ମୁଦ୍ରଣରେ ଉପଲବ୍ଧ
ପୁସ୍ତକ

କହାତୀୟମାନେ ସେବା ନିମନ୍ତେ ଆହୂତ

ପ୍ରତ୍ୟେକ ଲେବୀୟ ଗୋଷ୍ଠୀକୁ ଠିକ୍ କଅଣ ବହନ କରିବ ତାହା ଦିଆଯାଏ: କହାତକୁ ଆଚ୍ଛାଦିତ ପବିତ୍ର ବସ୍ତୁ, ଗେର୍ଶୋନକୁ ପରଦା, ମରାରିକୁ ଫ୍ରେମ୍‌। ତିରିଶରୁ ପଚାଶ ବର୍ଷର ପୁରୁଷମାନଙ୍କୁ କାର୍ଯ୍ୟ ପାଇଁ ଗଣନା କରାଯାଏ, ଏବଂ ଯାଜକମାନେ ପ୍ରଥମେ ଯେଉଁ ଆଚ୍ଛାଦନ ଦିଅନ୍ତି, ତାହା ହିଁ ବାହକମାନଙ୍କୁ ଜୀବିତ ରଖେ।

ଅଧ୍ୟାୟ 4।

ଆମ୍ଭମାନଙ୍କ ପିତା ମୋଶା ଓ ହାରୋଣଙ୍କୁ କହିଲେ,

“ଲେବୀୟମାନଙ୍କ ମଧ୍ୟରୁ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ କହାତୀୟମାନଙ୍କୁ ଗଣନା କର। ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବାରେ ପ୍ରବେଶ କରନ୍ତି, ସେସମସ୍ତଙ୍କୁ ଗଣନା କର।

“ସମାଗମ ତମ୍ବୁରେ କହାତର ସନ୍ତାନଗଣର ସେବା ଏହି; ଅର୍ଥାତ୍‍, ମହାପବିତ୍ର ବସ୍ତୁସମୂହ। ଛାଉଣି ଯାତ୍ରା କରିବା ସମୟରେ ହାରୋଣ ଓ ତାହାଙ୍କ ପୁତ୍ରମାନେ ଆଚ୍ଛାଦନ ବିଚ୍ଛେଦବସ୍ତ୍ର ଓହ୍ଲାଇ ତଦ୍ଦ୍ଵାରା ସାକ୍ଷ୍ୟସିନ୍ଦୁକ ଆଚ୍ଛାଦନ କରିବେ। ପୁଣି ସେମାନେ ତାହା ଉପରେ ସୁକ୍ଷ୍ମ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ର ବିଛାଇ ତହିଁର ଦଣ୍ଡସବୁ ଲଗାଇବେ।

“ଆଉ ଦର୍ଶନୀୟ ରୁଟିର ମେଜ ଉପରେ ସେମାନେ ନୀଳବର୍ଣ୍ଣ ବସ୍ତ୍ର ବିଛାଇ ତହିଁ ଉପରେ ଥାଳି, ଚମସ, ପାତ୍ର ଓ ଢାଳିବା କୁଣ୍ଡସବୁ ରଖିବେ; ପୁଣି ନିତ୍ୟ ରୁଟି ତହିଁ ଉପରେ ରହିବ। ଆଉ ସେମାନେ ସେହିସବୁ ଉପରେ ସିନ୍ଦୂରବର୍ଣ୍ଣ ବସ୍ତ୍ର ବିଛାଇ ସୁକ୍ଷ୍ମ ଚର୍ମରେ ତାହା ଆଚ୍ଛାଦନ କରିବେ ଓ ତହିଁର ଦଣ୍ଡସବୁ ଲଗାଇବେ।

