ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ଅମତ୍ସୀୟ ଯିହୂଦା ଉପରେ ରାଜତ୍ଵ କଲେ

ଆମ ପିତାଙ୍କ ବ୍ୟବସ୍ଥା ଅନୁସାରେ ଅମତ୍‌ସିୟ ନିଜ ବାପାଙ୍କ ହତ୍ୟାକାରୀମାନଙ୍କୁ ବଧ କରନ୍ତି କିନ୍ତୁ ସେମାନଙ୍କ ସନ୍ତାନମାନଙ୍କୁ ଛାଡ଼ିଦିଅନ୍ତି। ଇଦୋମକୁ ପରାସ୍ତ କରି ଗର୍ବରେ ଫୁଲି ସେ ଇସ୍ରାଏଲ ସହିତ ଯୁଦ୍ଧ ଲଗାନ୍ତି ଏବଂ ଉତ୍ତରରେ ଏକ କଣ୍ଟାଗଛ ବିଷୟରେ ଦୃଷ୍ଟାନ୍ତ-କାହାଣୀ ପାଆନ୍ତି, ତାʼପରେ ହାରିଯାଆନ୍ତି; ଯିରୂଶାଲମର ପ୍ରାଚୀର ଭାଙ୍ଗି ଖୋଲାଯାଏ। ପରେ ତାଙ୍କ ନିଜ ଲୋକମାନେ ମଧ୍ୟ ତାଙ୍କୁ ମାରିଦିଅନ୍ତି।

ଅଧ୍ୟାୟ 14।

ଯିହୋୟାହସଙ୍କ ପୁତ୍ର ଇସ୍ରାଏଲର ରାଜା ଯୋୟାଶଙ୍କ ରାଜତ୍ଵର ଦ୍ଵିତୀୟ ବର୍ଷରେ ଯୋୟାଶଙ୍କ ପୁତ୍ର ଅମତ୍ସୀୟ ଯିହୂଦାର ରାଜା ହେଲେ। ସେ ପଚିଶ ବର୍ଷ ବୟସରେ ରାଜା ହୋଇ ଯିରୂଶାଲମରେ ଅଣତିରିଶ ବର୍ଷ ରାଜତ୍ଵ କଲେ। ତାହାଙ୍କ ମାତାଙ୍କ ନାମ ଯିହୋୟଦ୍ଦୀନ୍‍ ଥିଲା, ସେ ଯିରୂଶାଲମ ନିବାସିନୀ ଥିଲେ। ସେ ପିତାଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ, ତଥାପି ଆପଣା ପିତା ଦାଉଦଙ୍କ ପରି ନୁହେଁ; ଆପଣା ପିତା ଯୋୟାଶ ଯାହା କରିଥିଲେ, ସେ ସେହିସବୁ କଲେ। କେବଳ ଉଚ୍ଚସ୍ଥଳୀସବୁ ରହିଲା; ଲୋକମାନେ ଏପର୍ଯ୍ୟନ୍ତ ସେହିସ୍ଥାନରେ ବଳିଦାନ କଲେ ଓ ଧୂପ ଜ୍ଵଳାଇଲେ। ରାଜ୍ୟ ତାହାଙ୍କ ହସ୍ତରେ ଦୃଢ଼ ହେବା ପରେ ଯେଉଁ ଦାସମାନେ ତାହାଙ୍କ ପିତା ରାଜାଙ୍କୁ ବଧ କରିଥିଲେ, ସେମାନଙ୍କୁ ସେ ବଧ କଲେ।

କିନ୍ତୁ ସେହି ହତ୍ୟାକାରୀମାନଙ୍କ ସନ୍ତାନଗଣଙ୍କୁ ସେ ବଧ କଲେ ନାହିଁ, ଯେପରି ମୋଶାଙ୍କ ବ୍ୟବସ୍ଥା-ପୁସ୍ତକରେ ଲେଖାଅଛି, ଯହିଁରେ ପିତା ଆଜ୍ଞା ଦେଇ କହିଥିଲେ, “ସନ୍ତାନମାନଙ୍କ ନିମନ୍ତେ ପିତାମାନେ ମରିବେ ନାହିଁ, କିଅବା ପିତାମାନଙ୍କ ନିମନ୍ତେ ସନ୍ତାନମାନେ ମରିବେ ନାହିଁ; ପ୍ରତ୍ୟେକ ଜଣ ଆପଣା ପାପ ନିମନ୍ତେ ମରିବ।”

