ହୋରେବରେ ଆମ୍ଭମାନଙ୍କ ପିତାଙ୍କ ନିୟମ
ମୋଶା ନୂଆ ପିଢ଼ି ଆଗରେ ଦଶ ବାକ୍ୟ ପୁନରାବୃତ୍ତି କରନ୍ତି ଏବଂ ଦୃଢ଼ ଭାବରେ କହନ୍ତି ଯେ ନିୟମଟି କେବଳ ସେମାନଙ୍କ ବାପାମାଆଙ୍କ ସହିତ ନୁହେଁ, ସେମାନଙ୍କ ସହିତ ସ୍ଥାପିତ ହୋଇଥିଲା। ଏଠାରେ ବିଶ୍ରାମବାରର ମୂଳ ହେଉଛି ଦାସତ୍ୱର ସ୍ମରଣ। ଅଗ୍ନି ଦେଖି ଭୟଭୀତ ଲୋକମାନେ ମୋଶାଙ୍କୁ ସେମାନଙ୍କ ପାଇଁ ଶୁଣିବାକୁ କହନ୍ତି, ଏବଂ ଆମ୍ଭମାନଙ୍କ ପିତା ଇଚ୍ଛା କରନ୍ତି ଯେ ସେମାନଙ୍କ ହୃଦୟ ସେପରି ରହୁ।
5 1ମୋଶା ସମଗ୍ର ଇସ୍ରାଏଲଙ୍କୁ ଡାକି ସେମାନଙ୍କୁ କହିଲେ, “ହେ ଇସ୍ରାଏଲ, ଆଜି ମୁଁ ତୁମ୍ଭମାନଙ୍କ କର୍ଣ୍ଣଗୋଚରରେ ଯେଉଁ ବିଧି ଓ ଶାସନ କହୁଅଛି, ତାହା ଶୁଣ। ତାହାସବୁ ଶିଖି ଯତ୍ନପୂର୍ବକ ପାଳନ କର।” 2ଆମ୍ଭମାନଙ୍କ ପିତା ହୋରେବରେ ଆମ୍ଭମାନଙ୍କ ସହିତ ଏକ ନିୟମ କଲେ। 3ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କ ପିତୃପୁରୁଷଙ୍କ ସହିତ ଏହି ନିୟମ କରି ନ ଥିଲେ, ମାତ୍ର ଆମ୍ଭମାନଙ୍କ ସହିତ, ଅର୍ଥାତ୍ ଆଜି ଏଠାରେ ଜୀବିତ ଥିବା ଆମ୍ଭ ସମସ୍ତଙ୍କ ସହିତ କଲେ। 4ଆମ୍ଭମାନଙ୍କ ପିତା ପର୍ବତ ଉପରେ ଅଗ୍ନି ମଧ୍ୟରୁ ତୁମ୍ଭମାନଙ୍କ ସହିତ ମୁଖାମୁଖୀ ହୋଇ କଥାବାର୍ତ୍ତା କଲେ।
5ସେହି ସମୟରେ ଆମ୍ଭମାନଙ୍କ ପିତାଙ୍କ ବାକ୍ୟ ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ମୁଁ ପିତାଙ୍କ ଓ ତୁମ୍ଭମାନଙ୍କ ମଧ୍ୟରେ ଠିଆ ହୋଇଥିଲି, କାରଣ ତୁମ୍ଭେମାନେ ଅଗ୍ନିକୁ ଭୟ କରି ପର୍ବତ ଉପରକୁ ଯାଇ ନ ଥିଲ। ସେ କହିଲେ,
6“ଆମ୍ଭେ ତୁମ୍ଭର ପିତା, ଯେ ତୁମ୍ଭକୁ ଦାସଗୃହ ସ୍ଵରୂପ ମିସର ଦେଶରୁ ବାହାର କରି ଆଣିଲୁ।
7“ଆମ୍ଭ ଛଡ଼ା ତୁମ୍ଭର ଆଉ କୌଣସି ଦେବତା ନ ଥାଉ।
