ଖନନକାରୀ ଯାହା ଖୋଳି ବାହାର କରିପାରେ ନାହିଁ
ଖଣିକାରୀମାନେ ରୂପା ଓ ନୀଳକାନ୍ତମଣି ପାଇଁ ପଥର ଭେଦ କରି ସୁଡ଼ଙ୍ଗ ଖୋଳନ୍ତି, ଯେଉଁଠାକୁ କୌଣସି ବାଜପକ୍ଷୀ ଦେଖିନାହିଁ ସେଠାକୁ ଯାଆନ୍ତି। କିନ୍ତୁ ଜ୍ଞାନ ଖୋଳି କି କିଣି ପାଇହୁଏ ନାହିଁ; ଗଭୀର ଜଳ ଓ ସମୁଦ୍ର କହନ୍ତି ତାହା ଏଠାରେ ନାହିଁ। କେବଳ ପରମେଶ୍ୱର ତାହାର ସ୍ଥାନ ଜାଣନ୍ତି, ଏବଂ ସେ ମନୁଷ୍ୟଜାତିକୁ କହିଲେ: ପରମେଶ୍ୱରଙ୍କୁ ଭୟ କର, ମନ୍ଦରୁ ବିମୁଖ ହୁଅ।
28 1“ନିଶ୍ଚୟ ରୂପା ନିମନ୍ତେ ଖଣି ଅଛି, ପୁଣି ସୁନା ପରିଷ୍କୃତ ହେବାର ସ୍ଥାନ ଅଛି। 2ଧୂଳିରୁ ଲୁହା ନିଆଯାଏ, ପୁଣି ପ୍ରସ୍ତରରୁ ତମ୍ବା ତରଳାଯାଏ। 3ମନୁଷ୍ୟ ଅନ୍ଧକାରର ସୀମା ନିରୂପଣ କରେ; ସେ ଘନାନ୍ଧକାର ଓ ମୃତ୍ୟୁଚ୍ଛାୟାରେ ଥିବା ଖଣିଜ ପଦାର୍ଥ ନିମନ୍ତେ ଅତି ଦୂର ସୀମା ପର୍ଯ୍ୟନ୍ତ ଅନ୍ଵେଷଣ କରେ। 4ସେ ଲୋକବସତିଠାରୁ ଦୂରରେ, ଯେଉଁ ସ୍ଥାନରେ କେହି କେବେ ପାଦ ଦେଇ ନାହାନ୍ତି, ସେଠାରେ ଗର୍ତ୍ତ ଖୋଳେ; ସେମାନେ ସମସ୍ତଙ୍କଠାରୁ ଦୂରରେ ଝୁଲନ୍ତି ଓ ଦୋହଲନ୍ତି। 5ପୃଥିବୀ—ଏହାଠାରୁ ଖାଦ୍ୟ ଉତ୍ପନ୍ନ ହୁଏ, ତଥାପି ଏହାର ତଳଭାଗ ଅଗ୍ନି ଦ୍ଵାରା ଯେପରି ଓଲଟି ଯାଏ। 6ଏହାର ପ୍ରସ୍ତରସମୂହ ନୀଳମଣି ଧାରଣ କରେ, ପୁଣି ଏହାର ଧୂଳି ସୁନା ଧାରଣ କରେ। 7ଏହା ଏପରି ଏକ ପଥ, ଯାହା କୌଣସି ଶିକାରୀ ପକ୍ଷୀ ଜାଣେ ନାହିଁ, ଯାହା ଶ୍ୟେନ ପକ୍ଷୀର ଚକ୍ଷୁ କେବେ ଦେଖି ନାହିଁ। 8ଗର୍ବୀ ପଶୁମାନେ ତାହା ଦଳି ନାହାନ୍ତି, କିଅବା ସିଂହ ତହିଁ ଉପରେ ବିଚରଣ କରି ନାହିଁ। 9ମନୁଷ୍ୟ ଚକ୍ମକି ପ୍ରସ୍ତର ଉପରେ ଆପଣା ହସ୍ତ ଦିଏ, ଆଉ ପର୍ବତମାନଙ୍କୁ ମୂଳରୁ ଓଲଟାଇ ପକାଏ। 10ସେ ପ୍ରସ୍ତରମାନଙ୍କ ମଧ୍ୟଦେଇ ନାଳ କାଟେ, ପୁଣି ତାହାର ଚକ୍ଷୁ ପ୍ରତ୍ୟେକ ବହୁମୂଲ୍ୟ ବସ୍ତୁ ଦେଖେ। 11ସେ ଜଳସ୍ରୋତସମୂହକୁ ବନ୍ଦ କରେ, ପୁଣି ଗୁପ୍ତ ବସ୍ତୁସମୂହକୁ ଆଲୋକକୁ ଆଣେ।
