇଅଛି, ଆଉ ଆମ୍ଭମାନଙ୍କ ଅପରାଧ ଆକାଶ ପର୍ଯ୍ୟନ୍ତ ବଢ଼ିଅଛି। 7ଆମ୍ଭମାନଙ୍କ ପିତୃପୁରୁଷଙ୍କ ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ମହା ଅପରାଧରେ ପଡ଼ିଅଛୁ; ପୁଣି ଆମ୍ଭମାନଙ୍କ ପାପ ସକାଶେ ଆମ୍ଭେମାନେ—ଆମ୍ଭମାନଙ୍କ ରାଜାଗଣ ଓ ଯାଜକମାନେ—ନାନା ଦେଶର ରାଜାମାନଙ୍କ ହସ୍ତରେ, ଖଡ୍ଗ, ବନ୍ଦୀତ୍ଵ, ଲୁଟ ଓ ଆଜିକାର ପରି ମୁଖମଣ୍ଡଳର ପ୍ରକାଶ୍ୟ ଲଜ୍ଜାରେ ସମର୍ପିତ ହୋଇଅଛୁ। 8ମାତ୍ର ଏବେ ଅଳ୍ପ କ୍ଷଣ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କଠାରୁ ଅନୁଗ୍ରହ ଉପସ୍ଥିତ ହୋଇଅଛି, ଯେପରି ସେ ଆମ୍ଭମାନଙ୍କ ନିମନ୍ତେ ଅବଶିଷ୍ଟ ଏକ ଦଳକୁ ରଖିଅଛନ୍ତି ଓ ଆପଣା ପବିତ୍ର ସ୍ଥାନରେ ଆମ୍ଭମାନଙ୍କୁ ଏକ ଦୃଢ଼ ଆଶ୍ରୟ ଦେଇଅଛନ୍ତି, ଯେପରି ଆମ୍ଭମାନଙ୍କ ଚକ୍ଷୁ ଉଜ୍ଜ୍ଵଳ କରି ଆମ୍ଭମାନଙ୍କ ଦାସତ୍ଵରେ ଆମ୍ଭମାନଙ୍କୁ ଅଳ୍ପ ସ୍ଵସ୍ଥତା ଦେବେ। 9ଆମ୍ଭେମାନେ ଦାସ; ତଥାପି ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ଦାସତ୍ଵରେ ଆମ୍ଭମାନଙ୍କୁ ପରିତ୍ୟାଗ କରି ନାହାନ୍ତି। ସେ ପାରସ୍ୟର ରାଜାମାନଙ୍କ ସମ୍ମୁଖରେ ଆମ୍ଭମାନଙ୍କ ପ୍ରତି ଆପଣା ଦୟା ବିସ୍ତାର କଲେ, ଯେପରି ଆମ୍ଭମାନଙ୍କ ପିତାଙ୍କ ଗୃହ ଉଠାଇବାକୁ, ତହିଁର ଭଗ୍ନ ସ୍ଥାନସବୁ ମରାମତି କରିବାକୁ ଓ ଯିହୁଦା ଓ ଯିରୂଶାଲମରେ ଆମ୍ଭମାନଙ୍କୁ ରକ୍ଷାର ପ୍ରାଚୀର ଦେବାକୁ ଆମ୍ଭମାନଙ୍କୁ ସ୍ଵସ୍ଥ କଲେ।
10ଆଉ ଏବେ, ହେ ଆମ୍ଭମାନଙ୍କ ପିତା, ଏହା ଉତ୍ତାରେ ଆମ୍ଭେମାନେ କଅଣ କହିବୁ? କାରଣ ଆମ୍ଭେମାନେ ତୁମ୍ଭର ଆଜ୍ଞାସବୁ ପରିତ୍ୟାଗ କରିଅଛୁ,
