ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ଏଲୀୟଙ୍କୁ ଗୃହକୁ ନେଇଯାଆନ୍ତି

ଇଲୀଶାୟ ତିନି ଥର ଏଲୀୟଙ୍କୁ ଛାଡ଼ିବାକୁ ମନା କରନ୍ତି, ଏବଂ ଆମ ପିତା ଏଲୀୟଙ୍କୁ ନେଇଯିବା ସମୟରେ ଅଗ୍ନିମୟ ରଥ ଦେଖନ୍ତି। ସେ ପଡ଼ିଥିବା ଚାଦର ଉଠାଇ, ଏଲୀୟଙ୍କ ପରମେଶ୍ୱର କାହାନ୍ତି ବୋଲି ପଚାରି ଯର୍ଦ୍ଦନକୁ ମାରନ୍ତି, ଏବଂ ପାର ହୋଇଯାଆନ୍ତି। ସେ ଏକ ବିଷାକ୍ତ ଝରଣାକୁ ସୁସ୍ଥ କରନ୍ତି, ଏବଂ ପରିହାସ କରୁଥିବା ବାଳକମାନଙ୍କୁ ଶାପ ଦିଅନ୍ତି, ଯାହାର ଫଳ ଭୟଙ୍କର ହୁଏ।

ଅଧ୍ୟାୟ 2।

ଆମ୍ଭମାନଙ୍କ ପିତା ଏଲୀୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ଵର୍ଗକୁ ନେଇଯିବାକୁ ଉଦ୍ୟତ ହେବା ସମୟରେ ଏଲୀୟ ଓ ଇଲୀଶାୟ ଗିଲ୍‌ଗଲ୍‌ରୁ ପ୍ରସ୍ଥାନ କଲେ। ଏଲୀୟ ଇଲୀଶାୟଙ୍କୁ କହିଲେ, “ବିନୟ କରୁଅଛି, ତୁମ୍ଭେ ଏଠାରେ ରୁହ; କାରଣ ଆମ୍ଭମାନଙ୍କ ପିତା ମୋତେ ବେଥେଲ୍‌କୁ ପ୍ରେରଣ କରିଅଛନ୍ତି।” ଇଲୀଶାୟ କହିଲେ, “ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ି ଯିବି ନାହିଁ।” ଏଣୁ ସେମାନେ ବେଥେଲ୍‌କୁ ଓହ୍ଲାଇଗଲେ।

ପୁଣି ବେଥେଲ୍‌ସ୍ଥ ଭାବବାଦୀଗଣ ଇଲୀଶାୟଙ୍କ ନିକଟକୁ ବାହାରି ଆସି ପଚାରିଲେ, “ଆଜି ଆମ୍ଭମାନଙ୍କ ପିତା ଆପଣଙ୍କ ପ୍ରଭୁଙ୍କୁ ଆପଣଙ୍କ ମସ୍ତକ ଉପରୁ ନେଇଯିବେ, ଏହା କʼଣ ଆପଣ ଜାଣନ୍ତି?” ସେ କହିଲେ, “ହଁ, ମୁଁ ଜାଣେ; ତୁମ୍ଭେମାନେ ନୀରବ ରୁହ।”

ଏଲୀୟ କହିଲେ, “ଇଲୀଶାୟ, ବିନୟ କରୁଅଛି, ତୁମ୍ଭେ ଏଠାରେ ରୁହ; କାରଣ ଆମ୍ଭମାନଙ୍କ ପିତା ମୋତେ ଯିରୀହୋକୁ ପ୍ରେରଣ କରିଅଛନ୍ତି।” ସେ ଉତ୍ତର ଦେଲେ, “ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ି ଯିବି ନାହିଁ।” ଏଣୁ ସେମାନେ ଯିରୀହୋକୁ ଗଲେ।

