ପୁତ୍ର ଆପଣା ତାଡ଼ନାକାରୀ ସହିତ ସାକ୍ଷାତ କରନ୍ତି
ଗିରଫଦାରୀ ପରୱାନା ଧରି ଶାଉଲ ଦମ୍ମେସକ ବାଟରେ ଥିବା ବେଳେ ଏକ ଆଲୋକ ତାଙ୍କୁ ତଳେ ପକାଏ ଓ ଏକ ସ୍ୱର ପଚାରେ ସେ କାହିଁକି ତାଡ଼ନା କରୁଛନ୍ତି। ତିନି ଦିନ ଅନ୍ଧ ରହି, ଭୟଭୀତ ହନନୀୟଙ୍କ ଦ୍ୱାରା ସୁସ୍ଥ ହୋଇ, ସେ ପ୍ରଚାର ଆରମ୍ଭ କରନ୍ତି। ବର୍ଣ୍ଣବା ତାଙ୍କ ପାଇଁ ସାକ୍ଷ୍ୟ ନ ଦେବା ପର୍ଯ୍ୟନ୍ତ ବିଶ୍ୱାସୀମାନେ ତାଙ୍କୁ ସନ୍ଦେହ କରନ୍ତି। ପିତର ଯାଫୋରେ ଟାବିଥାଙ୍କୁ ଜୀବିତ କରନ୍ତି।
9 1କିନ୍ତୁ ଶାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ ଭୟପ୍ରଦର୍ଶନ ଓ ହତ୍ୟାର ନିଶ୍ଵାସ ଛାଡ଼ି ମହାଯାଜକଙ୍କ ନିକଟକୁ ଯାଇ, 2ଆଉ ଦମ୍ମେଶକସ୍ଥ ସମାଜଗୃହଗୁଡ଼ିକ ନିମନ୍ତେ ତାହାଙ୍କଠାରୁ ପତ୍ର ମାଗିଲା, ଯେପରି ସେହି ମାର୍ଗର କୌଣସି ପୁରୁଷ କି ସ୍ତ୍ରୀ ପାଇଲେ, ସେମାନଙ୍କୁ ବାନ୍ଧି ଯିରୂଶାଲମକୁ ଆଣି ପାରିବ। a a v2 “ସେହି ମାର୍ଗ” ଯୀଶୁଙ୍କ ଅନୁଗାମୀମାନେ ଖ୍ରୀଷ୍ଟିୟାନ ବୋଲି ନାମିତ ହେବା ପୂର୍ବରୁ ସେମାନଙ୍କର ସର୍ବପ୍ରଥମ ନାମ ଥିଲା। 3ସେ ଯାତ୍ରା କରୁ କରୁ ଦମ୍ମେଶକ ନିକଟବର୍ତ୍ତୀ ହେଉଥିବା ସମୟରେ, ହଠାତ୍ ସ୍ଵର୍ଗରୁ ଏକ ଆଲୋକ ତାହା ଚାରିଆଡ଼େ ପ୍ରକାଶିତ ହେଲା।
4ପୁଣି ସେ ଭୂମିରେ ପଡ଼ିଯାଇ ଏକ ବାଣୀ ଶୁଣିଲା, “ଶାଉଲ, ଶାଉଲ, କାହିଁକି ମୋତେ ତାଡ଼ନା କରୁଅଛ?”
