ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଇସ୍ରାଏଲ ପ୍ରତ୍ୟେକ ପ୍ରତିମା ଭାଙ୍ଗି ପକାନ୍ତି

ପର୍ବ ଶେଷରେ ଲୋକମାନେ ସ୍ତମ୍ଭ ଓ ଉଚ୍ଚସ୍ଥଳୀଗୁଡ଼ିକ ଭାଙ୍ଗିବାକୁ ବାହାରନ୍ତି। ତାʼପରେ ଦଶମାଂଶ ଏତେ ପ୍ରଚୁର ପରିମାଣରେ ଆସେ ଯେ ତାହା ଗଦା ଗଦା ହୋଇ ରହେ, ଭଣ୍ଡାରଘର ନିର୍ମାଣ କରିବାକୁ ପଡ଼େ, ଏବଂ ନାମ ଅନୁସାରେ ବଣ୍ଟନର ବ୍ୟବସ୍ଥା କରାଯାଏ, ଯେପରି ଯାଜକ ଓ ଲେବୀୟମାନେ ନିଜ ପିତାଙ୍କ ବ୍ୟବସ୍ଥାରେ ନିଜକୁ ସମର୍ପଣ କରିପାରିବେ।

ଅଧ୍ୟାୟ 31।

ଏହା ସମାପ୍ତ ହେଲା ଉତ୍ତାରେ ଉପସ୍ଥିତ ଥିବା ସମସ୍ତ ଇସ୍ରାଏଲ ଯିହୁଦାର ନଗରମାନଙ୍କୁ ଯାଇ, ସ୍ତମ୍ଭସକଳ ଭାଙ୍ଗି, ଆଶେରା ମୂର୍ତ୍ତିସକଳ କାଟି, ପୁଣି ସମୁଦାୟ ଯିହୁଦା, ବିନ୍ୟାମୀନ୍, ଇଫ୍ରୟିମ ଓ ମନଃଶିରେ ଉଚ୍ଚସ୍ଥଳୀ ଓ ଯଜ୍ଞବେଦିସକଳ ସମ୍ପୂର୍ଣ୍ଣ ଭାବେ ବିନାଶ କରି ଭୂମିସାତ୍ କଲେ। ତହିଁ ଉତ୍ତାରେ ସମସ୍ତ ଇସ୍ରାଏଲ ଆପଣା ଆପଣା ଅଧିକାରକୁ, ଆପଣା ଆପଣା ନଗରକୁ ଫେରିଗଲେ।

ପୁଣି ହିଜକୀୟ ଯାଜକ ଓ ଲେବୀୟମାନଙ୍କୁ, ଅର୍ଥାତ୍ ଯାଜକ ଓ ଲେବୀୟ ପ୍ରତ୍ୟେକଙ୍କୁ ଆପଣା ଆପଣା ସେବାନୁସାରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା, ସେବା କରିବା, ଧନ୍ୟବାଦ ଦେବା ଓ ଆମ୍ଭମାନଙ୍କ ପିତାଙ୍କ ଛାଉଣିମାନର ଦ୍ଵାରରେ ପ୍ରଶଂସା କରିବା ନିମନ୍ତେ ସେମାନଙ୍କ ବିଭାଗାନୁସାରେ ନିଯୁକ୍ତ କଲେ।

ଆଉ ଆମ୍ଭମାନଙ୍କ ପିତାଙ୍କ ବ୍ୟବସ୍ଥାରେ ଲିଖିତ ପ୍ରକାରେ ହୋମବଳି, ଅର୍ଥାତ୍ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି, ପୁଣି ବିଶ୍ରାମଦିନ, ଅମାବାସ୍ୟା ଓ ନିରୂପିତ ପର୍ବମାନର ହୋମବଳି ନିମନ୍ତେ ରାଜା ଆପଣା ସମ୍ପତ୍ତିରୁ ଦାନ କଲେ। ମଧ୍ୟ ଯାଜକ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ପିତାଙ୍କ ବ୍ୟବସ୍ଥାରେ ଆତ୍ମନିବେଦନ କରିପାରିବେ, ଏଥିପାଇଁ ସେ ଯିରୂଶାଲମ ନିବାସୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଅଂଶ ଦେବାକୁ ଆଜ୍ଞା କଲେ। ଆଉ ଏହି ଆଜ୍ଞା ବ୍ୟାପିବା ମାତ୍ରେ ଇସ୍ରାଏଲ ସନ୍ତାନଗଣ ପ୍ରଚୁର ପରିମାଣରେ ଶସ୍ୟ, ଦ୍ରାକ୍ଷାରସ, ତୈଳ, ମଧୁ ଓ କ୍ଷେତ୍ରର ସମସ୍ତ ଉତ୍ପନ୍ନ ଦ୍ରବ୍ୟର ପ୍ରଥମ ଫଳ ଦେଲେ, ପୁଣି ସମସ୍ତ ଦ୍ରବ୍ୟର ଦଶମାଂଶ ପ୍ରଚୁର ପରିମାଣରେ ଆଣିଲେ। ଆଉ ଯିହୁଦାର ନଗରମାନରେ ବାସ କରୁଥିବା ଇସ୍ରାଏଲ ଓ ଯିହୁଦା ସନ୍ତାନଗଣ ମଧ୍ୟ ଗୋରୁ ଓ ମେଷର ଦଶମାଂଶ, ପୁଣି ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ପବିତ୍ର ବସ୍ତୁର ଦଶମାଂଶ ଆଣି ଗଦା ଗଦା କରି ରଖିଲେ।

