ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଶାଉଲ ମଣ୍ଡଳୀକୁ ଉତ୍ପୀଡ଼ନ କରନ୍ତି

ଶାଉଲ ବିଶ୍ୱାସୀମାନଙ୍କୁ ଟାଣି କାରାଗାରକୁ ନିଏ, ଆଉ ଛିନ୍ନଭିନ୍ନ ହୋଇଥିବା ଲୋକେ ସମାଚାରକୁ ସାଥିରେ ନେଇଯାଆନ୍ତି। ଫିଲିପ ଶମିରୋଣକୁ ସୁସ୍ଥତା ଓ ଆନନ୍ଦ ଆଣନ୍ତି; ଯାଦୁକର ଶିମୋନ ଆମ ପିତାଙ୍କ ଦାନ କିଣିବାକୁ ଚେଷ୍ଟା କରେ ଓ ତାକୁ କୁହାଯାଏ ଯେ ତାର ହୃଦୟ ବିଷାକ୍ତ। ଏକ ମରୁଭୂମି ବାଟରେ ଜଣେ ଇଥିଓପିଆର ଅଧିକାରୀ ବାପ୍ତିସ୍ମ ମାଗନ୍ତି।

ଅଧ୍ୟାୟ 8।

ସ୍ତିଫାନଙ୍କ ବଧରେ ଶାଉଲ ସମ୍ମତି ଦେଲେ। ସେହି ଦିନ ଯିରୂଶାଲମସ୍ଥ ମଣ୍ଡଳୀ ବିରୁଦ୍ଧରେ ମହା ତାଡ଼ନା ଆରମ୍ଭ ହେଲା, ଆଉ ପ୍ରେରିତମାନଙ୍କ ବିନା ସମସ୍ତେ ଯିହୂଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ। ଭକ୍ତ ଲୋକମାନେ ସ୍ତିଫାନଙ୍କୁ କବର ଦେଲେ ଓ ତାହାଙ୍କ ନିମନ୍ତେ ଅତିଶୟ ବିଳାପ କଲେ। ମାତ୍ର ଶାଉଲ ଗୃହକୁ ଗୃହ ପ୍ରବେଶ କରି ପୁରୁଷ ଓ ସ୍ତ୍ରୀମାନଙ୍କୁ ଟାଣି ନେଇ କାରାଗାରରେ ନିକ୍ଷେପ କରି ମଣ୍ଡଳୀକୁ ଉଚ୍ଛିନ୍ନ କରୁଥିଲେ।

ଫିଲିପ୍ପ ଶମିରୋଣରେ ଘୋଷଣା କରନ୍ତି

ଅତଏବ ଯେଉଁମାନେ ଛିନ୍ନଭିନ୍ନ ହୋଇଥିଲେ, ସେମାନେ ସର୍ବତ୍ର ଭ୍ରମଣ କରି ବାକ୍ୟର ସୁସମାଚାର ପ୍ରଚାର କଲେ। ପୁଣି ଫିଲିପ୍ପ ଶମିରୋଣ ନଗରକୁ ଓହ୍ଲାଇ ଯାଇ ସେମାନଙ୍କ ନିକଟରେ ଖ୍ରୀଷ୍ଟଙ୍କୁ ଘୋଷଣା କଲେ। ଫିଲିପ୍ପଙ୍କ କଥା ଶୁଣି ଓ ତାହାଙ୍କ କରୁଥିବା ଚିହ୍ନସବୁ ଦେଖି ଲୋକସମୂହ ଏକଚିତ୍ତରେ ତାହାଙ୍କ ବାକ୍ୟରେ ମନୋଯୋଗ କଲେ। କାରଣ ଅଶୁଚି ଆତ୍ମାବିଷ୍ଟ ଅନେକ ଲୋକଙ୍କଠାରୁ ସେହି ଆତ୍ମାମାନେ ଉଚ୍ଚସ୍ଵରରେ ଚିତ୍କାର କରି ବାହାରିଗଲେ, ପୁଣି ଅନେକ ପକ୍ଷାଘାତ ରୋଗୀ ଓ ଖଞ୍ଜ ଲୋକ ସୁସ୍ଥ ହେଲେ। ଆଉ ସେହି ନଗରରେ ମହା ଆନନ୍ଦ ହେଲା।