ସେ ଲବଣ ଉପତ୍ୟକାରେ ଦଶ ହଜାର ଇଦୋମୀୟଙ୍କୁ ବଧ କଲେ, ଯୁଦ୍ଧରେ ସେଲା ଅଧିକାର କଲେ, ପୁଣି ତାହାର ନାମ ଯକ୍ତେଲ ରଖିଲେ, ଆଜି ପର୍ଯ୍ୟନ୍ତ ତାହାର ସେହି ନାମ ଅଛି।

ସେତେବେଳେ ଅମତ୍ସୀୟ ଯେହୂଙ୍କ ପୌତ୍ର, ଯିହୋୟାହସଙ୍କ ପୁତ୍ର ଇସ୍ରାଏଲର ରାଜା ଯିହୋୟାଶଙ୍କ ନିକଟକୁ ଦୂତ ପଠାଇ କହିଲେ, “ଆସ, ଆମ୍ଭେମାନେ ପରସ୍ପର ମୁଖାମୁଖୀ ହେବା।”

ମାତ୍ର ଇସ୍ରାଏଲର ରାଜା ଯିହୋୟାଶ ଯିହୂଦାର ରାଜା ଅମତ୍ସୀୟଙ୍କ ନିକଟକୁ ଉତ୍ତର ପଠାଇ କହିଲେ, “ଲିବାନୋନସ୍ଥିତ ଗୋଟିଏ କଣ୍ଟକବୃକ୍ଷ ଲିବାନୋନସ୍ଥିତ ଏକ ଏରସ ବୃକ୍ଷ ନିକଟକୁ କହି ପଠାଇଲା, ‘ତୁମ୍ଭ କନ୍ୟାକୁ ମୋʼ ପୁତ୍ର ସହିତ ବିବାହ ଦିଅ।’ ତହିଁରେ ଲିବାନୋନସ୍ଥିତ ଏକ ବନ୍ୟ ପଶୁ ଯାଇ ସେହି କଣ୍ଟକବୃକ୍ଷକୁ ଦଳିଦେଲା। ତୁମ୍ଭେ ଇଦୋମକୁ ପରାସ୍ତ କରିଅଛ, ଏଣୁ ତୁମ୍ଭର ଅନ୍ତଃକରଣ ଗର୍ବିତ ହୋଇଅଛି। ସେଥିରେ ଗୌରବ କର, ମାତ୍ର ଗୃହରେ ରୁହ। ତୁମ୍ଭେ କାହିଁକି ଅମଙ୍ଗଳ ଘଟାଉଅଛ, ଯେପରି ତୁମ୍ଭେ ଓ ତୁମ୍ଭ ସଙ୍ଗେ ଯିହୂଦା ପତିତ ହୁଅ?”

ମାତ୍ର ଅମତ୍ସୀୟ ଶୁଣିବାକୁ ଅସମ୍ମତ ହେଲେ, ଏଣୁ ଇସ୍ରାଏଲର ରାଜା ଯିହୋୟାଶ ଅଗ୍ରସର ହେଲେ, ପୁଣି ସେ ଓ ଯିହୂଦାର ରାଜା ଅମତ୍ସୀୟ ଯିହୂଦା ଦେଶସ୍ଥ ବେଥ୍‍-ଶେମଶ ନିକଟରେ ପରସ୍ପର ମୁଖାମୁଖୀ ହେଲେ। ଆଉ ଯିହୂଦା ଇସ୍ରାଏଲ ଦ୍ଵାରା ପରାସ୍ତ ହେଲା, ପୁଣି ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ପଳାଇଲା। ଇସ୍ରାଏଲର ରାଜା ଯିହୋୟାଶ ଅହସୀୟଙ୍କ ପୌତ୍ର, ଯିହୋୟାଶଙ୍କ ପୁତ୍ର, ଯିହୂଦାର ରାଜା ଅମତ୍ସୀୟଙ୍କୁ ବେଥ୍‍-ଶେମଶ ନିକଟରେ ଧରି ଯିରୂଶାଲମକୁ ଆସିଲେ, ଆଉ ଇଫ୍ରୟିମ-ଦ୍ଵାରଠାରୁ କୋଣ-ଦ୍ଵାର ପର୍ଯ୍ୟନ୍ତ ତହିଁର ପ୍ରାଚୀରର ପ୍ରାୟ ଛଅ ଶହ ଫୁଟ ଭାଙ୍ଗି ପକାଇଲେ। ଆଉ ପିତାଙ୍କ ଗୃହ ଓ ରାଜଗୃହର ଭଣ୍ଡାରସମୂହରେ ପ୍ରାପ୍ତ ସମସ୍ତ ସୁନା, ରୂପା ଓ ପାତ୍ର, ଆଉ ବନ୍ଧକ ଲୋକମାନଙ୍କୁ ମଧ୍ୟ ନେଇ ଶମରୀୟାକୁ ପ୍ରତ୍ୟାବର୍ତ୍ତନ କଲେ।

