ପିତା ତିନି ଶହ ଜଣଙ୍କୁ ମନୋନୀତ କରନ୍ତି
ବଡ଼ ସୈନ୍ୟଦଳ ଇସ୍ରାଏଲକୁ ନିଜ ହାତ ତାକୁ ରକ୍ଷା କଲା ବୋଲି ଗର୍ବ କରିବାକୁ ଦେବ, ଏଥିପାଇଁ ଆମ ପିତା ଭୟ ଓ ଲୋକମାନେ କିପରି ପାଣି ପିଅନ୍ତି ସେଥିଦ୍ୱାରା ଗିଦିୟୋନଙ୍କ ହଜାର ହଜାରଙ୍କୁ ତିନି ଶହକୁ କମାଇଦିଅନ୍ତି। ଗିଦିୟୋନ ଶତ୍ରୁର ଏକ ସ୍ୱପ୍ନ ଶୁଣନ୍ତି, ଆରାଧନା କରନ୍ତି, ଏବଂ ତୂରୀ ଓ ମଶାଲ ଦ୍ୱାରା ଜୟ କରନ୍ତି, ଯେତେବେଳେ ଛାଉଣି ନିଜ ଖଡ୍ଗ ନିଜ ଉପରେ ଚଳାଏ।
7 1ଯିରୁବ୍ବାଲ (ଗିଦିୟୋନ) ଓ ତାହାଙ୍କ ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଦିଗରେ ତଳଭୂମିରେ ମୋରି ପର୍ବତ ନିକଟରେ ଥିଲା।
2ଆମ୍ଭମାନଙ୍କ ପିତା ଗିଦିୟୋନଙ୍କୁ କହିଲେ, “ଆମ୍ଭେ ମିଦୀୟନକୁ ତୁମ୍ଭ ସଙ୍ଗୀ ଲୋକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନେ ଅତ୍ୟନ୍ତ ଅଧିକ ଅଟନ୍ତି, ନୋହିଲେ ‘ମୋହର ନିଜ ହସ୍ତ ମୋତେ ଉଦ୍ଧାର କଲା’ ବୋଲି ଇସ୍ରାଏଲ ଆମ୍ଭ ବିରୁଦ୍ଧରେ ଗର୍ବ କରିବ। 3ଏଣୁ ତୁମ୍ଭେ ଏବେ ଲୋକମାନଙ୍କ କର୍ଣ୍ଣଗୋଚରରେ ଘୋଷଣା କର, ‘ଯେକେହି ଭୀତ ଓ କମ୍ପିତ ହେଉଅଛି, ସେ ଫେରିଯାଇ ଗିଲୀୟଦ ପର୍ବତ ତ୍ୟାଗ କରୁ।’” ତହିଁରେ ବାଇଶ ହଜାର ଲୋକ ଫେରିଗଲେ; ଦଶ ହଜାର ରହିଲେ।
4ଆମ୍ଭମାନଙ୍କ ପିତା ଗିଦିୟୋନଙ୍କୁ କହିଲେ, “ଲୋକମାନେ ଏବେ ସୁଦ୍ଧା ଅତ୍ୟନ୍ତ ଅଧିକ ଅଟନ୍ତି। ସେମାନଙ୍କୁ ଜଳ ନିକଟକୁ ଓହ୍ଲାଇ ଆଣ; ଆମ୍ଭେ ସେଠାରେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା। ‘ଏ ତୁମ୍ଭ ସଙ୍ଗରେ ଯିବ’ ବୋଲି ଆମ୍ଭେ ଯାହା ବିଷୟରେ କହିବା, ସେ ଯିବ; ପୁଣି ‘ଏ ତୁମ୍ଭ ସଙ୍ଗରେ ଯିବ ନାହିଁ’ ବୋଲି ଆମ୍ଭେ ଯାହା ବିଷୟରେ କହିବା, ସେ ଯିବ ନାହିଁ।” 5ତହିଁରେ ସେ ଲୋକମାନଙ୍କୁ ଜଳ ନିକଟକୁ ଓହ୍ଲାଇ ଆଣିଲେ, ଆଉ ଆମ୍ଭମାନଙ୍କ ପିତା ଗିଦିୟୋନଙ୍କୁ କହିଲେ, “ଯେଉଁ ପ୍ରତ୍ୟେକ ଲୋକ କୁକୁର ପରି ଆପଣା ଜିହ୍ଵାରେ ଜଳ ଚାଟେ, ତାହାକୁ ପୃଥକ୍ କର; ସେହିପରି ଯେଉଁ ପ୍ରତ୍ୟେକ ଲୋକ ପିଇବା ନିମନ୍ତେ ଆଣ୍ଠୁମାଡ଼ି ବସେ, ତାହାକୁ ମଧ୍ୟ ପୃଥକ୍ କର।”
