ହେରୋଦ ମଣ୍ଡଳୀକୁ ଆକ୍ରମଣ କଲେ
ହେରୋଦ ଯାକୁବଙ୍କୁ ବଧ କରେ ଓ ପିତରଙ୍କୁ କାରାଗାରରେ ପକାଏ। ରାତିରେ ଆମ ପିତାଙ୍କ ଜଣେ ଦୂତ ଶିକୁଳି ଖସାଇ ଦିଅନ୍ତି ଓ ଫାଟକ ଆପେ ଆପେ ଖୋଲିଯାଏ; ପିତର ଭାବନ୍ତି ସେ ସ୍ୱପ୍ନ ଦେଖୁଛନ୍ତି। ପ୍ରାର୍ଥନା ସଭାରେ ଜଣେ ଦାସୀକୁ କୁହାଯାଏ ଯେ ସେ ପାଗଳ। ଜଣେ ଦେବତା ବୋଲି ଜୟଧ୍ୱନି ପାଇ ହେରୋଦ ମରେ।
12 1ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କ ଅନିଷ୍ଟ କରିବା ନିମନ୍ତେ ସେମାନଙ୍କୁ ଆକ୍ରମଣ କଲେ। 2ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଡ୍ଗ ଦ୍ଵାରା ବଧ କରାଇଲେ। 3ଏହା ଯିହୂଦୀମାନଙ୍କ ସନ୍ତୋଷଜନକ ହେଲା ବୋଲି ଦେଖି ହେରୋଦ ଖମୀରଶୂନ୍ୟ ରୁଟିର ପର୍ବ ସମୟରେ ପିତରଙ୍କୁ ମଧ୍ୟ ଧରିବାକୁ ପ୍ରବୃତ୍ତ ହେଲେ। 4ସେ ତାହାଙ୍କୁ ଧରି କାରାଗାରରେ ରଖିଲେ, ପୁଣି ନିସ୍ତାରପର୍ବ ପରେ ତାହାଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ଅଭିପ୍ରାୟରେ ତାହାଙ୍କୁ ଜଗିବା ନିମନ୍ତେ ଚାରି ଜଣ ଲେଖାଏ ସୈନ୍ୟର ଚାରି ଦଳ ହସ୍ତରେ ସମର୍ପଣ କଲେ।
5ଅତଏବ ପିତର କାରାଗାରରେ ରକ୍ଷିତ ହେଉଥିଲେ, କିନ୍ତୁ ତାହାଙ୍କ ନିମନ୍ତେ ମଣ୍ଡଳୀ ଏକାନ୍ତ ଭାବରେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। 6ହେରୋଦ ତାହାଙ୍କୁ ବାହାର କରି ଆଣିବାର ପୂର୍ବ ରାତ୍ରିରେ ପିତର ଦୁଇ ଜଞ୍ଜିରରେ ବନ୍ଧା ହୋଇ ଦୁଇ ସୈନ୍ୟ ମଧ୍ୟରେ ଶୟନ କରିଥିଲେ, ଆଉ ଦ୍ଵାର ସମ୍ମୁଖରେ ପ୍ରହରୀମାନେ କାରାଗାର ଜଗୁଥିଲେ। 7ଆଉ ଦେଖ, ଆମ୍ଭମାନଙ୍କ ପିତାଙ୍କ ଜଣେ ଦୂତ ଅକସ୍ମାତ୍ ତାହାଙ୍କ ପାଖରେ ଠିଆ ହେଲେ, ପୁଣି କୋଠରୀଟି ଆଲୋକରେ ପରିପୂର୍ଣ୍ଣ ହେଲା। ସେ ପିତରଙ୍କ କକ୍ଷଦେଶରେ ଆଘାତ କରି ତାହାଙ୍କୁ ଜଗାଇ କହିଲେ, “ଶୀଘ୍ର ଉଠ।” ସେଥିରେ ତାହାଙ୍କ ହସ୍ତରୁ ଜଞ୍ଜିର ଖସିପଡ଼ିଲା। 