ସନ୍ହେରୀବଙ୍କ ଆକ୍ରମଣ ଓ ହିଜକୀୟଙ୍କ ପ୍ରସ୍ତୁତି
ସନ୍ହେରୀବ ଦିଗନ୍ତ ପୂର୍ଣ୍ଣ କରନ୍ତି, ତେଣୁ ହିଜକିୟ ଝରଣାଗୁଡ଼ିକ ବନ୍ଦ କରନ୍ତି, ପ୍ରାଚୀର ପୁନଃନିର୍ମାଣ କରନ୍ତି, ଏବଂ ଲୋକମାନଙ୍କୁ କହନ୍ତି ଯେ ତାଙ୍କ ସହିତ ଥିବା ଲୋକଙ୍କଠାରୁ ଆମ ସହିତ ଅଧିକ ଅଛନ୍ତି। ଆମ ପିତାଙ୍କ ପ୍ରତି ଅଶୂରର ପରିହାସର ଉତ୍ତର ପ୍ରାର୍ଥନା ଓ ଜଣେ ଦୂତଙ୍କ ଦ୍ୱାରା ଦିଆଯାଏ। ପରେ ଧନ ଓ ଦୂତମାନଙ୍କ ବିଷୟରେ ତାଙ୍କର ନିଜ ଅହଂକାରକୁ ମଧ୍ୟ ନମ୍ର କରିବା ଆବଶ୍ୟକ ହୁଏ।
32 1ଏହିସବୁ ଘଟଣା ଓ ବିଶ୍ଵସ୍ତତାର କାର୍ଯ୍ୟ ପରେ ଅଶୂରର ରାଜା ସନ୍ହେରୀବ ଯିହୁଦା ଦେଶକୁ ଆକ୍ରମଣ କରି, ପ୍ରାଚୀରବେଷ୍ଟିତ ନଗରସମୂହକୁ ଅବରୋଧ କଲେ, ପୁଣି ସେସବୁ ଆପଣା ନିମନ୍ତେ ଅଧିକାର କରିବାକୁ ମନସ୍ଥ କଲେ। 2ସନ୍ହେରୀବ ଆସି ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବାକୁ ମନସ୍ଥ କରିଅଛନ୍ତି ବୋଲି ଯେତେବେଳେ ହିଜକୀୟ ଦେଖିଲେ, 3ସେତେବେଳେ ସେ ନଗର ବାହାରର ନିର୍ଝରସମୂହ ବନ୍ଦ କରିବା ବିଷୟରେ ଆପଣା କର୍ମଚାରୀ ଓ ବୀରଗଣ ସହିତ ମନ୍ତ୍ରଣା କଲେ, ଆଉ ସେମାନେ ତାହାଙ୍କୁ ସାହାଯ୍ୟ କଲେ। 4ତହିଁରେ ଅନେକ ଲୋକ ଏକତ୍ର ହୋଇ ସମସ୍ତ ନିର୍ଝର ଓ ଦେଶ ମଧ୍ୟଦେଇ ବହିଯାଉଥିବା ସ୍ରୋତ ବନ୍ଦ କରି କହିଲେ, “ଅଶୂରର ରାଜାମାନେ ଆସି କାହିଁକି ପ୍ରଚୁର ଜଳ ପାଇବେ?”