8“ଉପରିସ୍ଥ ସ୍ଵର୍ଗରେ କିମ୍ବା ତଳେ ଥିବା ପୃଥିବୀରେ ଅଥବା ପୃଥିବୀ ତଳେ ଥିବା ଜଳରେ ଯାହା ଅଛି, ତହିଁର କୌଣସି ଆକାର ବିଶିଷ୍ଟ ଖୋଦିତ ପ୍ରତିମା ଆପଣା ନିମନ୍ତେ ନିର୍ମାଣ କର ନାହିଁ। 9ସେମାନଙ୍କୁ ପ୍ରଣାମ କର ନାହିଁ କିମ୍ବା ସେମାନଙ୍କର ସେବା କର ନାହିଁ, କାରଣ ଆମ୍ଭେ ତୁମ୍ଭର ପିତା ଗୋଟିଏ ସ୍ଵଗୌରବରକ୍ଷକ ପିତା ଅଟୁ, ଯେ ଆମ୍ଭକୁ ଘୃଣା କରନ୍ତି, ସେମାନଙ୍କ ପିତୃଗଣର ଅଧର୍ମର ଦଣ୍ଡ ସନ୍ତାନମାନଙ୍କ ପ୍ରତି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଆରୋପ କରୁ, 10ମାତ୍ର ଯେଉଁମାନେ ଆମ୍ଭକୁ ପ୍ରେମ କରନ୍ତି ଓ ଆମ୍ଭର ଆଜ୍ଞା ପାଳନ କରନ୍ତି, ସେମାନଙ୍କ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମର ଦୟା ପ୍ରକାଶ କରୁ।
11“ତୁମ୍ଭ ପିତାଙ୍କ ନାମ ବୃଥାରେ ବ୍ୟବହାର କର ନାହିଁ, କାରଣ ଯେକେହି ଆପଣା ପିତାଙ୍କ ନାମ ବୃଥାରେ ବ୍ୟବହାର କରେ, ଆମ୍ଭମାନଙ୍କ ପିତା ତାହାକୁ ବିନା ଦଣ୍ଡରେ ଛାଡ଼ିବେ ନାହିଁ।
12“ତୁମ୍ଭ ପିତା ଯେପରି ତୁମ୍ଭକୁ ଆଜ୍ଞା ଦେଲେ, ତଦନୁସାରେ ବିଶ୍ରାମଦିନ ପବିତ୍ର ରୂପେ ପାଳନ କରିବା ନିମନ୍ତେ ତାହା ମାନ୍ୟ କର। 13ଛଅ ଦିନ ତୁମ୍ଭେ ପରିଶ୍ରମ କରି ଆପଣାର ସମସ୍ତ କାର୍ଯ୍ୟ କରିବ, 14ମାତ୍ର ସପ୍ତମ ଦିନ ତୁମ୍ଭ ପିତାଙ୍କ ଉଦ୍ଦେଶ୍ୟରେ ବିଶ୍ରାମଦିନ ଅଟେ। ସେହି ଦିନ ତୁମ୍ଭେ, ତୁମ୍ଭର ପୁତ୍ର କି କନ୍ୟା, ତୁମ୍ଭର ଦାସ କି ଦାସୀ, ତୁମ୍ଭର ବଳଦ, ଗର୍ଦ୍ଦଭ କି କୌଣସି ପଶୁ, ଅଥବା ତୁମ୍ଭ ନଗରଦ୍ଵାର ମଧ୍ୟରେ ଥିବା ବିଦେଶୀ, କେହି କୌଣସି କାର୍ଯ୍ୟ କର ନାହିଁ, ଯେପରି ତୁମ୍ଭ ଦାସ ଓ ଦାସୀ ତୁମ୍ଭ ପରି ବିଶ୍ରାମ କରିପାରିବେ। 15ତୁମ୍ଭେ ଯେ ମିସର ଦେଶରେ ଦାସ ଥିଲ, ଏହା ସ୍ମରଣ କର, ପୁଣି ତୁମ୍ଭ ପିତା ବଳବାନ ହସ୍ତ ଓ ବିସ୍ତୀର୍ଣ୍ଣ ବାହୁ ଦ୍ଵାରା ତୁମ୍ଭକୁ ସେଠାରୁ ବାହାର କରି ଆଣିଲେ। ଏଥିପାଇଁ ତୁମ୍ଭ ପିତା ବିଶ୍ରାମଦିନ ପାଳନ କରିବା ନିମନ୍ତେ ତୁମ୍ଭକୁ ଆଜ୍ଞା ଦେଲେ।
