ଯୀଶୁ ଚାରି ହଜାର ଲୋକଙ୍କୁ ଭୋଜନ କରାନ୍ତି
ଯୀଶୁ ଚାରି ହଜାରଙ୍କୁ ଖୁଆନ୍ତି, ଚିହ୍ନ ଦେବାକୁ ମନା କରନ୍ତି, ଏବଂ ଫାରୂଶୀମାନଙ୍କ ଖମୀର ବିଷୟରେ ସାବଧାନ କରନ୍ତି। ଜଣେ ଅନ୍ଧ ଦୁଇ ପର୍ଯ୍ୟାୟରେ ଦେଖିପାରେ। ପିତର ତାଙ୍କୁ ଖ୍ରୀଷ୍ଟ ବୋଲି କହନ୍ତି, ତାʼପରେ ତାଙ୍କୁ ମରିବାକୁ ହେବ ବୋଲି କହିଥିବାରୁ ତାଙ୍କୁ ଧମକାନ୍ତି, ଏବଂ ଆମ ପିତାଙ୍କ ବିଷୟ ନୁହେଁ, ମଣିଷର ବିଷୟରେ ମନ ଦେଉଥିବାରୁ ଶୟତାନ ବୋଲି କୁହାଯାଆନ୍ତି।
8 1ସେହି ସମୟରେ ପୁନର୍ବାର ବହୁସଂଖ୍ୟକ ଲୋକ ଏକତ୍ର ହୋଇଥିବାରୁ ଓ ସେମାନଙ୍କ ପାଖରେ ଖାଇବାକୁ କିଛି ନ ଥିବାରୁ, ଯୀଶୁ ଆପଣା ଶିଷ୍ୟମାନଙ୍କୁ ଡାକି କହିଲେ,
2“ଲୋକସମୂହଙ୍କ ପ୍ରତି ମୋହର ଦୟା ଲାଗୁଅଛି, କାରଣ ସେମାନେ ଏବେ ତିନି ଦିନ ହେଲା ମୋʼ ସଙ୍ଗରେ ଅଛନ୍ତି ଓ ସେମାନଙ୍କ ପାଖରେ ଖାଇବାକୁ କିଛି ନାହିଁ। 3ଯଦି ମୁଁ ସେମାନଙ୍କୁ କ୍ଷୁଧିତ ଅବସ୍ଥାରେ ଗୃହକୁ ପଠାଇଦିଏ, ତେବେ ସେମାନେ ବାଟରେ ମୂର୍ଚ୍ଛିତ ହୋଇ ପଡ଼ିବେ, କାରଣ ସେମାନଙ୍କ ମଧ୍ୟରୁ କେହି କେହି ଦୂରରୁ ଆସିଅଛନ୍ତି।”
4ସେଥିରେ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, “ଏହି ପ୍ରାନ୍ତରରେ କେହି କେଉଁଠାରୁ ରୁଟି ଆଣି ଏତେ ଲୋକଙ୍କୁ ତୃପ୍ତ କରିପାରିବ?”
