ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

ପିତା ମୋଶାଙ୍କୁ କଥା କହନ୍ତି

ଅଶୁଚି ଲୋକମାନଙ୍କୁ ଛାଉଣି ବାହାରକୁ ପଠାଯାଏ, ଅପରାଧୀମାନେ ପୂରା ଓ ତା' ସହିତ ପାଞ୍ଚ ଭାଗରୁ ଏକ ଭାଗ ଅଧିକ ଫେରାଇ ଦେବା ଆବଶ୍ୟକ, ଏବଂ ସ୍ୱାମୀର ଈର୍ଷାକୁ ତାହାର ନିଜ ହାତରୁ ନେଇ ସନ୍ଦେହ ଓ ଗୁପ୍ତ ପ୍ରତିଶୋଧ ଦ୍ୱାରା ନୁହେଁ, ବରଂ ଶପଥ ଓ ତିକ୍ତ ଜଳ ଦ୍ୱାରା ଆମ ପିତାଙ୍କ ସମ୍ମୁଖରେ ମୀମାଂସା କରାଯାଏ।

ଅଧ୍ୟାୟ 5।

ପିତା ମୋଶାଙ୍କୁ କହିଲେ,

“ଇସ୍ରାଏଲ ସନ୍ତାନମାନଙ୍କୁ ଆଜ୍ଞା ଦିଅ ଯେ, ପ୍ରତ୍ୟେକ କୁଷ୍ଠରୋଗୀକୁ, ପ୍ରବାହଜନିତ ପ୍ରତ୍ୟେକ ଲୋକକୁ ଓ ଶବ ଦ୍ଵାରା ଅଶୁଚି ପ୍ରତ୍ୟେକ ଲୋକକୁ ସେମାନେ ଛାଉଣିରୁ ବାହାର କରିଦିଅନ୍ତୁ। ପୁରୁଷ ହେଉ କି ସ୍ତ୍ରୀ ହେଉ, ଉଭୟଙ୍କୁ ବାହାର କରିଦିଅ; ସେମାନଙ୍କୁ ଛାଉଣିର ବାହାରକୁ ପଠାଇଦିଅ, ଯେପରି ସେମାନଙ୍କ ମଧ୍ୟରେ ଯେଉଁଠାରେ ଆମ୍ଭେ ବାସ କରୁଅଛୁ, ସେହି ଛାଉଣିକୁ ସେମାନେ ଅଶୁଚି ନ କରନ୍ତି।”

ତହିଁରେ ଇସ୍ରାଏଲ ସନ୍ତାନମାନେ ସେହିପରି କରି ସେମାନଙ୍କୁ ଛାଉଣିର ବାହାରକୁ ପଠାଇଦେଲେ; ପିତା ମୋଶାଙ୍କୁ ଯେପରି କହିଥିଲେ, ଇସ୍ରାଏଲ ସନ୍ତାନମାନେ ସେହିପରି କଲେ।