“ଆଉ ସେମାନେ ନୀଳବର୍ଣ୍ଣ ବସ୍ତ୍ର ନେଇ ଦୀପ୍ତିଦାୟକ ଦୀପବୃକ୍ଷ, ତହିଁର ପ୍ରଦୀପ, ଚିମୁଟା, ତାଟିଆ ଓ ତାହାର ସେବାରେ ବ୍ୟବହୃତ ତୈଳପାତ୍ରସମୂହ ଆଚ୍ଛାଦନ କରିବେ। ପୁଣି ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ସୁକ୍ଷ୍ମ ଚର୍ମରେ ଗୁଡ଼ାଇ ବହିବା ଢାଞ୍ଚା ଉପରେ ରଖିବେ।

“ଆଉ ସୁବର୍ଣ୍ଣ ବେଦି ଉପରେ ସେମାନେ ନୀଳବର୍ଣ୍ଣ ବସ୍ତ୍ର ବିଛାଇ ସୁକ୍ଷ୍ମ ଚର୍ମରେ ତାହା ଆଚ୍ଛାଦନ କରିବେ ଓ ତହିଁର ଦଣ୍ଡସବୁ ଲଗାଇବେ। ପୁଣି ସେମାନେ ପବିତ୍ର ସ୍ଥାନରେ ବ୍ୟବହୃତ ସେବାର ସମସ୍ତ ଉପକରଣ ନେଇ ନୀଳବର୍ଣ୍ଣ ବସ୍ତ୍ରରେ ରଖି ସୁକ୍ଷ୍ମ ଚର୍ମରେ ଆଚ୍ଛାଦନ କରି ବହିବା ଢାଞ୍ଚା ଉପରେ ରଖିବେ।

“ଆଉ ସେମାନେ ବେଦିରୁ ଭସ୍ମ କାଢ଼ି ତହିଁ ଉପରେ ଧୂମ୍ରବର୍ଣ୍ଣ ବସ୍ତ୍ର ବିଛାଇବେ। ପୁଣି ସେମାନେ ତହିଁ ଉପରେ ବେଦିର ସେବାକର୍ମରେ ବ୍ୟବହୃତ ସମସ୍ତ ପାତ୍ର, ଅର୍ଥାତ୍‍, ଅଙ୍ଗାରଧାନୀ, ମାଂସକଣ୍ଟା, କରଣ୍ଡ, କୁଣ୍ଡ ଓ ବେଦିର ସକଳ ପାତ୍ର ରଖିବେ; ତହୁଁ ତହିଁ ଉପରେ ସୁକ୍ଷ୍ମ ଚର୍ମର ଆଚ୍ଛାଦନ ବିଛାଇ ତହିଁର ଦଣ୍ଡସବୁ ଲଗାଇବେ।

“ଆଉ ଛାଉଣି ଯାତ୍ରା କରିବା ସମୟରେ ହାରୋଣ ଓ ତାହାଙ୍କ ପୁତ୍ରମାନେ ପବିତ୍ର ବସ୍ତୁ ଓ ପବିତ୍ର ସ୍ଥାନର ସମସ୍ତ ପାତ୍ର ଆଚ୍ଛାଦନ କରିବା ସମାପ୍ତ କଲା ଉତ୍ତାରେ କହାତର ସନ୍ତାନଗଣ ତାହାସବୁ ବହିବା ନିମନ୍ତେ ଆସିବେ, ମାତ୍ର ସେମାନେ ପବିତ୍ର ବସ୍ତୁ ସ୍ପର୍ଶ କରିବେ ନାହିଁ, କଲେ ମରିବେ। ସମାଗମ ତମ୍ବୁରେ ଏହିସବୁ କହାତର ସନ୍ତାନଗଣର ବହନୀୟ ଭାର।

“ପୁଣି ହାରୋଣ ଯାଜକଙ୍କ ପୁତ୍ର ଇଲୀୟାସର ଦୀପ ନିମନ୍ତେ ତୈଳ, ସୁଗନ୍ଧି ଧୂପ, ନିତ୍ୟ ଭକ୍ଷ୍ୟ ନୈବେଦ୍ୟ ଓ ଅଭିଷେକାର୍ଥକ ତୈଳ ବିଷୟରେ ଦାୟୀ ରହିବେ; ସମ୍ପୂର୍ଣ୍ଣ ଆବାସ, ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ପବିତ୍ର ସ୍ଥାନ ଓ ତହିଁର ସକଳ ସାମଗ୍ରୀ ବିଷୟରେ ସେ ଦାୟୀ ରହିବେ।”

