ଅଥଲୀୟା ସିଂହାସନ ଅଧିକାର କରନ୍ତି
ଅଥଲିୟା ରାଜବଂଶକୁ ହତ୍ୟା କରେ, କିନ୍ତୁ ଗୋଟିଏ ଶିଶୁକୁ ଛଅ ବର୍ଷ ଆମ ପିତାଙ୍କ ଗୃହରେ ଲୁଚାଇ ରଖାଯାଏ। ପୁରୋହିତ ଯିହୋୟାଦା ରକ୍ଷୀମାନଙ୍କୁ ଅସ୍ତ୍ରସଜ୍ଜିତ କରନ୍ତି, ବାଳକକୁ ମୁକୁଟ ପିନ୍ଧାନ୍ତି, ଏବଂ ପବିତ୍ର ସ୍ଥାନ ବାହାରେ ରାଣୀକୁ ମରାଇଦିଅନ୍ତି। ବାଲର ମନ୍ଦିର ଭାଙ୍ଗି ଦିଆଯାଏ, ଏବଂ ସାତ ବର୍ଷର ଜଣେ ପିଲା ସିଂହାସନରେ ବସେ।
11 1ଅହସୀୟଙ୍କ ମାତା ଅଥଲୀୟା ଆପଣା ପୁତ୍ର ମୃତ ବୋଲି ଦେଖି, ସମଗ୍ର ରାଜବଂଶକୁ ବିନାଶ କରିବାକୁ ଉଠିଲା। 2ମାତ୍ର ଯୋରାମ ରାଜାଙ୍କ କନ୍ୟା ଓ ଅହସୀୟଙ୍କ ଭଗିନୀ ଯିହୋଶେବା ଅହସୀୟଙ୍କ ପୁତ୍ର ଯୋୟାଶଙ୍କୁ ନେଇ, ଯେଉଁ ରାଜପୁତ୍ରମାନେ ହତ ହେବାକୁ ଯାଉଥିଲେ, ସେମାନଙ୍କ ମଧ୍ୟରୁ ତାହାଙ୍କୁ ଚୋରାଇ ଆଣିଲେ। ସେ ତାହାଙ୍କୁ ଓ ତାହାଙ୍କ ଧାତ୍ରୀକୁ ଅଥଲୀୟାଠାରୁ ସୁରକ୍ଷିତ ଭାବେ ଏକ ଶୟନଗୃହରେ ଲୁଚାଇ ରଖିଲେ, ଏଣୁ ସେ ହତ ହେଲେ ନାହିଁ। 3ଅଥଲୀୟା ଦେଶ ଉପରେ ରାଜତ୍ଵ କରୁଥିବା ସମୟରେ, ସେ ତାହାଙ୍କ ସଙ୍ଗେ ଛଅ ବର୍ଷ ଯାଏ ଆମ୍ଭମାନଙ୍କ ପିତାଙ୍କ ଗୃହରେ ଲୁଚି ରହିଲେ।
ପିତା ନ୍ୟାୟସଙ୍ଗତ ରାଜାଙ୍କୁ ରକ୍ଷା କରନ୍ତି
4ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟ ଓ ପ୍ରହରୀ ଶତସେନାପତିମାନଙ୍କୁ ଡକାଇ, ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଆପଣା ନିକଟକୁ ଆଣିଲେ। ସେ ସେମାନଙ୍କ ସହିତ ଏକ ନିୟମ କରି, ଆମ୍ଭମାନଙ୍କ ପିତାଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ, ସେମାନଙ୍କୁ ରାଜପୁତ୍ରଙ୍କୁ ଦେଖାଇଲେ। 5ପୁଣି ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଏହା କର; ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ତୃତୀୟାଂଶ ବିଶ୍ରାମଦିନରେ କାର୍ଯ୍ୟଭାର ଗ୍ରହଣ କରିବେ, ସେମାନେ ରାଜଗୃହର ପ୍ରହରୀ କାର୍ଯ୍ୟ କରିବେ, 6ତୃତୀୟାଂଶ ସୂର ଦ୍ଵାର ନିକଟରେ ଓ ତୃତୀୟାଂଶ ପ୍ରହରୀମାନଙ୍କ ପଛ ଦ୍ଵାର ନିକଟରେ ରହିବେ; ଏହିରୂପେ ପାଳି ଅନୁସାରେ ତୁମ୍ଭେମାନେ ରାଜଗୃହର ପ୍ରହରୀ କାର୍ଯ୍ୟ କରିବ। 