ମାତ୍ର ଶିମୋନ ନାମକ ଜଣେ ଲୋକ ସେହି ନଗରରେ ପୂର୍ବରୁ ମାୟାବିଦ୍ୟା ବ୍ୟବହାର କରି ଶମିରୋଣର ଲୋକମାନଙ୍କୁ ଚମତ୍କୃତ କରୁଥିଲା ଓ ଆପଣାକୁ ଜଣେ ମହାନ ବ୍ୟକ୍ତି ବୋଲି ଦାବି କରୁଥିଲା। ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ତାହାର କଥାରେ ମନୋଯୋଗ କରି କହିଲେ, “ଏହି ବ୍ୟକ୍ତି ମହାନ ବୋଲି କଥିତ ଈଶ୍ଵରଙ୍କ ଶକ୍ତି ଅଟେ।” ସେ ବହୁ କାଳ ଧରି ଆପଣା ମାୟାବିଦ୍ୟା ଦ୍ଵାରା ସେମାନଙ୍କୁ ଚମତ୍କୃତ କରିଥିବାରୁ ସେମାନେ ତାହାଠାରେ ମନୋଯୋଗ କରୁଥିଲେ। ମାତ୍ର ଫିଲିପ୍ପ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ଓ ଯୀଶୁ ଖ୍ରୀଷ୍ଟଙ୍କ ନାମ ବିଷୟରେ ଯେଉଁ ସୁସମାଚାର ପ୍ରଚାର କଲେ, ଯେତେବେଳେ ସେମାନେ ତାହା ବିଶ୍ଵାସ କଲେ, ସେତେବେଳେ ପୁରୁଷ ଓ ସ୍ତ୍ରୀମାନେ ବାପ୍ତିଜିତ ହେଲେ। ଶିମୋନ ନିଜେ ମଧ୍ୟ ବିଶ୍ଵାସ କରି ବାପ୍ତିଜିତ ହେଲା, ଆଉ ଫିଲିପ୍ପଙ୍କ ସଙ୍ଗରେ ରହି, ଆପଣା ଦେଖୁଥିବା ଚିହ୍ନ ଓ ମହା ଆଶ୍ଚର୍ଯ୍ୟକର୍ମସବୁ ଦେଖି ଚମତ୍କୃତ ହେଲା।

ଶମିରୋଣ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଗ୍ରହଣ କରିଅଛି ବୋଲି ଯିରୂଶାଲମସ୍ଥ ପ୍ରେରିତମାନେ ଶୁଣି ପିତର ଓ ଯୋହନଙ୍କୁ ସେମାନଙ୍କ ନିକଟକୁ ପ୍ରେରଣ କଲେ। ସେମାନେ ଆସି, ଯେପରି ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହୁଅନ୍ତି, ଏଥିପାଇଁ ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ; କାରଣ ସେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରି ଉପରେ ପବିତ୍ର ଆତ୍ମା ଅବତୀର୍ଣ୍ଣ ହୋଇ ନ ଥିଲେ; ସେମାନେ କେବଳ ପ୍ରଭୁ ଯୀଶୁଙ୍କ ନାମରେ ବାପ୍ତିଜିତ ହୋଇଥିଲେ। ସେତେବେଳେ ପିତର ଓ ଯୋହନ ସେମାନଙ୍କ ଉପରେ ହସ୍ତାର୍ପଣ କଲେ, ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। ପ୍ରେରିତମାନଙ୍କ ହସ୍ତାର୍ପଣ ଦ୍ଵାରା ଆତ୍ମା ଦତ୍ତ ହେଉଅଛନ୍ତି ବୋଲି ଶିମୋନ ଦେଖି ସେମାନଙ୍କ ନିକଟକୁ ଅର୍ଥ ଆଣି, କହିଲା, “ମୁଁ ଯାହା ଉପରେ ହସ୍ତାର୍ପଣ କରିବି, ସେ ଯେପରି ପବିତ୍ର ଆତ୍ମା ପ୍ରାପ୍ତ ହୁଏ, ଏଥିପାଇଁ ମୋତେ ମଧ୍ୟ ଏହି କ୍ଷମତା ଦିଅନ୍ତୁ।” ପିତର ତାହାକୁ କହିଲେ, “ତୁମ୍ଭର ରୂପା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଅର୍ଥ ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ ଦାନ କିଣିପାରିବ ବୋଲି ମନେ କଲ! ଏହି ବିଷୟରେ ତୁମ୍ଭର କୌଣସି ଅଂଶ ବା ସମ୍ବନ୍ଧ ନାହିଁ, କାରଣ ଆମ୍ଭମାନଙ୍କ ପିତାଙ୍କ ସାକ୍ଷାତରେ ତୁମ୍ଭର ହୃଦୟ ସରଳ ନୁହେଁ। ଅତଏବ ଏହି ଦୁଷ୍ଟତାରୁ ମନ ପରିବର୍ତ୍ତନ କର, ଆଉ ଯଦି ସମ୍ଭବ ହୁଏ, ତେବେ ତୁମ୍ଭ ହୃଦୟର ସଂକଳ୍ପ ଯେପରି ତୁମ୍ଭକୁ କ୍ଷମା କରାଯାଏ, ଏଥିପାଇଁ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କର। ମୁଁ ଦେଖୁଅଛି ଯେ, ତୁମ୍ଭେ ତିକ୍ତତାରୂପ ବିଷରେ ଓ ଅଧର୍ମର ବନ୍ଧନରେ ଆବଦ୍ଧ ହୋଇଅଛ।”