ପାପ ସ୍ଵୀକାର ଓ କ୍ଷତିପୂରଣ

ଏଥିଉତ୍ତାରେ ପିତା ମୋଶାଙ୍କୁ କହିଲେ,

“ଇସ୍ରାଏଲ ସନ୍ତାନମାନଙ୍କୁ କୁହ: ଯେତେବେଳେ କୌଣସି ପୁରୁଷ କି ସ୍ତ୍ରୀ ମନୁଷ୍ୟର କୌଣସି ପାପ କରି ଆମ୍ଭ ବିରୁଦ୍ଧରେ ବିଶ୍ଵାସଘାତକତା କରେ, ସେତେବେଳେ ସେହି ଲୋକ ଦୋଷୀ ହୁଏ। ପୁଣି ସେମାନେ ଆପଣାମାନଙ୍କ କୃତ ପାପ ସ୍ଵୀକାର କରିବେ, ଆଉ ଆପଣା ଅପରାଧର କ୍ଷତିପୂରଣ ସମ୍ପୂର୍ଣ୍ଣ ଭାବେ କରି ତହିଁରେ ପଞ୍ଚମାଂଶ ଅଧିକ ଯୋଗ କରିବେ ଓ ଯାହା ପ୍ରତି ଅପରାଧ କରିଥିଲେ, ତାହାକୁ ତାହା ଦେବେ। କିନ୍ତୁ ଯଦି ସେହି ଲୋକର କ୍ଷତିପୂରଣ ଗ୍ରହଣ କରିବା ନିମନ୍ତେ କୌଣସି ଜ୍ଞାତି ନ ଥାଏ, ତେବେ ତାହା ଆମ୍ଭର, ଆଉ ତାହା ଯାଜକକୁ ମିଳିବ, ଏହା ଛଡ଼ା ଦୋଷୀ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ପ୍ରାୟଶ୍ଚିତ୍ତର ଅଣ୍ଡିରା ମେଣ୍ଢା ମଧ୍ୟ। ଇସ୍ରାଏଲ ସନ୍ତାନମାନଙ୍କ ଯେସମସ୍ତ ପବିତ୍ର ଦ୍ରବ୍ୟ ଯାଜକ ନିକଟକୁ ଅଣାଯାଏ, ତହିଁ ମଧ୍ୟରେ ପ୍ରତ୍ୟେକ ଉପହାର ତାହାର ହେବ। ପ୍ରତ୍ୟେକ ଲୋକର ପବିତ୍ର ଦ୍ରବ୍ୟ ତାହାରି ହୋଇ ରହିବ; ଯେକେହି ଯାଜକକୁ ଯାହା ଦିଏ, ତାହା ଯାଜକର ହେବ।”