5ସେ ପଚାରିଲା, “ହେ ପ୍ରଭୁ, ଆପଣ କିଏ?” ସେ କହିଲେ, “ମୁଁ ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଅଛ।
6ମାତ୍ର ଉଠ, ନଗରରେ ପ୍ରବେଶ କର, ଆଉ ତୁମ୍ଭକୁ ଯାହା କରିବାକୁ ହେବ, ତାହା କୁହାଯିବ।”
7ତାହା ସଙ୍ଗରେ ଯାଉଥିବା ଲୋକମାନେ ବାକ୍ଶୂନ୍ୟ ହୋଇ ଠିଆ ହୋଇ ରହିଲେ, ସେମାନେ ବାଣୀ ଶୁଣିଲେ, କିନ୍ତୁ କାହାକୁ ଦେଖିଲେ ନାହିଁ। 8ଶାଉଲ ଭୂମିରୁ ଉଠିଲା, କିନ୍ତୁ ଆଖି ଖୋଲିଲେ ମଧ୍ୟ କିଛି ଦେଖିପାରିଲା ନାହିଁ; ସେମାନେ ତାହାକୁ ହାତ ଧରି ଦମ୍ମେଶକ ମଧ୍ୟକୁ ଘେନିଗଲେ। 9ସେ ତିନି ଦିନ ପର୍ଯ୍ୟନ୍ତ ଅନ୍ଧ ହୋଇ ରହିଲା, ପୁଣି ନ ଖାଇଲା କି ନ ପିଇଲା।
10ଦମ୍ମେଶକରେ ହନନୀୟ ନାମକ ଜଣେ ଶିଷ୍ୟ ଥିଲେ। ଦର୍ଶନରେ ପ୍ରଭୁ ତାହାଙ୍କୁ କହିଲେ, “ହନନୀୟ।” ସେ ଉତ୍ତର ଦେଲେ, “ହେ ପ୍ରଭୁ, ମୁଁ ଏଠାରେ ଅଛି।”
11ପ୍ରଭୁ ତାହାଙ୍କୁ କହିଲେ, “ଉଠ, ସଳଖ ନାମକ ଯେଉଁ ପଥ, ସେଠାକୁ ଯାଅ, ଆଉ ଯିହୂଦାର ଗୃହରେ ଶାଉଲ ନାମକ ତାର୍ଷ ନଗରର ଜଣେ ଲୋକର ଅନ୍ଵେଷଣ କର—ସେ ପ୍ରାର୍ଥନା କରୁଅଛି, 12ପୁଣି ସେ ଦର୍ଶନରେ ହନନୀୟ ନାମକ ଜଣେ ଲୋକ ଭିତରକୁ ଆସି ତାହା ଉପରେ ହସ୍ତ ଥୋଇବା ଦେଖିଅଛି, ଯେପରି ସେ ପୁନର୍ବାର ଦୃଷ୍ଟି ପାଇବ।”
13ହନନୀୟ ଉତ୍ତର ଦେଲେ, “ହେ ପ୍ରଭୁ, ଏହି ଲୋକ ବିଷୟରେ ମୁଁ ଅନେକଙ୍କଠାରୁ ଶୁଣିଅଛି—ସେ ଯିରୂଶାଲମରେ ଆପଣଙ୍କ ପବିତ୍ର ଲୋକମାନଙ୍କ ପ୍ରତି କେତେ ଅନିଷ୍ଟ କରିଅଛି। 14ଆଉ ଆପଣଙ୍କ ନାମ ଡାକୁଥିବା ସମସ୍ତଙ୍କୁ ବାନ୍ଧିବା ପାଇଁ ସେ ଏଠାରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପାଇଅଛି।”
15କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, “ଯାଅ, କାରଣ ଅଣଯିହୂଦୀ ଜାତି, ରାଜାମାନେ ଓ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ମୋହର ନାମ ବହନ କରିବା ନିମନ୍ତେ ଏହି ଲୋକ ମୋହର ମନୋନୀତ ପାତ୍ର ଅଟେ। 16କାରଣ ମୋʼ ନାମ ସକାଶେ ତାହାକୁ କେତେ ଦୁଃଖଭୋଗ କରିବାକୁ ହେବ, ତାହା ମୁଁ ତାହାକୁ ଦେଖାଇବି।”
17ହନନୀୟ ଯାଇ ଗୃହରେ ପ୍ରବେଶ କଲେ। ସେ ଶାଉଲ ଉପରେ ହସ୍ତ ଥୋଇ କହିଲେ, “ଭାଇ ଶାଉଲ, ତୁମ୍ଭେ ଯେଉଁ ପଥରେ ଆସିଲ, ସେଠାରେ ତୁମ୍ଭକୁ ଯେଉଁ ପ୍ରଭୁ ଯୀଶୁ ଦର୍ଶନ ଦେଇଥିଲେ, ସେ ମୋତେ ପଠାଇଅଛନ୍ତି, ଯେପରି ତୁମ୍ଭେ ପୁନର୍ବାର ଦୃଷ୍ଟି ପାଅ ଓ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୁଅ।” 18ସେହିକ୍ଷଣି ତାହାର ଚକ୍ଷୁରୁ କେଣ୍ଟ ପରି କିଛି ଖସିପଡ଼ିଲା, ଆଉ ସେ ପୁନର୍ବାର ଦେଖିପାରିଲା। ପୁଣି ସେ ଉଠି ବାପ୍ତିଜିତ ହେଲା, 19ଆଉ ଭୋଜନ କଲା ପରେ ସେ ବଳ ପାଇଲା। ସେ କେତେକ ଦିନ ଦମ୍ମେଶକରେ ଶିଷ୍ୟମାନଙ୍କ ସଙ୍ଗରେ ରହିଲା, 20ଆଉ ସେ ସେହିକ୍ଷଣି ସମାଜଗୃହଗୁଡ଼ିକରେ ଯୀଶୁ ଯେ ଆମ୍ଭମାନଙ୍କ ପିତାଙ୍କ ପୁତ୍ର, ଏହା ଘୋଷଣା କରିବାକୁ ଲାଗିଲା। 21ଯେଉଁମାନେ ଶୁଣିଲେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହିଲେ, “ଯିରୂଶାଲମରେ ଏହି ନାମ ଡାକୁଥିବା ଲୋକମାନଙ୍କ ମଧ୍ୟରେ ଯେ ଏଡ଼େ ବିନାଶ ଘଟାଇଥିଲା, ସେ କʼଣ ଏହି ଲୋକ ନୁହେଁ? ଆଉ ସେମାନଙ୍କୁ ବାନ୍ଧି ପ୍ରଧାନ ଯାଜକମାନଙ୍କ ସମ୍ମୁଖକୁ ନେବା ନିମନ୍ତେ ସେ କʼଣ ଏଠାକୁ ଆସି ନାହିଁ?”
22କିନ୍ତୁ ଶାଉଲ ଆହୁରି ଅଧିକ ବଳବାନ ହୋଇ ଏ ବ୍ୟକ୍ତି ଯେ ଖ୍ରୀଷ୍ଟ, ଏହା ପ୍ରମାଣ କରି ଦମ୍ମେଶକ ନିବାସୀ ଯିହୂଦୀମାନଙ୍କୁ ହତବୁଦ୍ଧି କରିଦେଲା।
23ଅନେକ ଦିନ ଗତ ହେଲା ପରେ, ଯିହୂଦୀମାନେ ତାହାକୁ ବଧ କରିବା ନିମନ୍ତେ ମନ୍ତ୍ରଣା କଲେ, 24କିନ୍ତୁ ଶାଉଲ ସେମାନଙ୍କ ଷଡ଼ଯନ୍ତ୍ର ଜାଣିଲା; ସେମାନେ ତାହାକୁ ବଧ କରିବା ନିମନ୍ତେ ଦିବାରାତ୍ର ନଗରଦ୍ଵାରଗୁଡ଼ିକ ଜଗୁଥିଲେ, 25କିନ୍ତୁ ତାହାର ଶିଷ୍ୟମାନେ ରାତ୍ରିରେ ତାହାକୁ ଏକ ଟୋକେଇରେ ବସାଇ ପ୍ରାଚୀର ଦେଇ ତଳକୁ ଓହ୍ଲାଇ ଦେଲେ।