5ପୁଣି ସେ ଅତି ପରିଶ୍ରମ କରି ପ୍ରାଚୀରର ଭଙ୍ଗା ସମସ୍ତ ଅଂଶ ପୁନର୍ବାର ନିର୍ମାଣ କଲେ, ତହିଁ ଉପରେ ଦୁର୍ଗ ଉଠାଇଲେ, ବାହାରେ ଆଉ ଏକ ପ୍ରାଚୀର ନିର୍ମାଣ କଲେ, ଦାଉଦ ନଗରର ମିଲ୍ଲୋକୁ ଦୃଢ଼ କଲେ, ଆଉ ପ୍ରଚୁର ଅସ୍ତ୍ର ଓ ଢାଲ ପ୍ରସ୍ତୁତ କଲେ। a a v5 ମିଲ୍ଲୋ ଦାଉଦ ନଗରର ପର୍ବତପାର୍ଶ୍ଵରେ ନିର୍ମିତ ସୋପାନାକାର ପୂରଣ ଓ ଆଧାର ପ୍ରାଚୀରର ଏକ ବ୍ୟବସ୍ଥା ଥିଲା। 6ଆଉ ସେ ଲୋକମାନଙ୍କ ଉପରେ ଯୁଦ୍ଧର ସେନାପତିମାନଙ୍କୁ ନିଯୁକ୍ତ କରି ସେମାନଙ୍କୁ ନଗରଦ୍ଵାରର ପ୍ରାଙ୍ଗଣରେ ଏକତ୍ର କଲେ ଓ ସେମାନଙ୍କୁ ଉତ୍ସାହ ଦେଇ କହିଲେ, 7“ବଳବାନ ଓ ସାହସିକ ହୁଅ। ଅଶୂରର ରାଜା ଓ ତାହା ସଙ୍ଗେ ଥିବା ସମସ୍ତ ଜନତାକୁ ଭୟ କର ନାହିଁ କିମ୍ବା ଶଙ୍କିତ ହୁଅ ନାହିଁ, କାରଣ ତାହା ସଙ୍ଗେ ଥିବା ଲୋକଙ୍କ ଅପେକ୍ଷା ଆମ୍ଭମାନଙ୍କ ସଙ୍ଗେ ଅଧିକ ଅଛନ୍ତି। 8ତାହା ସଙ୍ଗେ କେବଳ ମାଂସମୟ ବାହୁ ଅଛି; ମାତ୍ର ଆମ୍ଭମାନଙ୍କ ସାହାଯ୍ୟ କରିବାକୁ ଓ ଆମ୍ଭମାନଙ୍କ ଯୁଦ୍ଧ କରିବାକୁ ଆମ୍ଭମାନଙ୍କ ସଙ୍ଗେ ଆମ୍ଭମାନଙ୍କ ପିତା ଅଛନ୍ତି।” ତହିଁରେ ଲୋକମାନେ ଯିହୁଦାର ରାଜା ହିଜକୀୟଙ୍କ ବାକ୍ୟ ଉପରେ ନିର୍ଭର କଲେ।
ସନ୍ହେରୀବ ଆମ୍ଭମାନଙ୍କ ପିତାଙ୍କୁ ପରିହାସ କରନ୍ତି
9ଏଉତ୍ତାରେ ଅଶୂରର ରାଜା ସନ୍ହେରୀବ ଆପଣା ସମସ୍ତ ସୈନ୍ୟ ସହିତ ଲାଖୀଶକୁ ଅବରୋଧ କରୁଥିବା ସମୟରେ ଆପଣା ଦାସମାନଙ୍କୁ ଯିରୂଶାଲମକୁ, ଯିହୁଦାର ରାଜା ହିଜକୀୟ ଓ ସେଠାରେ ଥିବା ସମସ୍ତ ଯିହୁଦା ନିକଟକୁ ପଠାଇ କହିଲେ, 10“ଅଶୂରର ରାଜା ସନ୍ହେରୀବ ଏହା କହନ୍ତି: ତୁମ୍ଭେମାନେ କାହା ଉପରେ ବିଶ୍ଵାସ କରି ଯିରୂଶାଲମରେ ଅବରୋଧ ମଧ୍ୟରେ ରହୁଅଛ? 11ହିଜକୀୟ ଯେତେବେଳେ କହୁଅଛି, ‘ସଦାପ୍ରଭୁ ଆମ୍ଭମାନଙ୍କ ଈଶ୍ଵର ଅଶୂରର ରାଜାର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ,’ ସେତେବେଳେ ସେ କି ତୁମ୍ଭମାନଙ୍କୁ ଦୁର୍ଭିକ୍ଷ ଓ ତୃଷାରେ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରି ତୁମ୍ଭମାନଙ୍କୁ ପ୍ରତାରଣା କରୁ ନାହିଁ? 