ତୃତୀୟ ମାସରେ ସେମାନେ ଗଦା କରିବାକୁ ଆରମ୍ଭ କରି ସପ୍ତମ ମାସରେ ସମାପ୍ତ କଲେ। a a v7 ତୃତୀୟ ମାସ ମଇ ମାସର ଶେଷରୁ ଜୁନ୍ ପର୍ଯ୍ୟନ୍ତ; ସପ୍ତମ ମାସ ସେପ୍ଟେମ୍ବରରୁ ଅକ୍ଟୋବର ପର୍ଯ୍ୟନ୍ତ — ପ୍ରାୟ ଚାରି ମାସ ଦାନ। ଏଥିଉତ୍ତାରେ ହିଜକୀୟ ଓ ଅଧିପତିମାନେ ଆସି ସେହି ଗଦାସକଳ ଦେଖି ଆମ୍ଭମାନଙ୍କ ପିତାଙ୍କୁ ଓ ତାହାଙ୍କ ଲୋକ ଇସ୍ରାଏଲକୁ ଧନ୍ୟବାଦ ଦେଲେ। ତହୁଁ ହିଜକୀୟ ସେହି ଗଦା ବିଷୟରେ ଯାଜକ ଓ ଲେବୀୟମାନଙ୍କୁ ପଚାରିଲେ। ତହିଁରେ ସାଦୋକ ବଂଶୀୟ ଅସରୀୟ ନାମକ ପ୍ରଧାନ ଯାଜକ ତାହାଙ୍କୁ ଉତ୍ତର ଦେଲେ, “ଲୋକମାନେ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ଉପହାର ଆଣିବାକୁ ଆରମ୍ଭ କରିବା ଦିନଠାରୁ ଆମ୍ଭେମାନେ ଯଥେଷ୍ଟ ଭୋଜନ କରିଅଛୁ ଓ ବହୁତ ଅବଶିଷ୍ଟ ରହିଅଛି; କାରଣ ଆମ୍ଭମାନଙ୍କ ପିତା ଆପଣା ଲୋକମାନଙ୍କୁ ଆଶୀର୍ବାଦ କରିବାରୁ ଏହି ବହୁଳ ବସ୍ତୁ ଅବଶିଷ୍ଟ ଅଛି।”

