ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ତାହାର ଭୂମି ଫେରାଇ ଦିଅନ୍ତି

ଆମ ପିତା ଡାକିଥିବା ଦୁର୍ଭିକ୍ଷରୁ ଶୂନେମୀୟା ଫେରେ, ଏବଂ ଠିକ୍ ଯେତେବେଳେ ଗେହଜି ରାଜାଙ୍କୁ ତାʼର କାହାଣୀ କହୁଥାଏ, ସେତେବେଳେ ସେ ନିଜ ଜମି ଫେରିପାଏ। ଦମ୍ମେଶକରେ ଇଲୀଶାୟ କାନ୍ଦି କାନ୍ଦି ହସାୟେଲଙ୍କୁ କହନ୍ତି ସେ ଇସ୍ରାଏଲ ପ୍ରତି କʼଣ କରିବ; ପରଦିନ ହସାୟେଲ ନିଜ ମାଲିକଙ୍କୁ ଶ୍ୱାସରୁଦ୍ଧ କରି ମାରି ସିଂହାସନ ନିଏ।

ଅଧ୍ୟାୟ 8।

ଇଲୀଶାୟ ଯେଉଁ ସ୍ତ୍ରୀର ପୁତ୍ରକୁ ପୁନର୍ବାର ଜୀବିତ କରିଥିଲେ, ତାହାକୁ ସେ କହିଥିଲେ, “ଉଠ, ତୁମ୍ଭେ ଓ ତୁମ୍ଭ ପରିଜନ ଯାଅ, ଆଉ ଯେଉଁଠାରେ ପାର ସେଠାରେ ପ୍ରବାସ କର; କାରଣ ଆମ୍ଭମାନଙ୍କ ପିତା ଦୁର୍ଭିକ୍ଷକୁ ଡାକିଅଛନ୍ତି, ତାହା ସାତ ବର୍ଷ ପର୍ଯ୍ୟନ୍ତ ଦେଶ ଉପରେ ଆସିବ।”

ସେହି ସ୍ତ୍ରୀ ଉଠି ଆମ୍ଭମାନଙ୍କ ପିତାଙ୍କ ଲୋକଙ୍କ ବାକ୍ୟାନୁସାରେ କର୍ମ କଲା, ପୁଣି ସେ ଓ ତାହାର ପରିଜନ ଯାଇ ପଲେଷ୍ଟୀୟମାନଙ୍କ ଦେଶରେ ସାତ ବର୍ଷ ପର୍ଯ୍ୟନ୍ତ ବାସ କଲେ। ସାତ ବର୍ଷ ଉତ୍ତାରେ ସେହି ସ୍ତ୍ରୀ ପଲେଷ୍ଟୀୟ ଦେଶରୁ ଫେରିଆସି ଆପଣା ଗୃହ ଓ ଭୂମି ନିମନ୍ତେ ରାଜାଙ୍କ ନିକଟରେ ନିବେଦନ କରିବାକୁ ଗଲା। ସେତେବେଳେ ରାଜା ଆମ୍ଭମାନଙ୍କ ପିତାଙ୍କ ଲୋକଙ୍କ ଦାସ ଗିହେଜୀ ସହିତ କଥାବାର୍ତ୍ତା କରୁଥିଲେ, “ଇଲୀଶାୟ ଯେଉଁ ସମସ୍ତ ମହତ କର୍ମ କରିଅଛନ୍ତି, ତାହା ମୋତେ କୁହ।” ଗିହେଜୀ ଇଲୀଶାୟ କିପରି ମୃତ ଲୋକକୁ ପୁନର୍ବାର ଜୀବିତ କରିଥିଲେ, ତାହା ରାଜାଙ୍କୁ କହୁଥିବା ସମୟରେ, ଯେଉଁ ସ୍ତ୍ରୀର ପୁତ୍ରକୁ ସେ ପୁନର୍ବାର ଜୀବିତ କରିଥିଲେ, ସେହି ସ୍ତ୍ରୀ ଆପଣା ଗୃହ ଓ କ୍ଷେତ୍ର ନିମନ୍ତେ ରାଜାଙ୍କ ନିକଟରେ ଆର୍ତ୍ତସ୍ଵରରେ କାକୂକ୍ତି କରିବାକୁ ଆସିଲା। ତହିଁରେ ଗିହେଜୀ କହିଲା, “ହେ ମୋʼ ପ୍ରଭୁ ମହାରାଜ, ଏ ସେହି ସ୍ତ୍ରୀ, ଆଉ ଇଲୀଶାୟ ଯାହାକୁ ପୁନର୍ବାର ଜୀବିତ କରିଥିଲେ, ଏ ତାହାର ସେହି ପୁତ୍ର।”

