ପିତା ରାଜାମାନଙ୍କୁ ନ୍ୟାୟ ପାଇଁ ଆହ୍ୱାନ କରନ୍ତି
ଆମ୍ଭମାନଙ୍କ ପିତା ଯିରିମିୟଙ୍କୁ ସିଧା ରାଜପ୍ରାସାଦକୁ ପଠାନ୍ତି। ଯୋଶିୟ ଗରିବମାନଙ୍କ ପକ୍ଷ ନେଇଥିଲେ ଏବଂ ତାଙ୍କର ମଙ୍ଗଳ ହେଲା; ତାଙ୍କ ପୁତ୍ରମାନେ ଏରସ କାଠ ଓ ବିନା ମଜୁରିର ଶ୍ରମରେ ନିର୍ମାଣ କରନ୍ତି। ଶଲ୍ଲୁମ ଆଉ କେବେ ଘର ଦେଖିବେ ନାହିଁ, ଯିହୋୟାକୀମ ଗଧର କବର ପାଆନ୍ତି, ଏବଂ କନିୟଙ୍କୁ ମୁଦ୍ରାଙ୍କିତ ଅଙ୍ଗୁଠି ପରି ଛିଡ଼ାଇ ପକାଯାଏ।
22 1ଆମ୍ଭମାନଙ୍କ ପିତା ଏହା କହନ୍ତି, ତୁମ୍ଭେ ଯିହୂଦାର ରାଜାଙ୍କ ଗୃହକୁ ଓହ୍ଲାଇ ଯାଇ ସେଠାରେ ଏହି ବାକ୍ୟ କୁହ,
2ପୁଣି କୁହ, ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୂଦାର ରାଜା, ତୁମ୍ଭେ, ତୁମ୍ଭର ଦାସଗଣ ଓ ଏହିସବୁ ଦ୍ଵାର ଦେଇ ପ୍ରବେଶ କରୁଥିବା ତୁମ୍ଭର ଲୋକମାନେ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣ। 3ଆମ୍ଭମାନଙ୍କ ପିତା ଏହା କହନ୍ତି, ତୁମ୍ଭେମାନେ ନ୍ୟାୟ ଓ ଧର୍ମ ପାଳନ କର; ଉପଦ୍ରବକାରୀର ହସ୍ତରୁ ଅପହୃତ ଲୋକକୁ ଉଦ୍ଧାର କର। ବିଦେଶୀ, ପିତୃହୀନ କିମ୍ବା ବିଧଵା ପ୍ରତି ଅନ୍ୟାୟ କର ନାହିଁ, ପୁଣି ସେମାନଙ୍କ ପ୍ରତି ଅତ୍ୟାଚାର କର ନାହିଁ, ଆଉ ଏହି ସ୍ଥାନରେ ନିର୍ଦ୍ଦୋଷ ରକ୍ତ ପାତ କର ନାହିଁ। 4ଯଦି ତୁମ୍ଭେମାନେ ପ୍ରକୃତରେ ଏହା କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥ ଓ ଅଶ୍ୱ ଚଢ଼ି ଏହିସବୁ ଦ୍ଵାର ଦେଇ ପ୍ରବେଶ କରିବେ, ଅର୍ଥାତ୍ ରାଜା, ତାହାର ଦାସଗଣ ଓ ତାହାର ଲୋକମାନେ ପ୍ରବେଶ କରିବେ। 5କିନ୍ତୁ ଯଦି ତୁମ୍ଭେମାନେ ଏହିସବୁ ବାକ୍ୟ ନ ଶୁଣିବ, ତେବେ ଆମ୍ଭେ ଆପଣା ନାମରେ ଶପଥ କରୁଅଛୁ, ଆମ୍ଭମାନଙ୍କ ପିତା କହନ୍ତି, ଏହି ଗୃହ ଉଜାଡ଼ ହୋଇଯିବ।
6ଯିହୂଦାର ରାଜଗୃହ ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ତୁମ୍ଭେ ଆମ୍ଭ ପ୍ରତି ଗିଲୀୟଦ ତୁଲ୍ୟ, ଲିବାନୋନର ଶିଖର ତୁଲ୍ୟ ଅଟ; ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର କରିବା, ନିବାସୀହୀନ ନଗରସମୂହ କରିବା। 7ଆମ୍ଭେ ତୁମ୍ଭ ବିରୁଦ୍ଧରେ ବିନାଶକମାନଙ୍କୁ ପୃଥକ୍ କରିବା, ପ୍ରତ୍ୟେକ ଆପଣା ଆପଣା ଅସ୍ତ୍ର ସହିତ ଆସିବ; ସେମାନେ ତୁମ୍ଭର ଉତ୍ତମ ଏରସ ବୃକ୍ଷସବୁ କାଟି ଅଗ୍ନିରେ ପକାଇ ଦେବେ।
8ଅନେକ ଦେଶୀୟ ଲୋକ ଏହି ନଗର ପାଖ ଦେଇ ଯାଇ ପରସ୍ପରକୁ ପଚାରିବେ, “ସଦାପ୍ରଭୁ ଏହି ମହାନଗର ପ୍ରତି କାହିଁକି ଏପରି କଲେ?”