5ଆଉ ସେ ସେମାନଙ୍କୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?” ସେମାନେ କହିଲେ, “ସାତୋଟି।”
6ସେତେବେଳେ ସେ ଲୋକସମୂହଙ୍କୁ ଭୂମିରେ ବସିବା ପାଇଁ ଆଜ୍ଞା ଦେଇ, ସେହି ସାତୋଟି ରୁଟି ନେଇ ଧନ୍ୟବାଦ ଦେଇ ଭାଙ୍ଗିଲେ, ଆଉ ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ; ପୁଣି ସେମାନେ ଲୋକସମୂହଙ୍କୁ ପରିବେଷଣ କଲେ। 7ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ମଧ୍ୟ ଥିଲା; ସେଗୁଡ଼ିକ ଆଶୀର୍ବାଦ କରି, ସେଗୁଡ଼ିକ ମଧ୍ୟ ଲୋକମାନଙ୍କୁ ପରିବେଷଣ କରିବା ନିମନ୍ତେ ସେ ଶିଷ୍ୟମାନଙ୍କୁ କହିଲେ। 8ଆଉ ସେମାନେ ଭୋଜନ କରି ତୃପ୍ତ ହେଲେ। ପୁଣି ସେମାନେ ବଳିଯାଇଥିବା ଖଣ୍ଡସବୁ ସାତ ଟୋକେଇ ଉଠାଇଲେ। 9ସେଠାରେ ପ୍ରାୟ ଚାରି ହଜାର ଲୋକ ଥିଲେ। ଆଉ ସେ ସେମାନଙ୍କୁ ବିଦାୟ କଲେ।
10ତତ୍କ୍ଷଣାତ୍ ସେ ଆପଣା ଶିଷ୍ୟମାନଙ୍କ ସହିତ ନୌକାରେ ଚଢ଼ି ଦଲ୍ମନୂଥା ଅଞ୍ଚଳକୁ ଗଲେ।
ଚିହ୍ନ ଦାବି କରୁଥିବା ଏକ ବଂଶ
11ଫାରୂଶୀମାନେ ଆସି ତାହାଙ୍କ ସଙ୍ଗରେ ବାଦାନୁବାଦ କରିବାକୁ ଲାଗିଲେ, ଆଉ ତାହାଙ୍କୁ ପରୀକ୍ଷା କରିବା ନିମନ୍ତେ ସ୍ଵର୍ଗରୁ ଗୋଟିଏ ଚିହ୍ନ ଦାବି କଲେ।
12ସେ ଆପଣା ଆତ୍ମାରେ ଗଭୀର ଭାବରେ ଦୀର୍ଘ ନିଃଶ୍ଵାସ ଛାଡ଼ି କହିଲେ, “ଏହି ବଂଶ କାହିଁକି ଚିହ୍ନ ଦାବି କରୁଅଛି? ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଏହି ବଂଶକୁ କୌଣସି ଚିହ୍ନ ଦିଆଯିବ ନାହିଁ।”
13ଆଉ ସେ ସେମାନଙ୍କୁ ଛାଡ଼ି ପୁନର୍ବାର ନୌକାରେ ଚଢ଼ି ଅପର ପାରିକୁ ଗଲେ।
ଫାରୂଶୀମାନଙ୍କ ଖମୀରଠାରୁ ସାବଧାନ
14ସେମାନେ ରୁଟି ଆଣିବାକୁ ପାସୋରି ଯାଇଥିଲେ, ଆଉ ନୌକାରେ ସେମାନଙ୍କ ପାଖରେ କେବଳ ଗୋଟିଏ ରୁଟି ଥିଲା।
15ଆଉ ସେ ସେମାନଙ୍କୁ ସତର୍କ କରି କହିଲେ, “ସାବଧାନ, ଫାରୂଶୀମାନଙ୍କ ଖମୀର ଓ ହେରୋଦଙ୍କ ଖମୀରଠାରୁ ସାବଧାନ ହୁଅ।”
16ସେଥିରେ ସେମାନଙ୍କ ପାଖରେ ରୁଟି ନାହିଁ ବୋଲି ସେମାନେ ପରସ୍ପର ଆଲୋଚନା କରିବାକୁ ଲାଗିଲେ।
17ଏହା ଜାଣି ଯୀଶୁ ପଚାରିଲେ, “ତୁମ୍ଭମାନଙ୍କ ପାଖରେ ରୁଟି ନାହିଁ ବୋଲି କାହିଁକି ଆଲୋଚନା କରୁଅଛ? ତୁମ୍ଭେମାନେ କି ଏବେ ସୁଦ୍ଧା ଦେଖୁ ନାହଁ କି ବୁଝୁ ନାହଁ? ତୁମ୍ଭମାନଙ୍କ ହୃଦୟ କି କଠିନ ହୋଇଅଛି? 18ଚକ୍ଷୁ ଥାଇ କି ଦେଖୁ ନାହଁ? କର୍ଣ୍ଣ ଥାଇ କି ଶୁଣୁ ନାହଁ? ଆଉ କି ତୁମ୍ଭେମାନେ ସ୍ମରଣ କରୁ ନାହଁ? 19ମୁଁ ଯେତେବେଳେ ପାଞ୍ଚ ହଜାର ଲୋକଙ୍କ ନିମନ୍ତେ ପାଞ୍ଚୋଟି ରୁଟି ଭାଙ୍ଗିଲି, ସେତେବେଳେ ତୁମ୍ଭେମାନେ ଖଣ୍ଡସବୁ କେତେ ଟୋକେଇ ଭର୍ତ୍ତି କରି ଉଠାଇଥିଲ?” ସେମାନେ କହିଲେ, “ବାରଟି।”
20“ଆଉ ଯେତେବେଳେ ମୁଁ ଚାରି ହଜାର ଲୋକଙ୍କ ନିମନ୍ତେ ସାତୋଟି ରୁଟି ଭାଙ୍ଗିଲି, ସେତେବେଳେ ତୁମ୍ଭେମାନେ ଭଙ୍ଗା ଖଣ୍ଡସବୁ କେତେ ଟୋକେଇ ଭର୍ତ୍ତି କରି ସଂଗ୍ରହ କଲ?” ସେମାନେ କହିଲେ, “ସାତଟି।”
21ଆଉ ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ଏବେ ସୁଦ୍ଧା ବୁଝୁ ନାହଁ?”
