ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇସ୍ରାଏଲଙ୍କୁ ପରୀକ୍ଷା କରିବା ନିମନ୍ତେ ଅବଶିଷ୍ଟ ଜାତିସମୂହ

ଇସ୍ରାଏଲ ଶୁଣିବ କି ନାହିଁ ପରୀକ୍ଷା କରିବା ପାଇଁ ଦେଶରେ ଜାତିମାନଙ୍କୁ ରଖାଯାଏ। ଇସ୍ରାଏଲ ଯେତେବେଳେ ସେମାନଙ୍କ ପିତାଙ୍କୁ ଭୁଲିଯାଏ, କୂଶନ୍‍-ରିଶାଥୟିମ ଆଠ ବର୍ଷ ଶାସନ କରେ, ଯେପର୍ଯ୍ୟନ୍ତ ଅତ୍ନୀୟେଲଙ୍କୁ ଉତ୍ଥାପନ କରାନଯାଏ। ପରେ, ବାମହାତିଆ ଏହୂଦ ନିଜ ଡାହାଣ ଜଙ୍ଘରେ ଖଡ୍ଗ ଲୁଚାଇ, ମୋଟା ରାଜା ଇଗ୍ଲୋନକୁ ତାହାର ଉପର କୋଠରିରେ ବଧ କରି କବାଟ ବନ୍ଦ କରିଦିଅନ୍ତି।

ଅଧ୍ୟାୟ 3।

ଇସ୍ରାଏଲଙ୍କୁ ପରୀକ୍ଷା କରିବା ନିମନ୍ତେ ଆମ୍ଭମାନଙ୍କ ପିତା ଯେଉଁ ଜାତିସମୂହଙ୍କୁ ଅବଶିଷ୍ଟ ରଖିଲେ, ସେମାନେ ଏହି; ଯେଉଁମାନେ କିଣାନର କୌଣସି ଯୁଦ୍ଧ ବିଷୟ ଜାଣି ନ ଥିଲେ। (ଇସ୍ରାଏଲଙ୍କ ଯେଉଁ ବଂଶ ପୂର୍ବରୁ ଯୁଦ୍ଧ ବିଷୟ ଜାଣି ନ ଥିଲେ, ସେମାନେ ଯେପରି ତାହା ଶିକ୍ଷା କରନ୍ତି, କେବଳ ଏହି ନିମନ୍ତେ ସେ ଏପରି କଲେ।) ସେହି ଜାତିସମୂହ ଏହି; ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ସମସ୍ତ କିଣାନୀୟ, ସୀଦୋନୀୟ ଓ ବାଲ୍-ହର୍ମୋଣ ପର୍ବତଠାରୁ ହମାତ-ପ୍ରବେଶ ପର୍ଯ୍ୟନ୍ତ ଲିବାନୋନ ପର୍ବତରେ ବାସ କରୁଥିବା ହିବ୍ବୀୟମାନେ। ମୋଶାଙ୍କ ଦ୍ଵାରା ଇସ୍ରାଏଲଙ୍କ ପିତୃପୁରୁଷମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କ ପିତାଙ୍କ ଆଜ୍ଞା ଇସ୍ରାଏଲ ମାନିବେ କି ନାହିଁ, ତାହା ଜାଣିବା ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା ପାଇଁ ସେମାନେ ରହିଲେ। ତେଣୁ ଇସ୍ରାଏଲ-ସନ୍ତାନଗଣ କିଣାନୀୟ, ହିତ୍ତୀୟ, ଇମୋରୀୟ, ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ମଧ୍ୟରେ ବାସ କଲେ। ପୁଣି ସେମାନେ ଏହିସବୁ ଜାତିର କନ୍ୟାମାନଙ୍କୁ ବିବାହ କଲେ, ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରମାନଙ୍କୁ ଦେଲେ ଓ ସେମାନଙ୍କ ଦେବତାମାନଙ୍କୁ ସେବା କଲେ।

