ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇକନୀୟରେ ସାହସିକ ସାକ୍ଷ୍ୟ

ଲୁସ୍ତ୍ରାରେ ଜଣେ ଛୋଟା ଲୋକ ଡେଇଁ ଉଠେ, ଆଉ ଜନତା ସ୍ଥିର କରେ ଯେ ବର୍ଣ୍ଣବା ଓ ପାଉଲ ଓହ୍ଲାଇ ଆସିଥିବା ଜିୟୁସ ଓ ହର୍ମୀ। ସେମାନେ ନିଜ ବସ୍ତ୍ର ଚିରି ବଦଳରେ ଜୀବନ୍ତ ପିତାଙ୍କୁ ଦେଖାନ୍ତି। କିଛି ଦିନ ପରେ ସେହି ଜନତା ପାଉଲଙ୍କୁ ପଥର ମାରି ମୃତ ଭାବି ଛାଡ଼ିଦିଏ। ସେ ଉଠି ଆଗକୁ ଚାଲନ୍ତି।

ଅଧ୍ୟାୟ 14।

ଇକନୀୟରେ ସେମାନେ ଏକତ୍ର ଯିହୂଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ ଯିହୂଦୀ ଓ ଗ୍ରୀକ୍‌ ଉଭୟଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ଵାସ କଲେ। କିନ୍ତୁ ଯେଉଁ ଯିହୂଦୀମାନେ ବିଶ୍ଵାସ କରିବାକୁ ଅଗ୍ରାହ୍ୟ କଲେ, ସେମାନେ ଭାଇମାନଙ୍କ ବିରୁଦ୍ଧରେ ଅଣଯିହୂଦୀମାନଙ୍କ ମନକୁ ଉତ୍ତେଜିତ ଓ ବିଷାକ୍ତ କଲେ। ସେମାନେ ବହୁ କାଳ ସେଠାରେ ରହି ପ୍ରଭୁଙ୍କ ନିମନ୍ତେ ସାହସର ସହିତ କଥା କହିଲେ, ଆଉ ପ୍ରଭୁ ସେମାନଙ୍କ ହସ୍ତ ଦ୍ଵାରା ଚିହ୍ନ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହର ବାକ୍ୟକୁ ଦୃଢ଼ କଲେ। କିନ୍ତୁ ନଗରର ଲୋକମାନେ ବିଭକ୍ତ ହେଲେ; କେହି କେହି ଯିହୂଦୀମାନଙ୍କ ପକ୍ଷ, କେହି କେହି ପ୍ରେରିତମାନଙ୍କ ପକ୍ଷ ହେଲେ। ଯେତେବେଳେ ଅଣଯିହୂଦୀ ଓ ଯିହୂଦୀ ଉଭୟେ ଆପଣା ଆପଣା ଅଧିପତିମାନଙ୍କ ସହିତ ସେମାନଙ୍କ ପ୍ରତି ଅତ୍ୟାଚାର କରିବାକୁ ଓ ସେମାନଙ୍କୁ ପ୍ରସ୍ତରାଘାତ କରିବାକୁ ଉଦ୍ୟତ ହେଲେ, ସେତେବେଳେ ସେମାନେ ଏହା ବୁଝି ଲୁକାୟନିଆ ଅଞ୍ଚଳର ଲୁସ୍ତ୍ରା ଓ ଦର୍ବୀ ନଗର ପୁଣି ଚତୁଃପାର୍ଶ୍ଵବର୍ତ୍ତୀ ଅଞ୍ଚଳକୁ ପଳାଇଲେ, ଆଉ ସେଠାରେ ସେମାନେ ସୁସମାଚାର ପ୍ରଚାର କରୁଥିଲେ।