8ଦୂତ ତାହାଙ୍କୁ କହିଲେ, “କଟିବନ୍ଧନ ବାନ୍ଧ ଓ ପାଦୁକା ପରିଧାନ କର।” ପିତର ସେହିପରି କଲେ। ତତ୍ପରେ ସେ କହିଲେ, “ଆପଣା ବସ୍ତ୍ର ଘୋଡ଼ାଇ ମୋହର ପଛେ ପଛେ ଆସ।” 9ସେଥିରେ ପିତର ବାହାରିଯାଇ ତାହାଙ୍କ ପଛେ ପଛେ ଚାଲିଲେ, କିନ୍ତୁ ଦୂତଙ୍କ କର୍ମ ଯେ ସତ୍ୟ, ଏହା ସେ ଜାଣି ନ ଥିଲେ, ବରଂ ସେ ଦର୍ଶନ ଦେଖୁଅଛନ୍ତି ବୋଲି ମନେ କଲେ। 10ପ୍ରଥମ ଓ ଦ୍ଵିତୀୟ ପ୍ରହରୀ-ସ୍ଥାନ ପାର ହୋଇ ସେମାନେ ନଗରକୁ ଯିବା ବାଟର ଲୁହା ଫାଟକ ନିକଟରେ ଉପସ୍ଥିତ ହେଲେ, ଆଉ ତାହା ସେମାନଙ୍କ ନିମନ୍ତେ ଆପେ ଆପେ ଖୋଲିଗଲା। ସେମାନେ ବାହାରିଯାଇ ଗୋଟିଏ ଦାଣ୍ଡ ଅତିକ୍ରମ କଲେ, ଆଉ ସେତେବେଳେ ଦୂତ ଅକସ୍ମାତ୍ ତାହାଙ୍କଠାରୁ ଅନ୍ତର୍ହିତ ହେଲେ।
11ସେତେବେଳେ ପିତର ଚେତନା ପ୍ରାପ୍ତ ହୋଇ କହିଲେ, “ଏବେ ମୁଁ ନିଶ୍ଚୟ ଜାଣିଲି, ଆମ୍ଭମାନଙ୍କ ପିତା ଆପଣା ଦୂତଙ୍କୁ ପ୍ରେରଣ କରି ହେରୋଦଙ୍କ ହସ୍ତରୁ ଓ ଯିହୂଦୀ ଲୋକମାନଙ୍କ ସମସ୍ତ ଅପେକ୍ଷାରୁ ମୋତେ ଉଦ୍ଧାର କଲେ।” 12ଏହା ବୁଝି ସେ ମାର୍କ ନାମରେ ଖ୍ୟାତ ଯୋହନଙ୍କ ମାତା ମରିୟମଙ୍କ ଗୃହକୁ ଗଲେ, ସେଠାରେ ଅନେକେ ଏକତ୍ର ହୋଇ ପ୍ରାର୍ଥନା କରୁଥିଲେ। 13ପିତର ବାହାର ଦ୍ଵାରର କବାଟରେ ମାରିବାରୁ ରୋଦା ନାମ୍ନୀ ଜଣେ ଦାସୀ ଉତ୍ତର ଦେବା ପାଇଁ ଆସିଲା। 14ଆଉ ପିତରଙ୍କ ସ୍ଵର ଚିହ୍ନି ସେ ଏତେ ଆନନ୍ଦିତ ହେଲା ଯେ, ଦ୍ଵାର ନ ଖୋଲି ଭିତରକୁ ଦୌଡ଼ିଯାଇ ପିତର ଦ୍ଵାର ନିକଟରେ ଠିଆ ହୋଇଅଛନ୍ତି ବୋଲି ଜଣାଇଲା।
15ସେମାନେ ତାହାକୁ କହିଲେ, “ତୁ ବାୟା ହୋଇଅଛୁ।” କିନ୍ତୁ ତାହା ସତ୍ୟ ବୋଲି ସେ ଦୃଢ଼ ଭାବରେ କହିଲା। ସେଥିରେ ସେମାନେ କହିଲେ, “ସେ ତାହାଙ୍କ ଦୂତ।” 16କିନ୍ତୁ ପିତର ମାରିବାକୁ ଲାଗିଲେ, ଆଉ ସେମାନେ ଦ୍ଵାର ଖୋଲି ତାହାଙ୍କୁ ଦେଖି ଆଶ୍ଚର୍ଯ୍ୟାନ୍ଵିତ ହେଲେ। 