ଆମ୍ଭମାନଙ୍କ ପିତା ମୋଶା ଓ ହାରୋଣଙ୍କୁ କହିଲେ,

“ତୁମ୍ଭେମାନେ କହାତୀୟ ଗୋଷ୍ଠୀସମୂହର ବଂଶକୁ ଲେବୀୟମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବାକୁ ଦିଅ ନାହିଁ। ସେମାନେ ଯେପରି ମହାପବିତ୍ର ବସ୍ତୁ ନିକଟକୁ ଆସିଲା ବେଳେ ବଞ୍ଚିବେ ଓ ମରିବେ ନାହିଁ, ଏଥିପାଇଁ ସେମାନଙ୍କ ପ୍ରତି ଏହି କାର୍ଯ୍ୟ କର; ହାରୋଣ ଓ ତାହାଙ୍କ ପୁତ୍ରମାନେ ଭିତରକୁ ଯାଇ ପ୍ରତ୍ୟେକକୁ ତାହାର କାର୍ଯ୍ୟ ଓ ବହନୀୟ ଭାର ନିରୂପଣ କରିଦେବେ। ମାତ୍ର ସେମାନେ କ୍ଷଣକ ନିମନ୍ତେ ହେଲେ ଭିତରକୁ ଯାଇ ପବିତ୍ର ବସ୍ତୁ ଦେଖିବେ ନାହିଁ, ଦେଖିଲେ ମରିବେ।”

ଗେର୍ଶୋନୀୟମାନଙ୍କ କାର୍ଯ୍ୟଭାର

ଆମ୍ଭମାନଙ୍କ ପିତା ମୋଶାଙ୍କୁ କହିଲେ,

“ଗେର୍ଶୋନର ସନ୍ତାନଗଣର ମଧ୍ୟ ପିତୃବଂଶ ଓ ଗୋଷ୍ଠୀ ଅନୁସାରେ ଗଣନା କର। ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ ତମ୍ବୁରେ କାର୍ଯ୍ୟ କରି ସେବା କରନ୍ତି, ସେମାନଙ୍କୁ ଗଣନା କର।

“ସେବା ଓ ବହନ ବିଷୟରେ ଗେର୍ଶୋନୀୟ ଗୋଷ୍ଠୀସମୂହର ସେବା ଏହି; ସେମାନେ ଆବାସର ଯବନିକା, ସମାଗମ ତମ୍ବୁ, ତହିଁର ଆଚ୍ଛାଦନ, ତହିଁ ଉପରିସ୍ଥିତ ସୁକ୍ଷ୍ମ ଚର୍ମର ଆଚ୍ଛାଦନ ଓ ସମାଗମ ତମ୍ବୁ ଦ୍ଵାରର ଆଚ୍ଛାଦନ ବସ୍ତ୍ର ବହିବେ, ଆଉ ପ୍ରାଙ୍ଗଣର ଯବନିକା, ଆବାସ ଓ ବେଦିର ଚତୁର୍ଦ୍ଦିଗସ୍ଥ ପ୍ରାଙ୍ଗଣ ଦ୍ଵାରର ଆଚ୍ଛାଦନ ବସ୍ତ୍ର, ସେସମସ୍ତର ରଜ୍ଜୁ ଓ ସେବାର୍ଥକ ସକଳ ସାମଗ୍ରୀ ବହିବେ; ପୁଣି ଏସବୁ ବିଷୟରେ ଯାହା କରିବାକୁ ହୁଏ, ତାହା ସେମାନେ କରିବେ। ହାରୋଣ ଓ ତାହାଙ୍କ ପୁତ୍ରମାନଙ୍କ ବାକ୍ୟ ଅନୁସାରେ ଗେର୍ଶୋନର ସନ୍ତାନଗଣର ସମସ୍ତ ସେବା, ଅର୍ଥାତ୍‍, ସେମାନଙ୍କ ବହନ ଓ ସେବା ହେବ; ପୁଣି ସେମାନଙ୍କ ବହନୀୟ ସକଳ ଭାର ତୁମ୍ଭେମାନେ ସେମାନଙ୍କ ଉପରେ ନିରୂପଣ କରିବ। ସମାଗମ ତମ୍ବୁରେ ଗେର୍ଶୋନୀୟ ଗୋଷ୍ଠୀସମୂହର ସେବା ଏହି; ପୁଣି ହାରୋଣ ଯାଜକଙ୍କ ପୁତ୍ର ଈଥାମରଙ୍କ ଅଧୀନରେ ସେମାନଙ୍କ କାର୍ଯ୍ୟ ରହିବ।