6ତହିଁରେ ତିନି ଶହ ଲୋକ ଆପଣା ହସ୍ତରୁ ମୁଖ ନିକଟକୁ ନେଇ ଚାଟିଲେ; ମାତ୍ର ଅବଶିଷ୍ଟ ସମସ୍ତ ଲୋକ ଜଳ ପିଇବା ନିମନ୍ତେ ଆଣ୍ଠୁମାଡ଼ି ବସିଲେ।
7ଆମ୍ଭମାନଙ୍କ ପିତା ଗିଦିୟୋନଙ୍କୁ କହିଲେ, “ଏହି ଚାଟିବା ତିନି ଶହ ଲୋକଙ୍କ ଦ୍ଵାରା ଆମ୍ଭେ ତୁମ୍ଭକୁ ଉଦ୍ଧାର କରିବା ଓ ମିଦୀୟନକୁ ତୁମ୍ଭ ହସ୍ତରେ ସମର୍ପଣ କରିବା। ଅବଶିଷ୍ଟ ସମସ୍ତ ଲୋକଙ୍କୁ ପ୍ରତ୍ୟେକକୁ ଆପଣା ଆପଣା ସ୍ଥାନକୁ ଯିବା ନିମନ୍ତେ ବିଦାୟ କର।”
8ତହିଁରେ ଲୋକମାନେ ଖାଦ୍ୟସାମଗ୍ରୀ ଓ ତୂରୀ ହସ୍ତରେ ନେଲେ; ପୁଣି ଗିଦିୟୋନ ଇସ୍ରାଏଲର ଅବଶିଷ୍ଟ ସମସ୍ତ ଲୋକଙ୍କୁ ପ୍ରତ୍ୟେକକୁ ଆପଣା ଆପଣା ତମ୍ବୁକୁ ବିଦାୟ କରି ସେହି ତିନି ଶହ ଲୋକଙ୍କୁ ରଖିଲେ। ମିଦୀୟନର ଛାଉଣି ତାହାଙ୍କ ତଳେ ତଳଭୂମିରେ ଥିଲା।
9ସେହି ରାତ୍ରିରେ ଆମ୍ଭମାନଙ୍କ ପିତା ତାହାଙ୍କୁ କହିଲେ, “ଉଠ, ଛାଉଣିକୁ ଓହ୍ଲାଇ ଯାଅ, କାରଣ ଆମ୍ଭେ ତାହା ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ। 10ମାତ୍ର ଯଦି ତୁମ୍ଭେ ଓହ୍ଲାଇ ଯିବାକୁ ଭୟ କରୁଅଛ, ତେବେ ଆପଣା ଦାସ ଫୁରାକୁ ସଙ୍ଗରେ ନେଇ ଛାଉଣିକୁ ଓହ୍ଲାଇ ଯାଅ,
11ପୁଣି ସେମାନେ ଯାହା କହନ୍ତି, ତାହା ଶୁଣ, ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ନିମନ୍ତେ ତୁମ୍ଭ ହସ୍ତ ବଳବାନ ହେବ।” ତହିଁରେ ସେ ଆପଣା ଦାସ ଫୁରାକୁ ସଙ୍ଗରେ ନେଇ ଛାଉଣିସ୍ଥିତ ସସଜ୍ଜ ସୈନ୍ୟମାନଙ୍କ ପ୍ରାନ୍ତ ଭାଗ ପର୍ଯ୍ୟନ୍ତ ଓହ୍ଲାଇ ଗଲେ।
