ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ବିବାହ ବିଷୟରେ ଆମ୍ଭମାନଙ୍କ ପିତାଙ୍କ ସଂକଳ୍ପ

ଯୀଶୁ ବିବାହକୁ ଆରମ୍ଭରେ ଆମ ପିତା ସେମାନଙ୍କୁ କିପରି ସୃଷ୍ଟି କଲେ ସେଥିରେ ପ୍ରତିଷ୍ଠିତ କରନ୍ତି, ଶିଷ୍ୟମାନେ ଘଉଡ଼ାଉଥିବା ଶିଶୁମାନଙ୍କୁ ସ୍ୱାଗତ କରନ୍ତି, ଏବଂ ଜଣେ ସଜ୍ଜନ, ଧନୀ ଯୁବକଙ୍କୁ ସର୍ବସ୍ୱ ବିକିଦେବାକୁ କୁହନ୍ତି। ସେ ଦୁଃଖିତ ହୋଇ ଚାଲିଯାଏ। ମଣିଷ ପାଇଁ ଯାହା ଅସମ୍ଭବ, ଆମ ପିତାଙ୍କ ପାଇଁ ତାହା ସମ୍ଭବ।

ଅଧ୍ୟାୟ 19।

ଯୀଶୁ ଏହିସବୁ ବାକ୍ୟ ଶେଷ କରନ୍ତେ, ସେ ଗାଲିଲୀ ଛାଡ଼ି ଯର୍ଦ୍ଦନ ନଦୀ ସେପାରିସ୍ଥିତ ଯିହୂଦା ପ୍ରଦେଶକୁ ଗଲେ। ପୁଣି ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ, ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ।

ସେତେବେଳେ ଫାରୂଶୀମାନେ ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ତାହାଙ୍କ ନିକଟକୁ ଆସି ପଚାରିଲେ, “ଯେକୌଣସି କାରଣରେ ଆପଣା ସ୍ତ୍ରୀକୁ ପରିତ୍ୟାଗ କରିବା କି ପୁରୁଷ ପକ୍ଷେ ବିଧିସଙ୍ଗତ?”

ସେ ଉତ୍ତର ଦେଲେ, “ଯେ ସେମାନଙ୍କୁ ଆଦ୍ୟରେ ସୃଷ୍ଟି କଲେ, ଆମ୍ଭମାନଙ୍କ ପିତା ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ବୋଲି କଣ ତୁମ୍ଭେମାନେ ପାଠ କରି ନାହଁ, ପୁଣି କହିଲେ, ‘ଏହି କାରଣରୁ ମନୁଷ୍ୟ ଆପଣା ପିତା ଓ ମାତାଙ୍କୁ ଛାଡ଼ି ଆପଣା ସ୍ତ୍ରୀଠାରେ ଆସକ୍ତ ହେବ, ଆଉ ସେ ଦୁହେଁ ଏକ ଶରୀର ହେବେ’? ତେଣୁ ସେମାନେ ଆଉ ଦୁଇ ନୁହନ୍ତି, ମାତ୍ର ଏକ ଶରୀର ଅଟନ୍ତି; ଅତଏବ ଆମ୍ଭମାନଙ୍କ ପିତା ଯାହା ଯୋଡ଼ିଅଛନ୍ତି, ତାହା କେହି ବିଚ୍ଛିନ୍ନ ନ କରୁ।”

ସେମାନେ ତାହାଙ୍କୁ କହିଲେ, “ତେବେ ପୁରୁଷ ତ୍ୟାଗପତ୍ର ଦେଇ ସ୍ତ୍ରୀକୁ ପରିତ୍ୟାଗ କରିବ ବୋଲି ମୋଶା କାହିଁକି ଆଜ୍ଞା ଦେଲେ?”

