ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଆହାବଙ୍କ ବିରୁଦ୍ଧରେ ପିତାଙ୍କ ବାକ୍ୟ ସଫଳ ହେଲା

ଯେହୂ ଶମରିୟାର ଅଧିକାରୀମାନଙ୍କ ଦ୍ୱାରା ଆହାବଙ୍କ ସତୁରି ପୁଅଙ୍କୁ ବଧ କରାଇ ସେମାନଙ୍କ ମୁଣ୍ଡ ଫାଟକ ପାଖରେ ଗଦା କରାନ୍ତି, ପ୍ରତ୍ୟେକ ସମ୍ପର୍କୀୟ ଓ ପୁରୋହିତଙ୍କୁ ମାରନ୍ତି, ତାʼପରେ ବାଲର ଉପାସକମାନଙ୍କୁ ଏକ ମିଥ୍ୟା ପର୍ବରେ ଲୋଭ ଦେଖାଇ ଡାକି ସଂହାର କରନ୍ତି। ଆହାବ ବିରୁଦ୍ଧରେ ଆମ ପିତାଙ୍କ ବାକ୍ୟ ସ୍ଥିର ରହେ; ଯେହୂ ଯାରବିୟାମଙ୍କ ସୁନା ବାଛୁରିଗୁଡ଼ିକ ରଖନ୍ତି।

ଅଧ୍ୟାୟ 10।

ଶମରିୟାରେ ଆହାବଙ୍କର ସତୁରି ପୁତ୍ର ଥିଲେ। ଯେହୂ ଶମରିୟାକୁ, ନଗରର ଅଧିକାରୀ, ପ୍ରାଚୀନ ଓ ଆହାବଙ୍କ ପୁତ୍ରଗଣର ପ୍ରତିପାଳକମାନଙ୍କ ନିକଟକୁ ଏହିପରି ଲେଖି ପତ୍ର ପଠାଇଲେ, “ଏହି ପତ୍ର ତୁମ୍ଭମାନଙ୍କ ନିକଟରେ ପହଞ୍ଚିବା ମାତ୍ରେ, ଯେହେତୁ ତୁମ୍ଭମାନଙ୍କ ପ୍ରଭୁଙ୍କ ପୁତ୍ରଗଣ, ପୁଣି ରଥ, ଅଶ୍ଵ, ଗଡ଼ବନ୍ଦୀ ନଗର ଓ ଅସ୍ତ୍ରଶସ୍ତ୍ର ତୁମ୍ଭମାନଙ୍କ ସଙ୍ଗରେ ଅଛି, ଏଣୁ ତୁମ୍ଭମାନଙ୍କ ପ୍ରଭୁଙ୍କ ପୁତ୍ରଗଣ ମଧ୍ୟରୁ ଉତ୍ତମ ଓ ଯୋଗ୍ୟତମ ଜଣକୁ ମନୋନୀତ କରି ତାହାର ପିତାଙ୍କ ସିଂହାସନରେ ବସାଅ, ପୁଣି ତୁମ୍ଭମାନଙ୍କ ପ୍ରଭୁଙ୍କ ବଂଶ ନିମନ୍ତେ ଯୁଦ୍ଧ କର।”

ମାତ୍ର ସେମାନେ ଅତ୍ୟନ୍ତ ଭୀତ ହୋଇ କହିଲେ, “ଦେଖ, ଦୁଇ ରାଜା ତାହାଙ୍କ ସମ୍ମୁଖରେ ଠିଆ ହୋଇ ପାରିଲେ ନାହିଁ; ତେବେ ଆମ୍ଭେମାନେ କିପରି ଠିଆ ହୋଇ ପାରିବୁ?” ତହିଁରେ ଗୃହାଧ୍ୟକ୍ଷ, ନଗରାଧ୍ୟକ୍ଷ, ପ୍ରାଚୀନ ଓ ପ୍ରତିପାଳକମାନେ ଯେହୂଙ୍କ ନିକଟକୁ ଏହି କଥା ପଠାଇଲେ, “ଆମ୍ଭେମାନେ ଆପଣଙ୍କ ଦାସ, ଆପଣ ଆମ୍ଭମାନଙ୍କୁ ଯାହା କହିବେ, ସେସବୁ ଆମ୍ଭେମାନେ କରିବୁ; ଆମ୍ଭେମାନେ କାହାକୁ ରାଜା କରିବୁ ନାହିଁ; ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ।”