ଶିମୋନ ଉତ୍ତର ଦେଲା, “ଆପଣ ଯାହା କହିଲେ, ତହିଁ ମଧ୍ୟରୁ କିଛି ଯେପରି ମୋʼ ଉପରେ ନ ଘଟେ, ଏଥିପାଇଁ ମୋʼ ନିମନ୍ତେ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।”

ଏହିପରି ସେମାନେ ସାକ୍ଷ୍ୟ ଦେଇ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ବାକ୍ୟ କହି, ଶମିରୋଣୀୟମାନଙ୍କ ଅନେକ ଗ୍ରାମରେ ସୁସମାଚାର ପ୍ରଚାର କରୁ କରୁ ଯିରୂଶାଲମକୁ ଫେରିଗଲେ।

ଫିଲିପ୍ପ ଓ କୂଶଦେଶୀୟ ନପୁଂସକ

ଏଥିଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ଜଣେ ଦୂତ ଫିଲିପ୍ପଙ୍କୁ କହିଲେ, “ଉଠ, ଆଉ ଯିରୂଶାଲମଠାରୁ ଘସାକୁ ଓହ୍ଲାଇ ଯାଉଥିବା ବାଟ ଆଡ଼କୁ ଦକ୍ଷିଣ ଦିଗରେ ଯାଅ।” ଏହା ପ୍ରାନ୍ତର ବାଟ ଅଟେ। ତହିଁରେ ସେ ଉଠି ଯାତ୍ରା କଲେ। ଆଉ ଦେଖ, କୂଶଦେଶୀୟ ଜଣେ ନପୁଂସକ, ଯେ କୂଶୀୟମାନଙ୍କ ରାଣୀ କନ୍ଦାକୀଙ୍କ ଜଣେ ମହାନ କର୍ମଚାରୀ ଓ ତାହାଙ୍କ ସମସ୍ତ ଧନଭଣ୍ଡାରର ଅଧ୍ୟକ୍ଷ ଥିଲା, ସେ ଉପାସନା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲା, a a v27 କନ୍ଦାକୀ କୌଣସି ବ୍ୟକ୍ତିଗତ ନାମ ନ ଥିଲା, ମାତ୍ର ମିସରର ଦକ୍ଷିଣସ୍ଥିତ କୂଶ ରାଜ୍ୟର ରାଜମାତାଙ୍କ ରାଜକୀୟ ପଦବୀ ଥିଲା। ଆଉ ସେ ଆପଣା ରଥରେ ବସି ଫେରି ଯାଉ ଯାଉ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରୁଥିଲା।

ସେଥିରେ ପବିତ୍ର ଆତ୍ମା ଫିଲିପ୍ପଙ୍କୁ କହିଲେ, “ନିକଟକୁ ଯାଇ ସେହି ରଥ ସଙ୍ଗରେ ମିଶ।”

ତହୁଁ ଫିଲିପ୍ପ ଦୌଡ଼ିଯାଇ ତାହାକୁ ଯିଶାଇୟ ଭାବବାଦୀଙ୍କ ଶାସ୍ତ୍ର ପାଠ କରିବା ଶୁଣି ପଚାରିଲେ, “ଆପଣ ଯାହା ପାଠ କରୁଅଛନ୍ତି, ତାହା କି ବୁଝୁଅଛନ୍ତି?”

