ମିସରରେ ଯାକୁବଙ୍କ ପୁତ୍ରଗଣ
ମିଶରରେ ଇସ୍ରାଏଲର ଦୀର୍ଘ ପ୍ରବାସ କଠୋର ଦାସତ୍ୱରେ ପରିଣତ ହୁଏ। ଆମ ପିତା ମୋଶାଙ୍କୁ ଉତ୍ପନ୍ନ କରନ୍ତି, ଦଶଟି ମହାମାରୀ ଦ୍ୱାରା ଫାରୋଙ୍କୁ ଭାଙ୍ଗିଦିଅନ୍ତି, ସମୁଦ୍ରକୁ ଖୋଲିଦିଅନ୍ତି, ଏବଂ ଲୋକମାନଙ୍କୁ ସୀନୟ ପର୍ବତକୁ ନେଇଯାଆନ୍ତି—ଯେଉଁଠାରେ ସେ ନିୟମରେ ନିଜକୁ ସେମାନଙ୍କ ସହିତ ବାନ୍ଧନ୍ତି ଏବଂ ସେମାନଙ୍କ ମଧ୍ୟରେ ବାସ କରିବାକୁ ଆସନ୍ତି।
1 1ଯାକୁବଙ୍କ ସହିତ ଇସ୍ରାଏଲଙ୍କ ଯେଉଁ ପୁତ୍ରମାନେ ଆପଣା ଆପଣା ପରିବାର ସହିତ ମିସରକୁ ଆସିଥିଲେ, ସେମାନଙ୍କ ନାମ ଏହି; 2ରୁବେନ୍, ଶିମୀୟୋନ୍, ଲେବୀ ଓ ଯିହୂଦା, 3ଇଷାଖର, ସବୂଲୂନ୍ ଓ ବିନ୍ୟାମୀନ୍, 4ଦାନ୍ ଓ ନପ୍ତାଲି, ଗାଦ୍ ଓ ଆଶେର। 5ଯାକୁବଙ୍କଠାରୁ ଉତ୍ପନ୍ନ ସମସ୍ତେ ସତୁରି ଜଣ ଥିଲେ; ଯୋଷେଫ ତ ପୂର୍ବରୁ ମିସରରେ ଥିଲେ। 6ଏଥିଉତ୍ତାରେ ଯୋଷେଫ ଓ ତାହାଙ୍କ ଭ୍ରାତୃଗଣ ଓ ସେହି ସମଗ୍ର ବଂଶ ମୃତ୍ୟୁଭୋଗ କଲେ। 7ମାତ୍ର ଇସ୍ରାଏଲଙ୍କ ଲୋକମାନେ ଫଳବନ୍ତ ହୋଇ ଗହଳିଆ ହେଲେ, ବହୁସଂଖ୍ୟକ ହୋଇ ଅତ୍ୟନ୍ତ ବଳବାନ ହେଲେ, ପୁଣି ସେମାନଙ୍କ ଦ୍ଵାରା ଦେଶ ପରିପୂର୍ଣ୍ଣ ହେଲା।
8ଏଥିମଧ୍ୟରେ ଯୋଷେଫଙ୍କୁ ନ ଜାଣିଥିବା ଏକ ନୂତନ ରାଜା ମିସରରେ ରାଜ୍ୟ କରିବାକୁ ଲାଗିଲେ। 9ସେ ଆପଣା ଲୋକମାନଙ୍କୁ କହିଲେ, “ଦେଖ, ଇସ୍ରାଏଲ ବଂଶୀୟ ଲୋକମାନେ ଆମ୍ଭମାନଙ୍କ ଅପେକ୍ଷା ଅଧିକ ଓ ବଳବାନ। 10ଆସ, ଆମ୍ଭେମାନେ ସେମାନଙ୍କ ପ୍ରତି ଚତୁରତାର ବ୍ୟବହାର କରୁ, ନୋହିଲେ ସେମାନେ ବହୁସଂଖ୍ୟକ ହେବେ, ପୁଣି ଯୁଦ୍ଧ ଉପସ୍ଥିତ ହେଲେ, ସେମାନେ ଆମ୍ଭମାନଙ୍କ ଶତ୍ରୁ ସଙ୍ଗେ ମିଶି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ଓ ଦେଶରୁ ବାହାରିଯିବେ।” 11ତେଣୁ ସେମାନେ କଠିନ ପରିଶ୍ରମ ଦ୍ଵାରା ସେମାନଙ୍କୁ ଦୁଃଖ ଦେବା ନିମନ୍ତେ ସେମାନଙ୍କ ଉପରେ କର୍ମାଧ୍ୟକ୍ଷମାନଙ୍କୁ ନିଯୁକ୍ତ କଲେ; ଆଉ ସେମାନେ ଫାରୋଙ୍କ ନିମନ୍ତେ ପୀଥୋମ୍ ଓ ରାମିଷେଷ୍ ନାମକ ଭଣ୍ଡାର-ନଗର ନିର୍ମାଣ କଲେ। 