ତେବେ ଯେହୂ ସେମାନଙ୍କ ନିକଟକୁ ଦ୍ଵିତୀୟ ଥର ପତ୍ର ଲେଖିଲେ, “ଯଦି ତୁମ୍ଭେମାନେ ମୋʼ ପକ୍ଷରେ ଅଛ ଓ ମୋʼ କଥା ଶୁଣିବ, ତେବେ ତୁମ୍ଭମାନଙ୍କ ପ୍ରଭୁଙ୍କ ପୁତ୍ରଗଣର ମସ୍ତକ ନେଇ କାଲି ଏହି ସମୟ ସୁଦ୍ଧା ଯିଷ୍ରିୟେଲରେ ମୋʼ ନିକଟକୁ ଆସ।” ସେତେବେଳେ ରାଜାଙ୍କ ସତୁରି ପୁତ୍ର ନଗରର କୁଳୀନ ଲୋକମାନଙ୍କ ସଙ୍ଗରେ ଥିଲେ, ସେମାନେ ସେମାନଙ୍କୁ ପ୍ରତିପାଳନ କରୁଥିଲେ।

ପୁଣି ଏହି ପତ୍ର ସେମାନଙ୍କ ନିକଟରେ ପହଞ୍ଚିବା ମାତ୍ରେ, ସେମାନେ ରାଜାଙ୍କ ପୁତ୍ରଗଣଙ୍କୁ ଧରି ସେହି ସତୁରି ଜଣଙ୍କୁ ବଧ କଲେ, ପୁଣି ସେମାନଙ୍କ ମସ୍ତକ ଟୋକାଇରେ ରଖି ଯିଷ୍ରିୟେଲକୁ ଯେହୂଙ୍କ ନିକଟକୁ ପଠାଇଲେ। ତହିଁରେ ଦୂତ ଆସି ତାହାଙ୍କୁ କହିଲା, “ସେମାନେ ରାଜାଙ୍କ ପୁତ୍ରଗଣର ମସ୍ତକ ଆଣିଅଛନ୍ତି।” ତେବେ ସେ କହିଲେ, “ସକାଳ ପର୍ଯ୍ୟନ୍ତ ସେସବୁ ଦ୍ଵାର-ପ୍ରବେଶ ସ୍ଥାନରେ ଦୁଇ ରାଶି କରି ରଖ।”

ପୁଣି ସକାଳେ ସେ ବାହାରକୁ ଯାଇ ସମସ୍ତ ଲୋକଙ୍କ ସମ୍ମୁଖରେ ଠିଆ ହୋଇ କହିଲେ, “ତୁମ୍ଭେମାନେ ନିର୍ଦୋଷ; ଦେଖ, ମୁଁ ମୋʼ ପ୍ରଭୁଙ୍କ ବିରୁଦ୍ଧରେ ଚକ୍ରାନ୍ତ କରି ତାହାଙ୍କୁ ବଧ କଲି; ମାତ୍ର ଏସମସ୍ତଙ୍କୁ କିଏ ବଧ କଲା? ଏଥିରୁ ଜାଣ ଯେ, ଆହାବଙ୍କ ବଂଶ ବିଷୟରେ ପିତା ଯେଉଁ ବାକ୍ୟ କହିଥିଲେ, ତହିଁର କିଛି ଭୂମିରେ ପଡ଼ିବ ନାହିଁ; କାରଣ ପିତା ଆପଣା ଦାସ ଏଲୀୟଙ୍କ ଦ୍ଵାରା ଯାହା କହିଥିଲେ, ତାହା ସାଧନ କରିଅଛନ୍ତି।”

ଏହିରୂପେ ଯେହୂ ଯିଷ୍ରିୟେଲରେ ଆହାବଙ୍କ ବଂଶର ଅବଶିଷ୍ଟ ସମସ୍ତଙ୍କୁ, ପୁଣି ତାହାଙ୍କ ସମସ୍ତ କୁଳୀନ, ଘନିଷ୍ଠ ମିତ୍ର ଓ ଯାଜକମାନଙ୍କୁ ବଧ କଲେ, କାହାକୁ ଅବଶିଷ୍ଟ ରଖିଲେ ନାହିଁ।

