ସମଗ୍ର ଇସ୍ରାଏଲ ଏକ ହୋଇ ଏକତ୍ର ହେଲେ
ଇସ୍ରାଏଲ ଆମ ପିତାଙ୍କ ସମ୍ମୁଖରେ ଏକତ୍ର ହୋଇ ଏହା କିପରି ଘଟିଲା ବୋଲି ପଚାରେ, କିନ୍ତୁ ବିନ୍ୟାମୀନ ଗିବୀୟାର ଲୋକମାନଙ୍କୁ ସମର୍ପଣ କରିବାକୁ ମନା କରେ ଓ ନିଜ ଭାଇମାନଙ୍କ ସହିତ ଯୁଦ୍ଧ କରେ। ଇସ୍ରାଏଲ ପଚାରେ, ଯିବାକୁ ଆଦେଶ ପାଏ, ଏବଂ ଦୁଇ ଦିନରେ ଚାଳିଶ ହଜାର ହରାଏ। ତୃତୀୟ ଦିନ ସେମାନେ ରୋଦନ କରନ୍ତି, ଉପବାସ କରନ୍ତି, ଜୟ କରନ୍ତି — ତାʼପରେ ପ୍ରତ୍ୟେକ ନଗର ପୋଡ଼ିଦିଅନ୍ତି।
20 1ସେତେବେଳେ ଦାନଠାରୁ ବେର୍ଶେବା ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲ-ସନ୍ତାନ ଗିଲୀୟଦ ଦେଶ ସହିତ ବାହାରି ଆସି ମିସ୍ପାରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ଏକ ମନୁଷ୍ୟ ପରି ଏକତ୍ର ହୋଇ ସମାଜ ହେଲେ। 2ପୁଣି ସମସ୍ତ ଲୋକଙ୍କ ଅଧ୍ୟକ୍ଷଗଣ, ଅର୍ଥାତ୍ ଇସ୍ରାଏଲର ସମସ୍ତ ଗୋଷ୍ଠୀ ଆମ୍ଭମାନଙ୍କ ପିତାଙ୍କ ଲୋକଙ୍କ ସମାଜରେ ଉପସ୍ଥିତ ହେଲେ, ସେମାନେ ପଦାତିକ ଚାରି ଲକ୍ଷ ଖଡ୍ଗଧାରୀ ଲୋକ ଥିଲେ। 3ଆଉ ଇସ୍ରାଏଲ-ସନ୍ତାନ ମିସ୍ପାକୁ ଯାଇଅଛନ୍ତି ବୋଲି ବିନ୍ୟାମୀନ-ସନ୍ତାନ ଶୁଣିଲେ। ତହିଁରେ ଇସ୍ରାଏଲ-ସନ୍ତାନ ପଚାରିଲେ, “ଏହି ଦୁଷ୍କର୍ମ କିପରି ଘଟିଲା, ତାହା ଆମ୍ଭମାନଙ୍କୁ କୁହ।”
4ସେତେବେଳେ ସେହି ହତ ସ୍ତ୍ରୀର ସ୍ଵାମୀ, ସେହି ଲେବୀୟ ଲୋକ ଉତ୍ତର ଦେଲା, “ମୁଁ ଓ ମୋହର ଉପପତ୍ନୀ ରାତ୍ରି ଯାପନ କରିବା ନିମନ୍ତେ ବିନ୍ୟାମୀନର ଗିବୀୟାକୁ ଆସିଥିଲୁ। 5ତହିଁରେ ଗିବୀୟାର ଲୋକମାନେ ମୋʼ ବିରୁଦ୍ଧରେ ଉଠି ରାତ୍ରିରେ ମୋତେ ଘେରି ସେହି ଗୃହ ବେଷ୍ଟନ କଲେ ଓ ମୋତେ ବଧ କରିବାକୁ ମନସ୍ଥ କଲେ, ପୁଣି ମୋହର ଉପପତ୍ନୀକୁ ବଳାତ୍କାର କଲେ, ତହିଁରେ ସେ ମଲା। 