12ଏହି ହିଜକୀୟ କି ତାହାର ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସବୁ ଦୂର କରି ଯିହୁଦା ଓ ଯିରୂଶାଲମକୁ କହି ନାହିଁ ଯେ, ‘ତୁମ୍ଭେମାନେ ଏକ ଯଜ୍ଞବେଦି ସମ୍ମୁଖରେ ଉପାସନା କରିବ ଓ ସେଠାରେ ନୈବେଦ୍ୟ ଦଗ୍ଧ କରିବ’? 13ମୁଁ ଓ ମୋʼ ପିତୃପୁରୁଷମାନେ ଅନ୍ୟ ଦେଶସମୂହର ସମସ୍ତ ଗୋଷ୍ଠୀ ପ୍ରତି ଯାହା କରିଅଛୁ, ତାହା କି ତୁମ୍ଭେମାନେ ଜାଣ ନାହିଁ? ସେହି ଜାତିସମୂହର ଦେବତାମାନେ କି ସେମାନଙ୍କ ଦେଶସବୁକୁ ମୋʼ ହସ୍ତରୁ ଉଦ୍ଧାର କରିବାକୁ କୌଣସିମତେ ସମର୍ଥ ହେଲେ? 14ମୋʼ ପିତୃପୁରୁଷମାନେ ସମ୍ପୂର୍ଣ୍ଣ ବିନାଶ କରିଥିବା ସେହି ଜାତିସମୂହ ମଧ୍ୟରୁ କେଉଁ ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବାକୁ ସମର୍ଥ ହେଲା? ତେବେ ତୁମ୍ଭମାନଙ୍କ ଈଶ୍ଵର କିପରି ତୁମ୍ଭମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିପାରିବେ? 15ଏଣୁ ହିଜକୀୟ ଏପରି ଭାବରେ ତୁମ୍ଭମାନଙ୍କୁ ପ୍ରତାରଣା ନ କରୁ କିମ୍ବା ଭ୍ରାନ୍ତ ନ କରୁ, ଆଉ ତୁମ୍ଭେମାନେ ତାହାକୁ ବିଶ୍ଵାସ ନ କର; କାରଣ କୌଣସି ଜାତି କି ରାଜ୍ୟର କୌଣସି ଦେବତା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ କିମ୍ବା ମୋʼ ପିତୃପୁରୁଷମାନଙ୍କ ହସ୍ତରୁ ଉଦ୍ଧାର କରିବାକୁ ସମର୍ଥ ହୋଇ ନାହିଁ — ତେବେ ତୁମ୍ଭମାନଙ୍କ ଈଶ୍ଵର ତ ତୁମ୍ଭମାନଙ୍କୁ ମୋʼ ହସ୍ତରୁ କଦାପି ଉଦ୍ଧାର କରିବେ ନାହିଁ!”
16ପୁଣି ତାହାର ଦାସମାନେ ଆମ୍ଭମାନଙ୍କ ପିତାଙ୍କ ବିରୁଦ୍ଧରେ ଓ ତାହାଙ୍କ ଦାସ ହିଜକୀୟଙ୍କ ବିରୁଦ୍ଧରେ ଆହୁରି ଅଧିକ କହିଲେ। 17ଆହୁରି ସନ୍ହେରୀବ ଆମ୍ଭମାନଙ୍କ ପିତା, ଇସ୍ରାଏଲର ଈଶ୍ଵରଙ୍କୁ ଅପମାନ କରିବା ନିମନ୍ତେ ପତ୍ର ଲେଖି ତାହାଙ୍କ ବିରୁଦ୍ଧରେ କହିଲେ, “ଜାତିସମୂହର ଦେବତାମାନେ ଯେପରି ଆପଣା ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କଲେ ନାହିଁ, ସେପରି ହିଜକୀୟର ଈଶ୍ଵର ମଧ୍ୟ ଆପଣା ଲୋକମାନଙ୍କୁ ମୋʼ ହସ୍ତରୁ ଉଦ୍ଧାର କରିବେ ନାହିଁ।” 