11ଯାହା ତୁମ୍ଭେ ତୁମ୍ଭର ଦାସ ଭାବବାଦୀମାନଙ୍କ ଦ୍ଵାରା ଆଜ୍ଞା କରିଥିଲ, “ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବାକୁ ପ୍ରବେଶ କରୁଅଛ, ତାହା ତହିଁ ଲୋକମାନଙ୍କ ଅଶୁଚିତା ଦ୍ଵାରା ଅଶୁଚି ହୋଇଅଛି, ସେମାନଙ୍କ ଘୃଣ୍ୟ ବ୍ୟବହାର ତାହା ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ସେମାନଙ୍କ ମଳିନତାରେ ପରିପୂର୍ଣ୍ଣ କରିଅଛି। 12ଏଣୁ ଏବେ ତୁମ୍ଭେମାନେ ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରମାନଙ୍କୁ ଦିଅ ନାହିଁ କିମ୍ବା ଆପଣା ପୁତ୍ରମାନଙ୍କ ନିମନ୍ତେ ସେମାନଙ୍କ କନ୍ୟାମାନଙ୍କୁ ଗ୍ରହଣ କର ନାହିଁ, ପୁଣି ସେମାନଙ୍କ ଶାନ୍ତି ବା ସେମାନଙ୍କ ମଙ୍ଗଳ କେବେ ଅନ୍ଵେଷଣ କର ନାହିଁ, ଯେପରି ତୁମ୍ଭେମାନେ ବଳବାନ ହୋଇ ଦେଶର ଉତ୍ତମ ଦ୍ରବ୍ୟ ଭୋଜନ କରିବ ଓ ତାହା ଅନନ୍ତକାଳ ପର୍ଯ୍ୟନ୍ତ ଆପଣା ସନ୍ତାନମାନଙ୍କ ନିମନ୍ତେ ଅଧିକାର ରୂପେ ଛାଡ଼ିଯିବ।”
13ଆମ୍ଭମାନଙ୍କ ଦୁଷ୍କର୍ମ ଓ ମହା ଅପରାଧ ସକାଶେ ଆମ୍ଭମାନଙ୍କ ଉପରେ ଏହିସବୁ ଘଟିବା ଉତ୍ତାରେ—ତଥାପି ତୁମ୍ଭେ, ହେ ଆମ୍ଭମାନଙ୍କ ପିତା, ଆମ୍ଭମାନଙ୍କ ପାପର ଯୋଗ୍ୟ ଦଣ୍ଡ ଅପେକ୍ଷା ଅଳ୍ପ ଦଣ୍ଡ ଦେଇ ସଂଯତ ହୋଇଅଛ, ଆଉ ଆମ୍ଭମାନଙ୍କୁ ଏରୂପ ଅବଶିଷ୍ଟ ଏକ ଦଳ ଦେଇଅଛ, 14ଆମ୍ଭେମାନେ କି ପୁନର୍ବାର ତୁମ୍ଭ ଆଜ୍ଞା ଭାଙ୍ଗି ଏହିସବୁ ଘୃଣ୍ୟ କର୍ମ କରୁଥିବା ଲୋକମାନଙ୍କ ସହିତ ବିବାହ ସମ୍ବନ୍ଧ କରିବୁ? ତେବେ ତୁମ୍ଭେ କି ଆମ୍ଭମାନଙ୍କୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ, ଅବଶିଷ୍ଟ କେହି ବା ରକ୍ଷାପ୍ରାପ୍ତ କେହି ନ ରହିବା ପର୍ଯ୍ୟନ୍ତ ଆମ୍ଭମାନଙ୍କ ପ୍ରତି କ୍ରୁଦ୍ଧ ହେବ ନାହିଁ? 15ହେ ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵର, ତୁମ୍ଭେ ଧାର୍ମିକ ଅଟ, କାରଣ ଆଜିକାର ପରି ଆମ୍ଭେମାନେ ରକ୍ଷାପ୍ରାପ୍ତ ଅବଶିଷ୍ଟ ଏକ ଦଳ ହୋଇ ଅଛୁ। ଦେଖ, ଆମ୍ଭେମାନେ ଆପଣା ଅପରାଧରେ ତୁମ୍ଭ ସମ୍ମୁଖରେ ଅଛୁ, ଯଦ୍ୟପି ଏହି ହେତୁ କେହି ତୁମ୍ଭ ସମ୍ମୁଖରେ ଠିଆ ହୋଇ ପାରେ ନାହିଁ।”