ଈର୍ଷାର ପରୀକ୍ଷା

ଏଥିଉତ୍ତାରେ ପିତା ମୋଶାଙ୍କୁ କହିଲେ,

“ଇସ୍ରାଏଲ ସନ୍ତାନମାନଙ୍କୁ କଥା କହି ସେମାନଙ୍କୁ କୁହ: ଯଦି କୌଣସି ପୁରୁଷର ଭାର୍ଯ୍ୟା ବିପଥଗାମିନୀ ହୋଇ ତାହା ପ୍ରତି ବିଶ୍ଵାସଘାତକତା କରେ, ଯଦି ଅନ୍ୟ ପୁରୁଷ ତାହା ସହିତ ଶୟନ କରେ, ଆଉ ତାହା ଏହା ତାହାର ସ୍ଵାମୀଠାରୁ ଗୁପ୍ତ ଥାଏ, ପୁଣି ସେ ଅଶୁଚି ହେଲେ ହେଁ ଅପ୍ରକାଶିତ ରହେ—ତାହା ବିରୁଦ୍ଧରେ କୌଣସି ସାକ୍ଷୀ ନ ଥାଏ, କିଅବା ସେ କର୍ମ ସମୟରେ ଧରା ନ ଯାଇଥାଏ, ପୁଣି ସ୍ଵାମୀ ଉପରେ ଈର୍ଷାର ଆତ୍ମା ଆସି ସେ ଆପଣା ଅଶୁଚି ଭାର୍ଯ୍ୟା ପ୍ରତି ଈର୍ଷାନ୍ଵିତ ହୁଏ; କିଅବା ତାହା ଉପରେ ଈର୍ଷାର ଆତ୍ମା ଆସି ସେ ଅଶୁଚି ନ ଥିଲେ ହେଁ ତାହା ପ୍ରତି ଈର୍ଷାନ୍ଵିତ ହୁଏ, ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ, ଆଉ ତାହା ନିମନ୍ତେ ତାହାର ନୈବେଦ୍ୟ ରୂପେ ପ୍ରାୟ ଦୁଇ ସେର ଯବ ମଇଦା ଆଣିବ। ସେ ତହିଁ ଉପରେ ତୈଳ ଢାଳିବ ନାହିଁ କି କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ ନୈବେଦ୍ୟ, ଅପରାଧ ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ ଅଟେ। ଯାଜକ ତାହାକୁ ନିକଟକୁ ଆଣି ପିତାଙ୍କ ସମ୍ମୁଖରେ ଠିଆ କରାଇବ। ଯାଜକ ଗୋଟିଏ ମାଟିପାତ୍ରରେ ପବିତ୍ର ଜଳ ନେବ, ଆଉ ଆବାସର ଭୂମିରୁ ଧୂଳି ନେଇ ତାହା ଜଳରେ ପକାଇବ। a a v17 ଏହି ତିକ୍ତ ଜଳ ବିଧି ପରୀକ୍ଷା ଦ୍ଵାରା କରାଯିବା ଏକ ଈଶ୍ଵରୀୟ ବିଚାର ଥିଲା: ଯଦି ସ୍ତ୍ରୀ ଦୋଷୀ ଥାଏ, ତେବେ ସେ ଶାରୀରିକ କ୍ଷତି ଭୋଗ କରିବ; ଯଦି ନିର୍ଦ୍ଦୋଷ ଥାଏ, ତେବେ ସେ ଅକ୍ଷତ ରହିବ। ଯାଜକ ସେହି ସ୍ତ୍ରୀକୁ ପିତାଙ୍କ ସମ୍ମୁଖରେ ଠିଆ କରାଇ ତାହାର କେଶ ମୁକ୍ତ କରିବ, ଆଉ ତାହା ହସ୍ତରେ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଈର୍ଷାର ନୈବେଦ୍ୟ ଦେବ, ଆଉ ସେ ଅଭିଶାପଜନକ ତିକ୍ତ ଜଳ ଆପଣା ହସ୍ତରେ ଧରିବ। ପୁଣି ଯାଜକ ତାହାକୁ ଶପଥ କରାଇ ତାହାକୁ କହିବ, ‘ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନାହିଁ, ଆଉ ତୁମ୍ଭେ ଆପଣା ସ୍ଵାମୀର ଅଧୀନରେ ଥାଇ ବିପଥଗାମିନୀ ହୋଇ ଆପଣାକୁ ଅଶୁଚି କରି ନାହଁ, ତେବେ ଅଭିଶାପଜନକ ଏହି ତିକ୍ତ ଜଳରୁ ମୁକ୍ତ ହୁଅ। କିନ୍ତୁ ଯଦି ତୁମ୍ଭେ ଆପଣା ସ୍ଵାମୀର ଅଧୀନରେ ଥାଇ ବିପଥଗାମିନୀ ହୋଇ ଆପଣାକୁ ଅଶୁଚି କରିଅଛ, ଆଉ ତୁମ୍ଭ ସ୍ଵାମୀ ବିନା ଅନ୍ୟ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରିଅଛି।’ ତେବେ ଯାଜକ ସେହି ସ୍ତ୍ରୀକୁ ଏହି ଅଭିଶାପର ଶପଥରେ ବଦ୍ଧ କରି କହିବ: ପିତା ତୁମ୍ଭ ଜଙ୍ଘକୁ କ୍ଷୀଣ ଓ ତୁମ୍ଭ ଉଦରକୁ ସ୍ଫୀତ କରିବା ଦ୍ଵାରା ତୁମ୍ଭ ଲୋକଙ୍କ ମଧ୍ୟରେ ତୁମ୍ଭକୁ ଅଭିଶାପ ଓ ନିନ୍ଦାର ପାତ୍ର କରନ୍ତୁ। ଅଭିଶାପଜନକ ଏହି ଜଳ ତୁମ୍ଭ ଉଦର ସ୍ଫୀତ ଓ ଜଙ୍ଘ କ୍ଷୀଣ କରିବା ନିମନ୍ତେ ତୁମ୍ଭ ଶରୀର ମଧ୍ୟରେ ପ୍ରବେଶ କରୁ। ତହିଁରେ ସେହି ସ୍ତ୍ରୀ କହିବ, ‘ଆମେନ୍, ଆମେନ୍।’