6ତେଣୁ ମୁଁ ଆପଣା ଉପପତ୍ନୀକୁ ନେଇ ତାହାକୁ ଖଣ୍ଡ ଖଣ୍ଡ କରି କାଟି ଇସ୍ରାଏଲର ଅଧିକାରର ସମୁଦାୟ ଦେଶକୁ ପଠାଇଲି, କାରଣ ସେମାନେ ଇସ୍ରାଏଲ ମଧ୍ୟରେ କୁକର୍ମ ଓ ମୂଢ଼ତାର କାର୍ଯ୍ୟ କରିଥିଲେ। 7ଦେଖ, ହେ ଇସ୍ରାଏଲ-ସନ୍ତାନ ତୁମ୍ଭେ ସମସ୍ତେ, ଏହିଠାରେ ଏବେ ଆପଣାମାନଙ୍କ ବିବେଚନା ଓ ମନ୍ତ୍ରଣା ଦିଅ।”
8ସେତେବେଳେ ସମସ୍ତ ଲୋକ ଏକ ମନୁଷ୍ୟ ପରି ଉଠି କହିଲେ, “ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ତମ୍ବୁକୁ ଯିବ ନାହିଁ, କିଅବା ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଗୃହକୁ ଫେରିବ ନାହିଁ। 9ମାତ୍ର ଏବେ ଆମ୍ଭେମାନେ ଗିବୀୟା ପ୍ରତି ଏହି କର୍ମ କରିବା: ଆମ୍ଭେମାନେ ଗୁଲିବାଣ୍ଟ ଦ୍ଵାରା ତାହା ଆକ୍ରମଣ କରିବା। 10ଆଉ ବିନ୍ୟାମୀନର ଗିବୀୟାକୁ ଯାଉଥିବା ସୈନ୍ୟମାନଙ୍କ ପାଇଁ ଖାଦ୍ୟ ଆଣିବା ନିମନ୍ତେ ଆମ୍ଭେମାନେ ଇସ୍ରାଏଲର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ଶହରୁ ଦଶ ଜଣ, ଏକ ସହସ୍ରରୁ ଏକ ଶହ ଓ ଦଶ ସହସ୍ରରୁ ଏକ ସହସ୍ର ଲୋକ ନେବା, ଯେପରି ବିନ୍ୟାମୀନ ଇସ୍ରାଏଲ ମଧ୍ୟରେ ଯେଉଁ ମୂଢ଼ତାର କର୍ମ କରିଅଛି, ତହିଁର ପ୍ରତିଫଳ ଦିଆଯାଇ ପାରିବ।” 11ଏହିରୂପେ ଇସ୍ରାଏଲର ସମସ୍ତ ଲୋକ ଏକ ମନୁଷ୍ୟ ପରି ଏକତ୍ର ହୋଇ ସେହି ନଗର ବିରୁଦ୍ଧରେ ସମବେତ ହେଲେ। 12ଆଉ ଇସ୍ରାଏଲର ଗୋଷ୍ଠୀସମୂହ ବିନ୍ୟାମୀନ ସମସ୍ତ ଗୋଷ୍ଠୀ ମଧ୍ୟକୁ ଲୋକ ପଠାଇ ପଚାରିଲେ, “ତୁମ୍ଭମାନଙ୍କ ମଧ୍ୟରେ ଏ କି ଦୁଷ୍କର୍ମ ଘଟିଅଛି? 