ପିତା ଯିହୋୟାହସଙ୍କ କାକୂକ୍ତି ଶୁଣନ୍ତି
ଅରାମୀୟ ଅତ୍ୟାଚାରରେ ଯିହୋୟାହସ ଆମ ପିତାଙ୍କ ନିକଟରେ ନିବେଦନ କରନ୍ତି, ଏବଂ ଜଣେ ଉଦ୍ଧାରକର୍ତ୍ତା ପଠାଯାଏ, କିନ୍ତୁ ବାଛୁରିଗୁଡ଼ିକ ଓ ଆଶେରା ଖୁଣ୍ଟ ଠିଆ ହୋଇ ରହେ। ମୃତ୍ୟୁଶଯ୍ୟାରେ ଇଲୀଶାୟ ରାଜାଙ୍କୁ ତୀର ମାରିବାକୁ କହନ୍ତି, ତାʼପରେ ସେ କେବଳ ତିନି ଥର ଭୂମିରେ ମାରିଥିବାରୁ କ୍ରୋଧିତ ହୁଅନ୍ତି। ଇଲୀଶାୟଙ୍କ ହାଡ଼ ଛୁଇଁଥିବା ଏକ ଶବ ଠିଆ ହୋଇଯାଏ।
13 1ଯିହୁଦାର ରାଜା ଅହସୀୟଙ୍କ ପୁତ୍ର ଯୋୟାଶଙ୍କ ରାଜତ୍ଵର ତେଇଶ ବର୍ଷରେ ଯେହୂଙ୍କ ପୁତ୍ର ଯିହୋୟାହସ ଶମରୀୟାରେ ଇସ୍ରାଏଲ ଉପରେ ରାଜା ହେଲେ, ଆଉ ସେ ସତର ବର୍ଷ ରାଜତ୍ଵ କଲେ। 2ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ ଓ ନବାଟଙ୍କ ପୁତ୍ର ଯାରବୀୟାମ, ଯେ ଇସ୍ରାଏଲକୁ ପାପ କରାଇଥିଲେ, ତାହାଙ୍କ ପାପର ଅନୁଗାମୀ ହେଲେ; ସେ ତହିଁରୁ ବିମୁଖ ହେଲେ ନାହିଁ। 3ଏଣୁ ଇସ୍ରାଏଲ ବିରୁଦ୍ଧରେ ଆମ୍ଭମାନଙ୍କ ପିତାଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା, ଆଉ ସେ ସେମାନଙ୍କୁ ଅରାମର ରାଜା ହସାୟେଲ ଓ ହସାୟେଲଙ୍କ ପୁତ୍ର ବିନ୍ହଦଦ ହସ୍ତରେ ବାରମ୍ବାର ସମର୍ପଣ କଲେ। 4ତହିଁରେ ଯିହୋୟାହସ ଆମ୍ଭମାନଙ୍କ ପିତାଙ୍କ ନିକଟରେ ବିନତି କଲେ, ଆଉ ପିତା ଅରାମର ରାଜା ଦ୍ଵାରା ଇସ୍ରାଏଲ ଯେଉଁ ଉପଦ୍ରବ ଭୋଗୁଥିଲେ, ତାହା ଦେଖି ତାହାଙ୍କ କଥା ଶୁଣିଲେ। 5ତେଣୁ ଆମ୍ଭମାନଙ୍କ ପିତା ଇସ୍ରାଏଲକୁ ଜଣେ ଉଦ୍ଧାରକର୍ତ୍ତା ଦେଲେ; ପୁଣି ସେମାନେ ଅରାମର ହସ୍ତରୁ ରକ୍ଷା ପାଇଲେ ଓ ପୂର୍ବ ପରି ଆପଣା ଆପଣା ଗୃହରେ ବାସ କଲେ। 6ତଥାପି ଯାରବୀୟାମଙ୍କ ବଂଶ, ଯେ ଇସ୍ରାଏଲକୁ ପାପ କରାଇଥିଲେ, ତାହାଙ୍କ ପାପରୁ ସେମାନେ ବିମୁଖ ହେଲେ ନାହିଁ, ବରଂ ତହିଁ ମଧ୍ୟରେ ଚାଲିଲେ। ଆଉ ଶମରୀୟାରେ ଆଶେରା ମୂର୍ତ୍ତି ମଧ୍ୟ ଠିଆ ହୋଇ ରହିଲା। 