ଯିରୀହୋସ୍ଥ ଭାବବାଦୀଗଣ ଇଲୀଶାୟଙ୍କ ନିକଟକୁ ଆସି ପଚାରିଲେ, “ଆଜି ଆମ୍ଭମାନଙ୍କ ପିତା ଆପଣଙ୍କ ପ୍ରଭୁଙ୍କୁ ଆପଣଙ୍କଠାରୁ ନେଇଯିବେ, ଏହା କʼଣ ଆପଣ ଜାଣନ୍ତି?” ସେ କହିଲେ, “ହଁ, ମୁଁ ଜାଣେ; ତୁମ୍ଭେମାନେ ନୀରବ ରୁହ।”

ଏଲୀୟ ତାହାଙ୍କୁ କହିଲେ, “ବିନୟ କରୁଅଛି, ତୁମ୍ଭେ ଏଠାରେ ରୁହ; କାରଣ ଆମ୍ଭମାନଙ୍କ ପିତା ମୋତେ ଯର୍ଦ୍ଦନକୁ ପ୍ରେରଣ କରିଅଛନ୍ତି।” ସେ କହିଲେ, “ଆମ୍ଭମାନଙ୍କ ପିତା ଜୀବିତ ଥିବା ପ୍ରମାଣେ ଓ ଆପଣ ଜୀବିତ ଥିବା ପ୍ରମାଣେ ମୁଁ ଆପଣଙ୍କୁ ଛାଡ଼ି ଯିବି ନାହିଁ।” ଏଣୁ ସେ ଦୁହେଁ ଆଗକୁ ଗଲେ।

ଆଉ ଭାବବାଦୀ ଦଳର ପଚାଶ ଜଣ ଯାଇ ସେମାନଙ୍କ ସମ୍ମୁଖରେ ଦୂରରେ ଠିଆ ହେଲେ, ପୁଣି ସେ ଦୁହେଁ ଯର୍ଦ୍ଦନ ନିକଟରେ ଠିଆ ହେଲେ। ତହିଁରେ ଏଲୀୟ ଆପଣା ଚାଦର ନେଇ ଗୁଡ଼ାଇ ଜଳକୁ ଆଘାତ କଲେ, ତହୁଁ ତାହା ଉଭୟ ପଟକୁ ଦୁଇ ଭାଗ ହୋଇଗଲା; ପୁଣି ସେ ଦୁହେଁ ଶୁଷ୍କ ଭୂମି ଦେଇ ପାର ହୋଇଗଲେ। ସେମାନେ ପାର ହୁଅନ୍ତେ, ଏଲୀୟ ଇଲୀଶାୟଙ୍କୁ କହିଲେ, “ମୁଁ ତୁମ୍ଭ ନିକଟରୁ ନୀତ ହେବା ପୂର୍ବରୁ ତୁମ୍ଭ ପାଇଁ କʼଣ କରିବି, ତାହା ମାଗ।” ଇଲୀଶାୟ କହିଲେ, “ବିନୟ କରୁଅଛି, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋତେ ଅଧିକାର କରିବାକୁ ଦେଉନ୍ତୁ।”

ଏଲୀୟ କହିଲେ, “ତୁମ୍ଭେ କଠିନ ବିଷୟ ମାଗିଅଛ; ତଥାପି ମୁଁ ତୁମ୍ଭ ନିକଟରୁ ନୀତ ହେବା ସମୟରେ ଯଦି ତୁମ୍ଭେ ମୋତେ ଦେଖିବ, ତେବେ ତୁମ୍ଭ ପ୍ରତି ତାହା ଘଟିବ; ନୋହିଲେ ତାହା ଘଟିବ ନାହିଁ।”