13ଏହେତୁ ଏବେ ଗିବୀୟାସ୍ଥିତ ସେହି ପାପାଧମ ଲୋକମାନଙ୍କୁ ସମର୍ପଣ କର, ଯେପରି ଆମ୍ଭେମାନେ ସେମାନଙ୍କୁ ବଧ କରି ଇସ୍ରାଏଲ ମଧ୍ୟରୁ ଦୁଷ୍ଟତା ଦୂର କରିପାରିବା।” ମାତ୍ର ବିନ୍ୟାମୀନ-ସନ୍ତାନ ଆପଣାମାନଙ୍କ ଭ୍ରାତା ଇସ୍ରାଏଲ-ସନ୍ତାନଙ୍କ ବାକ୍ୟ ଶୁଣିବାକୁ ସମ୍ମତ ହେଲେ ନାହିଁ।
14ବରଂ ବିନ୍ୟାମୀନ-ସନ୍ତାନ ଇସ୍ରାଏଲ-ସନ୍ତାନଙ୍କ ସଙ୍ଗେ ଯୁଦ୍ଧ କରିବାକୁ ଯିବା ନିମନ୍ତେ ଆପଣାମାନଙ୍କ ନଗରସମୂହରୁ ଗିବୀୟାରେ ଏକତ୍ର ହେଲେ। 15ପୁଣି ସେହି ଦିନ ବିନ୍ୟାମୀନ-ସନ୍ତାନ ଆପଣାମାନଙ୍କ ନଗରସମୂହରୁ ଛବିଶ ସହସ୍ର ଖଡ୍ଗଧାରୀ ଲୋକ ଗଣନା କଲେ, ତାʼ ଛଡ଼ା ଗିବୀୟା ନିବାସୀ ସାତ ଶହ ବଛା ଲୋକ ଗଣନା କଲେ। 16ଏହି ସମସ୍ତ ସୈନ୍ୟ ମଧ୍ୟରେ ସାତ ଶହ ବଛା ବାମହସ୍ତ ଲୋକ ଥିଲେ, ସେମାନଙ୍କ ପ୍ରତ୍ୟେକେ ଏକ କେଶ ଲକ୍ଷ୍ୟ କରି ଛାଟିଣୀରେ ପଥର ଫିଙ୍ଗି ଲକ୍ଷ୍ୟଭ୍ରଷ୍ଟ ହୁଅନ୍ତି ନାହିଁ। 17ଆଉ ବିନ୍ୟାମୀନ ଛଡ଼ା ଇସ୍ରାଏଲର ଲୋକମାନେ ଚାରି ଲକ୍ଷ ଖଡ୍ଗଧାରୀ ଲୋକ ଗଣନା କଲେ, ସେମାନେ ସମସ୍ତେ ଯୋଦ୍ଧା ଥିଲେ।
18ପୁଣି ଇସ୍ରାଏଲ-ସନ୍ତାନ ଉଠି ବେଥେଲକୁ ଯାଇ ଆମ୍ଭମାନଙ୍କ ପିତାଙ୍କୁ ପଚାରିଲେ, “ବିନ୍ୟାମୀନ-ସନ୍ତାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ଆମ୍ଭମାନଙ୍କ ମଧ୍ୟରୁ କିଏ ପ୍ରଥମେ ଯିବ?” ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ଯିହୁଦା ପ୍ରଥମେ ଯିବ।”
19ଅନନ୍ତର ଇସ୍ରାଏଲ-ସନ୍ତାନ ପ୍ରଭାତରେ ଉଠି ଗିବୀୟା ନିକଟରେ ଛାଉଣି ସ୍ଥାପନ କଲେ। 20ପୁଣି ଇସ୍ରାଏଲର ଲୋକମାନେ ବିନ୍ୟାମୀନ ସଙ୍ଗେ ଯୁଦ୍ଧ କରିବାକୁ ବାହାରିଗଲେ ଓ ଗିବୀୟାରେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧାର୍ଥେ ସୈନ୍ୟ ସଜାଇଲେ। 