ସେ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ହୃଦୟ କଠିନ ଥିବାରୁ ମୋଶା ତୁମ୍ଭମାନଙ୍କ ସ୍ତ୍ରୀମାନଙ୍କୁ ପରିତ୍ୟାଗ କରିବାର ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ତାହା ସେପରି ନ ଥିଲା। ମୁଁ ତୁମ୍ଭମାନଙ୍କୁ କହୁଅଛି, ଯେକେହି ବ୍ୟଭିଚାର ବିନା ଅନ୍ୟ କାରଣରେ ଆପଣା ସ୍ତ୍ରୀକୁ ପରିତ୍ୟାଗ କରି ଅନ୍ୟ ଜଣକୁ ବିବାହ କରେ, ସେ ବ୍ୟଭିଚାର କରେ।”

ଶିଷ୍ୟମାନେ ତାହାଙ୍କୁ କହିଲେ, “ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅବସ୍ଥା ଏହିପରି, ତେବେ ବିବାହ ନ କରିବା ଭଲ।”

ସେ ସେମାନଙ୍କୁ କହିଲେ, “ଏହି ବାକ୍ୟ ସମସ୍ତେ ଗ୍ରହଣ କରିପାରନ୍ତି ନାହିଁ, କେବଳ ଯେଉଁମାନଙ୍କୁ ତାହା ଦତ୍ତ ହୋଇଅଛି, ସେମାନେ ପାରନ୍ତି। କାରଣ କେତେକ ନପୁଂସକ ମାତୃଗର୍ଭରୁ ସେପରି ଜନ୍ମ ହୋଇଥାନ୍ତି; ପୁଣି କେତେକ ନପୁଂସକ ଅନ୍ୟମାନଙ୍କ ଦ୍ୱାରା ସେପରି କରାଯାଇଥାନ୍ତି; ଆଉ କେତେକ ନପୁଂସକ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ନିମନ୍ତେ ଆପଣାକୁ ସେପରି କରିଥାନ୍ତି। ଯେ ଏହା ଗ୍ରହଣ କରିପାରେ, ସେ ଗ୍ରହଣ କରୁ।”

ଯୀଶୁ ଶିଶୁମାନଙ୍କୁ ଆଦରେ ଗ୍ରହଣ କରନ୍ତି

ସେତେବେଳେ ଯେପରି ସେ ଶିଶୁମାନଙ୍କ ଉପରେ ହସ୍ତ ରଖି ପ୍ରାର୍ଥନା କରିବେ, ଏଥିପାଇଁ ଲୋକେ ସେମାନଙ୍କୁ ତାହାଙ୍କ ନିକଟକୁ ଆଣିଲେ, କିନ୍ତୁ ଶିଷ୍ୟମାନେ ଆଣୁଥିବା ଲୋକମାନଙ୍କୁ ଧମକାଇଲେ।

ମାତ୍ର ଯୀଶୁ କହିଲେ, “ଶିଶୁମାନଙ୍କୁ ମୋʼ ନିକଟକୁ ଆସିବାକୁ ଦିଅ, ସେମାନଙ୍କୁ ମନା କର ନାହିଁ, କାରଣ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟ ଏହିପରି ଲୋକମାନଙ୍କର।”

ଆଉ ସେ ସେମାନଙ୍କ ଉପରେ ହସ୍ତ ରଖି ସେଠାରୁ ପ୍ରସ୍ଥାନ କଲେ।

ତାହାର ଗୋଟିଏ ବିଷୟର ଅଭାବ

ଆଉ ଦେଖ, ଜଣେ ଲୋକ ତାହାଙ୍କ ନିକଟକୁ ଆସି ପଚାରିଲା, “ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କି ଉତ୍ତମ କର୍ମ କରିବି?”

ସେ ତାହାକୁ କହିଲେ, “ଉତ୍ତମ ବିଷୟରେ ମୋତେ କାହିଁକି ପଚାରୁଅଛ? କେବଳ ଜଣେ ଉତ୍ତମ ଅଟନ୍ତି। ଯଦି ତୁମ୍ଭେ ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞାସବୁ ପାଳନ କର।”

ସେ ପଚାରିଲା, “କେଉଁ ଆଜ୍ଞାସବୁ?” ଯୀଶୁ କହିଲେ, “ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ଆପଣା ପିତା ଓ ମାତାଙ୍କୁ ସମ୍ମାନ କର, ଆଉ ଆପଣା ପ୍ରତିବାସୀକୁ ଆପଣା ପରି ପ୍ରେମ କର।”

ସେହି ଯୁବକ ତାହାଙ୍କୁ କହିଲା, “ଏସମସ୍ତ ତ ମୁଁ ପାଳନ କରିଅଛି। ମୋହର ଆଉ କʼଣ ଅଭାବ ଅଛି?”

