ଏଲୀୟ ପ୍ରାଣ ରକ୍ଷା ନିମନ୍ତେ ପଳାୟନ କରନ୍ତି
ଈଷେବଲଙ୍କ ଗୋଟିଏ ଧମକରେ ଏଲିୟ ମରିବାକୁ ମାଗି ପ୍ରାନ୍ତରକୁ ପଳାନ୍ତି। ଜଣେ ଦୂତ ତାଙ୍କୁ ଦୁଇଥର ଖୁଆନ୍ତି, ଏବଂ ହୋରେବରେ ପବନ, ଭୂମିକମ୍ପ ଓ ଅଗ୍ନି ଚାଲିଯାଏ ଯାହା ଭିତରେ ଆମ ପିତା ନଥିଲେ। ଏକ ମୃଦୁ ସ୍ୱର ତାଙ୍କୁ ତିନି ଜଣଙ୍କୁ ଅଭିଷେକ କରିବା ପାଇଁ ଫେରାଇ ପଠାଏ।
19 1ଏଲୀୟ ଯାହା ଯାହା କରିଥିଲେ, ପୁଣି କିପରି ସମସ୍ତ ଭାବବାଦୀଙ୍କୁ ଖଡ୍ଗ ଦ୍ଵାରା ବଧ କରିଥିଲେ, ସେ ସମସ୍ତ କଥା ଆହାବ ଇଷେବଲ୍କୁ ଜଣାଇଲା। 2ସେଥିରେ ଇଷେବଲ୍ ଏଲୀୟଙ୍କ ନିକଟକୁ ଜଣେ ଦୂତ ପଠାଇ କହିଲା, “କାଲି ଏହି ସମୟ ସୁଦ୍ଧା ମୁଁ ଯଦି ତୁମ୍ଭ ପ୍ରାଣକୁ ସେହି ଭାବବାଦୀମାନଙ୍କ ମଧ୍ୟରୁ ଜଣକ ପ୍ରାଣ ପରି ନ କରେ, ତେବେ ଦେବତାମାନେ ମୋʼ ପ୍ରତି ସେହିପରି, ବରଂ ତହିଁରୁ ଅଧିକ କରନ୍ତୁ।”
3ତହିଁରେ ଏଲୀୟ ଭୟ କରି ଉଠି ଆପଣା ପ୍ରାଣ ରକ୍ଷା ନିମନ୍ତେ ପଳାଇ ଯିହୂଦା ଦେଶସ୍ଥ ବେର୍ଶେବାରେ ଉପସ୍ଥିତ ହୋଇ ସେଠାରେ ଆପଣା ଦାସକୁ ଛାଡ଼ିଲେ। 4ମାତ୍ର ସେ ଆପେ ପ୍ରାନ୍ତରରେ ଦିନକର ପଥ ଯାଇ ଗୋଟିଏ ରୋତମ ବୃକ୍ଷ ତଳେ ବସି ଆପଣାର ମରଣ ପ୍ରାର୍ଥନା କରି କହିଲେ, “ହେ ମୋହର ପିତା, ଯଥେଷ୍ଟ ହେଲା; ଏବେ ମୋହର ପ୍ରାଣ ନେଇଯାଅ; କାରଣ ମୁଁ ଆପଣା ପିତୃପୁରୁଷଙ୍କ ଅପେକ୍ଷା ଉତ୍ତମ ନୁହେଁ।”
5ପୁଣି ସେ ରୋତମ ବୃକ୍ଷ ତଳେ ଶୋଇ ନିଦ୍ରା ଗଲେ; ଆଉ ଦେଖ, ଜଣେ ଦୂତ ତାହାଙ୍କୁ ସ୍ପର୍ଶ କରି କହିଲେ, “ଉଠି ଭୋଜନ କର।”
6ତହିଁରେ ସେ ଅନାଇ ଦେଖିଲେ, ଆଉ ଦେଖ, ତାହାଙ୍କ ମସ୍ତକ ନିକଟରେ ତତଲା ପଥର ଉପରେ ସେକା ଗୋଟିଏ ପିଠା ଓ ଗୋଟିଏ ଜଳପାତ୍ର ଥିଲା; ତେଣୁ ସେ ଭୋଜନ ଓ ପାନ କରି ପୁନର୍ବାର ଶୋଇଲେ। 7ପୁଣି ଆମ୍ଭମାନଙ୍କ ପିତାଙ୍କ ଦୂତ ଦ୍ଵିତୀୟ ଥର ଫେରିଆସି ତାହାଙ୍କୁ ସ୍ପର୍ଶ କରି କହିଲେ, “ଉଠି ଭୋଜନ କର; କାରଣ ଏହି ଯାତ୍ରା ତୁମ୍ଭ ପକ୍ଷରେ ଅତ୍ୟନ୍ତ ଦୁର୍ବହ।”
8ତହିଁରେ ସେ ଉଠି ଭୋଜନ ଓ ପାନ କଲେ, ଆଉ ସେହି ଖାଦ୍ୟର ବଳରେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଆମ୍ଭମାନଙ୍କ ପିତାଙ୍କ ପର୍ବତ ହୋରେବ ପର୍ଯ୍ୟନ୍ତ ଯାତ୍ରା କଲେ।
ପିତାଙ୍କ କୋମଳ ଫୁସ୍ଫୁସ୍ ସ୍ଵର
9ସେଠାରେ ସେ ଗୋଟିଏ ଗୁମ୍ଫା ଭିତରକୁ ଯାଇ ରାତ୍ରି ଯାପନ କଲେ; ଆଉ ଦେଖ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ତାହାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, “ହେ ଏଲୀୟ, ଏଠାରେ ତୁମ୍ଭର କଅଣ କାର୍ଯ୍ୟ?”