ତହିଁ ଉତ୍ତାରେ ସେ ଉଠି ଶମରିୟା ଅଭିମୁଖେ ଯାତ୍ରା କଲେ। ପଥ ମଧ୍ୟରେ ମେଷପାଳକମାନଙ୍କ ବେଥ୍-ଏକଦ୍ ନିକଟରେ, ଯେହୂ ଯିହୂଦାର ରାଜା ଅହସୀୟଙ୍କ ଭ୍ରାତୃଗଣଙ୍କ ସଙ୍ଗେ ସାକ୍ଷାତ କରି ପଚାରିଲେ, “ତୁମ୍ଭେମାନେ କିଏ?” ସେମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅହସୀୟଙ୍କ ଭ୍ରାତୃଗଣ; ରାଜା ଓ ରାଜମାତାଙ୍କ ପରିବାରବର୍ଗଙ୍କୁ ମଙ୍ଗଳବାଦ କରିବା ନିମନ୍ତେ ଆସୁଅଛୁ।”

ତେବେ ସେ କହିଲେ, “ସେମାନଙ୍କୁ ଜୀଅନ୍ତା ଧର।” ତହିଁରେ ସେମାନେ ସେମାନଙ୍କୁ ଜୀଅନ୍ତା ଧରି ବେଥ୍-ଏକଦ୍‍ର କୂପ ନିକଟରେ ବଧ କଲେ, ବୟାଳିଶ ଜଣ; ସେ ସେମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିଲେ ନାହିଁ।

ପୁଣି ସେ ସେଠାରୁ ପ୍ରସ୍ଥାନ କରି ରେଖବଙ୍କ ପୁତ୍ର ଯିହୋନାଦବଙ୍କ ସଙ୍ଗେ ସାକ୍ଷାତ କଲେ, ସେ ତାହାଙ୍କୁ ଭେଟିବା ପାଇଁ ଆସୁଥିଲେ; ତହିଁରେ ଯେହୂ ତାହାଙ୍କୁ ମଙ୍ଗଳବାଦ କରି ପଚାରିଲେ, “ମୋʼ ହୃଦୟ ଯେପରି ତୁମ୍ଭ ହୃଦୟ ସଙ୍ଗେ ସଜ, ତୁମ୍ଭ ହୃଦୟ କʼଣ ସେପରି ମୋʼ ହୃଦୟ ସଙ୍ଗେ ସଜ?” ଯିହୋନାଦବ କହିଲେ, “ସଜ।” ଯେହୂ କହିଲେ, “ଯେବେ ସଜ, ତେବେ ମୋତେ ତୁମ୍ଭ ହସ୍ତ ଦିଅ।” ତହିଁରେ ସେ ଆପଣା ହସ୍ତ ଦିଅନ୍ତେ, ଯେହୂ ତାହାଙ୍କୁ ଆପଣା ନିକଟକୁ ରଥ ଉପରକୁ ଟାଣି ନେଲେ।

ଆଉ ସେ କହିଲେ, “ମୋʼ ସଙ୍ଗେ ଆସି ପିତାଙ୍କ ପ୍ରତି ମୋʼ ଉଦ୍‍ଯୋଗ ଦେଖ।” ଏହିରୂପେ ସେ ତାହାଙ୍କୁ ଆପଣା ରଥରେ ଆରୋହଣ କରାଇଲେ। ପୁଣି ସେ ଶମରିୟାରେ ପହଞ୍ଚି ସେଠାରେ ଆହାବଙ୍କ ଅବଶିଷ୍ଟ ସମସ୍ତ ଲୋକଙ୍କୁ ବଧ କଲେ, ଯେପର୍ଯ୍ୟନ୍ତ ସେମାନଙ୍କୁ ଉଚ୍ଛିନ୍ନ ନ କଲେ, ପିତା ଏଲୀୟଙ୍କୁ ଯାହା କହିଥିଲେ, ତଦନୁସାରେ।

ଯେହୂ ବାଲ୍‍ର ଉପାସନା ଉଚ୍ଛିନ୍ନ କଲେ

ତହିଁ ଉତ୍ତାରେ ଯେହୂ ସମସ୍ତ ଲୋକଙ୍କୁ ଏକତ୍ର କରି ସେମାନଙ୍କୁ କହିଲେ, “ଆହାବ ବାଲ୍‍ର ଅଳ୍ପ ସେବା କଲା, ମାତ୍ର ଯେହୂ ତାହାର ଅଧିକ ସେବା କରିବ। ଏଣୁ ବାଲ୍‍ର ସମସ୍ତ ଭବିଷ୍ୟଦ୍‍ବକ୍ତା, ତାହାର ସମସ୍ତ ଉପାସକ ଓ ତାହାର ସମସ୍ତ ଯାଜକଙ୍କୁ ମୋʼ ନିକଟକୁ ଡାକ; କେହି ଅନୁପସ୍ଥିତ ନ ରହୁ; କାରଣ ବାଲ୍ ଉଦ୍ଦେଶ୍ୟରେ ମୋହର ଏକ ମହାଯଜ୍ଞ ଅଛି; ଯେକେହି ଅନୁପସ୍ଥିତ ରହିବ, ସେ ବଞ୍ଚିବ ନାହିଁ।” ମାତ୍ର ଯେହୂ ବାଲ୍‍ର ଉପାସକମାନଙ୍କୁ ବିନଷ୍ଟ କରିବା ନିମନ୍ତେ ଛଳନା କରି ଏହା କଲେ।