7ଆଉ ତୁମ୍ଭମାନଙ୍କର ଅନ୍ୟ ଦୁଇ ଦଳ, ଯେଉଁମାନେ ବିଶ୍ରାମଦିନରେ କାର୍ଯ୍ୟଭାର ତ୍ୟାଗ କରିବେ, ସେମାନେ ରାଜାଙ୍କ ନିମନ୍ତେ ଆମ୍ଭମାନଙ୍କ ପିତାଙ୍କ ଗୃହର ପ୍ରହରୀ କାର୍ଯ୍ୟ କରିବେ। 8ତୁମ୍ଭେମାନେ ପ୍ରତ୍ୟେକେ ହସ୍ତରେ ଅସ୍ତ୍ର ଧରି ରାଜାଙ୍କୁ ଚତୁର୍ଦ୍ଦିଗରେ ଘେରି ରହିବ; ଯେକେହି ଶ୍ରେଣୀ ନିକଟକୁ ଆସେ, ତାହାକୁ ବଧ କର। ରାଜା ଯେଉଁ ସ୍ଥାନକୁ ଯାଆନ୍ତି, ତୁମ୍ଭେମାନେ ତାହାଙ୍କ ସଙ୍ଗେ ରୁହ।”
9ତହିଁରେ ଯିହୋୟାଦା ଯାଜକ ଯାହା ଯାହା ଆଜ୍ଞା ଦେଲେ, ଶତସେନାପତିମାନେ ସେହିସବୁ ଅନୁସାରେ କଲେ। ପ୍ରତ୍ୟେକେ ଆପଣା ଆପଣା ଲୋକମାନଙ୍କୁ, ଅର୍ଥାତ୍ ବିଶ୍ରାମଦିନରେ କାର୍ଯ୍ୟଭାର ଗ୍ରହଣକାରୀ ଓ କାର୍ଯ୍ୟଭାର ତ୍ୟାଗକାରୀମାନଙ୍କୁ ନେଇ, ଯିହୋୟାଦା ଯାଜକଙ୍କ ନିକଟକୁ ଆସିଲେ। 10ପୁଣି ଯାଜକ ଆମ୍ଭମାନଙ୍କ ପିତାଙ୍କ ଗୃହରେ ରଖାଯାଇଥିବା ଦାଉଦ ରାଜାଙ୍କ ବର୍ଚ୍ଛା ଓ ଢାଲ ଶତସେନାପତିମାନଙ୍କୁ ଦେଲେ। 11ଆଉ ପ୍ରହରୀମାନେ ପ୍ରତ୍ୟେକେ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି, ମନ୍ଦିରର ଦକ୍ଷିଣ ପାର୍ଶ୍ଵଠାରୁ ଉତ୍ତର ପାର୍ଶ୍ଵ ପର୍ଯ୍ୟନ୍ତ, ଯଜ୍ଞବେଦି ଓ ମନ୍ଦିର ନିକଟରେ, ରାଜାଙ୍କ ଚତୁର୍ଦ୍ଦିଗରେ ଠିଆ ହେଲେ। 12ତେବେ ଯିହୋୟାଦା ରାଜପୁତ୍ରଙ୍କୁ ବାହାର କରି ଆଣି, ତାହାଙ୍କ ମସ୍ତକରେ ମୁକୁଟ ଦେଇ, ତାହାଙ୍କୁ ସାକ୍ଷ୍ୟପତ୍ର ଦେଲେ; ପୁଣି ସେମାନେ ତାହାଙ୍କୁ ରାଜା କରି ଅଭିଷେକ କଲେ, ଆଉ ଲୋକମାନେ ହାତ ତାଳି ଦେଇ, “ରାଜା ଚିରଜୀବୀ ହେଉନ୍ତୁ!” ବୋଲି ଉଚ୍ଚସ୍ଵରରେ କହିଲେ।
13ଯେତେବେଳେ ଅଥଲୀୟା ପ୍ରହରୀ ଓ ଲୋକମାନଙ୍କ କୋଳାହଳ ଶୁଣିଲା, ସେତେବେଳେ ସେ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଗଲା। 14ଆଉ ସେ ଅନାଇ ଦେଖିଲା, ବିଧି ଅନୁସାରେ ରାଜା ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି, ତାହାଙ୍କ ପାର୍ଶ୍ଵରେ ସେନାପତି ଓ ତୂରୀବାଦକମାନେ ଅଛନ୍ତି, ପୁଣି ଦେଶସ୍ଥ ସମସ୍ତ ଲୋକ ଆନନ୍ଦ କରି ତୂରୀ ବଜାଉଅଛନ୍ତି। ସେଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି, “ରାଜଦ୍ରୋହ! ରାଜଦ୍ରୋହ!” ବୋଲି ଉଚ୍ଚସ୍ଵରରେ କହିଲା।
15ତହିଁରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତସେନାପତିମାନଙ୍କୁ ଆଜ୍ଞା ଦେଇ କହିଲେ, “ଏହାକୁ ଶ୍ରେଣୀର ବାହାରକୁ ନେଇଯାଅ; ଆଉ ଯେକେହି ଏହାର ପଛେ ଯାଏ, ତାହାକୁ ଖଡ୍ଗ ଦ୍ଵାରା ବଧ କର।” କାରଣ ଯାଜକ କହିଥିଲେ ଯେ, ଏ ଆମ୍ଭମାନଙ୍କ ପିତାଙ୍କ ଗୃହରେ ହତ ନ ହେଉ। 16ତହୁଁ ସେମାନେ ତାହାକୁ ଧରିଲେ, ଆଉ ସେ ଅଶ୍ଵମାନଙ୍କ ପ୍ରବେଶ ପଥ ଦେଇ ରାଜଗୃହକୁ ଗଲା, ପୁଣି ସେଠାରେ ସେ ବଧ କରାଗଲା।
17ଏଥିଉତ୍ତାରେ ଯିହୋୟାଦା ଆମ୍ଭମାନଙ୍କ ପିତା ଓ ରାଜା ପୁଣି ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲେ, ଯେପରି ସେମାନେ ଆମ୍ଭମାନଙ୍କ ପିତାଙ୍କ ଲୋକ ହେବେ; ଆଉ ରାଜା ଓ ଲୋକମାନଙ୍କ ମଧ୍ୟରେ ମଧ୍ୟ ଏକ ନିୟମ କଲେ। 18ତହୁଁ ଦେଶସ୍ଥ ସମସ୍ତ ଲୋକ ବାଲ୍ର ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ। ସେମାନେ ତାହାର ଯଜ୍ଞବେଦି ଓ ପ୍ରତିମାଗୁଡ଼ିକ ଚୂର୍ଣ୍ଣ କରି, ବାଲ୍ର ଯାଜକ ମତ୍ତନକୁ ଯଜ୍ଞବେଦି ସମ୍ମୁଖରେ ବଧ କଲେ। ତହିଁ ଉତ୍ତାରେ ଯାଜକ ଆମ୍ଭମାନଙ୍କ ପିତାଙ୍କ ଗୃହ ଉପରେ ପ୍ରହରୀ ନିଯୁକ୍ତ କଲେ। 19ପୁଣି ସେ ଶତସେନାପତି, କରୀୟ, ପ୍ରହରୀ ଓ ଦେଶସ୍ଥ ସମସ୍ତ ଲୋକଙ୍କୁ ନେଲେ, ଆଉ ସେମାନେ ପ୍ରହରୀମାନଙ୍କ ଦ୍ଵାର ଦେଇ ରାଜାଙ୍କୁ ଆମ୍ଭମାନଙ୍କ ପିତାଙ୍କ ଗୃହରୁ ରାଜଗୃହକୁ ଆଣିଲେ; ଆଉ ସେ ସେଠାରେ ରାଜାମାନଙ୍କ ସିଂହାସନ ଉପରେ ଉପବିଷ୍ଟ ହେଲେ। 20ଏହିରୂପେ ଦେଶସ୍ଥ ସମସ୍ତ ଲୋକ ଆନନ୍ଦ କଲେ, ଆଉ ଅଥଲୀୟା ରାଜଗୃହ ନିକଟରେ ଖଡ୍ଗ ଦ୍ଵାରା ହତ ହୋଇଥିବାରୁ, ନଗର ଶାନ୍ତ ହେଲା।
21ଯୋୟାଶ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ସାତ ବର୍ଷ ବୟସ୍କ ଥିଲେ।