16“ତୁମ୍ଭ ପିତା ଯେପରି ତୁମ୍ଭକୁ ଆଜ୍ଞା ଦେଲେ, ତଦନୁସାରେ ଆପଣା ପିତା ଓ ଆପଣା ମାତାଙ୍କୁ ସମାଦର କର, ଯେପରି ତୁମ୍ଭ ପିତା ତୁମ୍ଭକୁ ଯେଉଁ ଦେଶ ଦେଉଅଛନ୍ତି, ସେଥିରେ ତୁମ୍ଭର ଆୟୁଷ ଦୀର୍ଘ ହେବ ଓ ତୁମ୍ଭର ମଙ୍ଗଳ ହେବ।
17“ତୁମ୍ଭେ ନରହତ୍ୟା କରିବ ନାହିଁ।
18“ତୁମ୍ଭେ ବ୍ୟଭିଚାର କରିବ ନାହିଁ।
19“ତୁମ୍ଭେ ଚୋରି କରିବ ନାହିଁ।
20“ତୁମ୍ଭେ ଆପଣା ପ୍ରତିବାସୀ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବ ନାହିଁ।
21“ତୁମ୍ଭେ ଆପଣା ପ୍ରତିବାସୀର ଭାର୍ଯ୍ୟାକୁ ଲୋଭ କର ନାହିଁ। ତୁମ୍ଭେ ଆପଣା ପ୍ରତିବାସୀର ଗୃହ, କ୍ଷେତ୍ର, ଦାସ କି ଦାସୀ, ବଳଦ, ଗର୍ଦ୍ଦଭ ଅଥବା ତୁମ୍ଭ ପ୍ରତିବାସୀର ଯାହା କିଛି ଅଛି, ତାହା ବାଞ୍ଛା କର ନାହିଁ।”
22ଏହି ବାକ୍ୟସବୁ ଆମ୍ଭମାନଙ୍କ ପିତା ପର୍ବତ ଉପରେ ଅଗ୍ନି, ମେଘ ଓ ଘୋର ଅନ୍ଧକାର ମଧ୍ୟରୁ ମହାରବରେ ତୁମ୍ଭମାନଙ୍କ ସମଗ୍ର ସମାଜକୁ କହିଲେ; ସେ ଆଉ କିଛି ଯୋଗ କଲେ ନାହିଁ। ପୁଣି ସେ ତାହା ଦୁଇ ପ୍ରସ୍ତର ଫଳକରେ ଲେଖି ମୋତେ ଦେଲେ। 23ପର୍ବତ ଅଗ୍ନିରେ ପ୍ରଜ୍ଵଳିତ ହେବା ବେଳେ ଯେତେବେଳେ ତୁମ୍ଭେମାନେ ଅନ୍ଧକାର ମଧ୍ୟରୁ ସେହି ରବ ଶୁଣିଲ, ସେତେବେଳେ ତୁମ୍ଭେମାନେ, ତୁମ୍ଭମାନଙ୍କ ବଂଶାଧ୍ୟକ୍ଷ ଓ ପ୍ରାଚୀନବର୍ଗ ସମସ୍ତେ ମୋʼ ନିକଟକୁ ଆସିଲ,
24ଆଉ ତୁମ୍ଭେମାନେ କହିଲ, “ଦେଖ, ଆମ୍ଭମାନଙ୍କ ପିତା ଆମ୍ଭମାନଙ୍କୁ ଆପଣା ମହିମା ଓ ମହତ୍ତ୍ଵ ଦେଖାଇଲେ; ଆମ୍ଭେମାନେ ଅଗ୍ନି ମଧ୍ୟରୁ ତାହାଙ୍କ ରବ ଶୁଣିଲୁ। ଆଜି ଆମ୍ଭେମାନେ ଦେଖିଲୁ ଯେ, ଆମ୍ଭମାନଙ୍କ ପିତା ମନୁଷ୍ୟ ସହିତ କଥାବାର୍ତ୍ତା କରନ୍ତି, ତଥାପି ସେ ମନୁଷ୍ୟ ବଞ୍ଚିଥାଏ। 25ଏବେ ଆମ୍ଭେମାନେ କାହିଁକି ମରିବୁ? ଏହି ମହା ଅଗ୍ନି ଆମ୍ଭମାନଙ୍କୁ ଗ୍ରାସ କରିବ। ଯଦି ଆମ୍ଭେମାନେ ଆମ୍ଭମାନଙ୍କ ପିତାଙ୍କ ରବ ଆଉ ଅଧିକ ଶୁଣୁଥିବୁ, ତେବେ ଆମ୍ଭେମାନେ ମରିବୁ। 