7ଅରାମର ରାଜା ଯିହୋୟାହସଙ୍କ ସୈନ୍ୟଦଳକୁ ବିନାଶ କରି ମର୍ଦ୍ଦନ ସମୟର ଧୂଳି ପରି କରିଥିବାରୁ, ତାହାଙ୍କ ପାଇଁ ପଚାଶ ଅଶ୍ଵାରୋହୀ, ଦଶ ରଥ ଓ ଦଶ ସହସ୍ର ପଦାତିକ ବିନା ଆଉ କିଛି ଅବଶିଷ୍ଟ ରହିଲା ନାହିଁ। 8ଏବେ ଯିହୋୟାହସଙ୍କ ଅନ୍ୟାନ୍ୟ ବୃତ୍ତାନ୍ତ ଓ ତାହାଙ୍କ ସମସ୍ତ କ୍ରିୟା ଓ ତାହାଙ୍କ ପରାକ୍ରମ, ଏସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 9ପୁଣି ଯିହୋୟାହସ ଆପଣା ପିତୃଲୋକଙ୍କ ସହିତ ବିଶ୍ରାମ କଲେ ଓ ଲୋକମାନେ ତାହାଙ୍କୁ ଶମରୀୟାରେ କବର ଦେଲେ। ଆଉ ତାହାଙ୍କ ପୁତ୍ର ଯୋୟାଶ ତାହାଙ୍କ ପଦରେ ରାଜତ୍ଵ କଲେ।
ଯିହୋୟାଶ ଇସ୍ରାଏଲ ଉପରେ ରାଜତ୍ଵ କରନ୍ତି
10ଯିହୁଦାର ରାଜା ଯୋୟାଶଙ୍କ ରାଜତ୍ଵର ସଇଁତିରିଶ ବର୍ଷରେ ଯିହୋୟାହସଙ୍କ ପୁତ୍ର ଯିହୋୟାଶ ଶମରୀୟାରେ ଇସ୍ରାଏଲ ଉପରେ ରାଜା ହେଲେ, ଆଉ ସୋହଳ ବର୍ଷ ରାଜତ୍ଵ କଲେ। 11ସେ ଆମ୍ଭମାନଙ୍କ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ; ନବାଟଙ୍କ ପୁତ୍ର ଯାରବୀୟାମ, ଯେ ଇସ୍ରାଏଲକୁ ପାପ କରାଇଥିଲେ, ତାହାଙ୍କ କୌଣସି ପାପରୁ ସେ ବିମୁଖ ହେଲେ ନାହିଁ, ବରଂ ତହିଁ ମଧ୍ୟରେ ଚାଲିଲେ। 12ଏବେ ଯୋୟାଶଙ୍କ ଅନ୍ୟାନ୍ୟ ବୃତ୍ତାନ୍ତ ଓ ତାହାଙ୍କ ସମସ୍ତ କ୍ରିୟା ଓ ଯିହୁଦାର ରାଜା ଅମତ୍ସୀୟଙ୍କ ସଙ୍ଗେ ଯୁଦ୍ଧ କରିବାରେ ତାହାଙ୍କ ପରାକ୍ରମ, ଏସବୁ କʼଣ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ନାହିଁ? 13ପୁଣି ଯୋୟାଶ ଆପଣା ପିତୃଲୋକଙ୍କ ସହିତ ବିଶ୍ରାମ କଲେ; ଆଉ ଯାରବୀୟାମ ତାହାଙ୍କ ସିଂହାସନ ଅଧିକାର କଲେ। ପୁଣି ଯୋୟାଶ ଇସ୍ରାଏଲ ରାଜାମାନଙ୍କ ସଙ୍ଗେ ଶମରୀୟାରେ କବର ପାଇଲେ।
ଇଲୀଶାୟଙ୍କ ଦ୍ଵାରା ପିତାଙ୍କ ଶେଷ ବାକ୍ୟ
14ଏଥିମଧ୍ୟରେ ଇଲୀଶାୟ ଆପଣା ମରଣଜନକ ପୀଡ଼ାରେ ପୀଡ଼ିତ ହେଲେ। ତହିଁରେ ଇସ୍ରାଏଲର ରାଜା ଯୋୟାଶ ତାହାଙ୍କ ନିକଟକୁ ଓହ୍ଲାଇ ଆସି ତାହାଙ୍କ ଉପରେ ରୋଦନ କରି କହିଲେ, “ହେ ମୋହର ପିତଃ, ହେ ମୋହର ପିତଃ! ଇସ୍ରାଏଲର ରଥ ଓ ଅଶ୍ଵାରୋହୀ!”