21ତହିଁରେ ବିନ୍ୟାମୀନ-ସନ୍ତାନ ଗିବୀୟାରୁ ବାହାରି ଆସି ସେହି ଦିନ ଇସ୍ରାଏଲର ବାଇଶ ସହସ୍ର ଲୋକଙ୍କୁ କ୍ଷେତ୍ରରେ ଭୂମିଶାୟୀ କଲେ। 22ମାତ୍ର ଇସ୍ରାଏଲର ଲୋକମାନେ ଆପଣାମାନଙ୍କୁ ଆଶ୍ଵାସ୍ତ କରି, ପ୍ରଥମ ଦିନ ଯେଉଁ ସ୍ଥାନରେ ସେମାନେ ସୈନ୍ୟ ସଜାଇଥିଲେ, ସେହି ସ୍ଥାନରେ ପୁନର୍ବାର ଯୁଦ୍ଧାର୍ଥେ ସୈନ୍ୟ ସଜାଇଲେ।
23ଆଉ ଇସ୍ରାଏଲ-ସନ୍ତାନ ଉପରକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ରୋଦନ କରି ପଚାରିଲେ, “ଆମ୍ଭେମାନେ ପୁନର୍ବାର ଆପଣାମାନଙ୍କ ଭ୍ରାତା ବିନ୍ୟାମୀନ-ସନ୍ତାନଙ୍କ ସଙ୍ଗେ ଯୁଦ୍ଧ କରିବା କି?” ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।”
24ଏହେତୁ ଇସ୍ରାଏଲ-ସନ୍ତାନ ଦ୍ଵିତୀୟ ଦିନ ବିନ୍ୟାମୀନ-ସନ୍ତାନଙ୍କ ବିରୁଦ୍ଧରେ ଅଗ୍ରସର ହେଲେ। 25ତହିଁରେ ବିନ୍ୟାମୀନ ଦ୍ଵିତୀୟ ଦିନ ଗିବୀୟାରୁ ସେମାନଙ୍କ ବିରୁଦ୍ଧରେ ବାହାରି ଆସି ପୁନର୍ବାର ଇସ୍ରାଏଲ-ସନ୍ତାନଙ୍କ ଅଠର ସହସ୍ର ଲୋକଙ୍କୁ ଭୂମିଶାୟୀ କଲେ, ସେମାନେ ସମସ୍ତେ ଖଡ୍ଗଧାରୀ ଥିଲେ।
26ସେତେବେଳେ ଇସ୍ରାଏଲ-ସନ୍ତାନ ସମସ୍ତେ, ଅର୍ଥାତ୍ ସମଗ୍ର ସୈନ୍ୟ ଉପରକୁ ଯାଇ ବେଥେଲକୁ ଆସି ସେଠାରେ ଆମ୍ଭମାନଙ୍କ ପିତାଙ୍କ ସମ୍ମୁଖରେ ବସି ରୋଦନ କଲେ, ପୁଣି ସେହି ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କରି ତାହାଙ୍କ ସମ୍ମୁଖରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 27ଆଉ ଇସ୍ରାଏଲ-ସନ୍ତାନ ଆମ୍ଭମାନଙ୍କ ପିତାଙ୍କୁ ପଚାରିଲେ। (ସେହି କାଳରେ ଆମ୍ଭମାନଙ୍କ ପିତାଙ୍କ ନିୟମ-ସିନ୍ଦୁକ ସେଠାରେ ଥିଲା,