26ଯିରୂଶାଲମରେ ଉପସ୍ଥିତ ହୋଇ ସେ ଶିଷ୍ୟମାନଙ୍କ ସଙ୍ଗରେ ମିଶିବାକୁ ଚେଷ୍ଟା କଲା, କିନ୍ତୁ ସେ ଜଣେ ଶିଷ୍ୟ ବୋଲି ବିଶ୍ଵାସ ନ କରି ସମସ୍ତେ ତାହାକୁ ଭୟ କଲେ। 27ମାତ୍ର ବର୍ଣ୍ଣବ୍ବା ତାହାକୁ ପ୍ରେରିତମାନଙ୍କ ନିକଟକୁ ନେଇ, ଶାଉଲ ପଥ ମଧ୍ୟରେ କିପରି ପ୍ରଭୁଙ୍କୁ ଦେଖିଥିଲା ଓ ପ୍ରଭୁ କିପରି ତାହା ସହିତ କଥା କହିଥିଲେ, ପୁଣି ସେ ଦମ୍ମେଶକରେ କିପରି ଯୀଶୁଙ୍କ ନାମରେ ସାହସର ସହିତ କଥା କହିଥିଲା, ତାହା ବୁଝାଇ କହିଲେ। 28ତେଣୁ ସେ ସେମାନଙ୍କ ସଙ୍ଗରେ ରହି ଯିରୂଶାଲମରେ ମୁକ୍ତଭାବରେ ଯାତାୟାତ କରୁ କରୁ ପ୍ରଭୁଙ୍କ ନାମରେ ସାହସର ସହିତ କଥା କହିଲା। 29ସେ ଗ୍ରୀକ୍ଭାଷୀ ଯିହୂଦୀମାନଙ୍କ ସହିତ କଥାବାର୍ତ୍ତା ଓ ବାଦାନୁବାଦ କଲା, କିନ୍ତୁ ସେମାନେ ତାହାକୁ ବଧ କରିବାକୁ ଚେଷ୍ଟା କରୁଥିଲେ। b b v29 ଗ୍ରୀକ୍ଭାଷୀ ଯିହୂଦୀ: ଯେଉଁ ଯିହୂଦୀମାନେ ଗ୍ରୀକ୍ ଭାଷା ଓ ସଂସ୍କୃତି ଗ୍ରହଣ କରିଥିଲେ। 30ଭ୍ରାତୃଗଣ ଏହା ଜାଣିବାରୁ ତାହାକୁ କାଇସରିୟାକୁ ଘେନିଯାଇ ତାର୍ଷକୁ ପଠାଇଦେଲେ।
ପୁତ୍ର ପିତରଙ୍କ ଦ୍ଵାରା ଐନୀୟଙ୍କୁ ସୁସ୍ଥ କରନ୍ତି
31ତେଣୁ ଯିହୂଦା, ଗାଲିଲୀ ଓ ଶମରୀୟାର ସର୍ବତ୍ର ମଣ୍ଡଳୀ ଶାନ୍ତି ଲାଭ କରି ସୁସ୍ଥିର ହେଲା; ପୁଣି ପ୍ରଭୁଙ୍କ ଭୟରେ ଆଚରଣ କରି ଓ ପବିତ୍ର ଆତ୍ମାଙ୍କ ସାନ୍ତ୍ଵନାରେ ବର୍ଦ୍ଧିଷ୍ଣୁ ହୋଇ ସଂଖ୍ୟାରେ ବୃଦ୍ଧି ପାଇଲା।
32ପିତର ସମସ୍ତ ବିଶ୍ଵାସୀମାନଙ୍କ ମଧ୍ୟରେ ଭ୍ରମଣ କରୁ କରୁ ଲୁଦ୍ଦା ନିବାସୀ ପବିତ୍ର ଲୋକମାନଙ୍କ ନିକଟକୁ ମଧ୍ୟ ଗଲେ। 33ସେଠାରେ ସେ ଐନୀୟ ନାମକ ଜଣେ ଲୋକକୁ ପାଇଲେ, ଯେ ପକ୍ଷାଘାତ ରୋଗରେ ଆଠ ବର୍ଷ ଧରି ଶଯ୍ୟାଗତ ଥିଲା। 34ପିତର ତାହାକୁ କହିଲେ, “ଐନୀୟ, ଯୀଶୁ ଖ୍ରୀଷ୍ଟ ତୁମ୍ଭକୁ ସୁସ୍ଥ କରୁଅଛନ୍ତି। ଉଠ, ଆପଣା ଶଯ୍ୟା ଗୁଡ଼ାଅ।” ସେ ସେହିକ୍ଷଣି ଉଠିଲା। 35ଆଉ ଲୁଦ୍ଦା ଓ ଶାରୋଣ ନିବାସୀ ସମସ୍ତେ ତାହାକୁ ଦେଖି ପ୍ରଭୁଙ୍କ ପ୍ରତି ଫେରିଲେ।
