ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ତଳକୁ ଓହ୍ଲାଇ ଆସ, ବାବିଲ କନ୍ୟେ

ବାବିଲକୁ କୁହାଯାଏ ନିଜ ସିଂହାସନରୁ ଓହ୍ଲାଇ ଦାସୀର ଜନ୍ତା ଧର ଓ ଧୂଳିରେ ବସ। ଆମ ପିତା ଇସ୍ରାଏଲକୁ ଦଣ୍ଡ ଦେବା ପାଇଁ ତାହାକୁ ବ୍ୟବହାର କଲେ, କିନ୍ତୁ ସେ ବୃଦ୍ଧମାନଙ୍କୁ ମଧ୍ୟ ଦୟା ଦେଖାଇଲା ନାହିଁ, ଏବଂ ନିଜକୁ କହିଲା ଯେ କେହି ଦେଖୁନାହାନ୍ତି। ତାହାର ଜ୍ୟୋତିଷମାନେ ନଡ଼ା ପରି ଜଳିଯାଆନ୍ତି; କେହି ତାହାକୁ ଉଦ୍ଧାର କରେ ନାହିଁ।

ଅଧ୍ୟାୟ 47।

“ତଳକୁ ଓହ୍ଲାଇ ଆସ, ଧୂଳିରେ ବସ, ବାବିଲର ଅନୂଢ଼ା କନ୍ୟେ; ସିଂହାସନ ନ ଥାଇ ଭୂମିରେ ବସ, କଲ୍‌ଦୀୟମାନଙ୍କ କନ୍ୟେ। ଲୋକମାନେ ତୁମ୍ଭକୁ ଆଉ ସୁକୁମାରୀ ଓ କୋମଳାଙ୍ଗୀ ବୋଲି କହିବେ ନାହିଁ।

“ଚକି ନେଇ ମଇଦା ପେଷ; ଆପଣା ଘୁମୁଟା କାଢ଼, ଆପଣା ବସ୍ତ୍ର କାଢ଼ି ପକାଅ, ଜଙ୍ଘ ଅନାବୃତ କର, ନଦୀ ଦେଇ ପାର ହୋଇଯାଅ। ତୁମ୍ଭର ଉଲଙ୍ଗତା ଅନାବୃତ ହେବ, ପୁଣି ତୁମ୍ଭର ଲଜ୍ଜା ଦୃଶ୍ୟ ହେବ। ଆମ୍ଭେ ନ୍ୟାୟ ସାଧନ କରିବା, ଆଉ କାହାକୁ ରିହାତି ଦେବା ନାହିଁ।”

ଆମ୍ଭମାନଙ୍କ ମୁକ୍ତିଦାତା—ସ୍ଵର୍ଗୀୟ ବାହିନୀସମୂହର ପିତା ତାହାଙ୍କ ନାମ— ଇସ୍ରାଏଲର ଧର୍ମସ୍ଵରୂପ, ଆମ୍ଭମାନଙ୍କ ପିତା।

ନୀରବ ହୋଇ ବସ, ପୁଣି ଅନ୍ଧକାରରେ ପ୍ରବେଶ କର, ବାବିଲୀୟମାନଙ୍କ କନ୍ୟେ; କାରଣ ତୁମ୍ଭେ ଆଉ ରାଜ୍ୟସମୂହର ରାଣୀ ବୋଲି ଖ୍ୟାତ ହେବ ନାହିଁ। ଆମ୍ଭେ ଆପଣା ସନ୍ତାନଗଣ ପ୍ରତି କ୍ରୁଦ୍ଧ ହେଲୁ; ଆପଣା ଅଧିକାର ଅଶୁଚି କରି ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ଦେଖାଇଲ ନାହିଁ; ବୃଦ୍ଧ ଲୋକଙ୍କ ଉପରେ ସୁଦ୍ଧା ତୁମ୍ଭେ ଅତି ଭାରୀ ଯୁଆଳି ଥୋଇଲ। ତୁମ୍ଭେ କହିଲ, “ମୁଁ ଅନନ୍ତକାଳ ରାଣୀ ହୋଇ ରହିବି”—ଏଣୁ ତୁମ୍ଭେ ଏହିସବୁ କଥା ମନରେ ବିଚାର କଲ ନାହିଁ, କିଅବା ଏହାର ପରିଣାମ କʼଣ ହେବ, ତାହା ସ୍ମରଣ କଲ ନାହିଁ।