ପୁଣି ଯେହୂ ଆଜ୍ଞା ଦେଲେ, “ବାଲ୍ ଉଦ୍ଦେଶ୍ୟରେ ଏକ ପବିତ୍ର ସଭା ଘୋଷଣା କର।” ତହିଁରେ ସେମାନେ ତାହା ଘୋଷଣା କଲେ।

ପୁଣି ଯେହୂ ସମଗ୍ର ଇସ୍ରାଏଲ ମଧ୍ୟରେ ଲୋକ ପଠାଇଲେ; ତହିଁରେ ବାଲ୍‍ର ସମସ୍ତ ଉପାସକ ଆସିଲେ, କେହି ଅନୁପସ୍ଥିତ ରହିଲା ନାହିଁ। ପୁଣି ସେମାନେ ବାଲ୍‍ର ଗୃହରେ ପ୍ରବେଶ କରନ୍ତେ, ବାଲ୍‍ର ଗୃହ ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ପରିପୂର୍ଣ୍ଣ ହେଲା। ତେବେ ଯେହୂ ବସ୍ତ୍ରାଗାରର ରକ୍ଷକକୁ କହିଲେ, “ବାଲ୍‍ର ସମସ୍ତ ଉପାସକଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣ।” ତହିଁରେ ସେ ସେମାନଙ୍କ ନିମନ୍ତେ ବସ୍ତ୍ର ବାହାର କରି ଆଣିଲା।

ଆଉ ଯେହୂ ଓ ରେଖବଙ୍କ ପୁତ୍ର ଯିହୋନାଦବ ବାଲ୍‍ର ମନ୍ଦିରରେ ପ୍ରବେଶ କଲେ; ତହିଁରେ ସେ ବାଲ୍‍ର ଉପାସକମାନଙ୍କୁ କହିଲେ, “ଭଲ ଭାବେ ଅନୁସନ୍ଧାନ କର, ଦେଖ, ଯେପରି ଏଠାରେ ତୁମ୍ଭମାନଙ୍କ ମଧ୍ୟରେ ପିତାଙ୍କ ଦାସମାନଙ୍କ ମଧ୍ୟରୁ କେହି ନ ଥାଆନ୍ତି, କେବଳ ବାଲ୍‍ର ଉପାସକମାନେ ଥାଆନ୍ତି।”

ତହୁଁ ସେମାନେ ବଳିଦାନ ଓ ହୋମବଳି ଉତ୍ସର୍ଗ କରିବା ନିମନ୍ତେ ଭିତରକୁ ଗଲେ। ଏଣେ ଯେହୂ ବାହାରେ ଅଶୀ ଜଣ ଲୋକ ନିଯୁକ୍ତ କରି ସେମାନଙ୍କୁ ସତର୍କ କରି କହିଥିଲେ, “ମୁଁ ଯେଉଁ ଲୋକମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରୁଅଛି, ସେମାନଙ୍କ ମଧ୍ୟରୁ ଯେବେ କେହି ଜଣେ ପଳାଇଯିବ, ତେବେ ତାହା ବଦଳେ ତୁମ୍ଭ ପ୍ରାଣ ଯିବ।”