ମରାରିଙ୍କ ସନ୍ତାନଗଣ

“ମରାରିର ସନ୍ତାନଗଣ ବିଷୟରେ, ତୁମ୍ଭେ ସେମାନଙ୍କୁ ସେମାନଙ୍କ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ ଗଣନା କରିବ। ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁ ପ୍ରତ୍ୟେକ ଜଣ ସମାଗମ ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବାରେ ପ୍ରବେଶ କରେ, ତାହାକୁ ଗଣନା କରିବ। ସମାଗମ ତମ୍ବୁରେ ସେମାନଙ୍କ କାର୍ଯ୍ୟ ଓ ସେବା ଅନୁସାରେ ସେମାନଙ୍କ ବହନୀୟ ଭାର ଏହି; ଅର୍ଥାତ୍‍, ଆବାସର ପଟା, ଅର୍ଗଳ, ସ୍ତମ୍ଭ ଓ ଚୁଙ୍ଗୀସବୁ, ଆଉ ଚତୁର୍ଦ୍ଦିଗସ୍ଥ ପ୍ରାଙ୍ଗଣର ସ୍ତମ୍ଭ, ତହିଁର ଚୁଙ୍ଗୀ, କଣ୍ଟା ଓ ରଜ୍ଜୁ, ପୁଣି ସେସମସ୍ତର ସକଳ ସାମଗ୍ରୀ ଓ ସେବା; ପୁଣି ପ୍ରତ୍ୟେକର ବହନୀୟ ସାମଗ୍ରୀ ତୁମ୍ଭେମାନେ ନାମ ଅନୁସାରେ ନିରୂପଣ କରିବ। ହାରୋଣ ଯାଜକଙ୍କ ପୁତ୍ର ଈଥାମରଙ୍କ ଅଧୀନରେ ସମାଗମ ତମ୍ବୁରେ ମରାରୀୟ ଗୋଷ୍ଠୀସମୂହର ସେବା ଏହି।”

ପ୍ରତ୍ୟେକେ ନାମ ଅନୁସାରେ ଗଣିତ

ଏଣୁ ମୋଶା, ହାରୋଣ ଓ ମଣ୍ଡଳୀର ଅଧ୍ୟକ୍ଷଗଣ କହାତୀୟମାନଙ୍କ ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ ଗଣନା କଲେ, ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁ ସମସ୍ତେ ସମାଗମ ତମ୍ବୁର କାର୍ଯ୍ୟ ନିମନ୍ତେ ସେବାରେ ଯୋଗ ଦେଲେ, ସେମାନଙ୍କୁ ଗଣିଲେ। ସେମାନଙ୍କ ଗୋଷ୍ଠୀ ଅନୁସାରେ ଗଣିତ ଲୋକ ଦୁଇ ହଜାର ସାତ ଶହ ପଚାଶ ଜଣ ଥିଲେ। ଯେଉଁମାନେ ସମାଗମ ତମ୍ବୁରେ ସେବା କଲେ, କହାତୀୟ ଗୋଷ୍ଠୀସମୂହର ସେହି ସମସ୍ତେ ଏହିପରି ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଗଣନା କଲେ।

