ତୃଷାର୍ତ୍ତ ପ୍ରାଣ
ପ୍ରଧାନ ବାଦ୍ୟକରଙ୍କ ନିମନ୍ତେ। କୋରହ-ସନ୍ତାନଗଣଙ୍କ ଏକ ଜ୍ଞାନଗର୍ଭ ଗୀତ।
ମନ୍ଦିରରୁ ବିଚ୍ଛିନ୍ନ ହୋଇ ଓ 'ତୁମ୍ଭର ପରମେଶ୍ୱର କାହାନ୍ତି?' ବୋଲି ଉପହାସ ସହି, ଗାୟକ ମନେ ପକାଏ ସେ କିପରି ପର୍ବର ଜନତାକୁ ଆଗେଇ ନେଉଥିଲା, ଯେଉଁଥିରେ ସେ ଆଉ ଯୋଗ ଦେଇ ପାରୁନାହିଁ। ଦୁଇଥର ସେ ନିଜର ଅବସନ୍ନ ପ୍ରାଣକୁ ପ୍ରଶ୍ନ କରେ, ଓ ଏକା ଉତ୍ତର ଦିଏ: ଆମ୍ଭମାନଙ୍କ ପିତାଙ୍କଠାରେ ଆଶା ରଖ, ମୁଁ ପୁଣି ତାହାଙ୍କର ପ୍ରଶଂସା କରିବି।
42 1ହରିଣ ଯେପରି ଜଳସ୍ରୋତ ନିମନ୍ତେ ବ୍ୟାକୁଳ ହୁଏ, ହେ ମୋହର ପିତା, ସେହିପରି ମୋହର ପ୍ରାଣ ତୁମ୍ଭ ନିମନ୍ତେ ବ୍ୟାକୁଳ ହୁଏ।
2ମୋହର ପ୍ରାଣ ମୋହର ପିତାଙ୍କ ନିମନ୍ତେ, ଜୀବନ୍ତ ପିତାଙ୍କ ନିମନ୍ତେ ତୃଷିତ ହୁଏ। ମୁଁ କେବେ ଆସି ତାହାଙ୍କ ଛାମୁରେ ଉପସ୍ଥିତ ହେବି? 3ଦିବାରାତ୍ର ମୋହର ଲୋତକ ମୋʼ ଆହାର ହୋଇଅଛି, ଯେତେବେଳେ ଲୋକମାନେ ଦିନସାରା ମୋତେ କହନ୍ତି, “ତୁମ୍ଭ ପରମେଶ୍ଵର କାହାନ୍ତି?”
4ମୁଁ ଆପଣା ପ୍ରାଣ ଢାଳିବା ସମୟରେ ଏହିସବୁ ବିଷୟ ସ୍ମରଣ କରେ: ମୁଁ କିପରି ଜନସମୂହ ସହିତ ଯାଇ, ଆନନ୍ଦଧ୍ଵନି ଓ ପ୍ରଶଂସାଗାନ ସହିତ ସେମାନଙ୍କୁ ଶୋଭାଯାତ୍ରାରେ ଆମ୍ଭମାନଙ୍କ ପିତାଙ୍କ ଗୃହକୁ କଢ଼ାଇ ନେଉଥିଲି, ଏକ ବୃହତ୍ ଜନସମୂହ ପର୍ବ ପାଳନ କରୁଥିଲେ।
5ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଅବସନ୍ନ ହୋଇଅଛ, ଓ ମୋʼ ଅନ୍ତରରେ କାହିଁକି ଅସ୍ଥିର ହୋଇଅଛ? ଆମ୍ଭମାନଙ୍କ ପିତାଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋହର ପରିତ୍ରାଣ ଓ ମୋହର ପିତା।
6ହେ ମୋହର ପିତା, ମୋʼ ଅନ୍ତରରେ ମୋହର ପ୍ରାଣ ଅବସନ୍ନ ହୋଇଅଛି; ଏଣୁ ମୁଁ ଯର୍ଦ୍ଦନ ଓ ହର୍ମୋଣ ଦେଶରୁ, ମିଷର ପର୍ବତରୁ ତୁମ୍ଭକୁ ସ୍ମରଣ କରେ।
7ତୁମ୍ଭ ଜଳପ୍ରପାତର ଗର୍ଜ୍ଜନରେ ବାରିଧି ବାରିଧିକୁ ଆହ୍ଵାନ କରେ; ତୁମ୍ଭର ସମସ୍ତ ତରଙ୍ଗ ଓ ଢେଉ ମୋʼ ଉପର ଦେଇ ବହିଯାଇଅଛି। 8ଦିନବେଳେ ଆମ୍ଭମାନଙ୍କ ପିତା ଆପଣା ଦୟା ଆଜ୍ଞା କରନ୍ତି, ଆଉ ରାତ୍ରିରେ ତାହାଙ୍କ ଗୀତ ମୋʼ ସଙ୍ଗରେ ଥାଏ, ତାହା ମୋହର ଜୀବନର ପିତାଙ୍କ ନିକଟରେ ପ୍ରାର୍ଥନା।
9ମୁଁ ମୋହର ଶୈଳ ମୋʼ ପିତାଙ୍କୁ କହେ, “ତୁମ୍ଭେ କାହିଁକି ମୋତେ ପାସୋରିଅଛ? ଶତ୍ରୁର ଉପଦ୍ରବ ହେତୁ ମୁଁ କାହିଁକି ଶୋକ କରୁ କରୁ ବୁଲୁଅଛି?” 10ମୋʼ ଅସ୍ଥିସମୂହରେ ପ୍ରାଣନାଶକ କ୍ଷତ ତୁଲ୍ୟ, ମୋହର ବିପକ୍ଷମାନେ ମୋତେ ନିନ୍ଦା କରନ୍ତି, ଯେତେବେଳେ ସେମାନେ ଦିନସାରା ମୋତେ କହନ୍ତି, “ତୁମ୍ଭ ପରମେଶ୍ଵର କାହାନ୍ତି?”
11ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଅବସନ୍ନ ହୋଇଅଛ, ଓ ମୋʼ ଅନ୍ତରରେ କାହିଁକି ଅସ୍ଥିର ହୋଇଅଛ? ଆମ୍ଭମାନଙ୍କ ପିତାଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋହର ପରିତ୍ରାଣ ଓ ମୋହର ପିତା।