28ଆଉ ହାରୋଣଙ୍କ ପୌତ୍ର, ଇଲୀୟାସରଙ୍କ ପୁତ୍ର ପୀନହସ୍ ସେହି କାଳରେ ତାʼ ସମ୍ମୁଖରେ ସେବା କରୁଥିଲେ।) ସେମାନେ ପଚାରିଲେ, “ଆମ୍ଭେମାନେ ଆପଣାମାନଙ୍କ ଭ୍ରାତା ବିନ୍ୟାମୀନ-ସନ୍ତାନଙ୍କ ସଙ୍ଗେ ଯୁଦ୍ଧ କରିବା ନିମନ୍ତେ ପୁନର୍ବାର ଯିବା, ଅବା ନିବୃତ୍ତ ହେବା?” ତହିଁରେ ଆମ୍ଭମାନଙ୍କ ପିତା କହିଲେ, “ଯାଅ, କାରଣ କାଲି ଆମ୍ଭେ ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିବା।”
29ଏଥିରେ ଇସ୍ରାଏଲ ଗିବୀୟାର ଚତୁର୍ଦ୍ଦିଗରେ ଲୋକ ଘଡ଼ି ବସାଇଲେ। 30ଆଉ ଇସ୍ରାଏଲ-ସନ୍ତାନ ତୃତୀୟ ଦିନ ବିନ୍ୟାମୀନ-ସନ୍ତାନଙ୍କ ବିରୁଦ୍ଧରେ ଅଗ୍ରସର ହୋଇ ପୂର୍ବ ପରି ଗିବୀୟା ବିରୁଦ୍ଧରେ ସୈନ୍ୟ ସଜାଇଲେ। 31ତହିଁରେ ବିନ୍ୟାମୀନ-ସନ୍ତାନ ଲୋକମାନଙ୍କ ବିରୁଦ୍ଧରେ ବାହାରି ଆସି ନଗରଠାରୁ ଆକର୍ଷିତ ହେଲେ, ପୁଣି ପୂର୍ବ ପରି ଲୋକମାନଙ୍କୁ ବଧ କରିବାକୁ ଆରମ୍ଭ କରି ବେଥେଲକୁ ଉଠିଯିବା ଏକ ସଡ଼କ ଓ ଗିବୀୟାକୁ ଯିବା ଅନ୍ୟ ସଡ଼କ, ଏହି ରାଜପଥମାନଙ୍କରେ ଓ କ୍ଷେତ୍ରରେ ଇସ୍ରାଏଲର ପ୍ରାୟ ତିରିଶ ଜଣ ଲୋକଙ୍କୁ ବଧ କଲେ।
32ତହିଁରେ ବିନ୍ୟାମୀନ-ସନ୍ତାନ କହିଲେ, “ସେମାନେ ପୂର୍ବ ପରି ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।” ମାତ୍ର ଇସ୍ରାଏଲ-ସନ୍ତାନ କହିଥିଲେ, “ଆସ, ଆମ୍ଭେମାନେ ପଳାଇ ସେମାନଙ୍କୁ ନଗରଠାରୁ ରାଜପଥମାନଙ୍କ ପର୍ଯ୍ୟନ୍ତ ଆକର୍ଷଣ କରିବା।”