12ମିଦୀୟନ, ଅମାଲେକ ଓ ପୂର୍ବଦେଶୀୟ ସମସ୍ତ ଲୋକ ପଙ୍ଗପାଳ ପରି ତଳଭୂମିରେ ଶୟନ କରିଥିଲେ; ପୁଣି ସେମାନଙ୍କ ଓଟ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲା। 13ଗିଦିୟୋନ ଉପସ୍ଥିତ ହୁଅନ୍ତେ, ଜଣେ ଲୋକ ଆପଣା ସଙ୍ଗୀକୁ ଗୋଟିଏ ସ୍ଵପ୍ନ ବର୍ଣ୍ଣନା କରୁଥିଲା। ସେ କହିଲା, “ଶୁଣ, ମୁଁ ଗୋଟିଏ ସ୍ଵପ୍ନ ଦେଖିଅଛି: ଦେଖ, ଯବ ରୁଟିର ଗୋଟିଏ ଗୋଲାକାର ପିଠା ଗଡ଼ି ଗଡ଼ି ମିଦୀୟନର ଛାଉଣି ମଧ୍ୟକୁ ଆସି ତମ୍ବୁରେ ଏପରି ବାଜିଲା ଯେ, ତାହା ପଡ଼ିଗଲା—ଓଲଟି ପଡ଼ିଲା, ତହିଁରେ ତମ୍ବୁ ଚଟାଣ ହୋଇଗଲା।”
14ତହିଁରେ ତାହାର ସଙ୍ଗୀ ଉତ୍ତର ଦେଲା, “ଏହା କେବଳ ଇସ୍ରାଏଲୀୟ ଯୋୟାଶର ପୁତ୍ର ଗିଦିୟୋନର ଖଡ୍ଗ ବିନା ଆଉ କିଛି ନୁହେଁ। ଈଶ୍ଵର ମିଦୀୟନକୁ ଓ ସମସ୍ତ ଛାଉଣିକୁ ତାହାର ହସ୍ତରେ ସମର୍ପଣ କରିଅଛନ୍ତି।”
15ଗିଦିୟୋନ ସେହି ସ୍ଵପ୍ନର ବୃତ୍ତାନ୍ତ ଓ ତହିଁର ଅର୍ଥ ଶୁଣି ଉପାସନା କଲେ, ପୁଣି ଇସ୍ରାଏଲର ଛାଉଣିକୁ ଫେରିଯାଇ କହିଲେ, “ଉଠ, କାରଣ ଆମ୍ଭମାନଙ୍କ ପିତା ମିଦୀୟନର ଛାଉଣିକୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” 16ଆଉ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭକ୍ତ କଲେ ଓ ପ୍ରତ୍ୟେକ ଲୋକ ହସ୍ତରେ ଗୋଟିଏ ତୂରୀ ଓ ଗୋଟିଏ ଶୂନ୍ୟ କଳସ, ପୁଣି କଳସ ଭିତରେ ଗୋଟିଏ ପଲିତା ଦେଲେ।
17ପୁଣି ସେ ସେମାନଙ୍କୁ କହିଲେ, “ମୋତେ ଚାହିଁ ମୁଁ ଯାହା କରେ, ତାହା କର। ଦେଖ, ମୁଁ ଛାଉଣିର ପ୍ରାନ୍ତ ଭାଗରେ ଉପସ୍ଥିତ ହେଲେ ମୁଁ ଯାହା କରେ, ତୁମ୍ଭେମାନେ ସେହିପରି କର।
18ଯେତେବେଳେ ମୁଁ ଓ ମୋʼ ସଙ୍ଗୀ ସମସ୍ତେ ତୂରୀ ବଜାଉ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚତୁର୍ଦ୍ଦିଗରେ ତୂରୀ ବଜାଅ ଓ ‘ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ଓ ଗିଦିୟୋନଙ୍କ ନିମନ୍ତେ!’ ବୋଲି ଜୟଧ୍ଵନି କର।”