36ଯାଫୋରେ ଟାବୀଥା ନାମକ ଜଣେ ଶିଷ୍ୟା ଥିଲେ, ଯାହାର ଅର୍ଥ ଦର୍କା। ସେ ସତ୍କର୍ମ ଓ ଦରିଦ୍ରମାନଙ୍କ ପ୍ରତି ଦାନରେ ପରିପୂର୍ଣ୍ଣ ଥିଲେ। c c v36 ଟାବୀଥା (ଅରାମୀୟ) ଓ ଦର୍କା (ଗ୍ରୀକ୍) ଉଭୟର ଅର୍ଥ “ହରିଣୀ।” 37ସେହି ସମୟରେ ସେ ପୀଡ଼ିତ ହୋଇ ମୃତ୍ୟୁବରଣ କଲେ; ଆଉ ଲୋକମାନେ ତାହାଙ୍କୁ ସ୍ନାନ କରାଇ ଉପର କୋଠରୀରେ ଶୁଆଇ ରଖିଲେ। 38ଲୁଦ୍ଦା ଯାଫୋର ନିକଟବର୍ତ୍ତୀ ଥିବାରୁ, ପିତର ସେଠାରେ ଅଛନ୍ତି ବୋଲି ଶୁଣି ଶିଷ୍ୟମାନେ ତାହାଙ୍କ ନିକଟକୁ ଦୁଇ ଜଣ ଲୋକ ପଠାଇ ଅନୁରୋଧ କଲେ, “ଆମ୍ଭମାନଙ୍କ ନିକଟକୁ ଆସିବାକୁ ବିଳମ୍ବ କରନ୍ତୁ ନାହିଁ।” 39ତେଣୁ ପିତର ଉଠି ସେମାନଙ୍କ ସଙ୍ଗରେ ଗଲେ। ସେ ଉପସ୍ଥିତ ହୁଅନ୍ତେ, ସେମାନେ ତାହାଙ୍କୁ ଉପର କୋଠରୀକୁ ନେଲେ। ବିଧବା ସମସ୍ତେ ତାହାଙ୍କ ପାଖରେ ଠିଆ ହୋଇ କାନ୍ଦୁ କାନ୍ଦୁ, ଦର୍କା ସେମାନଙ୍କ ସଙ୍ଗରେ ଥିବା ସମୟରେ ଯେଉଁ ଅଙ୍ଗରଖା ଓ ବସ୍ତ୍ର ତିଆରି କରିଥିଲେ, ସେହିସବୁ ଦେଖାଇଲେ। 40ପିତର ସମସ୍ତଙ୍କୁ ବାହାର କରିଦେଇ ଆଣ୍ଠୁ ମାଡ଼ି ପ୍ରାର୍ଥନା କଲେ। ପୁଣି ଶବ ଆଡ଼କୁ ଫେରି କହିଲେ, “ଟାବୀଥା, ଉଠ।” ସେ ଆପଣା ଚକ୍ଷୁ ଫିଟାଇ ପିତରଙ୍କୁ ଦେଖି ଉଠି ବସିଲେ। 41ସେ ତାହାଙ୍କୁ ହାତ ଦେଇ ଉଠାଇଲେ, ଆଉ ପବିତ୍ର ଲୋକ ଓ ବିଧବାମାନଙ୍କୁ ଡାକି ତାହାଙ୍କୁ ଜୀବିତ ଅବସ୍ଥାରେ ସମର୍ପଣ କଲେ। 42ଆଉ ଏହା ସମଗ୍ର ଯାଫୋରେ ଜଣାପଡ଼ିଲା, ପୁଣି ଅନେକେ ପ୍ରଭୁଙ୍କଠାରେ ବିଶ୍ଵାସ କଲେ। 43ଆଉ ସେ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରର ଗୃହରେ ଅନେକ ଦିନ ରହିଲେ।