ବିନାଶକ ପ୍ରତି ସନ୍ତାପ
ଯେଉଁ ବିଶ୍ୱାସଘାତକ କେବେ ବିଶ୍ୱାସଘାତର ଶିକାର ହୋଇନାହିଁ, ତାହାର ପାଳି ଆସେ। ରାସ୍ତାସବୁ ଖାଲି, ସନ୍ଧିସବୁ ଭଙ୍ଗା, ଏବଂ ସିୟୋନର ଅଧାର୍ମିକମାନେ ମଧ୍ୟ ପଚାରନ୍ତି, ଗ୍ରାସକାରୀ ଅଗ୍ନି ସହିତ କିଏ ବାସ କରିପାରେ? ଉତ୍ତର ହେଉଛି ସାଧାରଣ ସଚ୍ଚୋଟତା: ଲାଞ୍ଚ ପ୍ରତ୍ୟାଖ୍ୟାନ କର, ରକ୍ତପାତ ଦେଖିବାରୁ ଆଖି ବନ୍ଦ କର। ସେମାନଙ୍କ ପିତା ବିଚାରକର୍ତ୍ତା ଓ ରାଜା।
33 1ହେ ବିନାଶକ, ତୁମ୍ଭେ ତ ବିନଷ୍ଟ ହୋଇ ନାହଁ, ତୁମ୍ଭ ପ୍ରତି ସନ୍ତାପ! ହେ ବିଶ୍ଵାସଘାତକ, ତୁମ୍ଭ ପ୍ରତି କେହି ବିଶ୍ଵାସଘାତକତା କରି ନାହିଁ! ଯେତେବେଳେ ତୁମ୍ଭେ ବିନାଶ କରିବା ସମାପ୍ତ କରିବ, ସେତେବେଳେ ତୁମ୍ଭେ ବିନଷ୍ଟ ହେବ; ଯେତେବେଳେ ତୁମ୍ଭେ ବିଶ୍ଵାସଘାତକତା କରିବା ବନ୍ଦ କରିବ, ସେତେବେଳେ ତୁମ୍ଭ ପ୍ରତି ବିଶ୍ଵାସଘାତକତା କରାଯିବ।
2ହେ ଆମ୍ଭମାନଙ୍କ ପିତା, ଆମ୍ଭମାନଙ୍କ ପ୍ରତି ଅନୁଗ୍ରହ କର; ଆମ୍ଭେମାନେ ତୁମ୍ଭ ଅପେକ୍ଷାରେ ଅଛୁ। ତୁମ୍ଭେ ପ୍ରତି ପ୍ରଭାତରେ ଆମ୍ଭମାନଙ୍କ ବଳ ହୁଅ, ସଙ୍କଟ ସମୟରେ ଆମ୍ଭମାନଙ୍କ ପରିତ୍ରାଣ ହୁଅ। 3ତୁମ୍ଭ ସ୍ଵରର ଗର୍ଜନରେ ଗୋଷ୍ଠୀସମୂହ ପଳାଇ ଯାʼନ୍ତି; ତୁମ୍ଭେ ଉଠିଲେ ଜାତିସମୂହ ଛିନ୍ନଭିନ୍ନ ହୁଅନ୍ତି। 4ପତଙ୍ଗ ଯେପରି ସଂଗ୍ରହ କରେ, ସେହିପରି ତୁମ୍ଭମାନଙ୍କ ଲୁଟଦ୍ରବ୍ୟ ସଂଗୃହୀତ ହୁଏ; ଝିଣ୍ଟିକା ପଲ ତୁଲ୍ୟ ଲୋକମାନେ ତାହା ଉପରକୁ ଧାଇଁ ଆସନ୍ତି।
5ଆମ୍ଭମାନଙ୍କ ପିତା ଉନ୍ନତ ଅଟନ୍ତି, କାରଣ ସେ ଊର୍ଦ୍ଧ୍ଵଲୋକରେ ବାସ କରନ୍ତି; ସେ ସିୟୋନକୁ ନ୍ୟାୟ ଓ ଧାର୍ମିକତାରେ ପରିପୂର୍ଣ୍ଣ କରିଅଛନ୍ତି। 6ସେ ତୁମ୍ଭ କାଳର ଦୃଢ଼ ଭିତ୍ତିମୂଳ ହେବେ, ପରିତ୍ରାଣ, ଜ୍ଞାନ ଓ ବିଦ୍ୟାର ପ୍ରାଚୁର୍ଯ୍ୟ ହେବେ; ଆମ୍ଭମାନଙ୍କ ପିତାଙ୍କ ବିଷୟକ ଭୟ ହିଁ ସିୟୋନର ଧନ ଅଟେ।
