ଆୟୁବ ପୁନର୍ବାର ଆପଣା ବାକ୍ୟ ଆରମ୍ଭ କଲେ
ଯେଉଁ ପରମେଶ୍ୱର ତାଙ୍କ ନ୍ୟାୟ କାଢ଼ି ନେଇଛନ୍ତି, ସେହି ପରମେଶ୍ୱରଙ୍କ ନାମରେ ଶପଥ କରି ଆୟୁବ ତାଙ୍କ ବନ୍ଧୁମାନେ ଠିକ୍ ବୋଲି ସ୍ୱୀକାର କରିବାକୁ ମନା କରନ୍ତି; ମୃତ୍ୟୁ ପର୍ଯ୍ୟନ୍ତ ସେ ଆପଣା ସିଦ୍ଧତା ଧରି ରଖିବେ। ତାʼପରେ ସେ ନିଜେ ଦୁଷ୍ଟ ଲୋକର ଅଂଶ ବର୍ଣ୍ଣନା କରନ୍ତି: ଗଦା କରାଯାଇଥିବା ରୂପା ଧାର୍ମିକମାନେ ପରିଧାନ କରନ୍ତି, ରାତ୍ରିର ଘୂର୍ଣ୍ଣିବାୟୁ, ମାକଡ଼ଜାଲର ଘର।
27 1ପୁଣି ଆୟୁବ ପୁନର୍ବାର ଆପଣା ବାକ୍ୟ ଆରମ୍ଭ କରି କହିଲେ, 2“ଯେଉଁ ପରମେଶ୍ଵର ମୋହର ନ୍ୟାୟ ଅପହରଣ କରିଅଛନ୍ତି, ଆଉ ଯେଉଁ ସର୍ଵଶକ୍ତିମାନ ମୋହର ପ୍ରାଣକୁ ତିକ୍ତ କରିଅଛନ୍ତି, ତାହାଙ୍କ ଜୀବନର ଶପଥ, 3ଯେପର୍ଯ୍ୟନ୍ତ ମୋʼ ନିଶ୍ଵାସ ମୋʼ ଠାରେ ଅଛି, ପୁଣି ଆମ୍ଭମାନଙ୍କ ପିତାଙ୍କ ଆତ୍ମା ମୋʼ ନାସିକାରେ ଅଛି, 4ସେପର୍ଯ୍ୟନ୍ତ ମୋହର ଓଷ୍ଠାଧର ମିଥ୍ୟା କହିବ ନାହିଁ, ପୁଣି ମୋହର ଜିହ୍ଵା ଛଳ ଉଚ୍ଚାରଣ କରିବ ନାହିଁ। 5ତୁମ୍ଭେମାନେ ଯଥାର୍ଥ ବୋଲି ମୁଁ କଦାପି ସ୍ଵୀକାର କରିବି ନାହିଁ; ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଆପଣା ସରଳତା ତ୍ୟାଗ କରିବି ନାହିଁ। 6ମୁଁ ଆପଣା ଧାର୍ମିକତା ଦୃଢ଼ ରୂପେ ଧରି ରଖିଅଛି ଓ ତାହା ତ୍ୟାଗ କରିବି ନାହିଁ; ମୋହର ଜୀବନର କୌଣସି ଦିନ ନିମନ୍ତେ ମୋହର ଅନ୍ତଃକରଣ ମୋତେ ଅନୁଯୋଗ କରେ ନାହିଁ।
7“ମୋହର ଶତ୍ରୁ ଦୁଷ୍ଟ ପରି ହେଉ, ଆଉ ମୋʼ ବିରୁଦ୍ଧରେ ଉଠିବା ଲୋକ ଅଧାର୍ମିକ ପରି ହେଉ। 8କାରଣ ଅଧାର୍ମିକ ଲୋକ ଉଚ୍ଛିନ୍ନ ହେଲେ, ପରମେଶ୍ଵର ତାହାର ପ୍ରାଣ ହରଣ କଲେ, ତାହାର ଭରସା କଅଣ ଥାଏ? 9ତାହା ଉପରେ ବିପଦ ଆସିଲେ, ପରମେଶ୍ଵର କି ତାହାର କାକୂକ୍ତି ଶୁଣିବେ? 