12“କିନ୍ତୁ ଜ୍ଞାନ—ତାହା କେଉଁଠାରେ ମିଳିପାରେ? ଆଉ ବୁଦ୍ଧିର ସ୍ଥାନ କେଉଁଠାରେ? 13ମନୁଷ୍ୟ ତହିଁର ମୂଲ୍ୟ ଜାଣେ ନାହିଁ, ପୁଣି ତାହା ଜୀବିତ ଲୋକଙ୍କ ଦେଶରେ ମିଳେ ନାହିଁ। 14ବାରିଧି କହେ, ‘ତାହା ମୋʼ ମଧ୍ୟରେ ନାହିଁ,’ ପୁଣି ସମୁଦ୍ର କହେ, ‘ତାହା ମୋʼ ନିକଟରେ ନାହିଁ।’ 15ଉତ୍ତମ ସୁନା ଦେଇ ତାହା କିଣାଯାଇ ନ ପାରେ, କିଅବା ତହିଁର ମୂଲ୍ୟ ରୂପାରେ ତୌଲାଯାଇ ନ ପାରେ। 16ଓଫୀରର ସୁନାରେ ତାହାର ମୂଲ୍ୟ ନିରୂପଣ ହୋଇ ନ ପାରେ, ବହୁମୂଲ୍ୟ ଗୋମେଦକ କିମ୍ବା ନୀଳମଣିରେ ହେଁ ନୁହେଁ। 17ସୁନା ଓ ସ୍ଫଟିକ ତାହାର ସମାନ ହୋଇ ନ ପାରେ, କିଅବା ନିର୍ମଳ ସୁବର୍ଣ୍ଣର ପାତ୍ର ବଦଳରେ ତାହା ଦିଆଯାଇ ନ ପାରେ। 18ପ୍ରବାଳ ଓ ସ୍ଫଟିକର କଥା ଉଲ୍ଲେଖ କରିବାର ଯୋଗ୍ୟ ନୁହେଁ; ଜ୍ଞାନର ମୂଲ୍ୟ ମାଣିକ୍ୟଠାରୁ ଅଧିକ। 19କୂଶ ଦେଶର ପୀତମଣି ତାହାର ସମାନ ହୋଇ ନ ପାରେ, କିଅବା ନିର୍ମଳ ସୁନାରେ ତହିଁର ମୂଲ୍ୟ ନିରୂପଣ ହୋଇ ନ ପାରେ।
20“ତେବେ ଜ୍ଞାନ କେଉଁଠାରୁ ଆସେ? ଆଉ ବୁଦ୍ଧିର ସ୍ଥାନ କେଉଁଠାରେ? 21ତାହା ସମସ୍ତ ଜୀବିତ ପ୍ରାଣୀର ଚକ୍ଷୁରୁ ଗୁପ୍ତ, ଆକାଶର ପକ୍ଷୀମାନଙ୍କଠାରୁ ହେଁ ଲୁକ୍କାୟିତ। 22ବିନାଶ ଓ ମୃତ୍ୟୁ କହନ୍ତି, ‘ଆମ୍ଭେମାନେ ଆପଣା କର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ।’
23“ପରମେଶ୍ଵର ତହିଁର ପଥ ବୁଝନ୍ତି, ପୁଣି ସେ ତହିଁର ସ୍ଥାନ ଜାଣନ୍ତି। 24କାରଣ ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଦୃଷ୍ଟିପାତ କରନ୍ତି, ପୁଣି ଆକାଶମଣ୍ଡଳ ତଳେ ଥିବା ସମସ୍ତ ବସ୍ତୁ ଦେଖନ୍ତି। 25ଯେତେବେଳେ ସେ ବାୟୁକୁ ତହିଁର ଭାର ଦେଲେ, ପୁଣି ଜଳସମୂହ ପରିମାଣ କଲେ, 26ଯେତେବେଳେ ସେ ବୃଷ୍ଟି ନିମନ୍ତେ ବିଧି ନିରୂପଣ କଲେ, ପୁଣି ବଜ୍ର ନିମନ୍ତେ ପଥ ନିରୂପଣ କଲେ, 27ସେତେବେଳେ ସେ ଜ୍ଞାନକୁ ଦେଖିଲେ ଓ ତାହା ପ୍ରକାଶ କଲେ; ସେ ତାହା ସ୍ଥାପନ କଲେ ଓ ଅନୁସନ୍ଧାନ କଲେ।
28ପୁଣି ସେ ମନୁଷ୍ୟକୁ କହିଲେ, ‘ପରମେଶ୍ଵରଙ୍କ ଭୟ—ତାହା ହିଁ ଜ୍ଞାନ, ଆଉ ମନ୍ଦତାରୁ ଫେରିବା ବୁଦ୍ଧି।’”