33ଅନନ୍ତର ଇସ୍ରାଏଲର ସମସ୍ତ ଲୋକ ଆପଣାମାନଙ୍କ ସ୍ଥାନରୁ ଉଠି ବାଲ-ତାମରରେ ସୈନ୍ୟ ସଜାଇଲେ ଓ ଘଡ଼ି ବସିଥିବା ଇସ୍ରାଏଲୀୟ ଲୋକମାନେ ଗେବାର ପଶ୍ଚିମସ୍ଥିତ ଆପଣାମାନଙ୍କ ସ୍ଥାନରୁ ଉଚ୍ଛୁଳି ପଡ଼ିଲେ। 34ପୁଣି ସମଗ୍ର ଇସ୍ରାଏଲ ମଧ୍ୟରୁ ବଛା ଦଶ ସହସ୍ର ଲୋକ ଗିବୀୟା ବିରୁଦ୍ଧରେ ଅଗ୍ରସର ହେଲେ, ତହିଁରେ ଘୋର ଯୁଦ୍ଧ ହେଲା; ମାତ୍ର ଆପଣାମାନଙ୍କ ଉପରେ ବିପଦ ସନ୍ନିକଟ ବୋଲି ବିନ୍ୟାମୀନ-ସନ୍ତାନ ଜାଣିଲେ ନାହିଁ। 35ପୁଣି ଆମ୍ଭମାନଙ୍କ ପିତା ଇସ୍ରାଏଲ ସମ୍ମୁଖରେ ବିନ୍ୟାମୀନକୁ ପରାସ୍ତ କଲେ; ତହିଁରେ ସେହି ଦିନ ଇସ୍ରାଏଲ-ସନ୍ତାନ ବିନ୍ୟାମୀନର ପଚିଶ ସହସ୍ର ଏକ ଶହ ଲୋକଙ୍କୁ ବଧ କଲେ, ସେମାନେ ସମସ୍ତେ ଖଡ୍ଗଧାରୀ ଥିଲେ। 36ଏହିରୂପେ ବିନ୍ୟାମୀନ-ସନ୍ତାନ ଆପଣାମାନଙ୍କୁ ପରାସ୍ତ ବୋଲି ଦେଖିଲେ, କାରଣ ଇସ୍ରାଏଲର ଲୋକମାନେ ଗିବୀୟା ବିରୁଦ୍ଧରେ ବସାଇଥିବା ଘଡ଼ି ଉପରେ ନିର୍ଭର କରି ବିନ୍ୟାମୀନ ନିକଟରେ ପଛେଇ ଗଲେ। 37ତହିଁରେ ଘଡ଼ି ବସିଥିବା ଲୋକମାନେ ତ୍ଵରା କରି ଗିବୀୟା ଉପରେ ଆକ୍ରମଣ କଲେ; ପୁଣି ଘଡ଼ି ବସିଥିବା ଲୋକମାନେ ଆଗକୁ ବ୍ୟାପିଯାଇ ଖଡ୍ଗଧାର ଦ୍ଵାରା ସମଗ୍ର ନଗରକୁ ଆଘାତ କଲେ। 38ଇସ୍ରାଏଲର ଲୋକମାନେ ଘଡ଼ି ବସିଥିବା ଲୋକମାନଙ୍କ ସଙ୍ଗେ ଗୋଟିଏ ସଙ୍କେତ ନିର୍ଦ୍ଧାରଣ କରିଥିଲେ, ସେମାନେ ନଗରରୁ ଏକ ବୃହତ ଧୂମ-ମେଘ ଉଠାଇବେ। 39ସେତେବେଳେ ଇସ୍ରାଏଲର ଲୋକମାନେ ଯୁଦ୍ଧରେ ବୁଲିପଡ଼ିବେ। ବିନ୍ୟାମୀନ ଇସ୍ରାଏଲର ଲୋକମାନଙ୍କୁ ବଧ କରିବାକୁ ଆରମ୍ଭ କରି ପ୍ରାୟ ତିରିଶ ଜଣଙ୍କୁ ବଧ କରିଥିଲେ, କାରଣ ସେମାନେ କହିଲେ, “ନିଶ୍ଚୟ ପ୍ରଥମ ଯୁଦ୍ଧ ପରି ସେମାନେ ଆମ୍ଭମାନଙ୍କ ସମ୍ମୁଖରେ ପରାସ୍ତ ହେଉଅଛନ୍ତି।” 40ମାତ୍ର ଯେତେବେଳେ ନଗରରୁ ଧୂମ-ସ୍ତମ୍ଭ ଉଠିବାକୁ ଆରମ୍ଭ କଲା, ସେତେବେଳେ ବିନ୍ୟାମୀନ-ସନ୍ତାନ ଆପଣାମାନଙ୍କ ପଛକୁ ଅନାଇଲେ, ଆଉ ଦେଖ, ସମଗ୍ର ନଗର ଆକାଶ ଆଡ଼କୁ ଧୂମ ହୋଇ ଉଠୁଅଛି। 