ତେବେ ରାଜା ସେହି ସ୍ତ୍ରୀକୁ ପଚାରନ୍ତେ, ସେ ବୃତ୍ତାନ୍ତ ବର୍ଣ୍ଣନା କଲା। ତହିଁରେ ରାଜା ତାହା ନିମନ୍ତେ ଜଣେ କର୍ମଚାରୀ ନିଯୁକ୍ତ କରି କହିଲେ, “ଏହାର ସର୍ବସ୍ଵ, ପୁଣି ଏ ଦେଶ ଛାଡ଼ି ଯିବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏହାର କ୍ଷେତ୍ରର ସମସ୍ତ ଉତ୍ପନ୍ନ ଫଳ ଫେରାଇ ଦିଅ।”

ପିତା ହସାୟେଲଙ୍କ ଉତ୍ଥାନ ପ୍ରକାଶ କରନ୍ତି

ଏଥିଉତ୍ତାରେ ଇଲୀଶାୟ ଦମ୍ମେଶକକୁ ଆସିଲେ। ସେତେବେଳେ ଅରାମର ରାଜା ବିନ୍‍ହଦଦ୍‍ ପୀଡ଼ିତ ଥିଲା, ପୁଣି ତାହାକୁ କୁହାଗଲା, “ପରମେଶ୍ଵରଙ୍କ ଲୋକ ଏଠାକୁ ଆସିଅଛନ୍ତି।”

ଏଣୁ ରାଜା ହସାୟେଲକୁ କହିଲା, “ତୁମ୍ଭେ ହସ୍ତରେ ଏକ ଭେଟି ନେଇ ପରମେଶ୍ଵରଙ୍କ ଲୋକଙ୍କୁ ସାକ୍ଷାତ କରିବାକୁ ଯାଅ, ଆଉ ତାହାଙ୍କ ଦ୍ଵାରା ସଦାପ୍ରଭୁଙ୍କୁ ଜିଜ୍ଞାସା କର, ‘ମୁଁ କି ଏହି ପୀଡ଼ାରୁ ସୁସ୍ଥ ହେବି?’”

ତହିଁରେ ହସାୟେଲ ଦମ୍ମେଶକର ସମସ୍ତ ଉତ୍ତମ ଦ୍ରବ୍ୟରୁ ଚାଳିଶ ଓଟର ବୋଝା ଭେଟି ହସ୍ତରେ ନେଇ ତାହାଙ୍କୁ ସାକ୍ଷାତ କରିବାକୁ ଗଲା। ସେ ଆସି ଇଲୀଶାୟଙ୍କ ସମ୍ମୁଖରେ ଠିଆ ହୋଇ କହିଲା, “ଅରାମର ରାଜା ବିନ୍‍ହଦଦ୍‍ ଆପଣଙ୍କ ପୁତ୍ର ଏହା ପଚାରିବା ପାଇଁ ମୋତେ ଆପଣଙ୍କ ନିକଟକୁ ପଠାଇଅଛି, ‘ମୁଁ କି ଏହି ପୀଡ଼ାରୁ ସୁସ୍ଥ ହେବି?’”

ତହିଁରେ ଇଲୀଶାୟ ତାହାକୁ କହିଲେ, “ଯାଇ ତାହାକୁ କୁହ, ‘ଆପଣ ଅବଶ୍ୟ ସୁସ୍ଥ ହେବେ;’ ତଥାପି ସେ ନିଶ୍ଚୟ ମରିବ ବୋଲି ଆମ୍ଭମାନଙ୍କ ପିତା ମୋତେ ଦେଖାଇ ଅଛନ୍ତି।” ଆଉ ହସାୟେଲ ଲଜ୍ଜିତ ହେବା ପର୍ଯ୍ୟନ୍ତ ଇଲୀଶାୟ ତାହା ଉପରେ ସ୍ଥିର ଦୃଷ୍ଟି ରଖିଲେ। ତହିଁ ଉତ୍ତାରେ ଆମ୍ଭମାନଙ୍କ ପିତାଙ୍କ ଲୋକ ରୋଦନ କଲେ।