ପିତା ଲୁସ୍ତ୍ରାରେ ସୁସ୍ଥ କରନ୍ତି

ଲୁସ୍ତ୍ରାରେ ଏକ ଜଣ ବସିଥିଲା, ଯାହାର ପାଦ ଅକର୍ମଣ୍ୟ, ଯେ ଜନ୍ମାବଧି ଖୋଡ଼ା ଥିଲା ଓ କେବେ ଚାଲି ନ ଥିଲା। ସେ ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାହା ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁ ତାହାର ସୁସ୍ଥ ହେବା ନିମନ୍ତେ ବିଶ୍ଵାସ ଅଛି ବୋଲି ଦେଖି, ଉଚ୍ଚସ୍ଵରରେ କହିଲେ, “ତୁମ୍ଭ ପାଦରେ ସଳଖ ହୋଇ ଠିଆ ହୁଅ।” ସେତେବେଳେ ସେ ଡେଇଁ ଉଠି ଚାଲିବାକୁ ଲାଗିଲା। ପାଉଲ ଯାହା କଲେ, ତାହା ଦେଖି ଜନସମୂହ ଲୁକାୟନିଆ ଭାଷାରେ ଉଚ୍ଚସ୍ଵରରେ କହିଲେ, “ଦେବତାମାନେ ମନୁଷ୍ୟ ରୂପ ଧରି ଆମ୍ଭମାନଙ୍କ ନିକଟକୁ ଓହ୍ଲାଇ ଆସିଅଛନ୍ତି!” ସେମାନେ ବର୍ଣ୍ଣବ୍ବାଙ୍କୁ ଦ୍ୟୌସ୍‌ ବୋଲି ଡାକିଲେ, ଆଉ ପାଉଲ ପ୍ରଧାନ ବକ୍ତା ହୋଇଥିବାରୁ ତାହାଙ୍କୁ ହର୍ମୀସ୍‌ ବୋଲି ଡାକିଲେ। ନଗର ସମ୍ମୁଖରେ ଥିବା ଦ୍ୟୌସ୍‌ ଦେବତାର ମନ୍ଦିରର ଯାଜକ କେତେକ ବୃଷ ଓ ମାଳ ଦ୍ଵାର ନିକଟକୁ ଆଣି ଜନସମୂହ ସହିତ ବଳିଦାନ କରିବାକୁ ଇଚ୍ଛା କଲା।

କିନ୍ତୁ ଏହା ଶୁଣି ପ୍ରେରିତ ବର୍ଣ୍ଣବ୍ବା ଓ ପାଉଲ ଆପଣା ଆପଣା ବସ୍ତ୍ର ଚିରି ଜନସମୂହ ମଧ୍ୟକୁ ଦୌଡ଼ି ଯାଇ ଉଚ୍ଚସ୍ଵରରେ କହିଲେ, ପୁଣି କହିଲେ, “ହେ ମହାଶୟମାନେ, ତୁମ୍ଭେମାନେ କାହିଁକି ଏହା କରୁଅଛ? ଆମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ସଦୃଶ ସମାନ ସ୍ଵଭାବବିଶିଷ୍ଟ ମନୁଷ୍ୟ। ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ଆଣୁଅଛୁ, ଯେପରି ତୁମ୍ଭେମାନେ ଏହିସବୁ ନିରର୍ଥକ ବସ୍ତୁରୁ ଫେରି ଜୀବନ୍ତ ପିତାଙ୍କ ଆଡ଼କୁ ମନ ଦିଅ, ଯେ ସ୍ଵର୍ଗ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସମସ୍ତ ବସ୍ତୁ ନିର୍ମାଣ କଲେ। ଅତୀତ ବଂଶ ପରମ୍ପରାରେ ସେ ସମସ୍ତ ଜାତିଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ି ଦେଇଥିଲେ, ତଥାପି ସେ ଆପଣାକୁ ସାକ୍ଷ୍ୟବିହୀନ ରଖିଲେ ନାହିଁ; ସେ ମଙ୍ଗଳ କରି, ଆକାଶରୁ ତୁମ୍ଭମାନଙ୍କୁ ବୃଷ୍ଟି ଓ ଫଳଦାୟକ ଋତୁ ଦେଇ, ତୁମ୍ଭମାନଙ୍କ ହୃଦୟକୁ ଆହାର ଓ ଆନନ୍ଦରେ ପରିପୂର୍ଣ୍ଣ କଲେ।”