17ସେ ନୀରବ ରହିବା ପାଇଁ ହସ୍ତ ଦ୍ଵାରା ସେମାନଙ୍କୁ ସଙ୍କେତ କରି, ଆମ୍ଭମାନଙ୍କ ପିତା କିପରି ତାହାଙ୍କୁ କାରାଗାରରୁ ବାହାର କରି ଆଣିଲେ, ତାହା ବୁଝାଇ ଦେଲେ। “ଯାକୁବ ଓ ଭାଇଭଉଣୀମାନଙ୍କୁ ଏହିସବୁ ଜଣାଅ,” ବୋଲି ସେ କହିଲେ, ତତ୍ପରେ ବାହାରିଯାଇ ଅନ୍ୟ ସ୍ଥାନକୁ ଗଲେ।
18ପ୍ରଭାତ ହୁଅନ୍ତେ, ପିତରଙ୍କ କଅଣ ହେଲା, ଏହା ନେଇ ସୈନ୍ୟମାନଙ୍କ ମଧ୍ୟରେ ଅଳ୍ପ ଚାଞ୍ଚଲ୍ୟ ହେଲା ନାହିଁ। 19ହେରୋଦ ତାହାଙ୍କୁ ଅନ୍ଵେଷଣ କରି ନ ପାଇ ପ୍ରହରୀମାନଙ୍କୁ ପ୍ରଶ୍ନ କଲେ ଓ ସେମାନଙ୍କୁ ବଧ କରିବାକୁ ଆଜ୍ଞା ଦେଲେ। ତତ୍ପରେ ସେ ଯିହୂଦା ପ୍ରଦେଶରୁ କାଇସରିୟାକୁ ଓହ୍ଲାଇଯାଇ ସେଠାରେ ରହିଲେ।
ଆମ୍ଭମାନଙ୍କ ପିତା ହେରୋଦଙ୍କୁ ଆଘାତ କଲେ
20ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ପ୍ରତି ଅତିଶୟ କ୍ରୁଦ୍ଧ ହୋଇଥିଲେ। ସେମାନେ ଏକତ୍ର ହୋଇ ତାହାଙ୍କ ନିକଟକୁ ଆସିଲେ, ଆଉ ରାଜାଙ୍କ ଅନ୍ତଃପୁର-ଅଧ୍ୟକ୍ଷ ବ୍ଲାସ୍ତଙ୍କୁ ବଶ କରି ସନ୍ଧି ପ୍ରାର୍ଥନା କଲେ, କାରଣ ସେମାନଙ୍କ ଦେଶ ଖାଦ୍ୟ ନିମନ୍ତେ ରାଜାଙ୍କ ଦେଶ ଉପରେ ନିର୍ଭର କରୁଥିଲା। 21ନିରୂପିତ ଦିନରେ ହେରୋଦ ରାଜବସ୍ତ୍ର ପରିଧାନ କରି ସିଂହାସନରେ ବସି ସେମାନଙ୍କ ନିକଟରେ ବକ୍ତୃତା କଲେ। 22ଆଉ ଲୋକସମୂହ ଉଚ୍ଚସ୍ଵରରେ କହିବାକୁ ଲାଗିଲେ, “ଏ ତ ଦେବତାଙ୍କ ସ୍ଵର, ମନୁଷ୍ୟର ନୁହେଁ।” 23ସେ ଆମ୍ଭମାନଙ୍କ ପିତାଙ୍କୁ ଗୌରବ ନ ଦେବାରୁ ଆମ୍ଭମାନଙ୍କ ପିତାଙ୍କ ଜଣେ ଦୂତ ତତ୍କ୍ଷଣାତ୍ ତାହାଙ୍କୁ ଆଘାତ କଲେ, ପୁଣି କୀଟ ତାହାଙ୍କୁ ଖାଇଗଲା ଓ ସେ ମଲେ।
24କିନ୍ତୁ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ବୃଦ୍ଧି ପାଇବାକୁ ଓ ବ୍ୟାପିବାକୁ ଲାଗିଲା। 25ବର୍ଣ୍ଣବ୍ବା ଓ ଶାଉଲ ଆପଣାମାନଙ୍କ କାର୍ଯ୍ୟ ସମାପ୍ତ କରି, ମାର୍କ ନାମରେ ଖ୍ୟାତ ଯୋହନଙ୍କୁ ସଙ୍ଗରେ ନେଇ ଯିରୂଶାଲମରୁ ବାହୁଡ଼ି ଆସିଲେ।