ଜଣେ ଅନ୍ଧ ଦୃଷ୍ଟି ପ୍ରାପ୍ତ କରେ
22ପରେ ସେମାନେ ବେଥ୍ସାଇଦାକୁ ଆସିଲେ, ଆଉ ସେଠାରେ ଲୋକମାନେ ତାହାଙ୍କ ନିକଟକୁ ଜଣେ ଅନ୍ଧକୁ ଆଣି, ତାହାକୁ ସ୍ପର୍ଶ କରିବା ନିମନ୍ତେ ଯୀଶୁଙ୍କୁ ବିନତି କଲେ।
23ସେ ସେହି ଅନ୍ଧର ହାତ ଧରି ତାହାକୁ ଗ୍ରାମ ବାହାରକୁ କଢ଼ାଇନେଇ, ତାହାର ଚକ୍ଷୁରେ ଛେପ ଦେଇ ଓ ତାହା ଉପରେ ହସ୍ତ ରଖି ପଚାରିଲେ, “ତୁ କିଛି ଦେଖୁଅଛୁ କି?”
24ସେ ଉପରକୁ ଚାହିଁ କହିଲା, “ମୁଁ ଲୋକମାନଙ୍କୁ ଦେଖୁଅଛି, କିନ୍ତୁ ସେମାନେ ବୁଲୁଥିବା ବୃକ୍ଷ ପରି ଦେଖାଯାଉଅଛନ୍ତି।”
25ତେବେ ଯୀଶୁ ପୁନର୍ବାର ତାହାର ଚକ୍ଷୁରେ ହସ୍ତ ରଖିଲେ; ସେ ସ୍ଥିର ଦୃଷ୍ଟିରେ ଚାହିଁଲା, ସୁସ୍ଥ ହେଲା ଓ ସମସ୍ତ ବିଷୟ ସ୍ପଷ୍ଟ ଭାବରେ ଦେଖିଲା।
26ଆଉ ସେ ତାହାକୁ ତାହାର ଗୃହକୁ ପଠାଇ କହିଲେ, “ଗ୍ରାମ ଭିତରକୁ ସୁଦ୍ଧା ଯାଅ ନାହିଁ।”
ମୁଁ କିଏ ବୋଲି ତୁମ୍ଭେମାନେ କୁହ?
27ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କାଇସରିୟା ଫିଲିପ୍ପୀର ଗ୍ରାମସମୂହକୁ ଗଲେ। ବାଟରେ ସେ ସେମାନଙ୍କୁ ପଚାରିଲେ, “ମୁଁ କିଏ ବୋଲି ଲୋକମାନେ କହନ୍ତି?”