ଯୀଶୁ ତାହାକୁ କହିଲେ, “ଯଦି ତୁମ୍ଭେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣା ସମ୍ପତ୍ତି ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ତହିଁରେ ତୁମ୍ଭେ ସ୍ୱର୍ଗରେ ଧନ ପାଇବ, ପୁଣି ଆସି ମୋହର ଅନୁଗମନ କର।”

ମାତ୍ର ସେହି ଯୁବକ ଏହି କଥା ଶୁଣି ଦୁଃଖିତ ହୋଇ ଚାଲିଗଲା, କାରଣ ତାହାର ପ୍ରଚୁର ସମ୍ପତ୍ତି ଥିଲା।

ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଧନୀ ଲୋକ ବଡ଼ କଷ୍ଟରେ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ପ୍ରବେଶ କରିବ। ପୁନର୍ବାର ମୁଁ ତୁମ୍ଭମାନଙ୍କୁ କହୁଅଛି, ଧନୀ ଲୋକ ଆମ୍ଭମାନଙ୍କ ପିତାଙ୍କ ରାଜ୍ୟରେ ପ୍ରବେଶ କରିବା ଅପେକ୍ଷା ବରଂ ଉଟ ଛୁଞ୍ଚିଛିଦ୍ର ଦେଇ ଗଲା ସହଜ।”

ଶିଷ୍ୟମାନେ ଏହା ଶୁଣି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତେବେ କିଏ ପରିତ୍ରାଣ ପାଇପାରେ?”

ଯୀଶୁ ସେମାନଙ୍କ ଆଡ଼େ ଅନାଇ କହିଲେ, “ଏହା ମନୁଷ୍ୟ ପକ୍ଷେ ଅସମ୍ଭବ, କିନ୍ତୁ ଆମ୍ଭମାନଙ୍କ ପିତାଙ୍କ ପକ୍ଷେ ସମସ୍ତ ବିଷୟ ସମ୍ଭବ।”

ସେତେବେଳେ ପିତର ତାହାଙ୍କୁ କହିଲେ, “ଦେଖନ୍ତୁ, ଆମ୍ଭେମାନେ ସବୁ ଛାଡ଼ି ଆପଣଙ୍କ ଅନୁଗମନ କରିଅଛୁ। ତେବେ ଆମ୍ଭମାନଙ୍କର କʼଣ ହେବ?”

ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ନୂତନ ସୃଷ୍ଟିକାଳରେ ଯେତେବେଳେ ମନୁଷ୍ୟପୁତ୍ର ଆପଣା ମହିମାର ସିଂହାସନରେ ଉପବିଷ୍ଟ ହେବେ, ସେତେବେଳେ ମୋହର ଅନୁଗମନ କରିଥିବା ତୁମ୍ଭେମାନେ ମଧ୍ୟ ବାର ସିଂହାସନରେ ବସି ଇସ୍ରାଏଲର ବାର ଗୋଷ୍ଠୀର ବିଚାର କରିବ।

ପୁଣି ଯେକେହି ମୋʼ ନାମ ନିମନ୍ତେ ଗୃହ କିମ୍ବା ଭାଇ କିମ୍ବା ଭଉଣୀ କିମ୍ବା ପିତା କିମ୍ବା ମାତା କିମ୍ବା ସନ୍ତାନ କିମ୍ବା କ୍ଷେତ ତ୍ୟାଗ କରିଅଛି, ସେ ଶତ ଗୁଣ ଅଧିକ ପାଇବ, ଆଉ ଅନନ୍ତ ଜୀବନର ଅଧିକାରୀ ହେବ। କିନ୍ତୁ ପ୍ରଥମ ଥିବା ଅନେକେ ଶେଷ ହେବେ, ଆଉ ଶେଷ ଥିବା ଅନେକେ ପ୍ରଥମ ହେବେ।”