ଆଉ ସେମାନେ ଚାଲିଚାଲି କଥାବାର୍ତ୍ତା କରୁଥିବା ସମୟରେ, ଦେଖ, ଅଗ୍ନିମୟ ଏକ ରଥ ଓ ଅଗ୍ନିମୟ ଅଶ୍ଵଗଣ ଆସି ସେ ଦୁହିଁଙ୍କୁ ପୃଥକ୍‌ କଲେ, ପୁଣି ଏଲୀୟ ଘୂର୍ଣ୍ଣିବାୟୁରେ ସ୍ଵର୍ଗକୁ ଉଠିଗଲେ। ତାହା ଦେଖି ଇଲୀଶାୟ ଡାକି କହିଲେ, “ହେ ମୋʼ ପିତଃ, ହେ ମୋʼ ପିତଃ, ଇସ୍ରାଏଲର ରଥ ଓ ଅଶ୍ଵାରୋହୀଗଣ!” ତହୁଁ ସେ ତାହାଙ୍କୁ ଆଉ ଦେଖିଲେ ନାହିଁ। ପୁଣି ସେ ଆପଣା ବସ୍ତ୍ର ଧରି ଦୁଇ ଖଣ୍ଡ କରି ଚିରିଲେ।

ଆଉ ସେ ଏଲୀୟଙ୍କ ପତିତ ଚାଦର ଉଠାଇ ନେଇ ଫେରିଯାଇ ଯର୍ଦ୍ଦନ କୂଳରେ ଠିଆ ହେଲେ। ପୁଣି ସେ ଏଲୀୟଙ୍କ ପତିତ ଚାଦର ନେଇ ଜଳକୁ ଆଘାତ କରି କହିଲେ, “ଏଲୀୟଙ୍କ ଈଶ୍ଵର ଆମ୍ଭମାନଙ୍କ ପିତା କାହାନ୍ତି?” ସେ ଜଳକୁ ଆଘାତ କରନ୍ତେ, ତାହା ଦକ୍ଷିଣ ଓ ବାମ ଦୁଇ ଭାଗ ହୋଇଗଲା; ଆଉ ଇଲୀଶାୟ ପାର ହୋଇଗଲେ।

ତହିଁରେ ଯିରୀହୋସ୍ଥ ଭାବବାଦୀଗଣ ତାହାଙ୍କ ସମ୍ମୁଖରେ ଥାଇ ତାହା ଦେଖି କହିଲେ, “ଏଲୀୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ଅଧିଷ୍ଠିତ ହୋଇଅଛି।” ପୁଣି ସେମାନେ ତାହାଙ୍କୁ ଭେଟିବାକୁ ଆସି ତାହାଙ୍କ ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କଲେ। ଆଉ ସେମାନେ ତାହାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ଦାସମାନଙ୍କ ମଧ୍ୟରେ ପଚାଶ ଜଣ ବଳବାନ ଲୋକ ଅଛନ୍ତି; ବିନୟ କରୁଅଛୁ, ସେମାନେ ଯାଇ ଆପଣଙ୍କ ପ୍ରଭୁଙ୍କର ଅନ୍ଵେଷଣ କରନ୍ତୁ; କେଜାଣି ଆମ୍ଭମାନଙ୍କ ପିତାଙ୍କ ଆତ୍ମା ତାହାଙ୍କୁ ଉଠାଇ ନେଇ କୌଣସି ପର୍ବତ କିମ୍ବା କୌଣସି ଉପତ୍ୟକାରେ ପକାଇ ଦେଇଥିବେ।” ମାତ୍ର ଇଲୀଶାୟ କହିଲେ, “ନା, ତୁମ୍ଭେମାନେ ପଠାଅ ନାହିଁ।”

ମାତ୍ର ସେମାନେ ତାହାଙ୍କୁ ଲଜ୍ଜିତ ହେବା ପର୍ଯ୍ୟନ୍ତ ବାଧ୍ୟ କଲେ; ତେଣୁ ସେ କହିଲେ, “ପଠାଅ।” ଏଣୁ ସେମାନେ ପଚାଶ ଜଣ ଲୋକ ପଠାଇଲେ; ସେମାନେ ତିନି ଦିନ ପର୍ଯ୍ୟନ୍ତ ଅନ୍ଵେଷଣ କଲେ, ମାତ୍ର ତାହାଙ୍କୁ ପାଇଲେ ନାହିଁ।

ଆଉ ଇଲୀଶାୟ ଯିରୀହୋରେ ରହୁଥିବା ବେଳେ ସେମାନେ ତାହାଙ୍କ ନିକଟକୁ ଫେରିଆସନ୍ତେ, ସେ ସେମାନଙ୍କୁ କହିଲେ, “ଯାଅ ନାହିଁ ବୋଲି କʼଣ ମୁଁ ତୁମ୍ଭମାନଙ୍କୁ କହି ନ ଥିଲି?”