18ପୁଣି ସେମାନେ ପ୍ରାଚୀର ଉପରେ ଥିବା ଯିରୂଶାଲମର ଲୋକମାନଙ୍କୁ ଭୟ ଓ ତ୍ରାସଗ୍ରସ୍ତ କରାଇ ନଗର ହସ୍ତଗତ କରିବା ନିମନ୍ତେ ଯିହୁଦୀୟ ଭାଷାରେ ଉଚ୍ଚସ୍ଵରରେ ପାଟି କଲେ। 19ସେମାନେ ପୃଥିବୀର ଗୋଷ୍ଠୀସମୂହର ଦେବତାମାନଙ୍କ ପରି, ମନୁଷ୍ୟ ହସ୍ତକୃତ ବସ୍ତୁ ପରି, ଯିରୂଶାଲମର ଈଶ୍ଵରଙ୍କ ବିଷୟରେ କହିଲେ।
20ଏଥିଉତ୍ତାରେ ହିଜକୀୟ ରାଜା ଓ ଆମୋସଙ୍କ ପୁତ୍ର ଯିଶାଇୟ ଭାବବାଦୀ ଏ ବିଷୟରେ ପ୍ରାର୍ଥନା କରି ସ୍ଵର୍ଗ ଆଡ଼କୁ କାକୂକ୍ତି କଲେ। 21ତହିଁରେ ଆମ୍ଭମାନଙ୍କ ପିତା ଜଣେ ଦୂତ ପଠାଇଲେ, ଆଉ ସେହି ଦୂତ ଅଶୂର ରାଜାର ଛାଉଣିରେ ଥିବା ପ୍ରତ୍ୟେକ ମହାବୀର, ସେନାପତି ଓ କର୍ମଚାରୀଙ୍କୁ ବଧ କଲେ। ତହୁଁ ସନ୍ହେରୀବ ଲଜ୍ଜିତ ହୋଇ ସ୍ଵଦେଶକୁ ଫେରିଗଲେ, ଆଉ ଯେତେବେଳେ ସେ ଆପଣା ଦେବତାର ମନ୍ଦିରରେ ପ୍ରବେଶ କଲେ, ସେତେବେଳେ ତାହାଙ୍କ ଆପଣା ପୁତ୍ରମାନଙ୍କ ମଧ୍ୟରୁ କେହି କେହି ସେଠାରେ ଖଡ୍ଗ ଦ୍ଵାରା ତାହାଙ୍କୁ ବଧ କଲେ। 22ଏରୂପେ ଆମ୍ଭମାନଙ୍କ ପିତା ହିଜକୀୟ ଓ ଯିରୂଶାଲମନିବାସୀମାନଙ୍କୁ ଅଶୂରର ରାଜା ସନ୍ହେରୀବଙ୍କ ହସ୍ତରୁ ଓ ଅନ୍ୟ ସମସ୍ତଙ୍କ ହସ୍ତରୁ ଉଦ୍ଧାର କଲେ, ଆଉ ଚତୁର୍ଦ୍ଦିଗରେ ସେମାନଙ୍କୁ ପରିଚାଳନା କଲେ। 23ପୁଣି ଅନେକେ ଯିରୂଶାଲମକୁ ଆମ୍ଭମାନଙ୍କ ପିତାଙ୍କ ନିମନ୍ତେ ଉପହାର ଓ ଯିହୁଦାର ରାଜା ହିଜକୀୟଙ୍କ ନିମନ୍ତେ ବହୁମୂଲ୍ୟ ଦ୍ରବ୍ୟ ଆଣିଲେ; ତହିଁ ଉତ୍ତାରେ ସମସ୍ତ ଜାତି ହିଜକୀୟଙ୍କୁ ମହା ସମ୍ଭ୍ରମ କଲେ।
ହିଜକୀୟଙ୍କ ପୀଡ଼ା, ଗର୍ବ ଓ ସମୃଦ୍ଧି
24ସେହି ସମୟରେ ହିଜକୀୟ ମୃତ୍ୟୁ ପର୍ଯ୍ୟନ୍ତ ପୀଡ଼ିତ ହେଲେ; ତହିଁରେ ସେ ଆମ୍ଭମାନଙ୍କ ପିତାଙ୍କ ନିକଟରେ ପ୍ରାର୍ଥନା କଲେ, ଆଉ ପିତା ତାହାଙ୍କୁ ଉତ୍ତର ଦେଇ ଏକ ଚିହ୍ନ ଦେଲେ। 25ମାତ୍ର ହିଜକୀୟ ଆପଣା ପ୍ରତି କୃତ ଉପକାର ଅନୁସାରେ ପ୍ରତିଦାନ କଲେ ନାହିଁ; ତାହାଙ୍କ ହୃଦୟ ଗର୍ବିତ ହେଲା, ଏଣୁ ତାହାଙ୍କ ଉପରେ ଓ ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା। 