ଏବେ ଯିହୋୟାଶଙ୍କ କୃତ କର୍ମ, ତାହାଙ୍କ ଅବଶିଷ୍ଟ ବୃତ୍ତାନ୍ତ, ତାହାଙ୍କ ପରାକ୍ରମ ଓ ସେ ଯିହୂଦାର ରାଜା ଅମତ୍ସୀୟଙ୍କ ବିରୁଦ୍ଧରେ କିପରି ଯୁଦ୍ଧ କଲେ, ଏହାସବୁ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ନାହିଁ? ଆଉ ଯିହୋୟାଶ ଆପଣା ପିତୃଲୋକଙ୍କ ସହିତ ଶୟନ କଲେ, ପୁଣି ଇସ୍ରାଏଲର ରାଜାମାନଙ୍କ ସଙ୍ଗେ ଶମରୀୟାରେ କବର ପ୍ରାପ୍ତ ହେଲେ; ଆଉ ତାହାଙ୍କ ପୁତ୍ର ଯାରବୀୟାମ ତାହାଙ୍କ ପଦରେ ରାଜତ୍ଵ କଲେ।

ଇସ୍ରାଏଲର ରାଜା ଯିହୋୟାହସଙ୍କ ପୁତ୍ର ଯିହୋୟାଶଙ୍କ ମୃତ୍ୟୁ ଉତ୍ତାରେ ଯିହୂଦାର ରାଜା ଯୋୟାଶଙ୍କ ପୁତ୍ର ଅମତ୍ସୀୟ ପନ୍ଦର ବର୍ଷ ବଞ୍ଚିଲେ। ଆଉ ଅମତ୍ସୀୟଙ୍କ ଅବଶିଷ୍ଟ ବୃତ୍ତାନ୍ତ କʼଣ ଯିହୂଦାର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ନାହିଁ? ସେମାନେ ଯିରୂଶାଲମରେ ତାହାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ; ତହିଁରେ ସେ ଲାଖୀଶକୁ ପଳାଇଲେ, ମାତ୍ର ସେମାନେ ଲାଖୀଶକୁ ତାହାଙ୍କ ପଛେ ଲୋକ ପଠାଇ ସେହିସ୍ଥାନରେ ତାହାଙ୍କୁ ବଧ କଲେ। ଆଉ ସେମାନେ ଅଶ୍ଵଗଣ ଉପରେ ତାହାଙ୍କୁ ବହି ଆଣିଲେ; ପୁଣି ସେ ଯିରୂଶାଲମରେ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପ୍ରାପ୍ତ ହେଲେ।

ତହିଁରେ ଯିହୂଦାର ସମସ୍ତ ଲୋକ ଷୋହଳ ବର୍ଷ ବୟସ୍କ ଅସରୀୟଙ୍କୁ ନେଇ ତାହାଙ୍କ ପିତା ଅମତ୍ସୀୟଙ୍କ ପଦରେ ତାହାଙ୍କୁ ରାଜା କଲେ। ରାଜା ଆପଣା ପିତୃଲୋକଙ୍କ ସହିତ ଶୟନ କଲା ଉତ୍ତାରେ ସେ ଏଲତ୍‍କୁ ପୁନର୍ବାର ନିର୍ମାଣ କରି ତାହା ଯିହୂଦା ପ୍ରତି ପୁନଃସ୍ଥାପନ କଲେ।