“ତହିଁ ଉତ୍ତାରେ ଯାଜକ ଏହି ଅଭିଶାପସବୁ ପୁସ୍ତକରେ ଲେଖି ତିକ୍ତ ଜଳରେ ତାହା ଧୋଇ ପକାଇବ। ପୁଣି ସେ ସେହି ସ୍ତ୍ରୀକୁ ଅଭିଶାପଜନକ ତିକ୍ତ ଜଳ ପାନ କରାଇବ; ଅଭିଶାପଜନକ ସେହି ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ଯନ୍ତ୍ରଣା ଘଟାଇବ। ଯାଜକ ସେହି ସ୍ତ୍ରୀର ହସ୍ତରୁ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ନେଇ ପିତାଙ୍କ ସମ୍ମୁଖରେ ତାହା ଦୋଳାଇ ଯଜ୍ଞବେଦି ନିକଟକୁ ଆଣିବ। ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ତାହାର ସ୍ମରଣାର୍ଥକ ଅଂଶ ଏକ ମୁଠା ନେଇ ଯଜ୍ଞବେଦି ଉପରେ ଦଗ୍ଧ କରିବ, ତହିଁ ଉତ୍ତାରେ ସେହି ସ୍ତ୍ରୀକୁ ଜଳ ପାନ କରାଇବ। ସେ ତାହାକୁ ଜଳ ପାନ କରାଇଲା ଉତ୍ତାରେ, ଯଦି ସେ ଆପଣାକୁ ଅଶୁଚି କରିଥାଏ ଓ ଆପଣା ସ୍ଵାମୀ ପ୍ରତି ବିଶ୍ଵାସଘାତକତା କରିଥାଏ, ତେବେ ଅଭିଶାପଜନକ ସେହି ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ଯନ୍ତ୍ରଣା ଘଟାଇବ: ତାହାର ଉଦର ସ୍ଫୀତ ହେବ, ଜଙ୍ଘ କ୍ଷୀଣ ହେବ, ଆଉ ସେ ଆପଣା ଲୋକଙ୍କ ମଧ୍ୟରେ ଅଭିଶାପର ପାତ୍ର ହେବ। କିନ୍ତୁ ଯଦି ସେହି ସ୍ତ୍ରୀ ଆପଣାକୁ ଅଶୁଚି କରି ନ ଥାଏ ଓ ଶୁଚି ଥାଏ, ତେବେ ସେ ନିର୍ଦ୍ଦୋଷ ଗଣିତ ହେବ ଓ ସନ୍ତାନ ଗର୍ଭ ଧାରଣ କରିବ।

“ଈର୍ଷା ବିଷୟକ ବ୍ୟବସ୍ଥା ଏହି: ଯେତେବେଳେ କୌଣସି ଭାର୍ଯ୍ୟା ଆପଣା ସ୍ଵାମୀର ଅଧୀନରେ ଥାଇ ବିପଥଗାମିନୀ ହୋଇ ଆପଣାକୁ ଅଶୁଚି କରେ, କିଅବା ଯେତେବେଳେ କୌଣସି ପୁରୁଷକୁ ଈର୍ଷାର ଆତ୍ମା ଧରେ ଓ ସେ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାନ୍ଵିତ ହୁଏ: ସେ ତାହାକୁ ପିତାଙ୍କ ସମ୍ମୁଖରେ ଠିଆ କରାଇବ, ଆଉ ଯାଜକ ତାହା ପ୍ରତି ଏହି ସମସ୍ତ ବ୍ୟବସ୍ଥା ପ୍ରୟୋଗ କରିବ। ତହିଁରେ ସେହି ପୁରୁଷ ଦୋଷରୁ ମୁକ୍ତ ହେବ, କିନ୍ତୁ ସେହି ସ୍ତ୍ରୀ ଆପଣା ପାପର ଫଳ ଭୋଗ କରିବ।”