ତେବେ ହସାୟେଲ ପଚାରିଲା, “ମୋʼ ପ୍ରଭୁ କାହିଁକି ରୋଦନ କରୁଅଛନ୍ତି?” ତହିଁରେ ସେ ଉତ୍ତର ଦେଲେ, “କାରଣ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ପ୍ରତି ଯେଉଁ ଅନିଷ୍ଟ କରିବ, ତାହା ମୁଁ ଜାଣେ; ତୁମ୍ଭେ ସେମାନଙ୍କ ଦୁର୍ଗସବୁ ଅଗ୍ନିରେ ଦଗ୍ଧ କରିବ, ସେମାନଙ୍କ ଯୁବକମାନଙ୍କୁ ଖଡ଼୍ଗରେ ବଧ କରିବ, ସେମାନଙ୍କ ବାଳକମାନଙ୍କୁ ଭୂମିରେ ଆଛାଡ଼ି ଖଣ୍ଡ ଖଣ୍ଡ କରିବ ଓ ସେମାନଙ୍କ ଗର୍ଭବତୀ ସ୍ତ୍ରୀମାନଙ୍କ ଉଦର ବିଦୀର୍ଣ୍ଣ କରିବ।”

ତହିଁରେ ହସାୟେଲ ଉତ୍ତର ଦେଲା, “ମାତ୍ର ଆପଣଙ୍କ ଦାସ କେଉଁ ବସ୍ତୁ, ସେ କୁକୁର ମାତ୍ର, ସେ ଯେ ଏହି ମହତ କର୍ମ କରିବ?” ତହିଁରେ ଇଲୀଶାୟ ଉତ୍ତର ଦେଲେ, “ତୁମ୍ଭେ ଅରାମ ଉପରେ ରାଜା ହେବ ବୋଲି ଆମ୍ଭମାନଙ୍କ ପିତା ମୋତେ ଦେଖାଇ ଅଛନ୍ତି।”

ତେବେ ସେ ଇଲୀଶାୟଙ୍କ ନିକଟରୁ ପ୍ରସ୍ଥାନ କରି ଆପଣା ପ୍ରଭୁ ନିକଟକୁ ଫେରିଗଲା, ପୁଣି ସେ ତାହାକୁ ପଚାରିଲା, “ଇଲୀଶାୟ ତୁମ୍ଭକୁ କଅଣ କହିଲେ?” ତହିଁରେ ସେ ଉତ୍ତର ଦେଲା, “ଆପଣ ଅବଶ୍ୟ ସୁସ୍ଥ ହେବେ ବୋଲି ସେ ମୋତେ କହିଲେ।”

ତହିଁ ଆରଦିନ ହସାୟେଲ ସ୍ଥୂଳ ବସ୍ତ୍ର ନେଇ ଜଳରେ ଡୁବାଇ ରାଜାର ମୁଖ ଉପରେ ବିଛାଇ ଦେଲା, ତହିଁରେ ସେ ମଲା; ପୁଣି ହସାୟେଲ ତାହାର ପଦରେ ରାଜତ୍ଵ କଲା।

ଯିହୋରାମ ଯିହୂଦାରେ ରାଜତ୍ଵ କରନ୍ତି

ଇସ୍ରାଏଲର ରାଜା ଆହାବର ପୁତ୍ର ଯୋରାମର ରାଜତ୍ଵର ପଞ୍ଚମ ବର୍ଷରେ, ଯିହୋଶାଫଟ ଯିହୂଦାର ରାଜା ଥିବା ସମୟରେ, ଯିହୂଦାର ରାଜା ଯିହୋଶାଫଟର ପୁତ୍ର ଯିହୋରାମ ରାଜତ୍ଵ କରିବାକୁ ଆରମ୍ଭ କଲା। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବତିଶ ବର୍ଷ ବୟସ୍କ ହୋଇଥିଲା, ପୁଣି ସେ ଯିରୂଶାଲମରେ ଆଠ ବର୍ଷ ରାଜତ୍ଵ କଲା। ସେ ଆହାବ ବଂଶ ଯେପରି କଲେ, ସେପରି ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲା; କାରଣ ଆହାବର କନ୍ୟା ତାହାର ଭାର୍ଯ୍ୟା ହୋଇଥିଲା। ଆଉ ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲା। ତଥାପି ଆମ୍ଭମାନଙ୍କ ପିତା ଆପଣା ଦାସ ଦାଉଦଙ୍କ ସକାଶେ ଯିହୂଦାକୁ ବିନଷ୍ଟ କରିବାକୁ ସମ୍ମତ ହେଲେ ନାହିଁ, କାରଣ ସେ ଦାଉଦଙ୍କୁ ଓ ତାହାଙ୍କ ସନ୍ତାନମାନଙ୍କୁ ଅନନ୍ତକାଳ ପର୍ଯ୍ୟନ୍ତ ଏକ ପ୍ରଦୀପ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।