ଏଣୁ ଏବେ ଏହା ଶୁଣ, ହେ ନିର୍ଭୟରେ ବସିଥିବା ବିଳାସପ୍ରିୟେ, ଯେ ଆପଣା ମନରେ କହେ, “ମୁଁ ହିଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ; ମୁଁ କେବେ ବିଧବା ହୋଇ ବସିବି ନାହିଁ, କିଅବା ସନ୍ତାନହୀନତା ଜାଣିବି ନାହିଁ।” ମାତ୍ର ଏହି ଉଭୟ ବିଷୟ ଏକ ନିମିଷରେ, ଏକ ଦିନରେ ତୁମ୍ଭ ଉପରେ ଘଟିବ: ସନ୍ତାନହୀନତା ଓ ବୈଧବ୍ୟ। ତୁମ୍ଭର ଅନେକ ମାୟାବିଦ୍ୟା ଓ ତୁମ୍ଭ ମନ୍ତ୍ରର ମହାଶକ୍ତି ସତ୍ତ୍ୱେ ଏସବୁ ସମ୍ପୂର୍ଣ୍ଣ ମାତ୍ରାରେ ତୁମ୍ଭ ଉପରେ ଘଟିବ।

ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର କଲ; ତୁମ୍ଭେ କହିଲ, ‘ମୋତେ କେହି ଦେଖେ ନାହିଁ।’ ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କଲା, ଏଣୁ ତୁମ୍ଭେ ମନେ ମନେ କହିଲ, ‘ମୁଁ ହିଁ ଅଛି, ମୋʼ ଛଡ଼ା ଆଉ କେହି ନାହିଁ।’ ଏଣୁ ତୁମ୍ଭ ଉପରେ ଏପରି ବିପଦ ଘଟିବ, ଯାହା ମନ୍ତ୍ର ଦ୍ଵାରା ଦୂର କରିବାର ଉପାୟ ତୁମ୍ଭେ ଜାଣିବ ନାହିଁ; ତୁମ୍ଭ ଉପରେ ଏପରି ଆପଦ ପଡ଼ିବ, ଯାହା ତୁମ୍ଭେ ନିବାରଣ କରିପାରିବ ନାହିଁ; ତୁମ୍ଭ ଅଜ୍ଞାତସାରରେ ହଠାତ୍‌ ତୁମ୍ଭ ଉପରେ ବିନାଶ ଆସିବ।

ଏବେ ତେବେ ଆପଣା ମନ୍ତ୍ରରେ ଓ ଆପଣା ଅନେକ ମାୟାବିଦ୍ୟାରେ ଲାଗିଥାଅ, ଯହିଁରେ ତୁମ୍ଭେ ବାଲ୍ୟକାଳଠାରୁ ପରିଶ୍ରମ କରିଅଛ। ହୁଏତ ତୁମ୍ଭେ କୃତକାର୍ଯ୍ୟ ହେବ; ହୁଏତ ତୁମ୍ଭେ ଭୟ ଜନ୍ମାଇ ପାରିବ। ତୁମ୍ଭେ ଆପଣା ଅନେକ ମନ୍ତ୍ରଣାରେ କ୍ଲାନ୍ତ ହୋଇଅଛ। ଯେଉଁମାନେ ଆକାଶମଣ୍ଡଳ ବିଭାଗ କରନ୍ତି, ନକ୍ଷତ୍ର ନିରୀକ୍ଷଣ କରନ୍ତି, ଯେଉଁମାନେ ପ୍ରତି ଅମାବାସ୍ୟାରେ ତୁମ୍ଭ ଉପରେ କʼଣ ଘଟିବ, ତାହା ଜଣାଇ ଦିଅନ୍ତି, ସେମାନେ ଠିଆ ହୋଇ ତୁମ୍ଭକୁ ଉଦ୍ଧାର କରନ୍ତୁ। ଦେଖ, ସେମାନେ ନଡ଼ା ତୁଲ୍ୟ; ଅଗ୍ନି ସେମାନଙ୍କୁ ଦଗ୍‌ଧ କରିବ। ସେମାନେ ଅଗ୍ନିଶିଖାର ଶକ୍ତିରୁ ଆପଣାମାନଙ୍କୁ ରକ୍ଷା କରିପାରିବେ ନାହିଁ। ଏହା ଉତ୍ତାପ ପାଇଁ ଅଙ୍ଗାର ନୁହେଁ, କିମ୍ବା ନିକଟରେ ବସିବା ପାଇଁ ଅଗ୍ନି ନୁହେଁ। ଯେଉଁମାନଙ୍କ ସଙ୍ଗେ ତୁମ୍ଭେ ବାଲ୍ୟକାଳଠାରୁ ପରିଶ୍ରମ ଓ ବାଣିଜ୍ୟ କରିଅଛ, ତୁମ୍ଭ ପ୍ରତି ସେମାନେ ଏହିପରି ହେବେ। ପ୍ରତ୍ୟେକ ଜଣ ଆପଣା ଆପଣା ଦିଗରେ ଭ୍ରମଣ କରିବ; ତୁମ୍ଭକୁ ଉଦ୍ଧାର କରିବାକୁ କେହି ନାହିଁ।