15ତହିଁରେ ଇଲୀଶାୟ ତାହାଙ୍କୁ କହିଲେ, “ଗୋଟିଏ ଧନୁ ଓ ତୀର ନିଅ।” ତେଣୁ ସେ ଗୋଟିଏ ଧନୁ ଓ ତୀର ନେଲେ। 16ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଧନୁ ଉପରେ ଆପଣା ହସ୍ତ ରଖ।” ତେଣୁ ସେ ତହିଁ ଉପରେ ଆପଣା ହସ୍ତ ରଖିଲେ, ଆଉ ଇଲୀଶାୟ ରାଜାଙ୍କ ହସ୍ତ ଉପରେ ଆପଣା ହସ୍ତ ରଖିଲେ। 17ପୁଣି ସେ କହିଲେ, “ପୂର୍ବ ଦିଗର ଝରକା ଫିଟାଅ।” ତହିଁରେ ସେ ତାହା ଫିଟାଇଲେ। ଇଲୀଶାୟ କହିଲେ, “ତୀର ନିକ୍ଷେପ କର!” ତହିଁରେ ସେ ନିକ୍ଷେପ କଲେ। ତହୁଁ ଇଲୀଶାୟ କହିଲେ, “ଏହା ଆମ୍ଭମାନଙ୍କ ପିତାଙ୍କ ଜୟର ତୀର, ଅରାମ ଉପରେ ଜୟର ତୀର! ଆପଣ ଅଫେକରେ ଅରାମକୁ ବିନଷ୍ଟ କରିବା ପର୍ଯ୍ୟନ୍ତ ସେମାନଙ୍କୁ ପରାସ୍ତ କରିବେ।”
18ପୁଣି ସେ କହିଲେ, “ତୀରସବୁ ନିଅ,” ତହିଁରେ ସେ ନେଲେ। ତହୁଁ ସେ ଇସ୍ରାଏଲର ରାଜାଙ୍କୁ କହିଲେ, “ଭୂମିରେ ଆଘାତ କର।” ତହିଁରେ ସେ ତିନି ଥର ଆଘାତ କରି ବନ୍ଦ କଲେ। 19ମାତ୍ର ଆମ୍ଭମାନଙ୍କ ପିତାଙ୍କ ଲୋକ ତାହାଙ୍କ ପ୍ରତି କ୍ରୁଦ୍ଧ ହୋଇ କହିଲେ, “ଆପଣ ପାଞ୍ଚ ଛଅ ଥର ଆଘାତ କରିବା ଉଚିତ ଥିଲା; ତାହା କଲେ ଆପଣ ଅରାମକୁ ବିନଷ୍ଟ କରିବା ପର୍ଯ୍ୟନ୍ତ ତାହାକୁ ପରାସ୍ତ କରିଥାନ୍ତେ। ମାତ୍ର ଏବେ ଆପଣ କେବଳ ତିନି ଥର ଅରାମକୁ ପରାସ୍ତ କରିବେ।”
20ଏଥିଉତ୍ତାରେ ଇଲୀଶାୟ ମଲେ ଓ ଲୋକମାନେ ତାହାଙ୍କୁ କବର ଦେଲେ। ସେସମୟରେ ବର୍ଷ ଆରମ୍ଭ ହେଲେ ମୋୟାବୀୟ ଲୁଟେରାଦଳ ଦେଶ ଉପରେ ଆକ୍ରମଣ କରୁଥିଲେ।