ସେ କହିଲା, “କେହି ମୋତେ ବୁଝାଇ ନ ଦେଲେ ମୁଁ କିପରି ବୁଝିପାରିବି?” ଆଉ ସେ ଆପଣା ସଙ୍ଗରେ ବସିବା ପାଇଁ ଫିଲିପ୍ପଙ୍କୁ ଉପରକୁ ଡାକିଲା। ସେ ଶାସ୍ତ୍ରର ଯେଉଁ ଅଂଶ ପାଠ କରୁଥିଲା, ତାହା ଏହି: “ମେଷ ପରି ସେ ବଧ କରିବା ନିମନ୍ତେ ନିଆଗଲେ, ପୁଣି ମେଷଶାବକ ଯେପରି ଆପଣା ଲୋମଚ୍ଛେଦକ ସମ୍ମୁଖରେ ନୀରବ ରହେ, ସେହିପରି ସେ ଆପଣା ମୁଖ ଫିଟାଇଲେ ନାହିଁ। ତାହାଙ୍କ ଅବନତିରେ ତାହାଙ୍କ ବିଚାର ଅପହୃତ ହେଲା। ତାହାଙ୍କ ବଂଶ କିଏ ବର୍ଣ୍ଣନା କରିପାରିବ? କାରଣ ପୃଥିବୀରୁ ତାହାଙ୍କ ଜୀବନ ନିଆଗଲା।”

ନପୁଂସକ ଫିଲିପ୍ପଙ୍କୁ କହିଲା, “ମୁଁ ଆପଣଙ୍କୁ ନିବେଦନ କରୁଅଛି, ଭାବବାଦୀ ଏହା କାହା ବିଷୟରେ କହୁଅଛନ୍ତି — ଆପଣା ବିଷୟରେ, ନା ଅନ୍ୟ କାହା ବିଷୟରେ?”

ତହିଁରେ ଫିଲିପ୍ପ ମୁଖ ଫିଟାଇ ଏହି ଶାସ୍ତ୍ରରୁ ଆରମ୍ଭ କରି ତାହାକୁ ଯୀଶୁଙ୍କ ବିଷୟକ ସୁସମାଚାର ପ୍ରଚାର କଲେ। ବାଟରେ ଯାଉ ଯାଉ ସେମାନେ କୌଣସି ଜଳ ନିକଟରେ ଉପସ୍ଥିତ ହେଲେ, ଆଉ ନପୁଂସକ କହିଲା, “ଦେଖନ୍ତୁ, ଜଳ! ବାପ୍ତିଜିତ ହେବାରେ ମୋତେ କʼଣ ବାଧା ଦେଉଅଛି?” b b v36 ପ୍ରାଚୀନତମ ପାଣ୍ଡୁଲିପିସମୂହରେ ଏ ସ୍ଥାନରେ ୩୭ ପଦ ନାହିଁ; ପରବର୍ତ୍ତୀ ନକଲସମୂହରେ ଏହା ଯୁକ୍ତ ହୋଇଅଛି: “ଫିଲିପ୍ପ କହିଲେ, ‘ଯଦି ଆପଣ ସମସ୍ତ ଅନ୍ତଃକରଣ ସହିତ ବିଶ୍ଵାସ କରନ୍ତି, ତେବେ ପାରନ୍ତି।’ ଆଉ ସେ ଉତ୍ତର ଦେଲା, ‘ଯୀଶୁ ଖ୍ରୀଷ୍ଟ ଈଶ୍ଵରଙ୍କ ପୁତ୍ର ବୋଲି ମୁଁ ବିଶ୍ଵାସ କରେ।’” ତହିଁରେ ସେ ରଥ ଠିଆ କରିବାକୁ ଆଜ୍ଞା ଦେଲା; ଆଉ ଫିଲିପ୍ପ ଓ ନପୁଂସକ ଉଭୟେ ଜଳ ଭିତରକୁ ଓହ୍ଲାଇଗଲେ, ପୁଣି ଫିଲିପ୍ପ ତାହାକୁ ବାପ୍ତିସ୍ମ ଦେଲେ।

ସେମାନେ ଜଳ ମଧ୍ୟରୁ ଉଠି ଆସନ୍ତେ, ଆମ୍ଭମାନଙ୍କ ପିତାଙ୍କ ଆତ୍ମା ଫିଲିପ୍ପଙ୍କୁ ହଠାତ୍ ଉଠାଇ ନେଲେ, ଆଉ ନପୁଂସକ ତାହାଙ୍କୁ ଆଉ ଦେଖିଲା ନାହିଁ; ମାତ୍ର ସେ ଆନନ୍ଦ କରୁ କରୁ ଆପଣା ବାଟରେ ଚାଲିଗଲା। ମାତ୍ର ଫିଲିପ୍ପ ଆଜୋତସ୍‌ରେ ଦେଖାଗଲେ; ଆଉ ସେ କାଇସରିଆରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭ୍ରମଣ କରୁ କରୁ ପ୍ରତ୍ୟେକ ନଗରରେ ସୁସମାଚାର ପ୍ରଚାର କଲେ।