ପିତା ଅତ୍ନୀୟେଲଙ୍କୁ ଉତ୍ଥାପନ କରନ୍ତି

ଇସ୍ରାଏଲ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ, ଆପଣାମାନଙ୍କ ପିତାଙ୍କୁ ପାସୋରିଗଲେ, ପୁଣି ବାଲ୍-ଦେବତା ଓ ଆଶେରା-ଦେବୀମାନଙ୍କୁ ସେବା କଲେ। ଏଣୁ ଇସ୍ରାଏଲ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା; ସେ ସେମାନଙ୍କୁ ଅରାମ-ନହରୟିମର ରାଜା କୂଶନ୍-ରିଶୀୟାଥୟିମଙ୍କ ହସ୍ତରେ ବିକ୍ରୟ କଲେ; ଆଉ ଇସ୍ରାଏଲ ଆଠ ବର୍ଷ ପର୍ଯ୍ୟନ୍ତ କୂଶନ୍-ରିଶୀୟାଥୟିମଙ୍କୁ ସେବା କଲେ। ଯେତେବେଳେ ଇସ୍ରାଏଲ-ସନ୍ତାନଗଣ ଆମ୍ଭମାନଙ୍କ ପିତାଙ୍କ ନିକଟରେ କାକୂକ୍ତି କଲେ, ସେତେବେଳେ ସେ ଜଣେ ଉଦ୍ଧାରକର୍ତ୍ତାଙ୍କୁ ଉତ୍ଥାପନ କଲେ, ଯେ ସେମାନଙ୍କୁ ଉଦ୍ଧାର କଲେ; ସେ କାଲେବଙ୍କ କନିଷ୍ଠ ଭ୍ରାତା କନସଙ୍କ ପୁତ୍ର ଅତ୍ନୀୟେଲ। ଆମ୍ଭମାନଙ୍କ ପିତାଙ୍କ ଆତ୍ମା ତାହାଙ୍କ ଉପରେ ଅଧିଷ୍ଠିତ ହେଲେ, ଆଉ ସେ ଇସ୍ରାଏଲଙ୍କ ବିଚାର କଲେ। ସେ ଯୁଦ୍ଧ କରିବାକୁ ବାହାରିଲେ, ପୁଣି ଆମ୍ଭମାନଙ୍କ ପିତା ଅରାମର ରାଜା କୂଶନ୍-ରିଶୀୟାଥୟିମଙ୍କୁ ତାହାଙ୍କ ହସ୍ତରେ ସମର୍ପଣ କଲେ, ଆଉ ତାହାଙ୍କ ହସ୍ତ କୂଶନ୍-ରିଶୀୟାଥୟିମ ବିରୁଦ୍ଧରେ ବଳବାନ ହେଲା। ତହିଁ ଉତ୍ତାରେ କନସଙ୍କ ପୁତ୍ର ଅତ୍ନୀୟେଲଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।