12କିନ୍ତୁ ମିସରୀୟମାନେ ସେମାନଙ୍କୁ ଯେତେ ଅଧିକ କ୍ଲେଶ ଦେଲେ, ଇସ୍ରାଏଲ ବଂଶୀୟ ଲୋକମାନେ ସେତେ ଅଧିକ ବୃଦ୍ଧି ପାଇ ବ୍ୟାପିଗଲେ; ଏଣୁ ସେମାନେ ଇସ୍ରାଏଲ ବଂଶ ହେତୁ ଭୀତ ହେଲେ। 13ଆଉ ମିସରୀୟମାନେ ଇସ୍ରାଏଲ ବଂଶୀୟ ଲୋକମାନଙ୍କୁ ନିଷ୍ଠୁର ଭାବରେ ଦାସ୍ୟକର୍ମ କରାଇଲେ। 14ପୁଣି ସେମାନେ କର୍ଦ୍ଦମ ଓ ଇଟା ସମ୍ବନ୍ଧୀୟ କଠିନ ପରିଶ୍ରମ ଓ କ୍ଷେତ୍ରର ସର୍ବପ୍ରକାର କର୍ମ ଦ୍ଵାରା ସେମାନଙ୍କ ଜୀବନକୁ ତିକ୍ତମୟ କଲେ; ଆଉ ସେମାନେ ଯେଉଁ ସମସ୍ତ କଠିନ କର୍ମ ସେମାନଙ୍କ ଦ୍ଵାରା କରାଇଲେ, ତାହା ନିଷ୍ଠୁର ଭାବରେ କରାଇଲେ।
15ଏଥିଉତ୍ତାରେ ମିସରର ରାଜା ଶିଫ୍ରା ଓ ପୂୟା ନାମକ ଦୁଇ ଏବ୍ରୀୟ ଧାଈକୁ କହିଲେ, 16“ତୁମ୍ଭେମାନେ ଏବ୍ରୀୟ ସ୍ତ୍ରୀମାନଙ୍କ ପ୍ରସବ ସମୟରେ ଉପକାର କରିବା ବେଳେ ପ୍ରସବାସନ ଉପରେ ଦୃଷ୍ଟି ରଖିବ; ଯଦି ପୁତ୍ର ହୁଏ, ତେବେ ତାହାକୁ ବଧ କରିବ; ମାତ୍ର ଯଦି କନ୍ୟା ହୁଏ, ତେବେ ତାହାକୁ ବଞ୍ଚିବାକୁ ଦେବ।” 17କିନ୍ତୁ ସେହି ଧାଈମାନେ ଆମ୍ଭମାନଙ୍କ ସ୍ଵର୍ଗସ୍ଥ ପିତାଙ୍କୁ ଭୟ କରିବାରୁ ମିସରର ରାଜା ସେମାନଙ୍କୁ ଯେପରି ଆଜ୍ଞା ଦେଇଥିଲେ, ସେପରି ନ କରି ବାଳକମାନଙ୍କୁ ବଞ୍ଚିବାକୁ ଦେଲେ। 18ତେଣୁ ମିସରର ରାଜା ଧାଈମାନଙ୍କୁ ଡାକି ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଏହା କରି ବାଳକମାନଙ୍କୁ ବଞ୍ଚିବାକୁ ଦେଲ?”
19ତହିଁରେ ଧାଈମାନେ ଫାରୋଙ୍କୁ କହିଲେ, “ଏବ୍ରୀୟ ସ୍ତ୍ରୀମାନେ ମିସରୀୟ ସ୍ତ୍ରୀମାନଙ୍କ ପରି ନୁହନ୍ତି; ସେମାନେ ବଳବତୀ, ଧାଈ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସେମାନେ ପ୍ରସବ କରନ୍ତି।”
20ଏଥିପାଇଁ ଆମ୍ଭମାନଙ୍କ ପିତା ସେହି ଧାଈମାନଙ୍କ ପ୍ରତି ମଙ୍ଗଳ କଲେ; ପୁଣି ଲୋକମାନେ ବହୁସଂଖ୍ୟକ ହୋଇ ଅତ୍ୟନ୍ତ ବଳବାନ ହେଲେ। 21ଆଉ ସେହି ଧାଈମାନେ ଆମ୍ଭମାନଙ୍କ ପିତାଙ୍କୁ ଭୟ କରିବାରୁ ସେ ସେମାନଙ୍କୁ ଏକ ଏକ ପରିବାର ଦେଲେ। 22ଏଥିଉତ୍ତାରେ ଫାରୋ ଆପଣା ସମସ୍ତ ଲୋକଙ୍କୁ ଆଜ୍ଞା ଦେଇ କହିଲେ, “ଏବ୍ରୀୟମାନଙ୍କଠାରେ ଜନ୍ମ ହେଉଥିବା ପ୍ରତ୍ୟେକ ପୁତ୍ରକୁ ନୀଲ ନଦୀରେ ପକାଇଦେବ, ମାତ୍ର ପ୍ରତ୍ୟେକ କନ୍ୟାକୁ ବଞ୍ଚିବାକୁ ଦେବ।”