ପିତା ଯିରୀହୋର ଜଳ ସୁସ୍ଥ କରନ୍ତି

ଏଥିଉତ୍ତାରେ ନଗରର ଲୋକମାନେ ଇଲୀଶାୟଙ୍କୁ କହିଲେ, “ଦେଖନ୍ତୁ, ହେ ଆମ୍ଭମାନଙ୍କ ପ୍ରଭୁ, ଏହି ନଗରର ସ୍ଥାନ ଉତ୍ତମ, ଏହା ଆପଣ ଦେଖୁଅଛନ୍ତି; ମାତ୍ର ଏଠାର ଜଳ ମନ୍ଦ ଓ ଭୂମି ଅନୁର୍ବରା।”

ତହିଁରେ ସେ କହିଲେ, “ମୋʼ ନିକଟକୁ ଗୋଟିଏ ନୂତନ ପାତ୍ର ଆଣି ତହିଁ ମଧ୍ୟରେ ଲବଣ ଦିଅ।” ଏଣୁ ସେମାନେ ତାହା ତାହାଙ୍କ ନିକଟକୁ ଆଣିଲେ।

ତହୁଁ ସେ ଜଳ ନିର୍ଝର ନିକଟକୁ ଯାଇ ତହିଁ ମଧ୍ୟରେ ଲବଣ ପକାଇ କହିଲେ, “ଆମ୍ଭମାନଙ୍କ ପିତା ଏହି କଥା କହନ୍ତି: ‘ଆମ୍ଭେ ଏହି ଜଳ ସୁସ୍ଥ କଲୁ; ଏଠାରୁ ଆଉ କେବେ ମୃତ୍ୟୁ କି ଅନୁର୍ବରତା ଘଟିବ ନାହିଁ।’”

ଆଉ ଇଲୀଶାୟଙ୍କ କଥିତ ବାକ୍ୟ ଅନୁସାରେ ସେହି ଜଳ ଆଜି ପର୍ଯ୍ୟନ୍ତ ନିର୍ମଳ ହୋଇ ରହିଅଛି।

ଏଥିଉତ୍ତାରେ ଇଲୀଶାୟ ସେଠାରୁ ବେଥେଲ୍‌କୁ ଯାତ୍ରା କଲେ। ଆଉ ସେ ପଥରେ ଯାଉଥିବା ବେଳେ ନଗରରୁ ସାନ ସାନ ବାଳକମାନେ ବାହାରି ଆସି ତାହାଙ୍କୁ ପରିହାସ କରି କହିଲେ, “ଆରେ ଟାଙ୍ଗରା, ଉଠିଯା! ଆରେ ଟାଙ୍ଗରା, ଉଠିଯା!” ତହିଁରେ ସେ ବୁଲିପଡ଼ି ସେମାନଙ୍କ ପ୍ରତି ଅନାଇ ଆମ୍ଭମାନଙ୍କ ପିତାଙ୍କ ନାମରେ ସେମାନଙ୍କୁ ଅଭିଶାପ ଦେଲେ। ତହୁଁ ବନରୁ ଦୁଇଟି ଭାଲୁ ବାହାରି ଆସି ସେହି ବାଳକମାନଙ୍କ ମଧ୍ୟରୁ ବୟାଳିଶ ଜଣଙ୍କୁ ବିଦୀର୍ଣ୍ଣ କଲେ। ପୁଣି ସେ ସେଠାରୁ କର୍ମିଲ ପର୍ବତକୁ ଗଲେ, ଆଉ ସେଠାରୁ ଶମରୀୟାକୁ ଫେରିଆସିଲେ।