ଆଉ ଗେର୍ଶୋନର ସନ୍ତାନଗଣର ଗଣିତ ଲୋକମାନେ, ସେମାନଙ୍କ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ, ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁ ସମସ୍ତେ ସମାଗମ ତମ୍ବୁରେ ସେବାକାର୍ଯ୍ୟରେ ପ୍ରବେଶ କଲେ, ସେମାନଙ୍କ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ ଗଣିତ ଲୋକ ଦୁଇ ହଜାର ଛଅ ଶହ ତିରିଶ ଜଣ ଥିଲେ। ଯେଉଁମାନେ ସମାଗମ ତମ୍ବୁରେ ସେବା କଲେ, ଗେର୍ଶୋନର ସନ୍ତାନଗଣର ଗୋଷ୍ଠୀସମୂହର ସେହି ସମସ୍ତେ ଏହିପରି ଗଣିତ ହେଲେ, ଯେଉଁମାନଙ୍କୁ ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଗଣନା କଲେ।

ଆଉ ମରାରିର ସନ୍ତାନଗଣର ଗୋଷ୍ଠୀସମୂହର ଗଣିତ ଲୋକମାନେ, ସେମାନଙ୍କ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ, ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁ ସମସ୍ତେ ସମାଗମ ତମ୍ବୁରେ କାର୍ଯ୍ୟ ନିମନ୍ତେ ସେବାରେ ପ୍ରବେଶ କଲେ, ସେମାନଙ୍କ ଗୋଷ୍ଠୀ ଅନୁସାରେ ଗଣିତ ଲୋକ ତିନି ହଜାର ଦୁଇ ଶହ ଜଣ ଥିଲେ। ମରାରିର ସନ୍ତାନଗଣର ଗୋଷ୍ଠୀସମୂହର ସେହି ସମସ୍ତେ ଏହିପରି ଗଣିତ ହେଲେ, ଯେଉଁମାନଙ୍କୁ ମୋଶା ଦ୍ଵାରା ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାନୁସାରେ ମୋଶା ଓ ହାରୋଣ ଗଣନା କଲେ।

ମୋଶା, ହାରୋଣ ଓ ଇସ୍ରାଏଲର ଅଧ୍ୟକ୍ଷଗଣ ଗୋଷ୍ଠୀ ଓ ପିତୃବଂଶ ଅନୁସାରେ ଲେବୀୟମାନଙ୍କ ମଧ୍ୟରୁ ଯେଉଁ ସମସ୍ତଙ୍କୁ ଗଣନା କଲେ, ତିରିଶ ବର୍ଷରୁ ପଚାଶ ବର୍ଷ ପର୍ଯ୍ୟନ୍ତ, ଯେଉଁ ପ୍ରତ୍ୟେକେ ସମାଗମ ତମ୍ବୁରେ ସେବାକାର୍ଯ୍ୟ ଓ ବହନକାର୍ଯ୍ୟ କଲେ, ସେହି ଗଣିତ ଲୋକ ଆଠ ହଜାର ପାଞ୍ଚ ଶହ ଅଶୀ ଜଣ ଥିଲେ। ଆମ୍ଭମାନଙ୍କ ପିତାଙ୍କ ଆଜ୍ଞାନୁସାରେ ମୋଶା ପ୍ରତ୍ୟେକକୁ ତାହାର ସେବା ଓ ବହନୀୟ ଭାର ଦେଇ ନିଯୁକ୍ତ କଲେ ଓ ସେମାନଙ୍କୁ ଗଣନା କଲେ, ଯେପରି ଆମ୍ଭମାନଙ୍କ ପିତା ମୋଶାଙ୍କୁ ଆଜ୍ଞା ଦେଇଥିଲେ।