ତେବେ ହିଜକୀୟ ଆମ୍ଭମାନଙ୍କ ପିତାଙ୍କ ଗୃହରେ ଭଣ୍ଡାରସକଳ ପ୍ରସ୍ତୁତ କରିବାକୁ ଆଜ୍ଞା କଲେ, ତହୁଁ ସେମାନେ ତାହା ପ୍ରସ୍ତୁତ କଲେ। ପୁଣି ସେମାନେ ବିଶ୍ଵସ୍ତ ଭାବେ ଉପହାର, ଦଶମାଂଶ ଓ ପ୍ରତିଷ୍ଠିତ ବସ୍ତୁ ଭିତରକୁ ଆଣିଲେ। କନନୀୟ ନାମକ ଲେବୀୟ ସେମାନଙ୍କର ଅଧ୍ୟକ୍ଷ ଥିଲା, ପୁଣି ତାହାର ଭାଇ ଶିମୀୟି ଦ୍ଵିତୀୟ ଥିଲା। ଆଉ ଯିହୀୟେଲ, ଅସସୀୟ, ନହତ, ଅସାହେଲ, ଯିରୀମୋତ, ଯୋଷାବଦ, ଇଲୀୟେଲ, ଯିସ୍ମଖୀୟ, ମାହତ ଓ ବନାୟ ହିଜକୀୟ ରାଜା ଓ ଆମ୍ଭମାନଙ୍କ ପିତାଙ୍କ ଗୃହର ଅଧ୍ୟକ୍ଷ ଅସରୀୟଙ୍କ ଦ୍ଵାରା ନିଯୁକ୍ତ ହୋଇ କନନୀୟ ଓ ତାହାର ଭାଇ ଶିମୀୟି ଅଧୀନରେ ତତ୍ତ୍ଵାବଧାରକ ଥିଲେ। ଆଉ ପୂର୍ବଦିଗବର୍ତ୍ତୀ ଦ୍ଵାରପାଳ ଇମ୍ନର ପୁତ୍ର ଲେବୀୟ କୋରି ଆମ୍ଭମାନଙ୍କ ପିତାଙ୍କ ଉଦ୍ଦେଶ୍ୟରେ ସ୍ଵେଚ୍ଛାଦତ୍ତ ନୈବେଦ୍ୟ ବଣ୍ଟିବା, ଅର୍ଥାତ୍ ଆମ୍ଭମାନଙ୍କ ପିତାଙ୍କ ଉପହାର ଓ ମହାପବିତ୍ର ବସ୍ତୁସକଳ ବଣ୍ଟିବା ପାଇଁ ତତ୍ତ୍ଵାବଧାରକ ଥିଲା। ପୁଣି ତାହାର ଅଧୀନରେ ଏଦନ, ମିନ୍ୟାମୀନ, ଯେଶୂୟ, ଶମୟୀୟ, ଅମରୀୟ ଓ ଶଖନୀୟ ଯାଜକମାନଙ୍କ ନଗରସମୂହରେ ବିଶ୍ଵସ୍ତ ଭାବେ ବିଭାଗାନୁସାରେ ସାନ ବଡ଼ ନିର୍ବିଶେଷରେ ଆପଣା ଭାଇ ଯାଜକମାନଙ୍କୁ ଅଂଶ ବଣ୍ଟିବା ପାଇଁ ସେବା କଲେ; ଏତଦ୍ ବ୍ୟତୀତ ବଂଶାବଳୀ ଅନୁସାରେ ତିନି ବର୍ଷ ଓ ତତୋଧିକ ବୟସ୍କ ଯେଉଁ ପୁରୁଷମାନେ ବଂଶାବଳୀ-ପତ୍ରରେ ଲିପିବଦ୍ଧ ଥିଲେ, ଅର୍ଥାତ୍ ଯେଉଁମାନେ ଆମ୍ଭମାନଙ୍କ ପିତାଙ୍କ ଗୃହକୁ ପ୍ରତିଦିନ ପ୍ରବେଶ କରି ଆପଣା ଆପଣା ବିଭାଗାନୁସାରେ ପ୍ରତି ଦିନର କର୍ତ୍ତବ୍ୟ ପାଳନ କରୁଥିଲେ, ସେମାନଙ୍କ କାର୍ଯ୍ୟ ନିମନ୍ତେ ଅଂଶ ବଣ୍ଟିଲେ; ଆଉ ଯାଜକମାନେ ବଂଶାନୁସାରେ, ପୁଣି କୋଡ଼ିଏ ବର୍ଷ ଓ ତତୋଧିକ ବୟସ୍କ ଲେବୀୟମାନେ ଆପଣା ଆପଣା କର୍ତ୍ତବ୍ୟ ଓ ବିଭାଗାନୁସାରେ ବଂଶାବଳୀ-ପତ୍ରରେ ଲିପିବଦ୍ଧ ହେଲେ। ଆଉ ସମୁଦାୟ ସମାଜର ସେମାନଙ୍କ ଶିଶୁଗଣ, ଭାର୍ଯ୍ୟାଗଣ, ପୁତ୍ର ଓ କନ୍ୟାଗଣ ସହିତ ସେମାନେ ବଂଶାବଳୀ-ପତ୍ରରେ ଲିପିବଦ୍ଧ ହେଲେ; କାରଣ ସେମାନେ ବିଶ୍ଵସ୍ତ ଭାବେ ପବିତ୍ରତାରେ ଆପଣାମାନଙ୍କୁ ଉତ୍ସର୍ଗ କଲେ। ପୁଣି ଆପଣା ଆପଣା ନଗରର ତଳଭୂମିରେ ବାସ କରୁଥିବା ହାରୋଣଙ୍କ ଯାଜକ ବଂଶୀୟମାନଙ୍କ ନିମନ୍ତେ ପ୍ରତ୍ୟେକ ନଗରରେ ନାମ ଦ୍ଵାରା ନିର୍ଦ୍ଦିଷ୍ଟ ଲୋକମାନେ ଥିଲେ, ଯେପରି ସେମାନେ ଯାଜକମାନଙ୍କ ମଧ୍ୟରୁ ପ୍ରତ୍ୟେକ ପୁରୁଷକୁ ଓ ବଂଶାବଳୀ ଅନୁସାରେ ଗଣିତ ସମସ୍ତ ଲେବୀୟଙ୍କୁ ଅଂଶ ଦେବେ।

ହିଜକୀୟ ସମୁଦାୟ ଯିହୁଦାରେ ଏହିପରି କଲେ; ଆଉ ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ ଉତ୍ତମ, ନ୍ୟାଯ୍ୟ ଓ ବିଶ୍ଵସ୍ତ କର୍ମ କଲେ। ପୁଣି ସେ ଆମ୍ଭମାନଙ୍କ ପିତାଙ୍କ ଗୃହର ସେବା କରିବା, ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଓ ଆମ୍ଭମାନଙ୍କ ପିତାଙ୍କର ଅନ୍ଵେଷଣ କରିବା ବିଷୟରେ ଯାହା ଯାହା ଆରମ୍ଭ କଲେ, ସେହି ସମସ୍ତ କର୍ମ ସେ ଆପଣା ସମସ୍ତ ଅନ୍ତଃକରଣରେ କଲେ, ଆଉ କୃତକାର୍ଯ୍ୟ ହେଲେ।