41ଆଉ ଇସ୍ରାଏଲର ଲୋକମାନେ ବୁଲିପଡ଼ିବା କ୍ଷଣି, ଆପଣାମାନଙ୍କ ଉପରେ ବିପଦ ଆସିପଡ଼ିଅଛି ବୋଲି ଦେଖି ବିନ୍ୟାମୀନର ଲୋକମାନେ ଭୀତ ହେଲେ। 42ଏହେତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରୁ ପ୍ରାନ୍ତର ଆଡ଼କୁ ବୁଲିପଡ଼ିଲେ, ମାତ୍ର ଯୁଦ୍ଧ ସେମାନଙ୍କ ପଛେ ପଛେ ଲାଗିରହିଲା, ପୁଣି ବିଭିନ୍ନ ନଗରରୁ ଆସିଥିବା ଲୋକମାନେ ସେମାନଙ୍କୁ ତହିଁ ମଧ୍ୟରେ ବଧ କଲେ। 43ସେମାନେ ବିନ୍ୟାମୀନ-ସନ୍ତାନଙ୍କୁ ଚାରିଆଡ଼େ ଘେରି ସେମାନଙ୍କୁ ଗୋଡ଼ାଇ ଗିବୀୟାର ପୂର୍ବ ଦିଗରେ ସେମାନଙ୍କ ବିଶ୍ରାମ-ସ୍ଥାନରେ ସେମାନଙ୍କୁ ପଦ-ତଳେ ଦଳିତ କଲେ। 44ତହିଁରେ ବିନ୍ୟାମୀନର ଅଠର ସହସ୍ର ଲୋକ ପଡ଼ିଲେ, ସେମାନେ ସମସ୍ତେ ବୀର ପୁରୁଷ ଥିଲେ। 45ପୁଣି ଅବଶିଷ୍ଟ ଲୋକ ବୁଲିପଡ଼ି ପ୍ରାନ୍ତର ଆଡ଼େ ରିମ୍ମୋନ-ଶୈଳକୁ ପଳାଇଲେ, ମାତ୍ର ଇସ୍ରାଏଲ ରାଜପଥମାନଙ୍କରେ ପାଞ୍ଚ ସହସ୍ର ଲୋକଙ୍କୁ ବଧ କଲେ ଓ ଗିଦୋମ ପର୍ଯ୍ୟନ୍ତ ସେମାନଙ୍କ ପଛେ ଗୋଡ଼ାଇ ଆଉ ଦୁଇ ସହସ୍ର ଲୋକଙ୍କୁ ବଧ କଲେ। 46ଏହିରୂପେ ସେହି ଦିନ ବିନ୍ୟାମୀନର ପତିତ ସମସ୍ତ ଲୋକ ପଚିଶ ସହସ୍ର ଖଡ୍ଗଧାରୀ ଥିଲେ, ସେମାନେ ସମସ୍ତେ ବୀର ପୁରୁଷ ଥିଲେ। 47ମାତ୍ର ଛଅ ଶହ ଲୋକ ବୁଲିପଡ଼ି ପ୍ରାନ୍ତର ଆଡ଼େ ରିମ୍ମୋନ-ଶୈଳକୁ ପଳାଇ ଚାରି ମାସ ପର୍ଯ୍ୟନ୍ତ ସେହି ରିମ୍ମୋନ-ଶୈଳରେ ରହିଲେ। 48ତହିଁରେ ଇସ୍ରାଏଲର ଲୋକମାନେ ବିନ୍ୟାମୀନ-ସନ୍ତାନଙ୍କ ବିରୁଦ୍ଧରେ ବୁଲିପଡ଼ି ଖଡ୍ଗଧାର ଦ୍ଵାରା ସମଗ୍ର ନଗର, ଲୋକ, ପଶୁ ଓ ଯାହା କିଛି ପାଇଲେ, ସେସବୁକୁ ଆଘାତ କଲେ, ପୁଣି ଆପଣାମାନଙ୍କ ପଥରେ ଥିବା ପ୍ରତ୍ୟେକ ନଗରକୁ ଅଗ୍ନିରେ ଦଗ୍ଧ କଲେ।