7ଦେଖ, ସେମାନଙ୍କ ବୀରଗଣ ବାହାରେ କ୍ରନ୍ଦନ କରୁଅଛନ୍ତି; ଶାନ୍ତିର ଦୂତମାନେ ଅତ୍ୟନ୍ତ ରୋଦନ କରୁଅଛନ୍ତି। 8ରାଜପଥସବୁ ଜନଶୂନ୍ୟ ପଡ଼ିଅଛି; ପଥିକମାନେ ବାଟରୁ ଅନ୍ତର୍ହିତ ହୋଇଅଛନ୍ତି। ନିୟମ ଭଗ୍ନ ହୋଇଅଛି, ନଗରସବୁ ତୁଚ୍ଛୀକୃତ ହୋଇଅଛି, କେହି ସମାଦୃତ ହେଉ ନାହିଁ। 9ଦେଶ ଶୋକ କରୁଅଛି ଓ କ୍ଷୀଣ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ମ୍ଳାନ ହେଉଅଛି; ଶାରୋଣ ମରୁଭୂମି ତୁଲ୍ୟ ହୋଇଅଛି, ପୁଣି ବାଶନ ଓ କର୍ମିଲ ଆପଣା ଆପଣା ପତ୍ର ଝାଡ଼ି ପକାଉଅଛନ୍ତି।
10ଆମ୍ଭମାନଙ୍କ ପିତା କହନ୍ତି, “ଏବେ ଆମ୍ଭେ ଉଠିବା, ଏବେ ଆମ୍ଭେ ଉନ୍ନତ ହେବା, ଏବେ ଆମ୍ଭେ ଆପଣାକୁ ଉଚ୍ଚୀକୃତ କରିବା। 11ତୁମ୍ଭେମାନେ ତୁଷ ଗର୍ଭରେ ଧାରଣ କରିବ, ନଡ଼ା ପ୍ରସବ କରିବ; ତୁମ୍ଭମାନଙ୍କ ନିଃଶ୍ଵାସ ଅଗ୍ନି ସ୍ଵରୂପ ହୋଇ ତୁମ୍ଭମାନଙ୍କୁ ଗ୍ରାସ କରିବ। 12ଗୋଷ୍ଠୀସମୂହ ଚୂନ ତୁଲ୍ୟ ଦଗ୍ଧ ହେବେ, କଟା ଯାଇ ଅଗ୍ନିରେ ଜଳାଯାଉଥିବା କଣ୍ଟକ ତୁଲ୍ୟ ହେବେ। 13ହେ ଦୂରବର୍ତ୍ତୀ ଲୋକମାନେ, ଆମ୍ଭେ ଯାହା କରିଅଛୁ, ତାହା ଶୁଣ; ପୁଣି ହେ ନିକଟବର୍ତ୍ତୀ ଲୋକମାନେ, ଆମ୍ଭ ପରାକ୍ରମ ସ୍ଵୀକାର କର।”
14ସିୟୋନସ୍ଥ ପାପୀମାନେ ଭୀତ ହୋଇଅଛନ୍ତି; କମ୍ପ ଅଧର୍ମୀମାନଙ୍କୁ ଧରିଅଛି, ସେମାନେ କହୁଅଛନ୍ତି, “ଆମ୍ଭମାନଙ୍କ ମଧ୍ୟରେ କିଏ ଗ୍ରାସକାରୀ ଅଗ୍ନି ସହିତ ବାସ କରିପାରିବ? ଆମ୍ଭମାନଙ୍କ ମଧ୍ୟରେ କିଏ ଅନନ୍ତକାଳସ୍ଥାୟୀ ଅଗ୍ନିଶିଖା ସହିତ ବାସ କରିପାରିବ?” 15ଯେ ଧର୍ମାଚରଣ କରେ ଓ ନ୍ୟାୟ କଥା କହେ, ଯେ ଉପଦ୍ରବଜନିତ ଲାଭ ଅଗ୍ରାହ୍ୟ କରେ ଓ ଲାଞ୍ଚ ଗ୍ରହଣରୁ ଆପଣା ହସ୍ତ ନିବୃତ୍ତ କରେ, ଯେ ରକ୍ତପାତର ଚକ୍ରାନ୍ତ ଶୁଣିବାକୁ ଆପଣା କର୍ଣ୍ଣ ବନ୍ଦ କରେ ଓ ମନ୍ଦତା ଦେଖିବାକୁ ଆପଣା ଚକ୍ଷୁ ମୁଦ୍ରିତ କରେ, 16ସେ ହିଁ ଉଚ୍ଚସ୍ଥାନରେ ବାସ କରିବ, ତାହାର ଆଶ୍ରୟସ୍ଥାନ ଗିରି-ଦୁର୍ଗ ହେବ; ତାହାକୁ ତାହାର ଅନ୍ନ ଦିଆଯିବ, ଆଉ ତାହାର ଜଳ କେବେ ଅଭାବ ହେବ ନାହିଁ।
17ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ; ସେମାନେ ଦୂରପ୍ରସାରିତ ଏକ ଦେଶ ଦେଖିବେ। 18ତୁମ୍ଭର ଅନ୍ତଃକରଣ ପୂର୍ବ ଆତଙ୍କ ବିଷୟ ଚିନ୍ତା କରିବ, “ଯେ ଗଣନା କଲା, ସେ କାହିଁ? ଯେ ରାଜକର ତୌଲ କଲା, ସେ କାହିଁ? ଯେ ଦୁର୍ଗସବୁ ଗଣନା କଲା, ସେ କାହିଁ?” 19ତୁମ୍ଭେ ସେହି ଦୁର୍ଦ୍ଦାନ୍ତ ଲୋକମାନଙ୍କୁ ଆଉ ଦେଖିବ ନାହିଁ, ଯେଉଁ ଲୋକମାନଙ୍କ ବାକ୍ୟ ଏତେ ଅଦ୍ଭୁତ ଯେ ବୁଝିହୁଏ ନାହିଁ, ଯେଉଁ ଜିହ୍ଵା ତୁମ୍ଭେ ବୁଝିପାର ନାହିଁ, ସେମାନେ ସେହି ଜିହ୍ଵାରେ ତୋତଲାଇ କହନ୍ତି।
20ଆମ୍ଭମାନଙ୍କ ପର୍ବ-ନଗରୀ ସିୟୋନ ପ୍ରତି ଦୃଷ୍ଟି କର! ତୁମ୍ଭର ଚକ୍ଷୁ ଯିରୂଶାଲମକୁ ଦେଖିବ, ସେହି ଶାନ୍ତ ବାସସ୍ଥାନ, ଏପରି ଏକ ତମ୍ବୁ ଯାହା କେବେ ଉଠାଯିବ ନାହିଁ, ଯାହାର କିଳା କେବେ ଉପୁଡ଼ାଯିବ ନାହିଁ ଓ ଯାହାର ଦଉଡ଼ି କେବେ ଛିଣ୍ଡିବ ନାହିଁ। 21ମାତ୍ର ସେହିଠାରେ ଆମ୍ଭମାନଙ୍କ ପିତା ଆପଣା ପ୍ରତାପରେ ଆମ୍ଭମାନଙ୍କ ପ୍ରତି ପ୍ରଶସ୍ତ ନଦୀ ଓ ସ୍ରୋତ-ସମ୍ବଳିତ ସ୍ଥାନ ସ୍ଵରୂପ ହେବେ, ଯେଉଁଠାରେ କୌଣସି ବୈଠାଯୁକ୍ତ ତରୀ ଯାଇ ପାରିବ ନାହିଁ ଓ କୌଣସି ବୃହତ ଜାହାଜ ଗମନ କରିପାରିବ ନାହିଁ। 22କାରଣ ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ବିଚାରକର୍ତ୍ତା ଅଟନ୍ତି, ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ବ୍ୟବସ୍ଥାଦାତା ଅଟନ୍ତି, ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ରାଜା ଅଟନ୍ତି; ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ।
23ତୁମ୍ଭ ଜାହାଜର ରଜ୍ଜୁ ଶିଥିଳ ହୋଇ ଝୁଲୁଅଛି; ତାହା ମାସ୍ତୁଲକୁ ଦୃଢ଼ ରଖିପାରୁ ନାହିଁ କିମ୍ବା ପାଲକୁ ବିସ୍ତୃତ ରଖିପାରୁ ନାହିଁ। ସେତେବେଳେ ପ୍ରଚୁର ଲୁଟଦ୍ରବ୍ୟ ବିଭାଗ କରାଯିବ, ଆଉ ଖଞ୍ଜ ଲୋକ ସୁଦ୍ଧା ଲୁଟ ଅପହରଣ କରିବ। 24ଆଉ ସିୟୋନ ନିବାସୀ କେହି “ମୁଁ ପୀଡ଼ିତ ଅଟେ” ବୋଲି କହିବ ନାହିଁ; ସେହିଠାରେ ବାସ କରୁଥିବା ଲୋକମାନଙ୍କ ଅଧର୍ମ କ୍ଷମା କରାଯିବ।