10ସେଥିରେ ସେ ଉତ୍ତର ଦେଲେ, “ମୁଁ ସ୍ଵର୍ଗୀୟ ବାହିନୀଗଣର ପିତାଙ୍କ ନିମନ୍ତେ ଅତିଶୟ ଉଦ୍ଯୋଗୀ ହୋଇଅଛି; କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭର ନିୟମ ପରିତ୍ୟାଗ କରିଅଛନ୍ତି, ତୁମ୍ଭର ଯଜ୍ଞବେଦିସବୁ ଭାଙ୍ଗି ପକାଇଅଛନ୍ତି ଓ ତୁମ୍ଭର ଭାବବାଦୀଗଣଙ୍କୁ ଖଡ୍ଗ ଦ୍ଵାରା ବଧ କରିଅଛନ୍ତି; କେବଳ ମୁଁ ଏକା ଅବଶିଷ୍ଟ ରହିଅଛି, ଆଉ ଏବେ ସେମାନେ ମୋହର ପ୍ରାଣ ନେବା ନିମନ୍ତେ ତାହା ଖୋଜୁଅଛନ୍ତି।”
11ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ବାହାରିଯାଇ ପର୍ବତ ଉପରେ ଆମ୍ଭ ସମ୍ମୁଖରେ ଠିଆ ହୁଅ।” ଆଉ ଦେଖ, ଆମ୍ଭମାନଙ୍କ ପିତା ଗମନ କଲେ, ପୁଣି ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଏକ ପ୍ରବଳ ଓ ବେଗବାନ ବାୟୁ ପର୍ବତସବୁ ବିଦୀର୍ଣ୍ଣ କରି ଶୈଳସବୁ ଖଣ୍ଡ ଖଣ୍ଡ କରି ଭାଙ୍ଗିଲା, ମାତ୍ର ସେହି ବାୟୁରେ ଆମ୍ଭମାନଙ୍କ ପିତା ନ ଥିଲେ; ପୁଣି ବାୟୁ ଉତ୍ତାରେ ଭୂମିକମ୍ପ ହେଲା, ମାତ୍ର ସେହି ଭୂମିକମ୍ପରେ ଆମ୍ଭମାନଙ୍କ ପିତା ନ ଥିଲେ।
12ପୁଣି ଭୂମିକମ୍ପ ଉତ୍ତାରେ ଅଗ୍ନି ହେଲା, ମାତ୍ର ସେହି ଅଗ୍ନିରେ ଆମ୍ଭମାନଙ୍କ ପିତା ନ ଥିଲେ; ପୁଣି ଅଗ୍ନି ଉତ୍ତାରେ କୋମଳ ଫୁସ୍ଫୁସ୍ ସ୍ଵର ଶୁଣାଗଲା।
13ତହିଁରେ ଏଲୀୟ ତାହା ଶୁଣି ଆପଣା ଲୁଗାରେ ଆପଣା ମୁଖ ଆଚ୍ଛାଦନ କରି ବାହାରିଯାଇ ଗୁମ୍ଫା ଦ୍ଵାରରେ ଠିଆ ହେଲେ। ଆଉ ଦେଖ, ତାହାଙ୍କ ନିକଟରେ ଏକ ବାଣୀ ଉପସ୍ଥିତ ହୋଇ କହିଲା, “ହେ ଏଲୀୟ, ଏଠାରେ ତୁମ୍ଭର କଅଣ କାର୍ଯ୍ୟ?”