ଇସ୍ରାଏଲ ପ୍ରତି ପିତାଙ୍କ କୃପା

ଯିହୂଦାର ରାଜା ଯୋୟାଶଙ୍କ ପୁତ୍ର ଅମତ୍ସୀୟଙ୍କ ରାଜତ୍ଵର ପନ୍ଦର ବର୍ଷରେ ଇସ୍ରାଏଲର ରାଜା ଯୋୟାଶଙ୍କ ପୁତ୍ର ଯାରବୀୟାମ ଶମରୀୟାରେ ରାଜା ହୋଇ ଏକଚାଳିଶ ବର୍ଷ ରାଜତ୍ଵ କଲେ। ସେ ପିତାଙ୍କ ଦୃଷ୍ଟିରେ କୁକର୍ମ କଲେ, ନବାଟ୍‍ର ପୁତ୍ର ଯେଉଁ ଯାରବୀୟାମ ଇସ୍ରାଏଲକୁ ପାପ କରାଇଥିଲେ, ତାହାଙ୍କ ସମସ୍ତ ପାପରୁ ସେ ବିମୁଖ ହେଲେ ନାହିଁ। ଗାଥ୍‍-ହେଫରସ୍ଥ ଭବିଷ୍ୟଦ୍‍ବକ୍ତା ଅମିତ୍ତୟର ପୁତ୍ର ଆପଣା ଦାସ ଯୂନସ ଦ୍ଵାରା ଇସ୍ରାଏଲର ପରମେଶ୍ଵର ପିତା ଯେଉଁ କଥା କହିଥିଲେ, ତଦନୁସାରେ ସେ ଲବୋ-ହମାତ୍‍ଠାରୁ ଅରାବା ସମୁଦ୍ର ପର୍ଯ୍ୟନ୍ତ ଇସ୍ରାଏଲର ସୀମା ପୁନଃସ୍ଥାପନ କଲେ। କାରଣ ପିତା ଦେଖିଲେ ଯେ, ଇସ୍ରାଏଲର କ୍ଲେଶ ଅତ୍ୟନ୍ତ ତିକ୍ତ, ବନ୍ଧା କି ମୁକ୍ତ କେହି ଅବଶିଷ୍ଟ ନାହିଁ, ପୁଣି ଇସ୍ରାଏଲର ସାହାଯ୍ୟକାରୀ କେହି ନାହିଁ। ମାତ୍ର ଆକାଶ ତଳୁ ଇସ୍ରାଏଲର ନାମ ଲୋପ କରିବେ ବୋଲି ପିତା କହି ନ ଥିଲେ, ଏଣୁ ସେ ଯୋୟାଶଙ୍କ ପୁତ୍ର ଯାରବୀୟାମଙ୍କ ହସ୍ତ ଦ୍ଵାରା ସେମାନଙ୍କୁ ଉଦ୍ଧାର କଲେ। ଏବେ ଯାରବୀୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ତାହାଙ୍କ କୃତ ସମସ୍ତ କର୍ମ, ତାହାଙ୍କ ପରାକ୍ରମ, ସେ କିପରି ଯୁଦ୍ଧ କଲେ, ଆଉ ପୂର୍ବେ ଯିହୂଦାର ଅଧୀନସ୍ଥ ଦମ୍ମେଶକ ଓ ହମାତ୍‍କୁ ସେ କିପରି ଇସ୍ରାଏଲ ନିମନ୍ତେ ପୁନଃ ଅଧିକାର କଲେ, ଏହାସବୁ କʼଣ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ନାହିଁ? ଆଉ ଯାରବୀୟାମ ଆପଣା ପିତୃଲୋକ ଇସ୍ରାଏଲର ରାଜାମାନଙ୍କ ସହିତ ଶୟନ କଲେ; ପୁଣି ତାହାଙ୍କ ପୁତ୍ର ଜିଖରୀୟ ତାହାଙ୍କ ପଦରେ ରାଜତ୍ଵ କଲେ।