9ସେମାନେ ଉତ୍ତର ଦେବେ, “କାରଣ ସେମାନେ ଆପଣାମାନଙ୍କ ପିତାଙ୍କ ନିୟମ ପରିତ୍ୟାଗ କରି ଅନ୍ୟ ଦେବତାମାନଙ୍କୁ ପୂଜା କଲେ ଓ ସେମାନଙ୍କର ସେବା କଲେ।”
ପିତା ଶଲ୍ଲୁମ ବିଷୟରେ କହନ୍ତି
10ମୃତ ଲୋକ ନିମନ୍ତେ ରୋଦନ କର ନାହିଁ କିମ୍ବା ତାହା ପାଇଁ ବିଳାପ କର ନାହିଁ; ବରଂ ଯେ ଦୂରକୁ ଯାଉଅଛି, ତାହା ପାଇଁ ଅତିଶୟ ରୋଦନ କର, କାରଣ ସେ ଆପଣା ଜନ୍ମଭୂମି ଦେଖିବା ପାଇଁ କଦାପି ଫେରିବ ନାହିଁ।
11ଆପଣା ପିତା ଯୋଶୀୟଙ୍କ ପଦରେ ରାଜା ହୋଇ ଏହି ସ୍ଥାନରୁ ବାହାରିଯାଇଥିବା ଯିହୂଦାର ରାଜା ଯୋଶୀୟଙ୍କ ପୁତ୍ର ଶଲ୍ଲୁମ ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, ସେ କଦାପି ଫେରିବ ନାହିଁ। 12ସେମାନେ ତାହାକୁ ଯେଉଁ ସ୍ଥାନକୁ ବନ୍ଦୀ କରି ନେଇଗଲେ, ସେ ସେହି ସ୍ଥାନରେ ମରିବ, ଆଉ ଏହି ଦେଶ ପୁନର୍ବାର ଦେଖିବ ନାହିଁ।
13ଯେ ଅଧର୍ମରେ ଆପଣା ଗୃହ ଓ ଅନ୍ୟାୟରେ ଆପଣା ଉପର କୋଠରିସବୁ ନିର୍ମାଣ କରେ, ଯେ ଆପଣା ପ୍ରତିବାସୀକୁ ବିନା ବେତନରେ ପରିଶ୍ରମ କରାଏ ଓ ତାହାକୁ ତାହାର ମଜୁରି ନ ଦିଏ, ସେ ସନ୍ତାପର ପାତ୍ର! 14ଯେ କହେ, “ମୁଁ ଆପଣା ପାଇଁ ପ୍ରଶସ୍ତ ଉପର କୋଠରିବିଶିଷ୍ଟ ଏକ ବୃହତ୍ ଗୃହ ନିର୍ମାଣ କରିବି,” ପୁଣି ତହିଁ ନିମନ୍ତେ ପ୍ରଶସ୍ତ ଝରକା କାଟେ, ଏରସ କାଷ୍ଠରେ ତାହା ମଣ୍ଡେ ଓ ଉଜ୍ଜ୍ୱଳ ସିନ୍ଦୂର ବର୍ଣ୍ଣରେ ରଙ୍ଗାଏ।
15ଏରସ କାଷ୍ଠରେ ଅନ୍ୟମାନଙ୍କୁ ଅତିକ୍ରମ କରୁଥିବା ବୋଲି କି ତୁମ୍ଭେ ରାଜତ୍ୱ କରୁଅଛ? ତୁମ୍ଭର ପିତା ଭୋଜନପାନ କଲେ, ତଥାପି ସେ ନ୍ୟାୟ ଓ ଧର୍ମ ପାଳନ କଲେ, ତହୁଁ ତାହାଙ୍କର ମଙ୍ଗଳ ହେଲା।