14ସେଥିରେ ସେ ଉତ୍ତର ଦେଲେ, “ମୁଁ ସ୍ଵର୍ଗୀୟ ବାହିନୀଗଣର ପିତାଙ୍କ ନିମନ୍ତେ ଅତିଶୟ ଉଦ୍ଯୋଗୀ ହୋଇଅଛି; କାରଣ ଇସ୍ରାଏଲ ସନ୍ତାନଗଣ ତୁମ୍ଭର ନିୟମ ପରିତ୍ୟାଗ କରିଅଛନ୍ତି, ତୁମ୍ଭର ଯଜ୍ଞବେଦିସବୁ ଭାଙ୍ଗି ପକାଇଅଛନ୍ତି ଓ ତୁମ୍ଭର ଭାବବାଦୀଗଣଙ୍କୁ ଖଡ୍ଗ ଦ୍ଵାରା ବଧ କରିଅଛନ୍ତି; କେବଳ ମୁଁ ଏକା ଅବଶିଷ୍ଟ ରହିଅଛି, ଆଉ ଏବେ ସେମାନେ ମୋହର ପ୍ରାଣ ନେବା ନିମନ୍ତେ ତାହା ଖୋଜୁଅଛନ୍ତି।”
15ତହିଁରେ ଆମ୍ଭମାନଙ୍କ ପିତା ତାହାଙ୍କୁ କହିଲେ, “ତୁମ୍ଭେ ଆସିବା ବାଟ ଦେଇ ଦମ୍ମେଶକର ପ୍ରାନ୍ତରକୁ ଫେରିଯାଅ; ପୁଣି ଉପସ୍ଥିତ ହୋଇ ଅରାମ ଉପରେ ରାଜା ହେବା ନିମନ୍ତେ ହସାୟେଲ୍କୁ ଅଭିଷେକ କର। 16ଆଉ ଇସ୍ରାଏଲ ଉପରେ ରାଜା ହେବା ନିମନ୍ତେ ନିମ୍ଶିର ପୁତ୍ର ଯେହୂକୁ ଅଭିଷେକ କର, ପୁଣି ଆପଣା ପଦରେ ଭାବବାଦୀ ହେବା ନିମନ୍ତେ ଆବେଲ-ମହୋଲାସ୍ଥିତ ଶାଫଟ୍ର ପୁତ୍ର ଇଲୀଶାୟଙ୍କୁ ଅଭିଷେକ କର। 17ଆଉ ଏପରି ଘଟିବ ଯେ, ଯେକେହି ହସାୟେଲ୍ର ଖଡ୍ଗରୁ ରକ୍ଷା ପାଇବ, ତାହାକୁ ଯେହୂ ବଧ କରିବ; ପୁଣି ଯେକେହି ଯେହୂର ଖଡ୍ଗରୁ ରକ୍ଷା ପାଇବ, ତାହାକୁ ଇଲୀଶାୟ ବଧ କରିବେ। 18ତଥାପି ଆମ୍ଭେ ଇସ୍ରାଏଲ ମଧ୍ୟରେ ସାତ ହଜାର ଲୋକ ଅବଶିଷ୍ଟ ରଖିବା—ଯେଉଁ ସମସ୍ତ ଆଣ୍ଠୁ ବାଲ୍ ଆଗରେ ନତ ହୋଇ ନାହାନ୍ତି ଓ ଯେଉଁ ସମସ୍ତ ମୁଖ ତାହାକୁ ଚୁମ୍ବନ କରି ନାହାନ୍ତି।”
ପିତା ଇଲୀଶାୟଙ୍କୁ ଆହ୍ଵାନ କରନ୍ତି
19ତହିଁରେ ସେ ସେଠାରୁ ପ୍ରସ୍ଥାନ କରି ଶାଫଟ୍ର ପୁତ୍ର ଇଲୀଶାୟଙ୍କୁ ପାଇଲେ; ସେ ତେବେ ବାର ହଳ ବଳଦ ଆଗରେ ରଖି ଭୂମି ଚାଷ କରୁଥିଲେ ଓ ଆପେ ଦ୍ଵାଦଶ ହଳ ସଙ୍ଗରେ ଥିଲେ; ତହିଁରେ ଏଲୀୟ ତାହାଙ୍କ ନିକଟକୁ ଯାଇ ଆପଣା ଲୁଗା ତାହାଙ୍କ ଉପରେ ପକାଇ ଦେଲେ। 20ତହିଁରେ ସେ ବଳଦମାନଙ୍କୁ ଛାଡ଼ି ଏଲୀୟଙ୍କ ପଛେ ପଛେ ଦୌଡ଼ିଯାଇ କହିଲେ, “ବିନୟ କରୁଅଛି, ମୋତେ ଆପଣା ପିତା ଓ ମାତାଙ୍କୁ ଚୁମ୍ବନ କରିବାକୁ ଦିଅନ୍ତୁ, ତେବେ ମୁଁ ଆପଣଙ୍କ ପଛେ ପଛେ ଆସିବି।” ତହିଁରେ ଏଲୀୟ ତାହାଙ୍କୁ କହିଲେ, “ଫେରିଯାଅ; କାରଣ ମୁଁ ତୁମ୍ଭ ପ୍ରତି କଅଣ କଲି?”
21ତହିଁରେ ସେ ତାହାଙ୍କ ନିକଟରୁ ଫେରିଯାଇ ଗୋଟିଏ ହଳ ବଳଦ ନେଇ ବଧ କଲେ, ପୁଣି ବଳଦର ସଜ କାଠକୁ ଜାଳେଣି କରି ମାଂସ ରାନ୍ଧି ଲୋକମାନଙ୍କୁ ଦେଲେ, ତହିଁରେ ସେମାନେ ଭୋଜନ କଲେ। ତହିଁ ଉତ୍ତାରେ ସେ ଉଠି ଏଲୀୟଙ୍କ ପଛେ ପଛେ ଯାଇ ତାହାଙ୍କର ସେବା କଲେ।