19ତହିଁରେ ଗିଦିୟୋନ ଓ ତାହାଙ୍କ ସଙ୍ଗୀ ଏକ ଶହ ଲୋକ, ପ୍ରହରୀ ପରିବର୍ତ୍ତନ ହେବା ଉତ୍ତାରେ ମଧ୍ୟମ ପ୍ରହର ଆରମ୍ଭ ହେବା ବେଳେ, ଛାଉଣିର ପ୍ରାନ୍ତ ଭାଗରେ ଉପସ୍ଥିତ ହେଲେ। ସେତେବେଳେ ସେମାନେ ତୂରୀ ବଜାଇ ଆପଣା ଆପଣା ହସ୍ତସ୍ଥିତ କଳସ ଭାଙ୍ଗିଲେ। 20ତହିଁରେ ସେହି ତିନି ଦଳ ତୂରୀ ବଜାଇ କଳସ ଭାଙ୍ଗିଲେ, ପୁଣି ବାମ ହସ୍ତରେ ମଶାଲ ଓ ବଜାଇବା ନିମନ୍ତେ ଦକ୍ଷିଣ ହସ୍ତରେ ତୂରୀ ଧରି, “ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ଓ ଗିଦିୟୋନଙ୍କ ନିମନ୍ତେ ଖଡ୍ଗ!” ବୋଲି ଚିତ୍କାର କଲେ। 21ତହିଁରେ ପ୍ରତ୍ୟେକ ଲୋକ ଛାଉଣିର ଚତୁର୍ଦ୍ଦିଗରେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ଆଉ ସମୁଦାୟ ସୈନ୍ୟ ଦୌଡ଼ିଲେ, ଚିତ୍କାର କଲେ ଓ ପଳାଇଲେ। 22ଯେତେବେଳେ ସେହି ତିନି ଶହ ତୂରୀ ବାଜିଲା, ସେତେବେଳେ ଆମ୍ଭମାନଙ୍କ ପିତା ସମୁଦାୟ ଛାଉଣିରେ ପ୍ରତ୍ୟେକ ଲୋକର ଖଡ୍ଗ ତାହାର ସଙ୍ଗୀ ବିରୁଦ୍ଧରେ ଚଳାଇଲେ। ତହିଁରେ ସୈନ୍ୟଦଳ ସରେରା ଅଭିମୁଖେ ବେଥ୍-ଶିଟ୍ଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍-ମହୋଲାର ସୀମା ପର୍ଯ୍ୟନ୍ତ ପଳାଇଲେ। 23ପୁଣି ନପ୍ତାଲି, ଆଶେର ଓ ସମୁଦାୟ ମନଃଶିରୁ ଇସ୍ରାଏଲୀୟ ଲୋକମାନେ ଆହୂତ ହୋଇ ମିଦୀୟନର ପଛେ ପଛେ ଗୋଡ଼ାଇଲେ। 24ଆଉ ଗିଦିୟୋନ ଇଫ୍ରୟିମର ସମୁଦାୟ ପର୍ବତମୟ ଦେଶ ମଧ୍ୟଦେଇ ଦୂତମାନଙ୍କୁ ଏହି କଥା କହି ପଠାଇଲେ, “ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ—ବେଥ୍-ବାରା ଓ ଯର୍ଦ୍ଦନ ପର୍ଯ୍ୟନ୍ତ ସେମାନଙ୍କ ଆଗରେ ଜଳ ହସ୍ତଗତ କର।” ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ର ହୋଇ ବେଥ୍-ବାରା ଓ ଯର୍ଦ୍ଦନ ପର୍ଯ୍ୟନ୍ତ ଜଳ ହସ୍ତଗତ କଲେ। 25ଆଉ ସେମାନେ ମିଦୀୟନର ଦୁଇ ଅଧିପତି ଓରେବ ଓ ସେବକୁ ଧରିଲେ। ସେମାନେ ଓରେବକୁ ଓରେବ ଶୈଳ ନିକଟରେ ଓ ସେବକୁ ସେବ ଦ୍ରାକ୍ଷାକୁଣ୍ଡ ନିକଟରେ ବଧ କଲେ। ତହିଁ ଉତ୍ତାରେ ସେମାନେ ମିଦୀୟନର ପଛେ ପଛେ ଗୋଡ଼ାଇ ଓରେବ ଓ ସେବର ମସ୍ତକ ଯର୍ଦ୍ଦନ ସେପାରିରେ ଗିଦିୟୋନଙ୍କ ନିକଟକୁ ଆଣିଲେ।