ଏହିସବୁ କଥା କହିଲେ ହେଁ ସେମାନେ କଷ୍ଟେ ଜନସମୂହକୁ ଆପଣାମାନଙ୍କ ପ୍ରତି ବଳିଦାନ କରିବାରୁ ନିବୃତ୍ତ କଲେ। କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ କେତେକ ଯିହୂଦୀ ଆସି ଜନସମୂହକୁ ବଶ କରି ପାଉଲଙ୍କୁ ପ୍ରସ୍ତରାଘାତ କଲେ, ଆଉ ସେ ମରିଗଲେ ବୋଲି ଭାବି ତାହାଙ୍କୁ ଟାଣି ନଗରର ବାହାରକୁ ନେଇ ଗଲେ। ମାତ୍ର ଶିଷ୍ୟମାନେ ତାହାଙ୍କୁ ଚାରିଆଡ଼େ ଘେରି ଠିଆ ହୁଅନ୍ତେ, ସେ ଉଠି ନଗର ମଧ୍ୟକୁ ଗଲେ। ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ପ୍ରସ୍ଥାନ କଲେ।

ଶିଷ୍ୟମାନଙ୍କୁ ସୁଦୃଢ଼ କରିବା

ସେହି ନଗରରେ ସୁସମାଚାର ପ୍ରଚାର କରି ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ସେମାନେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ିଲେ, ଆଉ ଶିଷ୍ୟମାନଙ୍କ ପ୍ରାଣ ସୁଦୃଢ଼ କରି ବିଶ୍ଵାସରେ ସ୍ଥିର ରହିବାକୁ ଅନୁରୋଧ କରି କହିଲେ, ଆନେକ କ୍ଲେଶ ଦେଇ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ପ୍ରବେଶ କରିବା ଆମ୍ଭମାନଙ୍କ ପକ୍ଷରେ ଆବଶ୍ୟକ। ପୁଣି ପ୍ରତ୍ୟେକ ମଣ୍ଡଳୀରେ ସେମାନଙ୍କ ନିମନ୍ତେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି, ଉପବାସ ସହିତ ପ୍ରାର୍ଥନା କରି, ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ଵାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।

ତତ୍ପରେ ସେମାନେ ପିସିଦିଆ ଦେଇ ଯାଇ ପଂଫୁଲିଆରେ ଉପସ୍ଥିତ ହେଲେ। ଆଉ ପର୍ଗାରେ ବାକ୍ୟ କହିଲା ଉତ୍ତାରେ ସେମାନେ ଆତ୍ତାଲିଆକୁ ଓହ୍ଲାଇ ଗଲେ, ପୁଣି ସେଠାରୁ ଜାହାଜରେ ଆନ୍ତିୟଖିଆକୁ ଯାତ୍ରା କଲେ, ଯେଉଁଠାରୁ ସେମାନେ ଆପଣାମାନଙ୍କ ସମାପ୍ତ କାର୍ଯ୍ୟ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ଅନୁଗ୍ରହରେ ସମର୍ପିତ ହୋଇଥିଲେ। ସେଠାରେ ପହଞ୍ଚି ସେମାନେ ମଣ୍ଡଳୀକୁ ଏକତ୍ର କରି, ଆମ୍ଭମାନଙ୍କ ପିତା ସେମାନଙ୍କ ସହିତ ଥାଇ ଯାହା ଯାହା କରିଥିଲେ, ଆଉ କିପରି ସେ ଅଣଯିହୂଦୀମାନଙ୍କ ନିମନ୍ତେ ବିଶ୍ଵାସର ଦ୍ଵାର ଉନ୍ମୁକ୍ତ କରିଥିଲେ, ସେହିସବୁ ବର୍ଣ୍ଣନା କଲେ। ଆଉ ସେମାନେ ଶିଷ୍ୟମାନଙ୍କ ସହିତ ବହୁ କାଳ ସେଠାରେ ରହିଲେ।