26ତଥାପି ହିଜକୀୟ ଆପଣା ହୃଦୟର ଗର୍ବ ନିମନ୍ତେ ଆପଣାକୁ ନମ୍ର କଲେ, ସେ ଓ ଯିରୂଶାଲମନିବାସୀମାନେ ନମ୍ର ହେଲେ, ଏଣୁ ହିଜକୀୟଙ୍କ ସମୟରେ ଆମ୍ଭମାନଙ୍କ ପିତାଙ୍କ କୋପ ସେମାନଙ୍କ ଉପରେ ଆସିଲା ନାହିଁ।
27ହିଜକୀୟଙ୍କର ଅତିଶୟ ଐଶ୍ଵର୍ଯ୍ୟ ଓ ସମ୍ଭ୍ରମ ଥିଲା। ସେ ରୂପା, ସୁନା, ମଣି, ସୁଗନ୍ଧି ଦ୍ରବ୍ୟ, ଢାଲ ଓ ଅନ୍ୟାନ୍ୟ ବହୁମୂଲ୍ୟ ବସ୍ତୁ ନିମନ୍ତେ ଭଣ୍ଡାର ନିର୍ମାଣ କଲେ, 28ଶସ୍ୟ, ନୂତନ ଦ୍ରାକ୍ଷାରସ ଓ ତୈଳର ଅମଳ ନିମନ୍ତେ ଭଣ୍ଡାର, ପୁଣି ସର୍ବପ୍ରକାର ପଶୁ ନିମନ୍ତେ ଗୋଶାଳା ଓ ମେଷପଲ ନିମନ୍ତେ ଖୁଆଡ଼ ନିର୍ମାଣ କଲେ। 29ମଧ୍ୟ ସେ ଆପଣା ନିମନ୍ତେ ନଗରସମୂହ ନିର୍ମାଣ କଲେ ଓ ବହୁସଂଖ୍ୟକ ମେଷପଲ ଓ ଗୋପଲ ଲାଭ କଲେ, କାରଣ ଆମ୍ଭମାନଙ୍କ ପିତା ତାହାଙ୍କୁ ଅତିଶୟ ଐଶ୍ଵର୍ଯ୍ୟ ଦେଲେ। 30ଏହି ହିଜକୀୟ ଗୀହୋନର ଉପରିସ୍ଥ ନିର୍ଗମନ ବନ୍ଦ କରି ତହିଁର ଜଳ ଦାଉଦ ନଗରର ପଶ୍ଚିମ ଦିଗ ତଳକୁ ଆଣିଲେ। ସେ ଆପଣାର ସମସ୍ତ କାର୍ଯ୍ୟରେ କୃତକାର୍ଯ୍ୟ ହେଲେ। 31ତଥାପି ବାବିଲର ଅଧିପତିମାନେ ଦେଶରେ ଘଟିଥିବା ଚିହ୍ନ ବିଷୟରେ ପଚାରିବା ନିମନ୍ତେ ତାହାଙ୍କ ନିକଟକୁ ଦୂତମାନଙ୍କୁ ପଠାନ୍ତେ, ଆମ୍ଭମାନଙ୍କ ପିତା ତାହାଙ୍କୁ ପରୀକ୍ଷା କରିବା ପାଇଁ ଓ ତାହାଙ୍କ ହୃଦୟର ସମସ୍ତ ବିଷୟ ଜାଣିବା ପାଇଁ ତାହାଙ୍କୁ ଏକାକୀ ଛାଡ଼ିଦେଲେ।
32ହିଜକୀୟଙ୍କର ଅବଶିଷ୍ଟ କାର୍ଯ୍ୟ ଓ ବିଶ୍ଵସ୍ତ କ୍ରିୟାସବୁ ଆମୋସଙ୍କ ପୁତ୍ର ଯିଶାଇୟ ଭାବବାଦୀଙ୍କ ଦର୍ଶନରେ, ଯିହୁଦା ଓ ଇସ୍ରାଏଲର ରାଜାମାନଙ୍କ ପୁସ୍ତକରେ ଲିଖିତ ଅଛି। 33ପୁଣି ହିଜକୀୟ ଆପଣା ପିତୃପୁରୁଷମାନଙ୍କ ସହିତ ଶୟନ କଲେ ଓ ଲୋକମାନେ ତାହାଙ୍କୁ ଦାଉଦ-ସନ୍ତାନଗଣର ଉପରିସ୍ଥ କବରସ୍ଥାନରେ କବର ଦେଲେ। ତାହାଙ୍କ ମୃତ୍ୟୁ ସମୟରେ ସମସ୍ତ ଯିହୁଦା ଓ ଯିରୂଶାଲମନିବାସୀମାନେ ତାହାଙ୍କୁ ସମ୍ଭ୍ରମ କଲେ। ଆଉ ତାହାଙ୍କ ପୁତ୍ର ମନଃଶି ତାହାଙ୍କ ପଦରେ ରାଜ୍ୟ କଲେ।