16ସେ ଦୀନହୀନ ଓ ଦରିଦ୍ରର ବିଚାର ନିଷ୍ପତ୍ତି କଲେ, ତେଣୁ ତାହାଙ୍କର ମଙ୍ଗଳ ହେଲା। ଆମ୍ଭକୁ ଜାଣିବା କʼଣ ଏହି ନୁହେଁ? ଆମ୍ଭମାନଙ୍କ ପିତା କହନ୍ତି। 17ମାତ୍ର ତୁମ୍ଭର ଚକ୍ଷୁ ଓ ତୁମ୍ଭର ହୃଦୟ କେବଳ ତୁମ୍ଭର ଅସାଧୁ ଲାଭ ପ୍ରତି, ନିର୍ଦ୍ଦୋଷ ରକ୍ତ ପାତ କରିବା ପ୍ରତି ଓ ଉପଦ୍ରବ ଆଉ ଅତ୍ୟାଚାର କରିବା ପ୍ରତି ନିବିଷ୍ଟ।
18ଏଣୁ ଯିହୂଦାର ରାଜା ଯୋଶୀୟଙ୍କ ପୁତ୍ର ଯିହୋୟାକୀମ ବିଷୟରେ ଆମ୍ଭମାନଙ୍କ ପିତା ଏହା କହନ୍ତି, କେହି ତାହା ପାଇଁ ବିଳାପ କରିବ ନାହିଁ, “ହାୟ ମୋʼ ଭାଇ!” କିମ୍ବା “ହାୟ ମୋʼ ଭଗିନୀ!” ବୋଲି ବିଳାପ କରିବ ନାହିଁ। କେହି ତାହା ପାଇଁ ବିଳାପ କରିବ ନାହିଁ, “ହାୟ ପ୍ରଭୁ!” କିମ୍ବା “ହାୟ ତାହାର ପ୍ରତାପ!” ବୋଲି ବିଳାପ କରିବ ନାହିଁ। 19ଗର୍ଦ୍ଦଭର ସମାଧି ତୁଲ୍ୟ ତାହାକୁ ସମାଧିସ୍ଥ କରାଯିବ, ଅର୍ଥାତ୍ ଯିରୂଶାଲମ ଦ୍ଵାର ବାହାରକୁ ଟାଣି ନେଇ ଫୋପାଡ଼ି ଦିଆଯିବ। 20ଲିବାନୋନ ଉପରକୁ ଯାଇ କ୍ରନ୍ଦନ କର; ବାଶନରେ ଆପଣା ରବ ଉଠାଅ; ଅବାରୀମରୁ କ୍ରନ୍ଦନ କର, କାରଣ ତୁମ୍ଭର ପ୍ରେମିକ ସମସ୍ତେ ଚୂର୍ଣ୍ଣ ହୋଇଅଛନ୍ତି। a a v20 ଅବାରୀମ ଯର୍ଦ୍ଦନ ନଦୀର ପୂର୍ବ ଦିଗରେ, ମୋୟାବ ସମଭୂମି ନିକଟରେ ଥିବା ଏକ ପର୍ବତଶ୍ରେଣୀ। 21ତୁମ୍ଭର ସମୃଦ୍ଧିର ସମୟରେ ଆମ୍ଭେ ତୁମ୍ଭକୁ କହିଲୁ, ମାତ୍ର ତୁମ୍ଭେ କହିଲ, “ମୁଁ ଶୁଣିବି ନାହିଁ।” ତୁମ୍ଭ ଯୌବନକାଳଠାରୁ ଏହି ତ ତୁମ୍ଭର ବ୍ୟବହାର ହୋଇ ଆସିଅଛି—ତୁମ୍ଭେ ଆମ୍ଭ ରବ ମାନି ନାହଁ। 22“ବାୟୁ ତୁମ୍ଭର ପ୍ରତିପାଳକ ସମସ୍ତଙ୍କୁ ଚରାଇ ଘେନିଯିବ, ଆଉ ତୁମ୍ଭର ପ୍ରେମିକମାନେ ବନ୍ଦୀ ହୋଇଯିବେ; ସେତେବେଳେ ତୁମ୍ଭେ ଆପଣାର ସମସ୍ତ ଦୁଷ୍ଟତା ସକାଶୁ ଲଜ୍ଜିତ ଓ ଅପମାନିତ ହେବ। 23ହେ ଲିବାନୋନ ନିବାସିନୀ, ଏରସ ବୃକ୍ଷସମୂହ ମଧ୍ୟରେ ବସାବନ୍ଧନକାରିଣୀ, ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ପ୍ରସବବେଦନା ତୁମ୍ଭ ଉପରେ ଆସିଲେ, ତୁମ୍ଭେ କିପରି ଆର୍ତ୍ତନାଦ କରିବ!”