28ସେମାନେ ତାହାଙ୍କୁ କହିଲେ, “ବାପ୍ତିଜକ ଯୋହନ; ଆଉ କେହି କେହି କହନ୍ତି, ଏଲୀୟ; ପୁଣି କେହି କେହି କହନ୍ତି, ଭାବବାଦୀମାନଙ୍କ ମଧ୍ୟରୁ ଜଣେ।”
29ତେବେ ସେ ସେମାନଙ୍କୁ ପଚାରିଲେ, “କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କୁହ?” ପିତର ଉତ୍ତର ଦେଲେ, “ଆପଣ ଖ୍ରୀଷ୍ଟ।”
30ଆଉ ସେ ଆପଣା ବିଷୟରେ କାହାକୁ ନ କହିବା ପାଇଁ ସେମାନଙ୍କୁ ଦୃଢ଼ ଭାବରେ ସତର୍କ କଲେ।
ମନୁଷ୍ୟପୁତ୍ରଙ୍କୁ ଦୁଃଖଭୋଗ କରିବାକୁ ହେବ
31ମନୁଷ୍ୟପୁତ୍ରଙ୍କୁ ଅନେକ ଦୁଃଖଭୋଗ କରିବାକୁ, ପ୍ରାଚୀନ, ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନଙ୍କ ଦ୍ଵାରା ଅଗ୍ରାହ୍ୟ ହେବାକୁ, ହତ ହେବାକୁ ଓ ତିନି ଦିନ ଉତ୍ତାରେ ପୁନରୁତ୍ଥିତ ହେବାକୁ ହେବ ବୋଲି ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 32ସେ ଏହି କଥା ସ୍ପଷ୍ଟ ଭାବରେ କହିଲେ। ଆଉ ପିତର ତାହାଙ୍କୁ ଏକ ପାର୍ଶ୍ଵକୁ ନେଇ ଅନୁଯୋଗ କରିବାକୁ ଲାଗିଲେ।
33କିନ୍ତୁ ସେ ବୁଲିପଡ଼ି ଆପଣା ଶିଷ୍ୟମାନଙ୍କୁ ଦେଖି ପିତରଙ୍କୁ ଅନୁଯୋଗ କରି କହିଲେ, “ହେ ଶୟତାନ, ମୋʼ ପଛକୁ ଯାଅ! କାରଣ ତୁମ୍ଭେ ଆମ୍ଭମାନଙ୍କ ପିତାଙ୍କ ବିଷୟ ଉପରେ ମନ ଦେଉ ନାହଁ, ମାତ୍ର ମନୁଷ୍ୟର ବିଷୟ ଉପରେ।”
34ପରେ ସେ ଲୋକସମୂହଙ୍କୁ ଓ ଆପଣା ଶିଷ୍ୟମାନଙ୍କୁ ଡାକି ସେମାନଙ୍କୁ କହିଲେ, “ଯେକେହି ମୋʼ ପଛେ ପଛେ ଆସିବାକୁ ଇଚ୍ଛା କରେ, ସେ ଆପଣାକୁ ଅସ୍ଵୀକାର କରୁ, ଆପଣା କ୍ରୁଶ ବହନ କରୁ ଓ ମୋହର ଅନୁଗମନ କରୁ। 35କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେକେହି ମୋʼ ନିମନ୍ତେ ଓ ସୁସମାଚାର ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ରକ୍ଷା କରିବ। 36ମନୁଷ୍ୟ ଯଦି ସମଗ୍ର ଜଗତ ଲାଭ କରି ଆପଣା ପ୍ରାଣ ହରାଏ, ତେବେ ତାହାର କି ଲାଭ? 37କାରଣ ମନୁଷ୍ୟ ଆପଣା ପ୍ରାଣ ବଦଳେ କʼଣ ଦେଇପାରେ? 38କାରଣ ଏହି ବ୍ୟଭିଚାରୀ ଓ ପାପିଷ୍ଠ ବଂଶ ମଧ୍ୟରେ ଯେକେହି ମୋତେ ଓ ମୋହର ବାକ୍ୟକୁ ଲଜ୍ଜାର ବିଷୟ ବୋଲି ମନେ କରେ, ମନୁଷ୍ୟପୁତ୍ର ମଧ୍ୟ ଆପଣା ପିତାଙ୍କ ମହିମାରେ ପବିତ୍ର ଦୂତମାନଙ୍କ ସହିତ ଆସିବା ସମୟରେ ତାହାକୁ ଲଜ୍ଜାର ବିଷୟ ବୋଲି ମନେ କରିବେ।”