21ତହିଁରେ କେତେକ ଲୋକ ଜଣେ ମନୁଷ୍ୟକୁ କବର ଦେଉଥିବା ବେଳେ, ଦେଖ, ସେମାନେ ଗୋଟିଏ ଲୁଟେରାଦଳ ଦେଖିଲେ; ତେଣୁ ସେମାନେ ସେହି ମନୁଷ୍ୟକୁ ଇଲୀଶାୟଙ୍କ କବରରେ ପକାଇଦେଲେ। ଆଉ ସେହି ମୃତ ବ୍ୟକ୍ତି ଇଲୀଶାୟଙ୍କ ଅସ୍ଥି ସ୍ପର୍ଶ କରିବା ମାତ୍ରେ ସେ ସଜୀବ ହୋଇ ଆପଣା ଚରଣରେ ଠିଆ ହେଲା।
22ଯିହୋୟାହସଙ୍କ ରାଜତ୍ଵକାଳଯାକ ଅରାମର ରାଜା ହସାୟେଲ ଇସ୍ରାଏଲକୁ ଉପଦ୍ରବ କଲେ। 23ମାତ୍ର ଆମ୍ଭମାନଙ୍କ ପିତା ସେମାନଙ୍କ ପ୍ରତି ଅନୁଗ୍ରହ କଲେ; ସେମାନଙ୍କ ପ୍ରତି ତାହାଙ୍କ ଅନ୍ତଃକରଣ କୃପାରେ ବିଗଳିତ ହେଲା, ଆଉ ସେ ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସଙ୍ଗେ ଆପଣା ନିୟମ ସକାଶେ ସେମାନଙ୍କ ପ୍ରତି ଫେରିଲେ। ଆଜି ପର୍ଯ୍ୟନ୍ତ ସେ ସେମାନଙ୍କୁ ବିନଷ୍ଟ କରିବାକୁ କିମ୍ବା ଆପଣା ସମ୍ମୁଖରୁ ଦୂର କରିବାକୁ ଅସମ୍ମତ ଅଟନ୍ତି।
24ଏଥିଉତ୍ତାରେ ଅରାମର ରାଜା ହସାୟେଲ ମଲେ, ଆଉ ତାହାଙ୍କ ପୁତ୍ର ବିନ୍ହଦଦ ତାହାଙ୍କ ପଦରେ ରାଜା ହେଲେ। 25ପୁଣି ବିନ୍ହଦଦ ଯୁଦ୍ଧରେ ଯିହୋୟାହସଙ୍କ ପିତା ଯୋୟାହସଙ୍କଠାରୁ ଯେଉଁ ନଗରସବୁ ହରଣ କରିଥିଲେ, ସେହି ନଗରସବୁ ଯିହୋୟାହସଙ୍କ ପୁତ୍ର ଯିହୋୟାଶ ହସାୟେଲଙ୍କ ପୁତ୍ର ବିନ୍ହଦଦ ହସ୍ତରୁ ପୁନର୍ବାର ନେଲେ। ଯୋୟାଶ ତିନି ଥର ତାହାଙ୍କୁ ପରାସ୍ତ କରି ଇସ୍ରାଏଲର ନଗରସବୁ ପୁନରୁଦ୍ଧାର କଲେ।