ପିତା ଏହୂଦଙ୍କୁ ଉତ୍ଥାପନ କରନ୍ତି

ଇସ୍ରାଏଲ-ସନ୍ତାନଗଣ ପୁନର୍ବାର ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ, ଆଉ ସେମାନେ ଏହି କୁକର୍ମ କରିବାରୁ ଆମ୍ଭମାନଙ୍କ ପିତା ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନଙ୍କୁ ବଳବାନ କଲେ। ଇଗ୍ଲୋନ ଅମ୍ମୋନୀୟ ଓ ଅମାଲେକୀୟମାନଙ୍କୁ ଏକତ୍ର କରି ଯାଇ ଇସ୍ରାଏଲଙ୍କୁ ଆଘାତ କଲେ, ଆଉ ସେମାନେ ଖର୍ଜୁରପୁର ଅଧିକାର କଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବର ରାଜା ଇଗ୍ଲୋନଙ୍କୁ ସେବା କଲେ। ଇସ୍ରାଏଲ-ସନ୍ତାନଗଣ ପୁନର୍ବାର ଆମ୍ଭମାନଙ୍କ ପିତାଙ୍କ ନିକଟରେ କାକୂକ୍ତି କଲେ; ତେଣୁ ସେ ସେମାନଙ୍କ ନିମନ୍ତେ ଜଣେ ଉଦ୍ଧାରକର୍ତ୍ତା, ଅର୍ଥାତ୍ ବିନ୍ୟାମୀନୀୟ ଗେରାଙ୍କ ପୁତ୍ର, ବାମହସ୍ତ ଏହୂଦଙ୍କୁ ଉତ୍ଥାପନ କଲେ। ସେମାନେ ତାହାଙ୍କ ହସ୍ତ ଦ୍ଵାରା ମୋୟାବର ରାଜା ଇଗ୍ଲୋନଙ୍କ ନିକଟକୁ କର ପଠାଇଲେ। ପୁଣି ଏହୂଦ ଆପଣା ନିମନ୍ତେ ପ୍ରାୟ ଅଠର ଇଞ୍ଚ ଦୀର୍ଘ ଏକ ଦ୍ଵିଧାର ଖଡ୍ଗ ନିର୍ମାଣ କଲେ, ଆଉ ତାହା ଆପଣା ବସ୍ତ୍ର ତଳେ ଦକ୍ଷିଣ ଜଙ୍ଘରେ ବାନ୍ଧିଲେ। ଆଉ ସେ ମୋୟାବର ରାଜା ଇଗ୍ଲୋନଙ୍କ ନିକଟରେ କର ଉତ୍ସର୍ଗ କଲେ; ସେହି ଇଗ୍ଲୋନ ଅତ୍ୟନ୍ତ ସ୍ଥୂଳକାୟ ବ୍ୟକ୍ତି ଥିଲେ। ଏହୂଦ କର ଉତ୍ସର୍ଗ କରିସାରିଲା ଉତ୍ତାରେ, ଯେଉଁ ଲୋକମାନେ ତାହା ବହି ଆଣିଥିଲେ, ସେମାନଙ୍କୁ ବିଦାୟ କଲେ। ମାତ୍ର ସେ ଗିଲ୍‍ଗଲ ନିକଟସ୍ଥ ଖୋଦିତ ପ୍ରତିମାଗୁଡ଼ିକ ନିକଟରୁ ଫେରିଆସି କହିଲେ, “ହେ ରାଜନ୍, ଆପଣଙ୍କ ପାଇଁ ମୋʼ ନିକଟରେ ଏକ ଗୁପ୍ତ କଥା ଅଛି।” ତହିଁରେ ରାଜା କହିଲେ, “ନୀରବ ହୁଅ!” ଆଉ ତାହାଙ୍କ ପାଖରେ ଠିଆ ହୋଇଥିବା ସମସ୍ତେ ତାହାଙ୍କ ନିକଟରୁ ବାହାରିଗଲେ।

ତେବେ ଇଗ୍ଲୋନ ଆପଣା ଶୀତଳ ଉପର କୋଠରୀରେ ଏକାକୀ ବସିଥିବା ବେଳେ ଏହୂଦ ତାହାଙ୍କ ନିକଟକୁ ଗଲେ। ଏହୂଦ କହିଲେ, “ଆପଣଙ୍କ ପାଇଁ ମୋʼ ନିକଟରେ ଈଶ୍ଵରଙ୍କଠାରୁ ଏକ କଥା ଅଛି।” ତହିଁରେ ରାଜା ଆପଣା ଆସନରୁ ଉଠିଲେ। ତେତେବେଳେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ କାଢ଼ି ଇଗ୍ଲୋନଙ୍କ ଉଦରରେ ଭୁସାଇ ଦେଲେ। ଫଳ ପଛେ ମୁଠି ମଧ୍ୟ ପ୍ରବେଶ କଲା; ମେଦ ଖଡ୍ଗ ଉପରେ ଘୋଡ଼ାଇ ହେଲା; କାରଣ ଏହୂଦ ଇଗ୍ଲୋନଙ୍କ ଉଦରରୁ ଖଡ୍ଗ ବାହାର ନ କରିବାରୁ ତାହାଙ୍କ ଅନ୍ତ ବାହାରିପଡ଼ିଲା। ତହୁଁ ଏହୂଦ ବାରଣ୍ଡାକୁ ବାହାରିଗଲେ, ଆଉ ଆପଣା ପଛେ ଉପର କୋଠରୀର କବାଟସବୁ ବନ୍ଦ କରି ଚାବି ଦେଲେ।

ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସି ଉପର କୋଠରୀର କବାଟସବୁ ଚାବିଦିଆ ଦେଖି କହିଲେ, “ସେ ନିଶ୍ଚୟ ଶୀତଳ କୋଠରୀରେ ମଳତ୍ୟାଗ କରୁଅଛନ୍ତି।” ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ, ତଥାପି ସେ ଉପର କୋଠରୀର କବାଟ ଫିଟାଇଲେ ନାହିଁ; ତେଣୁ ସେମାନେ ଚାବି ନେଇ ତାହା ଫିଟାଇ ଦେଖିଲେ, ସେମାନଙ୍କ ପ୍ରଭୁ ଭୂମିରେ ମୃତ ହୋଇ ପଡ଼ିଅଛନ୍ତି।

ସେମାନେ ବିଳମ୍ବ କରୁଥିବା ବେଳେ ଏହୂଦ ପଳାଇଗଲେ; ସେ ଖୋଦିତ ପ୍ରତିମାଗୁଡ଼ିକ ନିକଟ ଅତିକ୍ରମ କରି ସୀୟୀରାକୁ ପଳାଇଲେ। ପୁଣି ସେ ଉପସ୍ଥିତ ହୋଇ ଇଫ୍ରୟିମର ପର୍ବତମୟ ଅଞ୍ଚଳରେ ମେଷଶୃଙ୍ଗ ବଜାଇଲେ, ଆଉ ଇସ୍ରାଏଲ-ସନ୍ତାନଗଣ ତାହାଙ୍କ ସଙ୍ଗେ ପର୍ବତରୁ ଓହ୍ଲାଇ ଆସିଲେ, ପୁଣି ଏହୂଦ ସେମାନଙ୍କ ଆଗେ ଆଗେ ଚାଲିଲେ। ସେ କହିଲେ, “ମୋʼ ପଛେ ପଛେ ଆସ, କାରଣ ଆମ୍ଭମାନଙ୍କ ପିତା ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ତହିଁରେ ସେମାନେ ତାହାଙ୍କ ପଛେ ପଛେ ଓହ୍ଲାଇ ଯାଇ ମୋୟାବ ବିରୁଦ୍ଧରେ ଯର୍ଦ୍ଦନର ଘାଟସବୁ ଅଧିକାର କଲେ ଓ କାହାକୁ ପାର ହେବାକୁ ଦେଲେ ନାହିଁ। ସେହି ସମୟରେ ସେମାନେ ପ୍ରାୟ ଦଶ ସହସ୍ର ମୋୟାବୀୟ ଲୋକଙ୍କୁ ବଧ କଲେ, ସମସ୍ତେ ହୃଷ୍ଟପୁଷ୍ଟ ଓ ବୀର ପୁରୁଷ ଥିଲେ; ସେମାନଙ୍କ ମଧ୍ୟରୁ ଜଣେ ମଧ୍ୟ ରକ୍ଷା ପାଇଲା ନାହିଁ। ଏହିରୂପେ ସେହି ଦିନ ମୋୟାବ ଇସ୍ରାଏଲଙ୍କ ହସ୍ତ ତଳେ ପରାସ୍ତ ହେଲା, ଆଉ ଦେଶ ଅଶୀ ବର୍ଷ ବିଶ୍ରାମ ପାଇଲା।

ତାହାଙ୍କ ଉତ୍ତାରେ ଅନାତଙ୍କ ପୁତ୍ର ଶମ୍‍ଗର ହେଲେ, ସେ ଗୋରୁଠେଙ୍ଗା ଦ୍ଵାରା ଛଅ ଶହ ପଲେଷ୍ଟୀୟ ଲୋକଙ୍କୁ ବଧ କଲେ; ସେ ମଧ୍ୟ ଇସ୍ରାଏଲଙ୍କୁ ଉଦ୍ଧାର କଲେ।