24ଆମ୍ଭମାନଙ୍କ ପିତା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ, ଯଦ୍ୟପି ଯିହୂଦାର ରାଜା ଯିହୋୟାକୀମଙ୍କ ପୁତ୍ର କନୀୟ ଆମ୍ଭ ଦକ୍ଷିଣ ହସ୍ତର ମୁଦ୍ରାଙ୍କିତ ଅଙ୍ଗୁରୀୟ ହୁଅନ୍ତା, ତଥାପି ଆମ୍ଭେ ତୁମ୍ଭକୁ ଛିଣ୍ଡାଇ ପକାନ୍ତୁ। 25“ଆମ୍ଭେ ତୁମ୍ଭ ପ୍ରାଣ ଅନ୍ଵେଷଣକାରୀମାନଙ୍କ ହସ୍ତରେ, ତୁମ୍ଭେ ଯେଉଁମାନଙ୍କୁ ଭୟ କରୁଅଛ, ସେମାନଙ୍କ ହସ୍ତରେ, ଅର୍ଥାତ୍ ବାବିଲର ରାଜା ନବୂଖଦ୍ନିତ୍ସର ଓ କଲ୍ଦୀୟମାନଙ୍କ ହସ୍ତରେ ତୁମ୍ଭକୁ ସମର୍ପଣ କରିବା। 26ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭ ପ୍ରସବକାରିଣୀ ମାତାକୁ ଆଉ ଏକ ଦେଶକୁ ନିକ୍ଷେପ କରିବା, ଯେଉଁ ଦେଶରେ ତୁମ୍ଭେମାନେ ଜନ୍ମ ହୋଇ ନ ଥିଲ; ସେଠାରେ ତୁମ୍ଭେମାନେ ମରିବ। 27ପୁଣି ଯେଉଁ ଦେଶକୁ ଫେରିଯିବା ପାଇଁ ସେମାନେ ବାଞ୍ଛା କରନ୍ତି, ସେଠାକୁ ସେମାନେ କଦାପି ଫେରିଯିବେ ନାହିଁ।”
28ଏହି କନୀୟ କʼଣ ଘୃଣିତ, ଭଗ୍ନ ପାତ୍ର, କେହି ନ ଚାହୁଁଥିବା ଏକ ଭାଣ୍ଡ? ସେ ଓ ତାହାର ସନ୍ତାନଗଣ କାହିଁକି ନିକ୍ଷିପ୍ତ ହୋଇଅଛନ୍ତି ଓ ଆପଣାମାନଙ୍କ ଅଜ୍ଞାତ ଦେଶକୁ ପକାଯାଇଅଛନ୍ତି? 29ହେ ଦେଶ, ଦେଶ, ଦେଶ, ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ଶୁଣ!
30ଆମ୍ଭମାନଙ୍କ ପିତା ଏହା କହନ୍ତି, ଏହି ଲୋକକୁ ନିଃସନ୍ତାନ, ଆପଣା ଜୀବନକାଳରେ ସମୃଦ୍ଧି ନ ପାଉଥିବା ପୁରୁଷ ବୋଲି ଲେଖ; କାରଣ ତାହାର ବଂଶଜମାନଙ୍କ ମଧ୍ୟରୁ କେହି ସମୃଦ୍ଧ ହେବ ନାହିଁ, ଦାଉଦଙ୍କ ସିଂହାସନରେ କେହି ଉପବିଷ୍ଟ ହେବ ନାହିଁ କିମ୍ବା ଯିହୂଦାରେ ପୁନର୍ବାର ରାଜତ୍ୱ କରିବ ନାହିଁ।