10ସେ କି ସର୍ଵଶକ୍ତିମାନଙ୍କଠାରେ ଆନନ୍ଦ କରିବ? ସେ କି ସର୍ଵଦା ପରମେଶ୍ଵରଙ୍କୁ ଡାକିବ? 11ମୁଁ ପରମେଶ୍ଵରଙ୍କ ହସ୍ତ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେବି; ସର୍ଵଶକ୍ତିମାନଙ୍କଠାରେ ଯାହା ଅଛି, ତାହା ମୁଁ ଗୋପନ କରିବି ନାହିଁ। 12ଦେଖ, ତୁମ୍ଭେମାନେ ସମସ୍ତେ ନିଜେ ଏହା ଦେଖିଅଛ; ତେବେ କାହିଁକି ତୁମ୍ଭେମାନେ ଏପରି ଅସାର ବାକ୍ୟ କହୁଅଛ? 13ପରମେଶ୍ଵରଙ୍କଠାରୁ ଦୁଷ୍ଟ ଲୋକର ଅଂଶ ଓ ଉପଦ୍ରବୀମାନେ ସର୍ଵଶକ୍ତିମାନଙ୍କଠାରୁ ଯେଉଁ ଅଧିକାର ପ୍ରାପ୍ତ ହୁଅନ୍ତି, ତାହା ଏହି: 14ଯଦି ତାହାର ସନ୍ତାନଗଣ ବହୁସଂଖ୍ୟକ ହୁଅନ୍ତି, ତେବେ ସେମାନେ ଖଡ୍ଗରେ ପତିତ ହେବେ, ପୁଣି ତାହାର ବଂଶ ପର୍ଯ୍ୟାପ୍ତ ଆହାର ପାଇବ ନାହିଁ। 15ତାହାର ଯେଉଁମାନେ ଅବଶିଷ୍ଟ ରହିବେ, ସେମାନେ ମହାମାରୀ ଦ୍ଵାରା ସମାଧିସ୍ଥ ହେବେ, ପୁଣି ସେମାନଙ୍କ ବିଧବାମାନେ ରୋଦନ କରିବେ ନାହିଁ। 16ଯଦ୍ୟପି ସେ ଧୂଳି ପରି ରୂପା ଗଦା କରେ ଓ ମୃତ୍ତିକା ପରି ବସ୍ତ୍ର ଗଦା କରେ, 17ସେ ତାହା ଗଦା କରିପାରେ, ମାତ୍ର ଧାର୍ମିକ ଲୋକ ତାହା ପରିଧାନ କରିବ, ପୁଣି ନିର୍ଦ୍ଦୋଷ ଲୋକ ସେହି ରୂପା ବାଣ୍ଟି ନେବ। 18ସେ ପତଙ୍ଗର ଗୃହ ପରି ଆପଣା ଗୃହ ନିର୍ମାଣ କରେ, ପ୍ରହରୀ ନିର୍ମିତ କୁଟୀର ପରି। 19ସେ ଧନୀ ହୋଇ ଶୟନ କରେ, ମାତ୍ର ପୁନର୍ବାର ତାହା କରିବ ନାହିଁ; ସେ ଆପଣା ଚକ୍ଷୁ ମେଲେ, ଆଉ କିଛି ନାହିଁ। 20ଜଳପ୍ଲାବନ ପରି ଭୟଙ୍କର ବିଷୟସବୁ ତାହାକୁ ଆକ୍ରମଣ କରେ; ରାତ୍ରିରେ ଘୂର୍ଣ୍ଣିବାୟୁ ତାହାକୁ ଉଡ଼ାଇ ନିଏ। 21ପୂର୍ବୀୟ ବାୟୁ ତାହାକୁ ଉଠାଇ ନିଏ, ଆଉ ସେ ଚାଲିଯାଏ; ତାହା ତାହାକୁ ଆପଣା ସ୍ଥାନରୁ ଉଡ଼ାଇ ନିଏ। 22ତାହା ନିର୍ଦ୍ଦୟ ଭାବେ ତାହା ଉପରକୁ ଧାବମାନ ହୁଏ; ସେ ତାହାର ଶକ୍ତିରୁ ପଳାୟନ କରିବାକୁ ଅତି ଚେଷ୍ଟା କରେ। 23ତାହା ତାହା ବିରୁଦ୍ଧରେ ହସ୍ତ ତାଳି ଦିଏ ଓ ତାହାକୁ ଆପଣା ସ୍ଥାନରୁ ଶୀସ୍ଧ୍ଵନି ଦେଇ ତଡ଼ିଦିଏ।”