ପୁଣି ହୋମବଳି ଉତ୍ସର୍ଗ କରିବା ସମାପ୍ତ ହେବା ମାତ୍ରେ, ଯେହୂ ପ୍ରହରୀ ଓ ସେନାପତିମାନଙ୍କୁ କହିଲେ, “ଭିତରକୁ ଯାଇ ସେମାନଙ୍କୁ ବଧ କର, କେହି ଯେପରି ବାହାରକୁ ନ ଯାଏ।” ତହିଁରେ ସେମାନେ ଖଡ୍ଗଧାରରେ ସେମାନଙ୍କୁ ବଧ କଲେ; ପୁଣି ପ୍ରହରୀ ଓ ସେନାପତିମାନେ ସେମାନଙ୍କୁ ବାହାରକୁ ଫିଙ୍ଗି ଦେଇ ବାଲ୍‍ର ମନ୍ଦିରର ଭିତର କୋଠରିକୁ ଗଲେ। ଆଉ ସେମାନେ ବାଲ୍‍ର ମନ୍ଦିରର ପବିତ୍ର ସ୍ତମ୍ଭସକଳ ବାହାର କରି ଆଣି ସେସବୁ ଦଗ୍ଧ କଲେ। ପୁଣି ସେମାନେ ବାଲ୍‍ର ପବିତ୍ର ସ୍ତମ୍ଭ ଭାଙ୍ଗି ପକାଇଲେ, ଆଉ ବାଲ୍‍ର ମନ୍ଦିର ଭାଙ୍ଗି ପକାଇ ତାହା ମଳମୂତ୍ର ତ୍ୟାଗର ସ୍ଥାନ କଲେ, ତାହା ଆଜି ପର୍ଯ୍ୟନ୍ତ ଅଛି।

ଏହିରୂପେ ଯେହୂ ଇସ୍ରାଏଲ ମଧ୍ୟରୁ ବାଲ୍-ଉପାସନା ଉଚ୍ଛିନ୍ନ କଲେ। ତଥାପି ନବାଟର ପୁତ୍ର ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲା, ଯେହୂ ତାହାର ସେହି ପାପରୁ, ଅର୍ଥାତ୍ ବେଥେଲ ଓ ଦାନ୍‍ସ୍ଥିତ ସୁବର୍ଣ୍ଣ ବାଛୁରିମାନଙ୍କ ଅନୁଗମନରୁ ବିମୁଖ ହେଲେ ନାହିଁ।

ପିତା ଯେହୂଙ୍କୁ କହିଲେ, “ତୁମ୍ଭେ ଉତ୍ତମ କର୍ମ କରି ମୋʼ ଦୃଷ୍ଟିରେ ଯଥାର୍ଥ ଆଚରଣ କରିଅଛ, ପୁଣି ମୋʼ ମନରେ ଆହାବଙ୍କ ବଂଶ ପ୍ରତି ଯାହା ଥିଲା, ସେହିସବୁ ଅନୁସାରେ କରିଅଛ, ଏଥିପାଇଁ ତୁମ୍ଭର ସନ୍ତାନଗଣ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ।”

ମାତ୍ର ଯେହୂ ଇସ୍ରାଏଲର ଈଶ୍ଵର ପିତାଙ୍କ ବ୍ୟବସ୍ଥା ଅନୁସାରେ ସର୍ବାନ୍ତଃକରଣରେ ସାବଧାନ ହୋଇ ଚାଲିଲେ ନାହିଁ; ଯାରବୀୟାମ ଇସ୍ରାଏଲକୁ ଯେଉଁ ପାପ କରାଇଥିଲା, ସେ ତାହାର ସେହି ପାପରୁ ବିମୁଖ ହେଲେ ନାହିଁ।

ସେହି କାଳରେ ପିତା ଇସ୍ରାଏଲକୁ ହ୍ରାସ କରିବାକୁ ଆରମ୍ଭ କଲେ; ହସାୟେଲ ଇସ୍ରାଏଲର ସମସ୍ତ ସୀମାରେ ସେମାନଙ୍କୁ ପରାସ୍ତ କଲା, ଯର୍ଦ୍ଦନର ପୂର୍ବଦିଗରେ, ସମୁଦାୟ ଗିଲୀୟଦ ଦେଶ, ଗାଦୀୟ, ରୂବେନୀୟ ଓ ମନଃଶୀୟମାନଙ୍କ ଦେଶ, ଅର୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେର ଠାରୁ, ଅର୍ଥାତ୍ ଗିଲୀୟଦ ଓ ବାଶନ ଦେଇ।

ଯେହୂଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାହାଙ୍କ ସମସ୍ତ କ୍ରିୟା ଓ ତାହାଙ୍କ ସମସ୍ତ ପରାକ୍ରମ, ଏସବୁ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? ପୁଣି ଯେହୂ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ, ତହିଁରେ ଲୋକମାନେ ତାହାଙ୍କୁ ଶମରିୟାରେ କବର ଦେଲେ; ଆଉ ତାହାଙ୍କ ପୁତ୍ର ଯିହୋୟାହସ୍ ତାହାଙ୍କ ପଦରେ ରାଜ୍ୟ କଲେ। ଯେହୂ ଶମରିୟାରେ ଇସ୍ରାଏଲ ଉପରେ ଅଠାଇଶ ବର୍ଷ ରାଜ୍ୟ କଲେ।