ତାହାର ସମୟରେ ଇଦୋମ ଯିହୂଦାର ଅଧୀନତାରୁ ବିଦ୍ରୋହୀ ହୋଇ ଆପଣାମାନଙ୍କ ଉପରେ ଏକ ରାଜା ନିଯୁକ୍ତ କଲେ। ତେବେ ଯୋରାମ ଆପଣାର ସମସ୍ତ ରଥ ସଙ୍ଗରେ ନେଇ ସୀୟରକୁ ପାର ହୋଇଗଲା, ପୁଣି ସେ ରାତ୍ରିରେ ଉଠି ଆପଣାକୁ ଘେରିଥିବା ଇଦୋମୀୟମାନଙ୍କୁ ଓ ରଥ-ସେନାପତିମାନଙ୍କୁ ଆଘାତ କଲା; ମାତ୍ର ଲୋକମାନେ ଆପଣା ଆପଣା ତମ୍ବୁକୁ ପଳାଇଲେ। ଆଜି ପର୍ଯ୍ୟନ୍ତ ଇଦୋମ ଯିହୂଦାର ଅଧୀନତାରୁ ବିଦ୍ରୋହୀ ହୋଇ ରହିଅଛି। ସେହି ସମୟରେ ଲିବ୍‍ନା ମଧ୍ୟ ବିଦ୍ରୋହୀ ହେଲା। ଯୋରାମର ଅବଶିଷ୍ଟ କାର୍ଯ୍ୟ ଓ ତାହାର କୃତ ସମସ୍ତ କ୍ରିୟା କʼଣ ଯିହୂଦାର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? ଏଉତ୍ତାରେ ଯୋରାମ ଆପଣା ପିତୃଲୋକଙ୍କ ସହିତ ମହାନିଦ୍ରିତ ହେଲା ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସଙ୍ଗରେ କବର ପାଇଲା; ପୁଣି ତାହାର ପୁତ୍ର ଅହସୀୟ ତାହାର ପଦରେ ରାଜତ୍ଵ କଲା।

ଅହସୀୟ ଯିହୂଦାରେ ରାଜତ୍ଵ କରନ୍ତି

ଇସ୍ରାଏଲର ରାଜା ଆହାବର ପୁତ୍ର ଯୋରାମର ରାଜତ୍ଵର ଦ୍ଵାଦଶ ବର୍ଷରେ ଯିହୂଦାର ରାଜା ଯିହୋରାମର ପୁତ୍ର ଅହସୀୟ ରାଜତ୍ଵ କରିବାକୁ ଆରମ୍ଭ କଲା। ଅହସୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ବାଇଶ ବର୍ଷ ବୟସ୍କ ହୋଇଥିଲା, ପୁଣି ସେ ଯିରୂଶାଲମରେ ଏକ ବର୍ଷ ରାଜତ୍ଵ କଲା। ତାହାର ମାତାର ନାମ ଅଥଲୀୟା, ସେ ଇସ୍ରାଏଲର ରାଜା ଅମ୍ରିର ପୌତ୍ରୀ ଥିଲା। ସେ ଆହାବ ବଂଶର ପଥରେ ଚାଲିଲା, ଆଉ ଆହାବ ବଂଶ ପରି ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲା; କାରଣ ସେ ଆହାବ ବଂଶର ଜୁଆଁଇ ଥିଲା।

ସେ ଆହାବର ପୁତ୍ର ଯୋରାମ ସଙ୍ଗରେ ରାମୋତ୍-ଗିଲୀୟଦରେ ଅରାମର ରାଜା ହସାୟେଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲା; ସେଠାରେ ଅରାମୀୟମାନେ ଯୋରାମକୁ କ୍ଷତବିକ୍ଷତ କଲେ। ତେଣୁ ଯୋରାମ ରାଜା ଅରାମର ରାଜା ହସାୟେଲ ବିରୁଦ୍ଧରେ ଯୁଦ୍ଧ କରିବା ସମୟରେ ରାମାରେ ଅରାମୀୟମାନେ ତାହାକୁ ଯେଉଁ କ୍ଷତ କରିଥିଲେ, ତହିଁରୁ ସୁସ୍ଥ ହେବା ପାଇଁ ଯିଷ୍ରିୟେଲକୁ ଫେରିଗଲା। ଆଉ ଆହାବର ପୁତ୍ର ଯୋରାମ କ୍ଷତବିକ୍ଷତ ହୋଇଥିବାରୁ ଯିହୂଦାର ରାଜା ଯିହୋରାମର ପୁତ୍ର ଅହସୀୟ ତାହାକୁ ଦେଖିବା ପାଇଁ ଯିଷ୍ରିୟେଲକୁ ଗଲା।