26କାରଣ ସମଗ୍ର ମନୁଷ୍ୟଜାତି ମଧ୍ୟରେ ଆମ୍ଭମାନଙ୍କ ପରି କିଏ ଅଗ୍ନି ମଧ୍ୟରୁ କଥା କହୁଥିବା ଜୀବନ୍ତ ପିତାଙ୍କ ରବ ଶୁଣି ବଞ୍ଚିଅଛି? 27ଆପଣ ନିକଟକୁ ଯାଇ ଆମ୍ଭମାନଙ୍କ ପିତା ଯାହା କହିବେ, ସେସବୁ ଶୁଣନ୍ତୁ, ପୁଣି ଆମ୍ଭମାନଙ୍କ ପିତା ଆପଣଙ୍କୁ ଯାହା କହିବେ, ସେସବୁ ଆମ୍ଭମାନଙ୍କୁ କୁହନ୍ତୁ, ତହିଁରେ ଆମ୍ଭେମାନେ ଶୁଣି ପାଳନ କରିବୁ।”
28ତୁମ୍ଭେମାନେ ମୋତେ ଯାହା କହିଲ, ସେହି ବାକ୍ୟ ଆମ୍ଭମାନଙ୍କ ପିତା ଶୁଣିଲେ, ପୁଣି ଆମ୍ଭମାନଙ୍କ ପିତା ମୋତେ କହିଲେ, “ଏହି ଲୋକମାନେ ତୁମ୍ଭକୁ ଯାହା କହିଲେ, ତାହା ଆମ୍ଭେ ଶୁଣିଲୁ। ସେମାନେ ଯାହା କହିଲେ, ସେସବୁ ଯଥାର୍ଥ ଅଟେ। 29ଆଃ, ସେମାନଙ୍କର ଏହି ହୃଦୟ ସର୍ବଦା ଥାଆନ୍ତା କି, ଯେପରି ସେମାନେ ଆମ୍ଭକୁ ଭୟ କରନ୍ତେ ଓ ଆମ୍ଭର ସମସ୍ତ ଆଜ୍ଞା ସର୍ବଦା ପାଳନ କରନ୍ତେ, ଯେପରି ସେମାନଙ୍କର ଓ ସେମାନଙ୍କ ସନ୍ତାନମାନଙ୍କର ଅନନ୍ତକାଳ ପର୍ଯ୍ୟନ୍ତ ମଙ୍ଗଳ ହୁଅନ୍ତା! 30ତୁମ୍ଭେ ଯାଇ ସେମାନଙ୍କୁ କୁହ, ‘ତୁମ୍ଭେମାନେ ଆପଣା ଆପଣା ତମ୍ବୁକୁ ଫେରିଯାଅ।’ 31ମାତ୍ର ତୁମ୍ଭେ ଏଠାରେ ଆମ୍ଭ ସହିତ ଠିଆ ହୁଅ, ଆଉ ଆମ୍ଭେ ତୁମ୍ଭକୁ ସମସ୍ତ ଆଜ୍ଞା, ଅର୍ଥାତ୍ ବିଧି ଓ ଶାସନ କହିବୁ, ଯାହା ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବ, ଯେପରି ଆମ୍ଭେ ସେମାନଙ୍କୁ ଅଧିକାର କରିବା ନିମନ୍ତେ ଯେଉଁ ଦେଶ ଦେଉଅଛୁ, ସେଥିରେ ସେମାନେ ତାହା ପାଳନ କରିବେ।”
32ଅତଏବ ତୁମ୍ଭ ପିତା ଯେପରି ତୁମ୍ଭମାନଙ୍କୁ ଆଜ୍ଞା ଦେଲେ, ତଦନୁସାରେ କର୍ମ କରିବା ନିମନ୍ତେ ଯତ୍ନବାନ ହୁଅ; ଦକ୍ଷିଣ କି ବାମ ଦିଗକୁ ଫେର ନାହିଁ। 33ଯେପରି ତୁମ୍ଭେମାନେ ବଞ୍ଚିବ, ତୁମ୍ଭର ମଙ୍ଗଳ ହେବ ଓ ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବ, ସେଥିରେ ଦୀର୍ଘାୟୁ ହେବ, ଏଥିପାଇଁ ତୁମ୍ଭ ପିତା ତୁମ୍ଭମାନଙ୍କୁ ଯେଉଁ ସମସ୍ତ ପଥର ଆଜ୍ଞା ଦେଲେ, ସେହି ପଥରେ ଚାଲ।